ଲକ୍ଷ୍ନୌ : ଯୋଗୀ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସମେତ 45 ଜଣଙ୍କର କରୋନା ରିପୋର୍ଟ ଆସିଛି । ସମସ୍ତ ରିପୋର୍ଟ ନେଗେଟିଭ୍ ରହିଛି । ଉତ୍ତରପ୍ରଦେଶର ସ୍ବାସ୍ଥ୍ୟ ମନ୍ତ୍ରୀ ଜୟପ୍ରତାପ ସିଂହ କରୋନା ଭାଇରସରେ ପୀଡ଼ିତ ନୁହଁନ୍ତି। ଜୟ ପ୍ରତାପ ସିଂହଙ୍କ କରୋନା ପରୀକ୍ଷା ରିପୋର୍ଟ ଆସିଯାଇଛି ଏବଂ ଏହା ନେଗେଟିଭ୍ ରହିଛି। ସ୍ବାସ୍ଥ୍ୟମନ୍ତ୍ରୀ ଜୟ ପ୍ରତାପ ସିଂହ ଗାୟିକା କନିକା କପୁର୍ଙ୍କ ସହ ଏକ ପାର୍ଟିରେ ଉପସ୍ଥିତ ରହିଥିଲେ।
କନିକା କପୁର୍ଙ୍କ ସହିତ ପାର୍ଟିରେ ରହିଥିବା ଅନ୍ୟ 30 ଜଣଙ୍କର ସାମ୍ପଲ୍ ରିପୋର୍ଟ ମଧ୍ୟ ନେଗେଟିଭ୍ ଆସିଛି । ଏତଦ୍ବ୍ୟତୀତ ଅନ୍ୟ 15ଜଣଙ୍କ ରିପୋର୍ଟ ମଧ୍ୟ ରିପୋର୍ଟ ନେଗେଟିଭ୍ ରହିଛି। କନିକାଙ୍କ ସହିତ ସମ୍ପର୍କରେ ଆସିଥିବା ପ୍ରାୟ 45 ଜଣଙ୍କ ରିପୋର୍ଟ ନେଗେଟିଭ୍ ରହିଛି। ଅନ୍ୟମାନଙ୍କ ପରୀକ୍ଷା ଚାଲୁ ରହିଛି। କରେନା ସଂକ୍ରମଣକୁ ଡରି ରହିଥିବାବେଳେ ଏଭଳି ରିପୋର୍ଟ ଟିକେ ଆରାମ ପ୍ରଦାନ କରିଛି।
ସୂଚନାଯୋଗ୍ୟ, ଲଣ୍ଡନରୁ ଫେରିଥିବା କନିକାଙ୍କ କରୋନା ରିପୋର୍ଟ ପଜିଟିଭି ଆସିଥିବାବେଳେ ସେ ଲଣ୍ଡନରୁ ଫେରିବା ପରେ କିଛି ପାର୍ଟିରେ ଯୋଗଦେଇଥିଲେ। ଏହି ପାର୍ଟିଗୁଡିକରେ 100ରୁ ବହୁ ସେଲିବ୍ରିଟି ନେତା ତଥା ଜଣାଶୁଣା ହସ୍ତୀ ଉପସ୍ଥିତ ରହିଥିଲେ। ଏହି ପାର୍ଟିରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ତାଙ୍କ ପୁତ୍ର ଦୁଷ୍ୟନ୍ତ ସିଂହ, କଂଗ୍ରେସ ନେତା ଜିତନ ପ୍ରସାଦ, ୟୁପି ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରୀ ଜୟ ପ୍ରତାପ ସିଂ ପ୍ରମୁଖ ସାମିଲ୍ ରହିଥିଲେ। ସେହିପରି କନିକା ଲକ୍ଷ୍ନୌର ଏକ ବଡ ହୋଟେଲ୍ରେ ମଧ୍ୟ ରହିଥିଲେ। କନିକାଙ୍କ ରିପୋର୍ଟ ଆସିବା ପରେ ଏହି ହୋଟେଲ୍କୁ ବନ୍ଦ କରିଦିଆଯାଇଛି। (ଏଜେନ୍ସି)