ରଞ୍ଜିତ୍ ପଣ୍ଡା
କୁଜଙ୍ଗ: କୁଜଙ୍ଗବ୍ଳକ ବିଶ୍ୱାଳୀ ଠାରେ ସ୍ଥାନୀୟ ନବଜ୍ୟୋତି ୟୁଥ କ୍ଳବ ପକ୍ଷରୁ ୨୫ତମ ବାର୍ଷିକ ମୁକ୍ତମଂଚ ନାଟକ ପ୍ରତିଯୋଗିତା ପାଇଁ ଆଜି ବିଭିନ୍ନ ପ୍ରତିଯୋଗୀ ଦଳ ମଧ୍ୟରେ ଲଟେରୀ ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ପ୍ରାରମ୍ଭରେ ୟୁଥ୍ କ୍ଳବର ସଭାପତି ହିମାଂଶୁ ମହାନ୍ତିଙ୍କ ଅଧ୍ୟକ୍ଷତା ଏବଂ ଇଂ. ସୁରେଶ ବେହେରାଙ୍କ ସଞ୍ଜୋଜନାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଭକ୍ତଚରଣ ସାମଲ, ପବିତ୍ର ସାହୁ, ପ୍ରମୋଦ ସାମଲ, ରାଜେନ୍ଦ୍ର କୁମାର ଦାସ, ଇଂ. ଅତନୁ ସାମନ୍ତ, ଚନ୍ଦ୍ରକାନ୍ତ ସାମଲ, ଅରକ୍ଷୀତ ଦାସ, ମାନଭଞ୍ଜନ ମଲ୍ଲ, ଆଲୋକ ସାହୁ, ରଜକିଶୋର ପତି, ତପନ କୁମାର ପରିଡ଼ା, ଇଂ. ଅଜୟ ବେହେରା, ଇଂ. ହିରୋଣ୍ୟ ଶଗଡ଼ିଆ, ବାବୁଲୀ ରାୟ, ପ୍ରଦୀପ୍ତ କୁମାର ସାମଲ, ନିଳାଦ୍ରୀ ମହାନ୍ତି ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ନବଜ୍ୟୋତି ୟୁଥ କ୍ଳବର ଏହି ୨୪ ବର୍ଷର ଦୀର୍ଘପଥ ଅତିକ୍ରମ କରିବାକୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ଅନୁଷ୍ଠାନ ରାଜ୍ୟର ଅନେକ ଲବ୍ଧପ୍ରତିଷ୍ଠ ଅନୁଷ୍ଠାନ ତୁଳନାରେ କୌଣସି ଗୁଣରେ କମ ନୁହେଁ ବୋଲି ଅତିଥିମାନେ ପ୍ରକ।ଶ କରିଥିଲେ। ପରେ ଧର୍ମଗୁଳା ଲଟେରୀ ଉଠାଣ କରାଯାଇଥିଲା। ଆସନ୍ତା ଅପ୍ରେଲ ୨୧ ତାରିଖଠାରୁ ଅନୁଷ୍ଠିତ ହେବାକୁ ଥିବା ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ୭ଟି ଦଳ ଅଂଶ ଗ୍ରହଣ କରିବାକୁ ଥିବାବେଳେ ୨୧ ତାରଖଠାରୁ ୨୭ ତାରିଖ ମଧ୍ୟରେ ଯଥାକ୍ରମେ କୁଜଙ୍ଗ, ଜଗତସିଂହପୁର, ପାରାଦୀପ, ରାଉରକେଲା, ଭୂବନେଶ୍ୱର, ଖରିଗୋଠ, ପ୍ରହରାଜପୁର ଦଳ ସେମାନଙ୍କର ନାଟକ ପରିବେଷଣ କରିବେ ବୋଲି ସାବ୍ୟସ୍ତ ହୋଇଥିଲା। ସେହିପରି ଭାବେ ପ୍ରତ୍ୟେକ ଦଳ ସଙ୍ଗୀତ, ନୃତ୍ୟ ଏବଂ ନାଟକର ହାସ୍ୟରସ ଜରିଆରେ କୌଣସି ଅଶାଳୀନ ଦୃଶ୍ୟ ପରିବେଷଣ କିମ୍ବା ଦ୍ୱିଅର୍ଥବୋଧକ ସଂଳାପ ବ୍ୟବହାର କଲେ ଏବଂ ପ୍ରତ୍ୟେକ ପ୍ରତିଯୋଗୀ ଦଳ ପ୍ରାରମ୍ଭରେ ଜନସଚେତନତା କାର୍ଯ୍ୟକ୍ରମ ପରିବେଷଣ ନକଲେ ସେମାନଙ୍କର ନାଟକକୁ ମୂଲ୍ୟାଙ୍କନ କରାଯିବ ନାହିଁ ବୋଲି ବୈଠକରେ ଆୟୋଜକଙ୍କ ପକ୍ଷରୁ ସ୍ପଷ୍ଟଭାବେ କୁହାଯାଇଥିଲା।