Categories
ଆଜିର ଖବର ଖେଳ ବିଶେଷ ଖବର ରାଜ୍ୟ ଖବର

ପୁରୀରେ ଆରମ୍ଭ ହେଲା ତିନିଦିନିଆ ମହୋଦଧି ଦିବସ, ଯୋଗ ଦେଲେ ୧୦ଟି ଦେଶର ପ୍ରତିନିଧି

ପୁରୀ : ସମୁଦ୍ରରୁ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ମୁକ୍ତ କରିବା ତଥା ମହୋଦଧିରେ ସୁରକ୍ଷିତ ସ୍ନାନ ନେଇ ବ୍ୟାପକ ଜନସଚେତନତା ସୃଷ୍ଟି  କରିବା ଉଦ୍ଦେଶ୍ୟ ରଖି ପୁରୀରେ ଆଜିଠାରୁ ତିନି ଦିନ ବ୍ୟାପି ଅନୁଷ୍ଠିତ ହେଉଅଛି ମହୋଦଧି ଦିବସ। ସ୍ଵର୍ଣ୍ଣାଭ ବେଳାଭୂମିରେ  ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଜାରି ରହିବାକୁ ଥିବା ଏହି ଉତ୍ସବରେ ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ସାମୁଦ୍ରିକ ଜଳ କ୍ରୀଡାକୁ ନେଇ ରୋମାଞ୍ଚକର ଅନୁଭୂତି ପାଇଥିବା ଲକ୍ଷ କରାଯାଇଅଛି।

ପ୍ରାୟ ୧୦ଟି ଦେଶରୁ ୩୫ ଜଣ ଅନ୍ତର୍ଜାତୀୟ ପ୍ରତିନିଧିଙ୍କ ସମେତ ଦେଶର ବିଭିନ୍ନ ଉପକୂଳବର୍ତ୍ତୀ ରାଜ୍ୟରୁ ମଧ୍ୟ ଏହି ଉତ୍ସବରେ ଭାଗ ନେଇଥିବା ଲକ୍ଷ୍ୟ କରାଯାଇଅଛି। ଆଜି ଠାରୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ପୁରୀରେ ଏହି ଅନ୍ତର୍ଜାତୀୟ ମହୋଦଧି ଦିବସ ପ୍ରଥମ ଥର ପାଇଁ ବେଳାଭୂମିରେ ଆୟୋଜିତ କରାଯାଇଛି।

ଏହି ୩ ଦିନିଆ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ହେଉଛି ମେରାଇନ୍ ସ୍ପୋଟର୍ସ  ଏବଂ ବିଚ୍  ସ୍ପୋଟର୍ସ ମାଧ୍ୟମରେ ସମୁଦ୍ରରେ ହେଉଥିବା ରୋମାଞ୍ଚକର ସାମୁଦ୍ରିକ ଜଳକ୍ରୀଡା। ପୁରୀରେ ବିଚ୍ ସ୍ପୋର୍ଟର୍ସ ଟୁରିଜିମ୍‌କୁ ଲୋକପ୍ରିୟ କରାଇବା ପାଇଁ ଦି ବେଲ୍ ପକ୍ଷରୁ ଏହି ଆନ୍ତର୍ଜାତିକ କ୍ରୀଡ଼ା ପ୍ରତିଯୋଗୀତା ଆୟୋଜନ କରାଯାଉଛି।‌ ବିଚ୍ ଓ୍ବାଟର ସ୍ପୋର୍ଟସ୍ ପ୍ରତିଯୋଗିତା ସହିତ ଫୁଡ୍ କୋର୍ଟ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଛି।

ଏହି ଅବସରରେ ମୁଖ୍ୟ ଆକର୍ଷଣ ଇଣ୍ଡୋ-ଶ୍ରୀଲଙ୍କା ଲାଇଫ୍ ସେଭିଂ ସ୍ପୋର୍ଟସ ଚାମ୍ପିଅନସିପ୍ ମଧ୍ୟ ଅନୁଷ୍ଠିତ ହୋଇଅଛି। ଓଡ଼ିଶାର ବିସ୍ତୃତ ଉପକୂଳ ବର୍ତ୍ତମାନ କ୍ଷୟ ହେଉଥିବା ଫଳରେ ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି ହେଉଅଛି। ଏଣୁ ଅନୁଷ୍ଠାନ ବେଲ୍ ଦ୍ଵାରା ଆରମ୍ଭ କରାଯାଇଥିବା ମହୋଦଧି ଉତ୍ସବ ଲୋକଙ୍କ ମନରେ ସମୁଦ୍ର ଓ ଉପକୂଳ ଅଞ୍ଚଳର ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି କରିବାରେ ସହାୟକ ହେବ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଶାର ସମୁଦ୍ର ଉପକୂଳ ସୁରକ୍ଷା ଓ ସୌନ୍ଦ୍ରଯ୍ୟ ସହ ସୁରକ୍ଷିତ ସମୁଦ୍ର ସ୍ନାନ ନେଇ ସଚେତନତା ସୃଷ୍ଟି କରାଯାଉଥିବା ବେଳେ ଭିନ୍ନ ଭିନ୍ନ ୧୦ଟି ଦେଶରୁ ପ୍ରତିଯୋଗୀ ମାନେ ଏହି ଉତ୍ସବରେ ଭାଗ ନେଇଛନ୍ତି l ତେବେ ବିଭିନ୍ନ ଦେଶରୁ ଆସିଥିବା କ୍ରୀଡ଼ାବିତ ମାନେ ମଧ୍ୟ ଏହି ପ୍ରତିଯୋଗିତାରେ ଭାଗ ନେଇ ବେଶ ଖୁସି ବ୍ୟକ୍ତ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ପୁସ୍ତକ ବିଷ୍ଣୁକାନ୍ତ ଶାସ୍ତ୍ରୀ ରଚନା-ସଂଚୟନ’ ଉନ୍ମୋଚିତ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ମଙ୍ଗଳବାର ନୂଆଦିଲ୍ଲୀର ପ୍ରଧାନମନ୍ତ୍ରୀ ସଂଗ୍ରହାଳୟରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ହୋଇଥିବା ମହାନ ଶିକ୍ଷାବିତ୍ ତଥା ହିନ୍ଦୀ ସାହିତ୍ୟିକ ବିଷ୍ଣୁକାନ୍ତ ଶାସ୍ତ୍ରୀଙ୍କ ଉପରେ କେନ୍ଦ୍ରୀତ ପୁସ୍ତକ ‘ବିଷ୍ଣୁକାନ୍ତ ଶାସ୍ତ୍ରୀ ରଚନା-ସଂଚୟନ’ ଉନ୍ମୋଚିତ ହୋଇଯାଇଛି ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରସିଦ୍ଧ ଲେଖକ ବିଷ୍ଣୁକାନ୍ତ ଶାସ୍ତ୍ରୀଙ୍କ ମହାନ ବ୍ୟକ୍ତିତ୍ୱ ଓ ଚିନ୍ତାଧାରାକୁ ଆଗାମୀ ପିଢ଼ି ପାଖରେ ପହଞ୍ଚାଇବା ଦିଗରେ ସାହିତ୍ୟ ଏକାଡେମୀର ଏହି ପୁସ୍ତକ ଏକ ସାର୍ଥକ ପ୍ରୟାସ ଏବଂ ତାଙ୍କ ପ୍ରତି ସଠିକ୍ ଶ୍ରଦ୍ଧାଞ୍ଜଳି ଅଟେ । ଜଣେ ପ୍ରକୃତ ଦେଶଭକ୍ତ, କର୍ମଠ ନେତା ଏବଂ ଜଣେ ପ୍ରଖ୍ୟାତ ବିଦ୍ୱାନ ଭାବରେ ବିଷ୍ଣୁକାନ୍ତ ଶାସ୍ତ୍ରୀ ଭାରତରେ ସାଂସ୍କୃତିକ ଜାତୀୟତାବାଦକୁ ଦିଗଦର୍ଶନ ଦେଇଥିଲେ ।

