ଭୁବନେଶ୍ବର : ଯାତ୍ରା କଳାକାର ଭିକୁସେଠ ଓରଫ୍ ମହେନ୍ଦ୍ର ଦାସ ମାତ୍ର 55 ବର୍ଷ ବୟସରେ ପରଲୋକ ହୋଇଯାଇଛି । ଛାତିରେ ଯନ୍ତ୍ରଣା ପରେ ଚୌଦ୍ବାରରୁ କଟକ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କର ପରଲୋକ ନେଇ ମହେନ୍ଦ୍ର ଦାସଙ୍କ ସମ୍ପର୍କୀୟ ସୂଚନା ଦେଇଛନ୍ତି ।
ଭିକୁ ସେଠ ଯାତ୍ରା ଜଗତର ଜଣେ ଲୋକପ୍ରିୟ କଳାକାର । ସେ ବହୁ ଚର୍ଚ୍ଚିତ ଯାତ୍ରା ନାଟକ ‘ଶାଗୁଣା ବସିଛି ଡେଣା ମେଲାଇ’ରେ ଭିକୁ ସେଟ୍ ଭୂମିକାରେ ଅଭିନୟ କରି ଷ୍ଟାର୍ ବନିଥିଲେ। ନବେ ଦଶକରେ ଯଲିଉଡ ଷ୍ଟାର୍ ମହେନ୍ଦ୍ର ଦାଶ ଥିଲେ ସବୁଠୁ ଟପ୍ରେ। ଯାହା ମଞ୍ଚରେ ଦର୍ଶକ ତାଙ୍କର ଖଳନାୟକ ରୂପ ଦେଖିବା ଲାଗି ଟିକେଟ୍ କାଟୁଥିଲେ। ଏପରିକି ନାୟକ ଅପେକ୍ଷା ମହେନ୍ଦ୍ର ଦାଶଙ୍କର ଭୂମିକାକୁ ଯାତ୍ରା ନାଟ୍ୟକାର ଓ ନିର୍ଦ୍ଦେଶକମାନେ ଅଧିକ ଗୁରୁତ୍ଵ ଦେଉଥିଲେ ।
କେବଳ ଯାତ୍ରା ନୁହେଁ ଓଡ଼ିଆ ଚଳଚ୍ଚିତ୍ର ‘ଯଶୋଦା’ରେ ମଧ୍ୟ ଅଭିନୟ କରିଥିଲେ ମହେନ୍ଦ୍ର ଦାଶ । ତେବେ ଯାତ୍ରା ଜଗତରେ ଯେପରି ଲୋକପ୍ରିୟ ହୋଇଥିଲେ, ଫିଲ୍ମରେ ସେତେ ଲୋକପ୍ରିୟ ହୋଇପାରିନଥିଲେ । ଯାତ୍ରା ଜଗତର ଜଣେ ଲୋକପ୍ରିୟ କଳାକାରଙ୍କ ଅକାଳ ବିୟୋଗରେ ଯାତ୍ରାଜଗତ ଆଜି ଶୋକାଭିଭୂତ ।