କେଦାର ମିଶ୍ର
୧୯୯୮ ମସିହାରେ ବିଜୁ ଜନତା ଦଳ ଗଠନ ହେବା ପରଠୁ ଏହି ଦଳ ନିରନ୍ତର ଭାବରେ ଓଡିଶାର ସବୁ ନିର୍ବାଚନ ଜିଣି ଆସୁଛି। ୨୦ ବର୍ଷରୁ ଅଧିକ କାଳ କେନ୍ଦ୍ର(ନବୀନ ବାବୁ ପ୍ରଥମେ ବାଜପାୟୀ ସରକାର ରେ ମନ୍ତ୍ରୀ ଥିଲେ ଏବଂ ୨୦୦୪ ପର୍ୟନ୍ତ ବିଜେଡି ଏନଡିଏ ସରକାରର ଅଂଶୀଦାର ଥିଲା) ଓ ରାଜ୍ୟରେ କ୍ଷମତା ଭୋଗ କରିଥିବା ବିଜେଡି ରେ ସ୍ଵାଭାବିକ ଭାବରେ ପୁରୁଣା ତଥା ଅଭିଜ୍ଞ ନେତାଙ୍କ ଭିଡ ରହିବା ଉଚିତ ହୁଅନ୍ତା। କିନ୍ତୁ ବାସ୍ତବ କ୍ଷେତ୍ରରେ ଦେଖା ଯାଉଛି, ବିଜେଡିରେ ଏବେ ପୁରୁଣାଙ୍କର ଆଉ କୌଣସି ଭୂମିକା ରହୁନାହିଁ। ଏବେ ବିଜେଡ଼ିର ଅଳ୍ପ କେତେଜଣ ମନ୍ତ୍ରୀଙ୍କୁ ବାଦ ଦେଲେ ଏହା ମୁଖ୍ୟତଃ ତରୁଣ ଓ ମଧ୍ୟବୟସ୍କଙ୍କର ଏକ ଦଳ। ଅପର ପକ୍ଷରେ ବିରୋଧୀ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସରେ ଏବେ ମଧ୍ୟ ପୁରୁଣା ନେତାଙ୍କର ରାଜୁତି ଚାଲିଛି। କ୍ଷମତାରେ ନଥିବା ଦଳକୁ ଶକ୍ତିଶାଳୀ କରିବାକୁ ହେଲେ ନୂଆ ପ୍ରଜନ୍ମର ନେତା ବାହାରିବା ନିହାତି ଜରୁରୀ। ବିଜେପି ଓ କଂଗ୍ରେସ ଗତ ଦଶ ବର୍ଷ ଭିତରେ ପ୍ରଭାବଶାଳୀ ନୂଆ ମୁହଁ ତିଆରି କରିବାରେ ବିଫଳ ହୋଇଛନ୍ତି।
ଆମେ କେବଳ ଆଗାମୀ ନିର୍ବାଚନର ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରୁ ଏହି ପ୍ରସଙ୍ଗକୁ ବିଶ୍ଳେଷଣ କରିବା । ଉଭୟ ବିଜେପି ଓ କଂଗ୍ରେସର ସମ୍ଭାବ୍ୟ ଲୋକସଭା ତଥା ବିଧାନସଭା ପ୍ରାର୍ଥୀ କିଏ ହେବେ ତାର କିଛି ତାଲିକା ଏବେ ଜନ ସାଧାରଣରେ ଚର୍ଚ୍ଚିତ ହେଉଛି। କଂଗ୍ରେସ ଆଜି ମଧ୍ୟ ଶରତ ପଟ୍ଟନାୟକ, କାମାକ୍ଷା ପ୍ରସାଦ ସିଂ ଦେଓ, ଜଗନ୍ନାଥ ପଟ୍ଟନାୟକ, ଭକ୍ତ ଚରଣ ଦାସ, ପଂଚାନନ କାନୁନଗୋ, ଅନନ୍ତ ପ୍ରସାଦ ସେଠୀ, ବିଭୁ ପ୍ରସାଦ ତରାଇଙ୍କ ପରି ପୁରୁଖା ନେତାଙ୍କ କାନ୍ଧ ଉପରେ ନିର୍ଭର କରୁଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜ ପାଇଁ ଏକ ତରୁଣ ଶକ୍ତି ନିର୍ମାଣ କରିପାରିନାହାନ୍ତି। ଯେଉଁ ଜଣେ ଦୁଇ ଜଣ ତରୁଣ ନେତା କଂଗ୍ରେସ ଟିକଟରେ ଲୋକସଭା ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ଚାଲିଛି, ସେମାନେ ବିଭିନ୍ନ ରାଜନୈତିକ ପରିବାରରୁ ଆସିଛନ୍ତି। ପିସିସି ସଭାପତି ଓ ବିରୋଧୀ ଦଳ ନେତାଙ୍କ ପୁଅଙ୍କ ନାମ ଏଇ ତାଲିକାରେ ରହିଛି।
