ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ସଡକ ଉପରେ ହଜାର ହଜାର ଲୋକେ, ଭିଡ ହଟାଇବାକୁ ପୋଲିସ୍‌ କଲା ଲାଠି ଚାର୍ଜ

Published: Apr 14, 2020, 7:14 pm IST

ମୁମ୍ବାଇ: ସାରା ଦେଶରେ ଜାରି ରହିଛି ଲକ୍‌ ଡାଉନ୍‌। ସାମାଜିକ ଦୂରତ୍ବ ସାହାଯ୍ୟରେ କରୋନା ଚେନ୍‌କୁ ପ୍ରତିହତ କରିବା ପାଇଁ ଚେଷ୍ଟା ଜାରି ରଖାଯାଇଥିବାବେଳେ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ହଜାର ହଜାର ଲୋକଙ୍କ ସମାବେଶ ହୋଇଥିବାର ଜଣାପଡିଛି।

ଲକ୍ ଡାଉନ୍‌ ସମୟରେ ମୁମ୍ବାଇର ବାନ୍ଦ୍ରାଠାରେ ବହୁ ପ୍ରବାସୀ ଶ୍ରମିକ ରୁଣ୍ଡ ହୋଇଥିବାର ସୂଚନା ମିଳିଛି। ସେମାନଙ୍କ ପାଖରେ ଖାଇବା ପାଇଁ କିଛି ନାହିଁ ସେମାନେ ନିଜ ଘରକୁ ଫେରିବାକୁ ଚାହୁଁଛନ୍ତି ବୋଲି ଦାବି କରିଥିଲେ। ଘରକୁ ଯିବା ପାଇଁ ଅନୁମତି ମାଗିଥିଲେ। ବାନ୍ଦ୍ରା ଷ୍ଟେସନ ସାମ୍ନାରେ ଜାମା ମସ୍‌ଜିଦ୍‌ ପାଖରେ ଭିଡ ଜମାଇଥିଲେ। ଏହି ଶ୍ରମିକଙ୍କ ମଧ୍ୟରେ ଅଧିକାଂଶ ବିହାର ଓ ୟୁପିର ପ୍ରବାସୀ ଶ୍ରମିକ ଥିଲେ। ସ୍ଥାନୀୟ ନେତା ଓ ପୋଲିସ୍‌ ହସ୍ତକ୍ଷେପ ପରେ ସେମାନେ ସେଠାରୁ ଯାଇଥିଲେ। ଶ୍ରମିକଙ୍କୁ ସେହି ଜାଗାରୁ ହଟାଇବାକୁ ପୋଲିସ୍‌କୁ ଲାଠି ଚାର୍ଜ କରିବାକୁ ମଧ୍ୟ ପଡିଥିଲା। ବାନ୍ଦ୍ରାଠାରେ ଅଚାନକ ଏପରି ପ୍ରବାସୀ ଶ୍ରମିକଙ୍କ ଭିଡକୁ ଦେଇ ମହାରାଷ୍ଟ୍ର ସରକାର ଓ ପୋଲିସ୍‌ ଉପରକୁ ପ୍ରଶ୍ନ ଉଠିଛି ।

ସୂଚନାଯୋଗ୍ୟ, ବାନ୍ଦ୍ରା ହଟ୍‌ସ୍ପଟ୍‌ ଘୋଷିତ କରାଯାଇଛି । ସେହି ସ୍ଥାନରେ ଏତେ ସଂଖ୍ୟାରେ ଲୋକଙ୍କ ଭିଡ ଜମାଇବାକୁ ନେଇ ଚିନ୍ତାପ୍ରକଟ କରାଯାଇଛି । ପୂରା ଦେଶରେ ମହାରାଷ୍ଟ୍ରରେ ହିଁ ସର୍ବାଧିକ କରୋନା ଆକ୍ରାନ୍ତ ଦେଖାଯାଇଛନ୍ତି । ମୁମ୍ବାଇରେ ଆଜି ନୂତନ ଭାବେ 204ଟି ମାମଲା ସାମ୍ନାକୁ ଆସିଛି ସେଥିରୁ 11ଜଣଙ୍କର ମୃତ୍ୟୁ ହୋଇଯାଇଛି । ମୁମ୍ବାଇରେ ଏପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା 2000 ଟପିଥିବାବେଳେ ମୃତ୍ୟୁ ସଂଖ୍ୟା 160ରେ ପହଞ୍ଚିଛି । (ଏଜେନ୍ସି)

Related posts