୩୦ ବର୍ଷ ପୂର୍ବେ ଆଦରଣୀୟ ଶାସ୍ତ୍ରୀଜୀଙ୍କ ମାର୍ଗଦର୍ଶନରେ ମୁଁ ଗଣତନ୍ତ୍ରର ମନ୍ଦିର ‘ସଂସଦ’କୁ ଯାଇ ବିଭିନ୍ନ ରାଜନୈତିକ ପ୍ରସଙ୍ଗ ବୁଝିବାର ସୁଯୋଗ ପାଇଥିଲି, ଯାହା ମୋର ସୌଭାଗ୍ୟ । ସେ ଜଣେ ଦେଶଭକ୍ତ ଭାବରେ ଶ୍ରୀରାମ ଜନ୍ମଭୂମି ଏବଂ ଧାରା ୩୭୦ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।

ସ୍ୱାମୀ ବିବେକାନନ୍ଦଙ୍କଠାରୁ ଆରମ୍ଭ କରି ବିଷ୍ଣୁକାନ୍ତ ଶାସ୍ତ୍ରୀଜୀଙ୍କ ପର୍ଯ୍ୟନ୍ତ, ଏହି ମହାନ ବ୍ୟକ୍ତିତ୍ୱମାନେ ଯେଉଁ ଭାରତୀୟତାର ମୂଳ ଉପରେ ଯୋର୍ ଦେଇଥିଲେ, ତାହାକୁ ସାକାର କରିବାର ମାର୍ଗ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାର୍ଗଦର୍ଶନରେ ପ୍ରଣୟନ ହୋଇଥିବା ‘ଜାତୀୟ ଶିକ୍ଷା ନୀତି -୨୦୨୦’ ଅଟେ ।

“ବିଷ୍ଣୁକାନ୍ତ ଶାସ୍ତ୍ରୀଙ୍କ ରଚନା-ସଂଚୟନ” ପୁସ୍ତକ ଉନ୍ମୋଚନ ଅବସରରେ ପୁସ୍ତକକୁ ସମ୍ପାଦନ କରିଥିବା ଡ. ପ୍ରେମ ଶଙ୍କର ତ୍ରିପାଠୀ ଓ କେନ୍ଦ୍ର ସାହିତ୍ୟ ଏକାଡେମୀକୁ ଶ୍ରୀ ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବରରେ ବିଶ୍ବ ମାନବ ଅଧିକାର ଦିବସ ପାଳିତ

ଭୁବନେଶ୍ବର: ପ୍ରତିବର୍ଷ ୧୦ ଡିସେମ୍ବରରେ ପାଳିତ ହେଉଥିବା ବିଶ୍ବ ମାନବ ଅଧିକାର ଦିବସ ସମସ୍ତ ମାନବ ସମ୍ପ୍ରଦାୟଙ୍କ ମୂଳଭୂତ ଅଧିକାର ସୁରକ୍ଷା, ସମାନତା, ସ୍ବାଧୀନତା ଏବଂ ମର୍ଯ୍ୟାଦା ପ୍ରତି ସଚେତନତା ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ। ମାନବାଧିକାର ଆଇନ, ୧୯୯୩ର ସଠିକ ରୂପାୟନ ଓ କାର୍ଯ୍ୟକାରିତା ପୂର୍ବରୁ ସମଗ୍ର ଭାରତ ବର୍ଷ ମାନବ ଅଧିକାରର ପ୍ରାସଙ୍ଗିକତାକୁ ଉପଲବ୍ଧି କରିଛି ବୋଲି କହିଛନ୍ତି ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଶ୍ରୀ ଚକ୍ରଧାରୀ ଶରଣ ସିଂ।

ଆଜି ସନ୍ଧ୍ୟାରେ ଜୟଦେବ ଭବନ ପରିସରରେ ଏହି ଉପଲକ୍ଷେ ଆୟୋଜିତ ଏକ ଭବ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ନ୍ୟାୟାଧିଶ ଶ୍ରୀ ଚକ୍ରଧାରୀ ଶରଣ ସିଁ କହିଲେ ଯେ ଅନେକ ଲୋକ ସେମାନଙ୍କ ଅଧିକାର ବିଷୟରେ ଅଜ୍ଞ। ସେମାନଙ୍କୁ ସଚେତନ କରାଇବା ସହିତ ସମାଜରେ ଯେଉଁମାନେ ଅଧିକାର ଚ୍ୟୁତ ହେଉଛନ୍ତି, ସେମାନଙ୍କ ନିମନ୍ତେ ଏକ ସୁରକ୍ଷିତ ଓ ସମାନ ମଞ୍ଚ ପ୍ରଦାନ କରିବା ଆମର ଦାୟିତ୍ୱ। ମାନବ ଅଧିକାର ଦିବସକୁ ଗୋଟିଏ ଦିନର କାର୍ଯ୍ୟକ୍ରମରେ ସୀମିତ ନରଖି ଏହାକୁ ପରିବ୍ୟାପ୍ତ କରିବା ଦରକାର।

ଏକ ନିୟମିତ ସଚେତନତା କାର୍ଯ୍ୟକ୍ରମ ସହିତ ପ୍ରତ୍ଯେଚ ନାଗରିକ ଯେପରି ଆୟୋଗର କାର୍ଯ୍ୟଧାରାକୁ ହୃଦୟଙ୍ଗମ କରିବେ ସେ ଦିଗରେ ଆମେ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ। ଏଥିପାଇଁ ଜଷ୍ଟିସ ଶ୍ରୀ ଶରଣ ସିଂ ତାଙ୍କ ସହିତ ମିଳିତ ଭାବେ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ।

ସମ୍ମାନିତ ଅତିଥିଭାବେ ମନ୍ତ୍ରୀ ଆଇନ, ପୁର୍ତ୍ତ ଓ ଅବକାରୀ ବିଭାଗ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଲେ ଯେ ବିଶ୍ବ ମାନବ ଅଧିକାର ଦିବସ ଯେଉ ଉଦ୍ଦେଶ୍ୟରେ ପାଳନ କରା ଯାଉଛି ଆମ ସମ୍ବିଧାନ ଆମମାନଙ୍କୁ ସେହି ଅଧିକାର ପ୍ରଦାନ କରିଛି। ଆଜିର ଦିବସର ତାତ୍ସର୍ଯ୍ୟ ହେଲା ସାଧାରଣ ମଣିଷକୁ ତାର ଅଧିକାର ସାଙ୍ଗରେ ପରିଚିତ କରାଇବା। ଆଜିର ଦିବସ ବାର୍ତ୍ତା ଆମକୁ ଏହା ବୁଝାଏ ଯେ, ସମସ୍ତ ମାନବ ସମାନ ଅଧିକାର ସହ ବଞ୍ଚିବା ଜରୁରୀ।

କୌଣସି ଭାଷା, ଧର୍ମ, ଜାତି, ଲିଙ୍ଗ କିମ୍ବା ରଙ୍ଗ ଦ୍ୱାରା ମାନବ ଅଧିକାର ଉଲଂଘନ ନ ହେଉ, ଆମମାନଙ୍କୁ ଏହା ସୁନିଶ୍ଚିତ କରିବାକୁ ହେବ। ଲୋକମାନେ ଧୀରେ ଧୀରେ ହୃଦୟଙ୍ଗମ କରୁଛନ୍ତି ଯେ ମାନବିକ ଅଧିକାରର ଉଲ୍ଲଂଘନ ହେଉଛି ଏକ ବିଷୟ ଯାହା ମାନବ ଅଧିକାର ଆୟୋଗ ଦ୍ୱାରା ସମାଧାନ କରାଯାଇ ପାରିବ।

ମାନ୍ୟବର ଜଷ୍ଟିସ୍ ଶ୍ରୀ ଶତୃଘନ ପୁଜାହାରୀ, ଅଧ୍ୟକ୍ଷ, ଓଡ଼ିଶା ମାନବ ଅଧିକାର ଆୟୋଗ ତାଙ୍କ ବକ୍ତବ୍ୟରେ ବସୁଧୈବ କୁଟୁମ୍ବକମ୍ ନୀତି ପାଇଁ ମାନବ ଅଧିକାର ଜରରୀ ବୋଲି କହିବା ସହ ସ୍ବାଧୀନ ଭାବେ ବଞ୍ଚିବା ଆମ ଜନ୍ମଗତ ଅଧିକାର ବୋଲି କହିଥିଲେ। ଆମେ ମାନବ ଅଧିକାର ରକ୍ଷା ପାଇଁ ସବୁ ଲୋକଙ୍କ ସହ ଏକତାବଦ୍ଧ ହୋଇ କାମ କରିବାର ପ୍ରତିଜ୍ଞା କରିବା ଉଚିତ।

