ସଂକ୍ରମିତ ବ୍ୟକ୍ତିଙ୍କ ମାନସିକ ସ୍ଥିତି ବଦଳାଇବା ପରିବାର ଲୋକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ଡାକ୍ତର ସାରଦା ସ୍ଵାଇଁ

Published: Sep 22, 2020, 6:07 pm IST

ଭୁବନେଶ୍ବର: ଆଜି କରୋନା ସଂକ୍ରମିତଙ୍କ ମାନସିକ ଅବସ୍ଥା ନେଇ ଡାକ୍ତର ସାରଦା ସ୍ଵାଇଁ ସୂଚନା ଦେଇଛନ୍ତି। କୌଣସି ବ୍ୟକ୍ତି ସଂକ୍ରମିତ ହୋଇଥିଲେ ସେଥିପାଇଁ ତାଙ୍କ ପରିବାର ଲୋକଙ୍କ ଭୂମିକା ବେଶି ରହିଛି ବୋଲି ଡାକ୍ତର ସ୍ଵାଇଁ କହିଛନ୍ତି। ସାଧାରଣତଃ ହୋମ ଆଇସୋଲେସନ ବେଳେ ସଂକ୍ରମିତ ବ୍ୟକ୍ତିଙ୍କ ନିଦ୍ରାହୀନତା, ଛାନିଆ ଲକ୍ଷଣ ଦେଖାଯାଉଛି। ଘରେ ଏକା ରହୁଥିବା ଲୋକ, ବୟସ୍କ, କିଶୋରଙ୍କ ମାନସିକ ସ୍ଥିତି ବିଗିଡିଯାଏ। ଆକ୍ରାନ୍ତଙ୍କ ମାନସିକ ସ୍ଥିତିକୁ ବଦଳାଇବା ପାଇଁ ପରିବାର ଲୋକଙ୍କ ଚେଷ୍ଟା ରହିବା ଆବଶ୍ୟକ। ତେଣୁ ହୋମ ଆଇସୋଲେସନରେ ଥିବାବେଳେ ଆକ୍ରାନ୍ତ ଯୋଗ, ପ୍ରାଣାୟମ କରିବା ଉଚିତ। ଏହା ସହିତ ସଂକ୍ରମିତ ବ୍ୟକ୍ତି ସୁଷମ ଖାଦ୍ୟ ସହିତ ପ୍ରଚୁର ପାଣି ପିଇବା ଉଚିତ ବୋଲି ଡାକ୍ତର ସ୍ଵାଇଁ ପରାମର୍ଶ ଦେଇଛନ୍ତି।

ଏହାସହିତ ମାନସିକ ରୋଗରେ ଚିକିତ୍ସିତ ବ୍ୟକ୍ତି ସଂକ୍ରମିତ ହେଲେ ସେ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହୋଇପାରିବେ। ଯଦି ସେ ବ୍ୟକ୍ତିଙ୍କର ମାନସିକ ସ୍ଥିତି ଅଧିକ ଖରାପ ହୁଏ ତେବେ ହସ୍ପିଟାଲ ସହ ପରାମର୍ଶ କରନ୍ତୁ। ଯେ କୌଣସି ମାନସିକ ରୋଗ ସମ୍ପର୍କରେ ଏସସିବିକୁ ଫୋନ କରିପାରିବେ। ଏସସିବି ମାନସିକ ରୋଗ ପ୍ରତିଷ୍ଠାନକୁ ୧୮୦୦୩୪୫୭୨୮୮ ନମ୍ବରରେ ଫୋନ କରନ୍ତୁ। ଦିନ ୧୦ ଟାରୁ ଅପରାହ୍ନ ୫ଟା ଯାଏଁ ଫୋନ କରି ଡାକ୍ତରଙ୍କ ପରାମର୍ଶ ନେଇପାରିବେ।

 

Related posts