କେନ୍ଦୁଝର: ପାରିବାରିକ କଳହର କରୁଣ ପରିଣତି। ମା’ଙ୍କ ସହ ବାପାଙ୍କ ଝଗଡ଼ା ଅଟକାଇବାକୁ ଯାଇ ଜୀବନ ହାରିଲା ପୁଅ। ବାପାଙ୍କ ଛୁରାମାଡ଼ରେ ପୁଅର ମୃତ୍ୟୁ ହୋଇଥିବା ଭଳି ଏକ ଚାଞ୍ଚଲ୍ୟକର ଘଟଣା କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅନ୍ତର୍ଗତ ଗୁମୁରା ଗ୍ରାମରେ ଘଟିଛି। ମୃତକ ହେଉଛନ୍ତି ପପୁ ନାଏକ। ଏହି ଘଟଣା ପରେ ଅଭିଯୁକ୍ତ ବାପା ଦେବୁ ନାଏକ ଫେରାର ହୋଇଯାଇଛନ୍ତି।
ସୂଚନା ଅନୁସାରେ, ଶନିବାର ଗୁମୁରା ଗ୍ରାମରେ ଦେବୁ ନାଏକ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କୌଣସି ପାରିବାରିକ କଥାକୁ ନେଇ ଝଗଡ଼ା ଆରମ୍ଭ ହୋଇଥିଲା। ଉଭୟଙ୍କ ମଧ୍ୟରେ ବଚସା ତୀବ୍ର ହେବାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା।
ଏହି ସମୟରେ ବାପା-ମା’ଙ୍କ ଝଗଡ଼ା ଅଟକାଇବାକୁ ପୁଅ ପପୁ ନାଏକ ଆଗକୁ ଆସିଥିଲେ। ହେଲେ ପୁଅର ହସ୍ତକ୍ଷେପରେ ଶାନ୍ତ ହେବା ପରିବର୍ତ୍ତେ ବାପା ଦେବୁ ନାଏକ ଅଧିକ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ରାଗରେ ଏକ ଛୁରୀରେ ପପୁଙ୍କୁ ଆକ୍ରମଣ କରିଥିଲେ। ଫଳରେ ପପୁ ଗୁରୁତର ଆହତ ହୋଇ ରକ୍ତାକ୍ତ ଅବସ୍ଥାରେ ପଡ଼ିଯାଇଥିଲେ।
ପୁଅକୁ ରକ୍ତାକ୍ତ ଅବସ୍ଥାରେ ଦେଖି ମା’ ଓ ମାମୁଁ ତୁରନ୍ତ ଏକ ଅଟୋ ଯୋଗେ ତାଙ୍କୁ ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ପପୁଙ୍କୁ ମୃତ ଘୋଷଣା କରିଥିଲେ। ମା’ଙ୍କୁ ବାପାଙ୍କ କଳହରୁ ରକ୍ଷା କରିବାକୁ ଯାଇ ପୁଅର ଏଭଳି ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ଓ ଆଲୋଡ଼ନ ସୃଷ୍ଟି କରିଛି।
ଘଟଣା ସମ୍ପର୍କରେ ଖବର ପାଇ ଝୁମ୍ପୁରା ପୁଲିସ ଗୁମୁରା ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଘଟଣା ପରଠାରୁ ଅଭିଯୁକ୍ତ ଦେବୁ ନାଏକ ଫେରାର ଥିବା ଜଣାପଡ଼ିଛି। ତାଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ତେବେ ଏହି ଘଟଣାରେ ଚମ୍ପୁଆ ଏସ୍ଡିପିଓ ରଶ୍ମି ରଞ୍ଜନ ସାହୁ ଡାକ୍ତରଖାନାରେ ପହଞ୍ଚି ନଥିବା ଜଣାପଡ଼ିଛି।