ଆୟୋଗର ହସ୍ତକ୍ଷେପ ଦ୍ବାରା ଅନେକ କ୍ଷେତ୍ରରେ ଉଲ୍ଲେଖନୀୟ ଓ ଦୃଷ୍ଟାନ୍ତମୂଳକ ଉନ୍ନତି ଘଟିଛି ଯେଉଁଠାରେ ମାନବ ଅଧିକାରର ସୁରକ୍ଷା ତଥା ବ୍ୟକ୍ତିବିଶେଷ କିମ୍ବା ଗୋଷ୍ଠୀର ମୌଳିକ ସ୍ୱାଧୀନତାକୁ ସମାଧାନ କରାଯାଇ ପାରୁଛି। ମାନବ ଅଧିକାର ଆୟୋଗ ଶାସନକୁ ସୁଗମ କରିବା ପାଇଁ ଉଦ୍ଦିଷ୍ଟ।

ସମ୍ମାନିତ ଅତିଥିଭାବେ ଓଡ଼ିଶା ମାନବ ଅଧିକାର ଆୟୋଗର ସଦସ୍ୟ ଶ୍ରୀ ଅସୀମ ଅମିତାଭ ଦାଶ ଏବଂ ସଦସ୍ୟ ଶ୍ରୀ ଚିତ୍ତରଞ୍ଜନ ମହାପାତ୍ର ମାନବ ଅଧିକାର ପାଇଁ ନିର୍ଭୟ ହୋଇ ସ୍ବର ଉଠାନ୍ତୁ ଏବଂ ସମାଜକୁ ନ୍ୟାୟବନ୍ତ କରାଇବା ସହିତ ଲୋକମାନଙ୍କର ସାମାଜିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ଅଧିକାର ହାସଲ କରିବାକୁ କାୟମନୋବାକ୍ଯରେ ସମସ୍ତ ମାନବାଧିକାର କର୍ମୀ ଆଗେଇ ଆସିବା ଉଚିତ ବୋଲି ମତବ୍ଯକ୍ତ କରିଥିଲେ । ଓଡିଶା ମାନବ ଅଧିକାର ଆୟୋଗର ରେଜିଷ୍ଟ୍ରାର ତଥା ଭାରପ୍ରାପ୍ତ ସଚିବ ଶ୍ରୀମତି ସ୍ବିଟି ସାମନ୍ତରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆଜିର ସମାବେଶର ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା।

ଡା. ନୀଳମାଧବ ରଥ ଓ ଆଶାକର୍ମୀ ଶ୍ରୀମତୀ ଶିବାନୀ ମଣ୍ଡଳ ଙ୍କୁ ଏହି ଅବସରରେ ମାନବ ଜାତି ପ୍ରତି ସେମାନଙ୍କ ମୂଲ୍ୟବାନ ସେବା ପାଇଁ ସମ୍ବର୍ଦ୍ଧିତ କରା ଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ବର୍ତ୍ତମାନ ଓ ପୂର୍ବତନ ବିଚାରପତି, ଆଇନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଓଡିଶା ସରକାରଙ୍କ ସମସ୍ତ ବିଭାଗୀୟ ମୁଖ୍ୟ, ନ୍ୟାୟିକ ଅଧିକାରୀ, ଆୟୋଗର ସମସ୍ତ ଅଧିକାରୀ ଓ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି, ବିଶିଷ୍ଟ ସାମ୍ବାଦିକ, ସମସ୍ତ ମାନବାଧିକାର କର୍ମୀ ଯୋଗ ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଧାନ କଟା ସରିବା ପରେ ସେହି ଜମିରେ କଣ ହେବ, ପାଞ୍ଚଟି ସଂସ୍ଥା ସହ ବୁଝାମଣା କଲା କୃଷି ବିଭାଗ

ଭୁବନେଶ୍ବର: ଆଜି କୃଷି ଭବନରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଆଇଆରଆରଆଇ (IRRI), ଆଇସିଆରଆଇଏସଏଟି (ICRISAT), ଆଇସିଏଆରଡ଼ିଏ (ICARDA), ଏମଏସଏସଆରଏଫ (MSSRF) ଓ ଏଏଫସି (AFC) ଇଣ୍ଡିଆ ଲିମିଟେଡ଼ ମଧ୍ୟରେ ଧାନ ପରବର୍ତ୍ତୀ ପଡ଼ିଆ ଜମିର ପରିଚାଳନା ନେଇ ୫ ଟି ଅନୁଷ୍ଠାନ ସହ ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଛି।

ଏଥିରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତ ଥିଲେ। ରାଜ୍ୟରେ ପ୍ରାୟ ଅବ୍ୟବହୃତ ପ୍ରାୟ ୧୬ ଲକ୍ଷ ହେକ୍ଟର ଧାନ ପରବର୍ତ୍ତୀ ପଡ଼ିଆ ଜମି ଥିବାବେଳେ ଏହାର ସଦ୍ ବ୍ୟବହାର ଏବଂ ମାଟିର ଉର୍ବରତା ହ୍ରାସକୁ ଦୃଷ୍ଟିରେ ରଖି କୃଷି ବିଭାଗ ୨୦୨୨-୨୩ ବର୍ଷରେ ୭୦ ହଜାର ହେକ୍ଟର ଜମିରେ ଧାନ ପରବର୍ତ୍ତୀ ପଡ଼ିଆ ଜମି ମ୍ୟାନେଜମେଣ୍ଟ (Rice Fallow Management) ଆରମ୍ଭ କରିଥିଲେ।

ଧାନ ଫସଲ ପରେ ମାଟିରେ ଥିବା ଆର୍ଦ୍ରତାକୁ ବ୍ୟବହାର କରି ଏଥିରେ ସ୍ୱଳ୍ପ ଅବଧିରେ ଫଳୁଥିବା ଡାଲି ଜାତୀୟ ଶସ୍ୟ ଯଥା ମଶୁର ଡାଲି, ମଟର ଇତ୍ୟାଦି ଏବଂ ତୈଳଜାତୀୟ ଶସ୍ୟ ଯଥା ସୋରିଷ ଇତ୍ୟାଦିର ଉତ୍ପାଦନ କରି ମାଟିର ଉର୍ବରତା ବଜାୟ ରଖାଯାଇ ପାରିବ।ପ୍ରଥମ ବର୍ଷର ସଫଳତାକୁ ଆଧାର କରି ୨୦୨୩-୨୪ ବର୍ଷରେ ୩.୯ଲକ୍ଷ ହେକ୍ଟର ଜମିରେ ଏହାକୁ କରାଯାଇଥିଲା।

ଚଳିତ ବର୍ଷ ୪.୫୫ ଲକ୍ଷ ହେକ୍ଟର ଜମିରେ ଏହାକୁ କାର୍ଯ୍ୟକାରୀ କରାଯିବା ନେଇ ଲକ୍ଷ୍ୟ ରହିଛି l ଏଥିରେ ପ୍ରାୟ ୫ ଲକ୍ଷ୍ୟ ଚାଷୀ ଉପକୃତ ହେବେ। ଏଥିନିମନ୍ତେ, ୩.୪୫ଲକ୍ଷ ହେକ୍ଟର ଜମି ରାଜ୍ୟ ତରଫରୁ ସିଆରଏଫଏମ ଯୋଜନା ଅଧୀନରେ ଓ ୧.୧୦ ଲକ୍ଷ ହେକ୍ଟର ଜମି କେନ୍ଦ୍ର ସରକାରଙ୍କ ତରଫରୁ ଟିଆରଏଫଏ (TRFA) – ତୈଳବୀଜ ଯୋଜନା ମିଳୁଥିବା ଅନୁଦାନ ଅନ୍ତର୍ଭୁକ୍ତ ଅଟେ।

