ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା 195ରେ ପହଞ୍ଚିଲା, ସରକାର ଜାରି କଲେ ହ୍ବାଟସ୍‌ଆପ୍‌ ନମ୍ବର

Published: Mar 20, 2020, 10:32 am IST

ନୂଆଦିଲ୍ଲୀ : କରୋନା ଭାଇରସ୍‌କୁ ନେଇ ସାରା ଦେଶ ଏବେ ସତର୍କରେ । ଏବେ ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 195ରେ ପହଞ୍ଚିଛି । ସେହିପରି 4ଜଣ ଏହି ରୋଗରେ ପ୍ରାଣ ହରାଇଛନ୍ତି । କରୋନାକୁ ରୋକିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସଚେତନତା କରିବା ସହିତ ସତର୍କତା ମଧ୍ୟ ଅବଲମ୍ବନ କରୁଛନ୍ତି । ଏ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ବିମାନ ବନ୍ଦରରେ 14,31,734 ଯାତ୍ରୀଙ୍କୁ ସ୍କ୍ରିନିଂ କରାଯାଇଛି । ସେହିପରି ହସ୍ପିଟାଲ୍‌ରେ ଥିବା ଆକ୍ରାନ୍ତଙ୍କ ମଧ୍ୟରେ 19 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ।

କରୋନା ଭାଇରସରେ ଏବ ଦେଶରେ ଚାରିଜଣଙ୍କ ଜୀବନ ଯାଇଛି । ଗୁରୁବାର ଦିନ ପଞ୍ଜାବରେ କରୋନା ସଂକ୍ରମିତ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । 70 ବର୍ଷୀୟ ଏହି ବ୍ୟକ୍ତି ଜଣକ ଜର୍ମାନୀରୁ ଫେରିଥିଲେ । ସେହିପରି ଅନ୍ୟ ମୃତକଙ୍କ ମଧ୍ୟରେ କର୍ଣ୍ଣାଟକର 76 ବର୍ଷୀୟ ଥିବାବେଳେ ଦିଲ୍ଲୀର 68 ବର୍ଷୀୟା ମହିଳା ରହିଛନ୍ତି ।  ସେହିପରି ମହାରାଷ୍ଟ୍ରରେ ମଧ୍ୟ ଜଣେ ଏହି ରୋଗରେ ମୃତ୍ୟୁବରଣ କରିଛନ୍ତି । ଡବ୍ଲଏଚ୍‌ଓ ଏହାକୁ ବିଶ୍ବ ମହାମାରୀ ଘୋଷଣା କରିବା ସହିତ ଏହା ଏବେ 170ଟି ଦେଶକୁ ବ୍ୟାପିଛି ବୋଲି ସୂଚନା ରହିଛି ।

ଦୁନିଆରେ କରୋନାର ଭୟାବହତା ତଥା ଭାରତରେ ଆକ୍ରାନ୍ତଙ୍କ ବୃଦ୍ଧିକୁ ଦେଖି ଭାରତ ସରକାର କରୋନା ପାଇଁ ଏକ ହ୍ବାଟସଆପ୍‌ ନମ୍ବର ଜାରି କରିଛନ୍ତି । ଭାରତ ସରକାର ଏହାକୁ MyGov କରୋନା ହେଲ୍ପଡେସ୍କ ନାମ ଦେଇଛନ୍ତି । ଏଥିପାଇଁ ଏକ ହ୍ବାଟସ୍‌ଆପ୍‌ ନମ୍ବର ଜାରି କରିଛନ୍ତି । ଜାରି ହୋଇଥିବା ହ୍ବାଟସ୍‌ଆପ୍‌ ନମ୍ବର ହେଉଛି 9013151515 । ଏହି ହ୍ବାଟସ୍‌ଆପ୍‌ ନମ୍ବର ଜରିଆରେ ନ୍ୟାସନାଲ୍‌ ଫାର୍ମାସିକ୍ୟୁଟିଲ୍‌ ପ୍ରାଇସିଂ ଅଥରିଟିର ସାହାଯ୍ୟରେ କରୋନା ଭାଇରସ୍‌ ସମ୍ପର୍କରେ ପ୍ରଶ୍ନର ଉତ୍ତର ପାଇପାରିବେ । MyGovindia ଅଫିସ୍‌ଆଲ୍‌ ଟୁଇଟ୍‌ ହ୍ୟାଣ୍ଡେଲ୍‌ରେ ଏହାସମ୍ପର୍କରେ ସୂଚନା ଦିଆଯାଇଛି । (ଏଜେନ୍ସି)

Related posts