ବିଜେପି ନିଜକୁ ଯୁବା ଶକ୍ତିର ପ୍ରତୀକ ବୋଲି କହୁଥିଲେ ମଧ୍ୟ ଏହି ଦଳର ମୁଖ୍ୟ ଆସନ ମାଡି ବସିଥିବା ନେତାଏ ଓ ଟିକଟ ଆଶାୟୀମାନେ ଆଜି ମଧ୍ୟ ପୁରୁଣା। ଏହାର ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ଆଜି ବି ସେଇ ପୁରୁଣା ନାମ ଗୁଡିକର ପ୍ରାଧାନ୍ୟ ରହିଛି। ଜୁଏଲ ଓରାମ, ବୈଜୟନ୍ତ ପଣ୍ଡା, ଅନନ୍ତ ନାୟକ, ବସନ୍ତ ପଣ୍ଡା, ପର୍ଶୁରାମ ମାଝୀ, ରୁଦ୍ର ପାଣି, ସୁରେଶ ପୂଜାରୀ, ସଂଗୀତା ସିଂ ଦେଓ, ଜୟରାମ ପାଙ୍ଗିଙ୍କ ଭଳି ପୁରୁଣା ଓ ବାରମ୍ବାର ହାରିଥିବା ନେତାଙ୍କୁ (ଅବଶ୍ୟ କିଛି ବିଜେଡ଼ିରୁ ଆମଦାନୀ ହୋଇଥିବା ବିଜୟୀ ନେତା ମଧ୍ୟ ଅଛନ୍ତି) ନେଇ ବିଜେପି ନିଜର ସଫଳତା ହାସଲ କରିବ ବୋଲି ଭାବୁଛି।
ତେବେ ଏମାନଙ୍କ ରଣନୀତିଠୁ ବିଜେଡି ପୂରାପୂରି ଅଲଗା। ବିଜେଡି ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ଏବେ ଅନେକ ନୂଆ ମୁହଁ ସ୍ଥାନ ପାଇବାର ସମ୍ଭାବନା ରହିଛି। ତଥାଗତ ଶତପଥି, ବିଜୟଶ୍ରୀ ରାଉତରାୟ ଙ୍କ ପରି ବିଜେଡ଼ିର ପୁରୁଣା ନେତାମାନେ ନିଜ ତରଫରୁ ଆଉ ନିର୍ବାଚନ ଲଢିବେ ନାହିଁ ବୋଲି କହିସାରିଲେଣି। ବିଜେଡି ଲୋକସଭା ପାଇଁ ପ୍ରାୟ ନବେ ଭାଗ ନୂଆ ମୁହଁ କଥା ଭାବୁଥିବା ବେଳେ ବିଧାନସଭା ପାଇଁ ୪୦-୫୦% ଯୁବକ ଓ ମହିଳାଙ୍କୁ ସୁଯୋଗ ଦେବ ବୋଲି କୁହାଯାଉଛି। ବିଜେଡ଼ିର ଦଳୀୟ ସଙ୍ଗଠନରେ ମଧ୍ୟ ଏବେ ନୂଆ ମୁହଁ ମାନଙ୍କର ଭୂମିକା ବଢି ଚାଲିଛି। ଦଳ ଭିତରକୁ ପ୍ରତି ଦିନ ନୂଆ ଲୋକ ଆସୁଛନ୍ତି। ବିଜେପି ଭିତରକୁ ଅଧିକରୁ ଅଧିକ ବିଜେଡ଼ିରୁ ବିତାଡିତ କିମ୍ବା ଅସନ୍ତୁଷ୍ଟ ନେତା ପ୍ରବେଶ କରୁଥିବା ବେଳେ ବିଜେଡିରେ ଏବେ ପୂର୍ବତନ ପ୍ରଶାସକ ଓ ତୃଣମୂଳ ସ୍ତରର କର୍ମୀମାନେ ପ୍ରବେଶ କରୁଛନ୍ତି।
ନୂଆ ଭୋଟରଙ୍କୁ ପୁରୁଣା ମୁହଁ ଦ୍ଵାରା ପ୍ରଭାବିତ କରିବା ସହଜ ନୁହେଁ। ନେତା ଭାବରେ ହୁଏତ ନବୀନ ପଟ୍ଟନାୟକ, ଧର୍ମେନ୍ଦ୍ର ପ୍ରଧାନ ଓ ନିରଞ୍ଜନ ପଟ୍ଟନାୟକଙ୍କ ଲୋକପ୍ରିୟତା ରହିଛି। ହେଲେ ନିର୍ବାଚନ ଲଢିବା ପାଇଁ ନୂଆ ଶକ୍ତି ଓ ନୂଆ ମୁହଁ ଯାହାର ଅଧିକ ରହିବ, ସେମାନଙ୍କ ପକ୍ଷରେ ନିର୍ବାଚନ ଜିଣିବା ସହଜ ହେବ।