ଏହି ପ୍ରକଳ୍ପକୁ ସଫଳ କରିବା ପାଇଁ କୃଷି ବିଭାଗ ଆଇଆରଆରଆଇ(IRRI), ଆଇସିଆରଆଇଏସଏଟି (ICRISAT), ଆଇସିଏଆରଡ଼ିଏ (ICARDA), ଏମଏସଏସଆରଏଫ (MSSRF) ଓ ଏଏଫସି (AFC) ଇଣ୍ଡିଆ ଲିମିଟେଡ଼ ଭଳି ପ୍ରସିଦ୍ଧ ଅନ୍ତର୍ଜାତୀୟ ତଥା ଜାତୀୟ ଅନୁଷ୍ଠାନ ସହ ବୁଝାମଣାପତ୍ର ସ୍ୱାକ୍ଷରିତ କରିଛି।

ରାଜ୍ୟ ସରକାରଙ୍କ ତରଫରୁ ପ୍ରାୟ ୨ଲକ୍ଷ ହେକ୍ଟର ଅମ୍ଳୀୟ ଅଞ୍ଚଳରେ ମାଟିର ସ୍ୱାସ୍ଥ୍ୟ ଏବଂ ଉତ୍ପାଦନ କ୍ଷମତା ବୃଦ୍ଧି କରିବା ପାଇଁ ଡୋଲୋମିଟିକ୍ ଚୂନ ପଥର ଯୋଗାଇ ଦିଆଯାଉଛି। ପ୍ରକଳ୍ପର ଅବସ୍ଥିତି ଓ ଅଗ୍ରଗତି ପରୀକ୍ଷଣ ନିମନ୍ତେ ରିଅଲ ଟାଇମ ମନିଟରିଂ ସିଷ୍ଟମର ବ୍ୟବହାର କରାଯିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଗୋଆ ସାମ୍ବାଦିକଙ୍କ ଓଡିଶା ଗସ୍ତ, ବିଭିନ୍ନ ପର୍ଯ୍ୟଟନ ସ୍ଥଳି ବୁଲିବା ସହ ବାଚସ୍ପତିଙ୍କୁ କଲେ ସାକ୍ଷାତ

ଭୁବନେଶ୍ୱର: ଗୋଆ ସୂଚନା ଓ ପ୍ରସାରଣ ବିଭାଗର ନିର୍ଦ୍ଦେଶକ ଶ୍ରୀ ଦିପକ ବନ୍ଦେରକରଙ୍କ ନେତୃତ୍ୱରେ ପ୍ରଥମଥର ପାଇଁ ଓଡିଶା ପରିଦର୍ଶନରେ ଆସିଥିବା ଗୋଆର ଗ୍ରାମାଞ୍ଚଳ ଗଣମାଧ୍ୟମ ପ୍ରତିନିଧିଙ୍କ ଦଳ ଆଜି ପୂର୍ବାହ୍ନରେ ଓଡିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ବିଧାନସଭା ଗୃହ ପରିଚାଳନା, ପାଠାଗାର, ନେଭା, ଗବେଷଣା ବିଭାଗ ଓ ଅନ୍ୟାନ୍ୟ ବିଭାଗ ବୁଲି ଦେଖିଥିଲେ।

ନିଜର ଆଞ୍ଚଳିକ ଓଡ଼ିଆ ଭାଷାରେ ବିଧାନସଭା ପରିଚାଳନା ହେଉଥିବା ଏବଂ ରାଜ୍ୟ ସରକାର ଓଡ଼ିଆ ଅସ୍ମିତା ଓ ସ୍ଵକୀୟ ଆଭିଜାତ୍ୟକୁ ସବୁକ୍ଷେତ୍ରରେ ପ୍ରାଧାନ୍ୟ ଦେଉଥିବାର ଦେଖି ସେମାନେ ଆନନ୍ଦ ପ୍ରକାଶ କରିବା ସହ ବାସ୍ତବରେ ଏହି ରାଜ୍ୟରେ ସାଧାରଣ ଲୋକଙ୍କ ସରକାର ଚାଲିଛି ବୋଲି ପ୍ରକାଶ କରିଥିଲେ।

ଅପରାହ୍ନରେ ଓଡିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ବୁଲି ଦେଖିବା ସହ ଗୋଆର ଆଦିମ ଜନଜାତି ଏବଂ ଓଡ଼ିଶାର ଜନଜାତିଙ୍କ ବେଶପୋଷାକ, ଅଳଙ୍କାର, ଜୀବନ-ଜୀବିକାରେ ଅନେକ ସାମଞ୍ଜସ୍ୟ ଥିବା ଉଲ୍ଲେଖ କରିବା ସହ ସଂଗ୍ରହାଳୟରୁ ବିଭିନ୍ନ ଉପାଦେୟ ପୁସ୍ତିକା ଆଗ୍ରହର ସହ ସଂଗ୍ରହ କରିଥିଲେ I ତାପରେ ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ ଆକର୍ଷଣ ଉଦୟଗିରି ପାହାଡ଼ରେ ସମ୍ରାଟ ଖାରବେଳଙ୍କ ପୃଷ୍ଠପୋଷକତାରେ ନିର୍ମିତ ଗୁମ୍ଫା ଓ ଚିତ୍ରାବଳୀର ସୌନ୍ଦର୍ଯ୍ୟଦେଖି ଓ ସେ ସମ୍ପର୍କିତ ଐତିହାସିକ ପୃଷ୍ଠଭୂମି ଏବଂ କାହାଣୀମାନ ଶୁଣି ଅତିଥିମାନେ ଅଭିଭୂତ ହୋଇଥିଲେ। ସେ ସମୟର କଳିଙ୍ଗଶିଳ୍ପୀମାନଙ୍କର ପ୍ରସ୍ତର କର୍ତ୍ତନ,ଖୋଦନର ଶୈଳୀ, କଳା ଓ କାରୁକାର୍ଯ୍ୟ ଅତୀବ ଚମତ୍କାର ଥିଲା ବୋଲି ସେମାନେ ମତପ୍ରକାଶ କରିଥିଲେ।

ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଗୋଆ ସୂଚନା ଓ ପ୍ରସାରଣ ବିଭାଗର ନିର୍ଦ୍ଦେଶକ, ଅଧିକାରୀ ଏବଂ ଗ୍ରାମାଞ୍ଚଳ ଗଣମାଧ୍ୟମ ପ୍ରତିନିଧିଙ୍କ ଦଳଙ୍କୁ ଭବ୍ୟସ୍ୱାଗତ କରାଯିବ ସହ ନିର୍ଦ୍ଦେଶକ ଶ୍ରୀ ସାମଲ ପ୍ରାଚୀନସମୟରୁ ଦକ୍ଷିଣ-ପୂର୍ବ ଏସିଆର ପ୍ରବେଶପଥ ଭାବେ ପରିଗଣିତ ଓଡ଼ିଶାର କାଳଜୟୀ କୃତି-କୀର୍ତ୍ତି, ଶ୍ରୀଜଗନ୍ନାଥ ସଂସ୍କୃତି-ବିବିଧ ପରମ୍ପରା, ପ୍ରାକୃତିକ ବିଭବ ଓ ଏହାର ବିପୁଳତା, କଳା, କ୍ରୀଡା ଓ ଅନ୍ୟାନ୍ୟ କ୍ଷେତ୍ରର ଅଗ୍ରଗତି, ହୀରାକୁଦ ନଦୀବନ୍ଧ ଓ ଅନ୍ୟାନ୍ୟ ବିଷୟରେ ଅତିଥିମାନଙ୍କୁ ଅବଧାରଣ ଦେବା ସହ ସୂଚନା ଓ ଲୋକ ସମ୍ପର୍କ ବିଭାଗର ବିଭିନ୍ନ ବିଭାଗ ଓ ଅଧିକାରୀଙ୍କ କାର୍ଯ୍ୟଧାରା, ଉପଖଣ୍ଡ ଓ ଜ଼ିଲ୍ଲାସ୍ତରର ଅଧିକାରୀ ଓ ସେମାନଙ୍କ କାର୍ଯ୍ୟଧାରା, ଗଣମାଧ୍ୟମ ପ୍ରତିନିଧିମାନଙ୍କ ପାଇଁ ଓଡିଶା ସରକାର କାର୍ଯ୍ୟକାରି କରିଥିବା ଗୋପବନ୍ଧୁ ସାମ୍ୱାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ଓ ଅନ୍ୟାନ୍ୟ ଜନକଲ୍ୟାଣକାରି ଯୋଜନା ଗୁଡିକ ସମ୍ପର୍କରେ ସୂଚନା ଦେଇଥିଲେ।

