ଗୋଟିଏ ଦିନରେ ଦେଶରେ 1540 ଆକ୍ରାନ୍ତ ଚିହ୍ନଟ, କରୋନା ମ୍ୟାନଜେମେଣ୍ଟ ନେଇ ଓଡ଼ିଶାକୁ କେନ୍ଦ୍ରର ପ୍ରଶଂସା

Published: Apr 20, 2020, 10:08 pm IST

ନୂଆଦିଲ୍ଲୀ : ଆଜି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ତରଫରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କରୋନା ମ୍ୟାନେଜମେଣ୍ଟକୁ ନେଇ ଉଭୟ ଓଡ଼ିଶାକୁ ପ୍ରଶଂସା କରାଯାଇଛି । ସେହିପରି କରୋନା ଅପଡେଟ୍‌ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ କହିଛନ୍ତି ଯେ, ଲକ୍‌ ଡାଉନ୍‌ ପୂର୍ବରୁ ପ୍ରତି  3.4 ଦିନରେ କେସ୍‌ ଦ୍ବିଗୁଣିତ ହେଉଥିଲା । ଲକ୍ ଡାଉନ୍‌ ପରେ ପ୍ରତି 7.5ଦିନରେ କେସ୍‌ ଦ୍ବିଗୁଣିତ ହେଲା ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍‌ ଅଗ୍ରଓ୍ବାଲ୍‌। କିଛି ରାଜ୍ୟରେ ଆକ୍ରାନ୍ତ ଦ୍ବିଗୁଣିତ ହାର ଜାତୀୟ ହାରଠାରୁ କମ୍‌ । ଓଡ଼ିଶା ଏବଂ କେରଳରେ ଦ୍ବିଗୁଣିତ ବ୍ୟବଧାନ ହାର ଦେଶରେ ସର୍ବାଧିକ ରହିଛି ବୋଲି ସୂଚନା ରହିଛି । ଉଭୟ ରାଜ୍ୟରେ ଆକ୍ରାନ୍ତ ଦ୍ବିଗୁଣିତ ହାରାହାରି 30 ଦିନରୁ ଅଧିକ ରହିଛି । ସେହିପରି ଗୋଆର ଚିକିତ୍ସାଧୀନ ସମସ୍ତ 7 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି ।

ଅପରପକ୍ଷରେ ଆଜି ଗୋଟିଏ ଦିନରେ ଓଡ଼ିଶାରୁ 13 ଜଣ ସଂକ୍ରମିତଙ୍କ ସୂଚନା ମିଳିଛି । ରାଜରେ ସର୍ବମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 74ରେ ପହଞ୍ଚିଛି । ସେହିପରି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 17 ହଜାର ଡେଇଁଥିବାବେଳେ ମୃତ୍ୟୁ ସଂଖ୍ୟା 559ରେ ପହଞ୍ଚିଛି । ଦେଶରେ ଗତ 24 ଘଣ୍ଟା ମଧ୍ୟରେ 1540 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଛି ଏଭଳି ତଥ୍ୟ। ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ ଭାରତରେ ମୋଟ ନୋଭେଲ୍‌ କରୋନା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା 17,656କୁ ବୃଦ୍ଧି ପାଇଛି। ଏହା ସହିତ ଦେଶରେ କୋଭିଡ-19 ଜନିତ ମୃତ୍ୟୁ ସଂଖ୍ୟା 559କୁ ବୃଦ୍ଧି ପାଇଛି ବୋଲି କୁହାଯାଇଛି। (ଏଜେନ୍ସି)

Related posts