ଲକ୍‌ଡାଉନ୍‌ ଯୋଗୁଁ ବସ୍‌ଷ୍ଟାଣ୍ଡରେ ପଡି ରହିଛନ୍ତି ଯୁବକ, କିଡ୍‌ନୀ ଚିକିତ୍ସା ପରେ ଘରକୁ ଫେରିବା ପାଇଁ ନାହିଁ କୌଣସି ସାଧନ

Published: Apr 18, 2020, 11:37 pm IST

ଦିଲ୍ଲୀ : କରୋନା ମହାମାରୀରୁ ବର୍ତ୍ତିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। କିନ୍ତୁ ଏହି ଲକ୍‌ ଡାଉନ୍‌ ବହୁ ଲୋକେ ନାହିଁ ନଥିବାର ହଇରାଣ ହେଉଛନ୍ତି । ଯାତାୟତର କୌଣସି ସାଧନ ନଥିବାରୁ ରୋଗୀମାନେ ଘରେ ପହଞ୍ଚି ପାରୁନାହାନ୍ତି । ଏହିପରି ଏକ ଘଟଣା ଦିଲ୍ଲୀରେ ଘଟିଛି । ଏଠାରେ ଜଣେ ଯୁବକ କିଡ୍‌ନୀ ରୋଗରୁ ଚିକିତ୍ସିତ ହୋଇସାରିବା ପରେ ବି ଘରକୁ ଯାଇ ନପାରି ବସ୍‌ଷ୍ଟାଣ୍ଡରେ ଦିନ କାଟୁଛନ୍ତି । ତାଙ୍କ ଘରକୁ ଯିବା ପାଇଁ ଯାତାୟତର କୌଣସି ସାଧନ ନଥିବାରୁ ସେ ବାଧ୍ୟ ହୋଇ ବସ୍‌ଷ୍ଟାଣ୍ଡରେ ରହୁଛନ୍ତି। 20 ବର୍ଷୀୟ ରବିନ୍ଦ୍ରଙ୍କ ଦୁଇଟି କିଡ୍‌ନୀ ଖରାପ ହୋଇଥିଲା । ଚିକିତ୍ସା ପରେ ହସ୍ପିଟାଲରୁ ତାଙ୍କୁ ଡିସ୍‌ଚାର୍ଜ  କରାଯାଇଥିଲା । କିନ୍ତୁ ଲକ୍‌ ଡାଉନ୍‌ କାରଣରୁ ସେ ତାଙ୍କ ଘରେ ପହଞ୍ଚିପାରୁନାହାନ୍ତି।

ରବିନ୍ଦ୍ର ବହୁତ ଗରିବ ଶ୍ରେଣୀର ଅଟନ୍ତି । ତାଙ୍କ ପିତା ଜଣେ ଦିନ ମଜୁରିଆ । ପେଟ ପୋଷିବା ପାଇଁ ମଧ୍ୟପ୍ରଦେଶର ଛତରପୁରରୁ ଦିଲ୍ଲୀ ଚାଲି ଆସିଥିଲେ । ରବିନ୍ଦ୍ରର କହିବା ନୁସାରେ 21 ଦିନ ପର୍ଯ୍ୟନ୍ତ ସେ ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଥିଲେ । ଏବେ ପଇସା ସରିଯାଇଥିବାରୁ ଭଡା ନେଇ ଘରେ ରହିବା ପାଇଁ ତାଙ୍କ ପାଖରେ ଅର୍ଥ ନାହିଁ । ଆମ୍ବୁଲାନ୍ସକୁ ବହୁ ବାର ଫୋନ୍‌ କରିଥିବାବେଳେ ତାଙ୍କୁ କୌଣସି ପ୍ରକାରର ସାହାଯ୍ୟ ମିଳିପାରିନାହିଁ । ଏଥିପାଇଁ ସେମାନେ ବସ୍‌ଷ୍ଟାଣ୍ଡରେ ହିଁ ଜୀବନ କାଟୁଛନ୍ତି ।

Related posts