ଏହା ସହ ଗୋଆ ସୂଚନା ଓ ପ୍ରସାରଣ ବିଭାଗର ନିର୍ଦ୍ଦେଶକ ଶ୍ରୀ ବନ୍ଦେରକରଙ୍କ ଠାରୁ ଗୋଆ ସରକାର ଗଣମାଧ୍ୟମ ପ୍ରତିନିଧିମାନଙ୍କ ପାଇଁ କରିଥିବା ବିଭିନ୍ନ ଲୋକହୈତେଷୀ ଯୋଜନା ବିଷୟରେ ପଚାରି ବୁଝିଥିଲେ। ଏହି ବୈଠକରେ ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡା, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ଗୁରବୀର ସିଂ, ଯୁଗ୍ମ ନିର୍ଦେଶକ ବିଶ୍ୱଜିତ ଦାସ, ଉପ ନିର୍ଦେଶକ ସୁଚେତା ପ୍ରିୟଦର୍ଶିନୀ, ଉପ ଶାସନ ସଚିବ ଏସକେ କଲାମୁଦିନ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସୂଚନା ଅଧିକାରୀ ଶ୍ରୀ ସୁଜିତ ସ୍ୱାଇଁ ଏବଂ ଶ୍ରୀ ସୌରଭ ପ୍ରଧାନ ଗୋଆ ପ୍ରତିନିଧିଦଳଙ୍କୁ ଓଡିଶା ପରିଦର୍ଶନରେ ସହଯୋଗ କରୁଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଅପରାଧ ବିଶେଷ ଖବର

ପରୀକ୍ଷାଗାରରୁ ଶତାଧିକ ଘାତକ ଭାଇରସ ଗାୟବ, ତଦନ୍ତ ନିର୍ଦ୍ଦେଶ ଦେଲେ ସରକାର, ସାରା ବିଶ୍ବ ଚକିତ

ଘାତକ ଭାଇରସ ଗାୟବ: ସାରା ବିଶ୍ବକୁ ଚକିତ କରିବା ପରି ଖବର ଜଣାପଡିଛି। ତାହା ହେଲା ଅଷ୍ଟ୍ରେଲିଆର ଗୋଟିଏ ଲାବରେଟରୀରୁ ଶତାଧିକ ଘାତକ ଭାଇରସ୍ ନମୁନା କୁଆଡେ ଗାୟବ ହୋଇଯାଇଛି। ଏହାକୁ ଖୋଦ କ୍ୟୁନିସଲ୍ୟାଣ୍ଡ ସରକାର ଘୋଷଣା କରିଛନ୍ତି।

ଏହାର ତଦନ୍ତ କରିବା ପାଇଁ ସରକାର ଅଷ୍ଟ୍ରେଲିଆର ପ୍ରାଥମିକ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା “ପ୍ରମୁଖ ଐତିହାସିକ ଜୀବ ଜାତି ସୁରକ୍ଷା ଅନୁଶାସନ ଉଲ୍ଲଙ୍ଘନ” ଧାରାରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ପ୍ରତି ଖବରରେ ଦେଖାଗଲା ଯେ ଅଗଷ୍ଟ 2023ରେ କ୍ୟୁନ୍ସଲ୍ୟାଣ୍ଡ ପବ୍ଲିକ୍ ହେଲ୍ଥ୍ ଭାଇରୋଲଜି ଲାବରେଟରୀରୁ 323 ଟି ଭାଇରସ୍ ନମୁନା—ଯେଉଁଥିରେ ହେନ୍ଦ୍ରା ଭାଇରସ୍, ଲାଇସା ଭାଇରସ୍ ଓ ହାଣ୍ଟାଭାଇରସ୍ ଥିଲା ତାହା କୁଆଡେ ଗାୟବ ହୋଇଯାଇଛି।

ହେନ୍ଦ୍ରା ଏକ ଜୁନୋଟିକ୍ ବା ପ୍ରାଣୀରୁ ମାନବ ଦେହକୁ ଆସିଥିବା ଭାଇରସ୍, ଯାହା କେବଳ ଅଷ୍ଟ୍ରେଲିଆରେ ମିଳିଥାଏ ତାହା କୁଆଡେ ମିଳୁ ନାହିଁ। ସେହିପରି ହାଣ୍ଟାଭାଇରସ୍ ଏକ ଭାଇରସ୍ ପରିବାର, ଯାହା ଗମ୍ଭୀର ରୋଗ ସୃଷ୍ଟି କରିବା ସହିତ ରୋଗୀର ନିଶ୍ଚିତ ମୃତ୍ୟୁ ହୋଇଥାଏ। ସେହିପରି ଲାଇସାଭାଇରସ୍ ଏକ ଭାଇରସ୍ ଗୋଷ୍ଠୀ, ଯାହା ମଣିଷଙ୍କୁ ଜଳତାଙ୍କ ରୋଗ ସୃଷ୍ଟି କରିଥାଏ।

ଘଟଣାସ୍ଥଳ ଲାବରେଟରୀ, ଯେଉଁଠାରେ ଭାଇରସ୍ ନମୁନା ଗାୟବ ହୋଇଛି, ସେଠାରେ ଜୀବ ରୋଗ ଓ ମାଛି ଓ କୀଟପତଙ୍ଗର ମାଧ୍ୟମରେ ବ୍ୟାପୁଥିବା ରୋଗ ବିଷୟରେ  ଗବେଷଣା କରାଯାଇଥାଏ।

ଘୋଷଣାରେ କୁହାଯାଇଛି ଯେ ଏହି ଭାଇରସ୍ ନମୁନା ଗାୟବ ହେବା ସତ୍ବେ କାହା ଉପରେ କୌଣସି ବିପଦ ନାହିଁ ବୋଲି ସରକାର ତାଙ୍କ ଘୋଷଣାରେ ସ୍ବୀକାର କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବଡମ୍ବାର ନବେରୁ ଉର୍ଦ୍ଧ ପଂଚାୟତ ପ୍ରତିନିଧି

ଭୁବନେଶ୍ୱର: ବଡମ୍ବା ନରସିଂହପୁର ନିର୍ବାଚନ ମଣ୍ଡଳୀ ର ନବେରୁ ଉର୍ଦ୍ଧ ସରପଞ୍ଚ, ଓ ପଂଚାୟତ ପ୍ରତିନିଧି ଆଜି ନବୀନ ନିବାସରେ ବିରୋଧୀ ଦଳ ନେତା ନବୀନ ପଟନାୟକ ଙ୍କୁ ଭେଟି ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ବିକାଶ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ।
ସେମାନଙ୍କ ସହିତ ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ଜ଼ିଲ୍ଲା ପରିଷଦ ସଭ୍ୟମାନେ ମଧ୍ୟ ସାମିଲ ଥିଲେ।

ବିଜେଡି ସରକାର ସମୟରେ ଆରମ୍ଭ ହୋଇଥିବା କଲ୍ୟାଣ କାର୍ଯ୍ୟକ୍ରମ ର ସୁଫଳ ଲୋକଙ୍କ ପାଖରେ ଠିକ ଭାବରେ ପହଁଚୁଛି କି ନାହିଁ ତା ଉପରେ ଦୃଷ୍ଟି ରଖିବା ପାଇଁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ।ଏହା ସହିତ ଦଳର ସାଂଗଠନିକ ଶକ୍ତି ବୃଦ୍ଧି କରିବା ପାଇଁ ସମସ୍ତେ ଏକାଠି ହୋଇ କାମ କରିବା ଉପରେ ଶ୍ରୀ ପଟ୍ଟନାୟକ ଗୁରୁତ୍ୱ ଆରୋପ କରିଥିଲେ।

ଏହି ସାକ୍ଷାତ ସମୟରେ ପୂର୍ବତନ ମନ୍ତ୍ରୀ ତଥା ବଡମ୍ବା ର ପୂର୍ବତନ ବିଧାୟକ ଦେବୀ ପ୍ରସାଦ ମିଶ୍ର ଉପସ୍ଥିତ ଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ରାଜ୍ୟ ଖବର

ଓମାନରେ ଛାତ ଭୁଷୁଡି ଓଡିଆ ଶ୍ରମିକ ମୃତ; ମରଶରୀର ଆଣିବା ପାଇଁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ

ଭୁବନେଶ୍ବର: ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଓମାନରେ ଛାତ ଭୁଷୁଡି ମୃତ ଓଡିଆ ଯୁବକ ବିପିନ ବିହାରୀ ସ୍ବାଇଁଙ୍କ ମରଶରୀର ଭାରତ ଫେରାଇ ଆଣିବାପାଇଁ ଓମାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ନିବେଦନ କରିଛନ୍ତି

ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ଚକ୍ରଧରପୁର ଗ୍ରାମର ଶୁକଦେବ ସ୍ୱାଇଁଙ୍କ ପୁଅ ବିପିନ ବିହାରୀ ସ୍ବାଇଁ ଓମାନର ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ। ଡିସେମ୍ବର ୮ ତାରିଖରେ ଏକ ପ୍ରକଳ୍ପରେ କାମ କରୁଥିବା ବେଳେ ଦୁର୍ଭାଗ୍ୟ ବଶତଃ ସେହି କୋଠାର ଛାତ ଭୁଷୁଡି ମୃତ୍ୟୁ ବରଣ କରିଥିବା କମ୍ପାନୀ କତ୍ତୃପକ୍ଷ ପରିବାର ଲୋକଙ୍କୁ ଜଣାଇଥିଲେ।

ବିପିନଙ୍କ ପିତା ମରଶରୀରକୁ ଅନ୍ତିମ ସଂସ୍କାର ପାଇଁ ତାଙ୍କ ଗ୍ରାମକୁ ଫେରାଇ ଆଣିବା ପାଇଁ ଶ୍ରୀ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ ଅନୁରୋଧକ୍ରମେ ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ମରଶରୀରକୁ ଭାରତ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବା ସହ ବକେୟା ପ୍ରାପ୍ୟ ଯୋଗାଇଦେବାକୁ ନିବେଦନ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବରରେ ନିର୍ମାଣ ହେବ ବହୁ ସଡ଼କ, ଫ୍ଲାଇଓଭର, ରେଲ୍ ଓଭର ବ୍ରିଜ ଓ ରିଙ୍ଗ ରୋଡ

ଭୁବନେଶ୍ବର: ଭୁବନେଶ୍ବର ସହରର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାର ଆବଶ୍ୟକତା ଦୃଷ୍ଟିରୁ ଗାଡି ଚଳାଚଳ ଓ ଟ୍ରାଫିକ ବ୍ୟବସ୍ଥାକୁ ଉପଯୋଗୀ ଓ ସହଜ କରିବା ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୁରୁତ୍ଵ ଆରୋପ କରିଛନ୍ତି।

ଭୁବନେଶ୍ବର ସହରର ଗାଡି ଚଳାଚଳ ଓ ଟ୍ରାଫିକ୍‌ ସମସ୍ୟାକୁ ଦୂର କରିବା ପାଇଁ ପୂର୍ତ୍ତ ବିଭାଗ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସହର ପାଇଁ ବିଭିନ୍ନ ସଡ଼କ ପ୍ରକଳ୍ପ ଯୋଜନା ଉପରେ ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏକ ଉପସ୍ଥାପନ ରଖା ଯାଇଥିଲା ।

ଏହି ଉପସ୍ଥାପନାରେ ଭୁବନେଶ୍ବରର ଜୟଦେବ ବିହାର-ନନ୍ଦନକାନନ ନୂତନ ରାସ୍ତା, ଦୟା ୱେଷ୍ଟ କେନାଲ ଉପରେ ପଟିଆ ଷ୍ଟେସନ ଛକ ଠାରୁ ଜାତୀୟ ରାଜପଥ-୧୬ ପର୍ଯ୍ୟନ୍ତ ରିଙ୍ଗରୋଡ, ସୁନ୍ଦରପଦା-ଜଟଣୀ ରାସ୍ତାର ଉନ୍ନତିକରଣ, ପିତାପଲ୍ଲୀ-ତ୍ରିଶୂଳିଆ ରାସ୍ତାର ଇନ୍‌ଷ୍ଟିଚ୍ୟୁଟ ଅଫ ମାଥମେଟିକ୍‌ସ ଠାରୁ ଏକାମ୍ର କାନନ ପର୍ଯ୍ୟନ୍ତ ନୂତନ ରାସ୍ତା, କଳ୍ପନା ଛକ-ମ୍ୟୁଜିଅମ-ରବି ଟକିଜ ନୂତନ ଫ୍ଲାଇ ଓଭର, ଶିଶୁଭବନ-ମାଉସୀମା ମଧ୍ୟରେ ଆଉ ଏକ ROB, ତମାଣ୍ଡୋ-ଚନ୍ଦକା-ବାରଙ୍ଗ-ଧଉଳି-ତମାଣ୍ଡୋ ପର୍ଯ୍ୟନ୍ତ ରିଙ୍ଗ ରୋଡ ନିର୍ମାଣ ବିଷୟରେ ପୂର୍ତ୍ତ ବିଭାଗର ପକ୍ଷରୁ ପ୍ରସ୍ତାବିତ ତଥ୍ୟ ଉପସ୍ଥାପନ କରାଯାଇଥିଲା ।

ସେହିପରି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଭୁବନେଶ୍ବର-କଟକ-ପୁରୀ ଇକୋନୋମିକ୍‌ ରିଜିଅନ ଗଠନ ଏବଂ ଗ୍ରେଟର ଭୁବନେଶ୍ବର ଗଠନ ସଂପର୍କିତ ବିସ୍ତୃତ ତଥ୍ୟ ଉପସ୍ଥାପନ କରାଯାଇଥିଲା ।

ଏହି ବୈଠକରେ ଦୁଇ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କେ.ଭି. ସିଂହଦେଓ ଏବଂ ଶ୍ରୀମତୀ ପ୍ରଭାତୀ ପରିଡା, ପୂର୍ତ୍ତ ଓ ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭି.ଭି. ଯାଦବ, ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ରାୟଗଡା ଜିଲ୍ଲାର ଚଇତି- ୨୦୨୪ ର ଶୁଭାରମ୍ଭ

ରାୟଗଡା: ରାୟଗଡା ଜିଲ୍ଲାର କଳା, ସାହିତ୍ୟ, ସଂସ୍କୃତି ଏବଂ ପରମ୍ପରାର ଗଣପର୍ବ ଚଇତି- ୨୦୨୪ର ଶୁଭାରମ୍ଭ ହୋଇଛି। ଆଦିବାସୀ ସଂସ୍କୃତିର ପ୍ରତୀକ ଭାବେ ପରିଚିତ ପଦ୍ମପୁର ବ୍ଲକ ଅନ୍ତର୍ଗତ ମରିଚଗୁଡା ଗ୍ରାମ ସ୍ଥିତ ପବିତ୍ର ଅକ୍ଷର ବ୍ରହ୍ମ ମନ୍ଦିରରୁ ଶୁଭାରମ୍ଭ କରାଯାଇଛି।

ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତଙ୍କ ଅଧକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକା ଯୋଗ ଦେଇଥିବା ବେଳେ ରାୟଗଡା ବିଧାୟକ, ବିଷମକଟକ ବିଧାୟକ, ଗୁଣୁପୁର ବିଧାୟକ, ଜିଲ୍ଲା ଉନ୍ନୟନ ଅଧିକାରୀ ସମେତ ଜିଲ୍ଲାର ସମସ୍ତ ସମିତି ଅଧକ୍ଷ ଯୋଗ ଦେଇଛନ୍ତି।

ଅକ୍ଷର ବ୍ରହ୍ମ ମନ୍ଦିରରୁ ଏକ କଳସ ଶୋଭାଯାତ୍ରା ବାହାରିଥିବା ବେଳେ ସେଥିରେ ହଜାର ହଜାର ଆଦିବାସୀ ପାରମ୍ପରିକ ବାଦ୍ୟ ସହ ସାମିଲ ହୋଇଥିଲେ। ଉକ୍ତ କାର୍ଯ୍ୟକ୍ରମ ସହ ଜିଲ୍ଲାରେ ବ୍ଲକ ସ୍ଥରୀୟ ଚଇତିର ଶୁଭାରମ୍ଭ ହୋଇଛି ଓ ଆସନ୍ତା 26 ତାରିଖରେ ଜିସିଡ଼ି ପଡିଆରେ ଜିଲ୍ଲା ସ୍ଥରୀୟ ଚଇତି ଅନୁଷ୍ଠିତ ହେବ।

Categories
ଆଜିର ଖବର ରାଜ୍ୟ ଖବର

ଧାନ ମଣ୍ଡିରେ ଅବ୍ୟବସ୍ଥା ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ଚାଷୀ

ନୂଆପଡା: ନୂଆପଡ଼ା ଜିଲ୍ଲାରେ ଚାଷୀ ମାନେ ଜିଲ୍ଲା ବିଭିନ୍ନ ପ୍ରଶନ୍ନ ପାଢୀ, ଭୈରବ ସାହୁ, ଭାନୁ ପ୍ରତାପ ସିଂ ମାଝୀ, ସମେତ ଶତାଧିକ ଚାଷୀ ଆନ୍ଦୋଳନ କୁ ଓହ୍ଲାଇଛନ୍ତି।  ଦର୍ଲିମୁଣ୍ଡା, ଗୋଡଫୁଲା ଗ୍ରାମ ଠାରେ ଚାଷୀ  ମାନେ ରାସ୍ତାରୋକ କରିଥିବା ବେଳେ ବିରୋମାଲ ଚାଷୀ  ଜିଲ୍ଲାପାଳ କାର୍ଯ୍ୟକୁ ଘେରାଉ କରିଥିଲେ।

ପରେ ସମସ୍ତ ଚାଷୀ ଏକତ୍ର ହୋଇ ଏକତା ଛକ ଠାରେ ୩୫୩ ନମ୍ୱର୍ ଜାତୀୟ ରାଜ୍ୟ ପଥକୁ ଅବରୋଧ କରି ଜିଲ୍ଲାରେ ଧାନ ସଂଗ୍ରହ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ ଢଙ୍ଗରେ କରିବା, ୨୨ ନଭେମ୍ବର ମାସରୁ ଧାନ ମଣ୍ଡି ଖୋଲିଥିବା ବେଳେ ଧାନ ଉଠାଣ କିମ୍ବା ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେଉ ନଥିବା ଚାଷୀ ମାନେ ଅଭିଯୋଗ କରିଥିଲେ। ଆନ୍ଦୋଳନ ସ୍ଥଳକୁ ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ ପହଞ୍ଚି ନିର୍ଭର ଯୋଗ୍ୟ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଅଛି।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନୋବେଲ ପୁରସ୍କାର ବିଜେତା ମାଇକେଲ କ୍ରେମରଙ୍କ ଓଡ଼ିଶା ଗସ୍ତ, ବାବୁମାନଙ୍କୁ ଦେଲେ ଶିକ୍ଷା 

ଭୁବନେଶ୍ୱର: ଅର୍ଥନୀତି ବିଜ୍ଞାନରେ “ବିଶ୍ୱ ଦାରିଦ୍ର୍ୟ ଦୂରୀକରଣ ପାଇଁ ପରୀକ୍ଷାମୂଳକ ଆଭିମୁଖ୍ୟ” ଉପରେ କାର୍ଯ୍ୟ କରି ସମ୍ମାନଜନକ ନୋବେଲ ପୁରସ୍କାର ପାଇଥିବା ବିଶିଷ୍ଟ ଅର୍ଥନୀତିଜ୍ଞ ମାଇକେଲ କ୍ରେମର୍ ଓଡ଼ିଶା ଗସ୍ତରେ ଆସି ଆଜି ଲୋକସେବା ଭବନରେ ଆୟୋଜିତ ଏକ ବକ୍ତୃତା କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରଶାସନିକ ଅଧିକାରୀ, ଶିକ୍ଷାବିତ୍, ଛାତ୍ରଛାତ୍ରୀ ଓ ଗବେଷକମାନଙ୍କୁ ତାଙ୍କର ଗବେଷଣା ଏବଂ ପ୍ରୟୋଗାତ୍ମକ ଉପଲବ୍ଧି ଆଧାରରେ “ପରୀକ୍ଷାମୂଳକ ପଦ୍ଧତି, ଅଭିନବତ୍ୱ ଏବଂ ଅର୍ଥନୀତି” ଶୀର୍ଷକ ଏକ ଉପାଦେୟ ବକ୍ତୃତା  ଉପସ୍ଥାପନ କରିଥିଲେ।

୨୦୧୯ ରେ ଅର୍ଥନୀତି ବିଜ୍ଞାନରେ ଏଷ୍ଟର ଡୁଫ୍ଲୋ ଏବଂ ଅଭିଜିତ୍ ବାନାର୍ଜୀଙ୍କ ସହିତ ନୋବେଲ ପୁରସ୍କାର  ଯୁଗ୍ମ ବିଜେତା ହୋଇଥିବା ମାଇକେଲ କ୍ରେମର୍ ଅଧୁନା ଚିକାଗୋ ବିଶ୍ୱବିଦ୍ୟାଳୟରେ ଅର୍ଥନୀତି ପ୍ରଫେସର ଭାବେ ଡେଭଲପମେଣ୍ଟ ଇନୋଭେସନ ଲ୍ୟାବର ନିର୍ଦ୍ଦେଶନା  ଦେଉଛନ୍ତି।

ରାଜ୍ୟ ସରକାରଙ୍କ ଯୋଜନା ଓ ସଂଯୋଜନ ବିଭାଗ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କାର୍ଯ୍ୟକ୍ରମରେ ନୋବେଲ ବିଜେତା ପ୍ରଫେସର କ୍ରେମାରଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ଅଭିଭାଷଣ ପ୍ରଦାନ କରି ତାଙ୍କର  ଅନନ୍ୟ  ପ୍ରତିଭାର ସୂଚନା ଦେଇଥିଲେ ।  ପ୍ରଫେସର କ୍ରେମରଙ୍କ କାର୍ଯ୍ୟ ଶିକ୍ଷା, ସ୍ୱାସ୍ଥ୍ୟ, ଜଳ, ଅର୍ଥ, କୃଷି ସମେତ ଅଭିନବତ୍ୱ ଉପରେ ଗୁରୁତ୍ୱ ଦେଇଥାଏ।

ସାମାଜିକ ଅଭିନବ ପାଣ୍ଠି ମାଧ୍ୟମରେ ଅଭିନବତ୍ୱକୁ ତ୍ୱରାନ୍ୱିତ କରିବା ପାଇଁ ଅନୁଷ୍ଠାନଗୁଡ଼ିକୁ କିପରି ଢାଞ୍ଚାରେ ଗଠନ  କରାଯିବ, ସେ ବିଷୟରେ ମଧ୍ୟ ସେ ବିସ୍ତୃତ ଭାବରେ କାର୍ଯ୍ୟ କରିଛନ୍ତି । କ୍ରେମର କିପରି ସକ୍ରିୟ ଭାବରେ ତାଙ୍କର ଶିକ୍ଷାଗତ କାର୍ଯ୍ୟକୁ ବାସ୍ତବ ଦୁନିଆର ସମସ୍ୟାଗୁଡିକର ସମାଧାନ ପାଇଁ ପ୍ରୟୋଗ କରିଛନ୍ତି , ସେ ସଂପର୍କରେ ଶ୍ରୀମତୀ ଗର୍ଗ ପ୍ରକାଶ କରିଥିଲେ । କ୍ରେମର୍ ମଧ୍ୟ ୟୁଏସଏଆଇଡିର  ଡେଭେଲପମେଣ୍ଟ  ଇନୋଭେସନ ଭେଞ୍ଚର୍ସ (ଡିଆଇଭି)ର ବୈଜ୍ଞାନିକ ନିର୍ଦ୍ଦେଶକ ଏବଂ ଜଣେ ସହ-ପ୍ରତିଷ୍ଠାତା ଭାବରେ କାର୍ଯ୍ୟ କରନ୍ତି।

ପ୍ରଫେସର କ୍ରେମାର ତାଙ୍କ ଉପସ୍ଥାପନାରେ ବିଦ୍ୟାଳୟ ମାଧ୍ୟମରେ  କୃମିନାଶ ଉପରେ ତାଙ୍କର କାର୍ଯ୍ୟ କିପରି  ଭାରତରେ  ଜାତୀୟ କୃମି ନାଶକ  ଦିବସ ପ୍ରଚଳନ କରିବାରେ ସାହାଯ୍ୟ କରିଥିଲା , ସେ ସଂପର୍କରେ ଉପସ୍ଥାପନ କରିଥିଲେ। ଏହି ଅଭିଯାନ ଫଳରେ ବାର୍ଷିକ ଲକ୍ଷ ଲକ୍ଷ ପିଲାଙ୍କୁ ଚିକିତ୍ସା ପ୍ରଦାନ କରାଯାଇପାରୁଛି। ଡିଜିଟାଲ ମାଧ୍ୟମରେ ପାଣିପାଗର ପୂର୍ବାନୁମାନ ଆଧାରରେ କୃଷି ପରାମର୍ଶ ଦ୍ୱାରା କିପରି କୃଷକମାନେ  ଉଲ୍ଲେଖନୀୟ ଉନ୍ନତି ଘଟାଇ ପାରିବେ ଓ ଏହି  ପରାମର୍ଶ ଅନୁସାରେ ପରିବର୍ତ୍ତିତ କୃଷି ପଦ୍ଧତି ଆପଣାଇପାରିବେ।

ଏହି ପରାମର୍ଶର ପ୍ରଚାର ପ୍ରସାର ଖର୍ଚ୍ଚର ୧୦ ଗୁଣା ଲାଭ ଦେଇପାରିବ ବୋଲି ସେ କହିଥିଲେ । ବୈଷୟିକ ଜ୍ଞାନ କୌଶଳରେ ପ୍ରସ୍ତୁତି  ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ କୃଷକମାନଙ୍କ ପାଇଁ ବୋଧଗମ୍ୟ ହେଲେ ଏହା ଅଧିକ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ସେ ମଧ୍ୟ ଜଳ ଉତ୍ସର ଉପଯୁକ୍ତ ପରିଚାଳନା କରି ସୁରକ୍ଷିତ ପାନୀୟ ଜଳ ଶିଶୁ ମୃତ୍ୟୁହାର ରୋକିବାରେ ସହାୟକ ହୋଇଥାଏ ବୋଲି ଉପସ୍ଥାପନ  କରିଥିଲେ। ପରୀକ୍ଷାମୂଳକ ତଥ୍ୟ କହୁଛି ଯେ କ୍ଲୋରିନେସନ ଦ୍ୱାରା ପାଇପଯୋଗେ ପାନୀୟ ଜଳ ଡାଇରିଆ ହାରକୁ ୨୫ ପ୍ରତିଶତରୁ କମ୍‌ କରିପାରିଛି।

ଶିକ୍ଷଣ ସ୍ତରରେ ବ୍ୟପକ ଭିନ୍ନତା ପରିଲକ୍ଷିତ ହେଉଥିବା ସଂପର୍କରେ ଉଲ୍ଲେଖ କରି କମ୍ ଗ୍ରେଡ୍‌ ପ୍ରଦର୍ଶନ କରୁଥିବା ପିଲାମାନଙ୍କ ପାଇଁ ବ୍ୟକ୍ତିଗତ ଅନୁକୂଳ ଶିକ୍ଷଣରେ ଦୃତ ଉନ୍ନତି କରିବାର ଆବଶ୍ୟକତା ରହିଛି , ଯେପରି ସେମାନେ ଗ୍ରେଡ୍‌ ସ୍ତରୀୟ ଦକ୍ଷତା ଠାରୁ ପଛରେ ଥିବା ପିଲାଙ୍କ ଭଳି ଆଗକୁ ଯାଇପାରିବେ। ସେଥିପାଇଁ ଶିକ୍ଷକମାନଙ୍କୁ ଆବଶ୍ୟକ  ପରାମର୍ଶର ନମୁନା ସଂପର୍କରେ ସେ ଆଲୋକପାତ କରିଥିଲେ। ଶିକ୍ଷାଗ୍ରହଣରେ ଫଳାଫଳରେ ଉନ୍ନତି ପାଇଁ ମଧ୍ୟ ବାୟୂ ପ୍ରଦୂଷଣକୁ କମାଇବା ଆବଶ୍ୟକତା ରହିଥିବା  ସଂପର୍କରେ ସେ କହିଥିଲେ।

ସବୁ ସମସ୍ୟାଗୁଡ଼ିକ ଚିହ୍ନଟ କରି ବିଭିନ୍ନ ଅଂଶୀଦାର, ଫୋକସ ଗୃପ୍‌ ସହ ଆଲୋଚନା, ବିଷୟ ସମ୍ବନ୍ଧୀୟ ଗ୍ରନ୍ଥ ଅଧ୍ୟୟନ ଓ  ବିଶେଷଜ୍ଞଙ୍କ ସହିତ ପରାମର୍ଶ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହିତ ଆଲୋଚନା, ପରୀକ୍ଷାମୂଳକ ପ୍ରୟୋଗ ଓ ତାହାର ପୁନଃ ପରୀକ୍ଷା ଓ ସଂଶୋଧନ ଅଭିନବତ୍ତ୍ୱ ଚକ୍ରର  ଅଂଶ ବିଶେଷ ବୋଲି ସେ ଉପସ୍ଥାପନ କରିଥିଲେ । ଏହି ଅବସରରେ ସେ ବିଭିନ୍ନ ପ୍ରଶାସନିକ ଅଧିକାରୀ, ଶିକ୍ଷାବିତ ଏବଂ ଅର୍ଥନୀତି ଅଧ୍ୟାପକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ।

ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା କହିଥିଲେ ଯେ, ପ୍ରଫେସର କ୍ରେମାରଙ୍କ ଉପସ୍ଥାପିତ  ଚିନ୍ତାଧାରା ଅନୁସାରେ ଆମେ ବିକଶିତ ଓଡ଼ିଶା ୨୦୩୬ ସଙ୍ଗେ ସଙ୍ଗେ ବିକଶିତ ଭାରତ ୨୦୪୭ ର ଲକ୍ଷ୍ୟ ରଖି  ଦକ୍ଷ ପ୍ରଶାସନିକ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଉଛୁ । ତଥ୍ୟ ଭିତ୍ତିକ ଅନୁସଂଧାନ ଦ୍ୱାରା ସଂସ୍ଥାଗତ ବ୍ୟବସ୍ଥାରେ ରୂପାନ୍ତର କରାଯିବା ସହିତ ତଦନୁସାରେ ଯୋଜନା  ପ୍ରସ୍ତୁତି ପୂର୍ବକ ଏହା କିପରି ଅଧିକ ସୁଫଳ ପ୍ରଦାନ କରିବ ସେଥିପାଇଁ ପ୍ରୟାସ ଜାରି ରହିଛି।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ,କମିଶନର-ତଥା ଶାସନ ସଚିବ ଏବଂ ସମସ୍ତ  ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିବା ବେଳେ  ସମସ୍ତ ୩୦ଟି ଜିଲ୍ଲାରୁ ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ।

ଏଥି ସହିତ କାର୍ଯ୍ୟକ୍ରମରେ ଭାରତୀୟ ରିଜର୍ଭ ବ୍ୟାଙ୍କର  ରାଜ୍ୟ ମୁଖ୍ୟ ଏବଂ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ଆବାହକଙ୍କ ସମେତ ରାଜ୍ୟ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟର ଅଧିକାରୀମାନେ ମଧ୍ୟ ଏଠାରେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ । ଆହୁରି ମଧ୍ୟ ଏହି ବକ୍ତୃତାରେ ଭୁବନେଶ୍ୱରର ଅର୍ଥନୀତିର ପ୍ରଫେସର, ଗବେଷକ, ସରକାରୀ ବିଶ୍ୱବିଦ୍ୟାଳୟ ଓ ସରକାରୀ ଡିଗ୍ରୀ କଲେଜର ଅର୍ଥନୀତିର ମନୋନୀତ ସ୍ନାତକ ଏବଂ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ପ୍ରତିନିଧିତ୍ୱ କରିଥିଲେ।

ଜିଲ୍ଲା ସଦର ମହକୁମାଗୁଡ଼ିକରେ ଥିବା ସରକାରୀ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜର ଅର୍ଥନୀତି ଅଧ୍ୟାପକ, ଗବେଷଣା ବିଦ୍ୟାର୍ଥୀ, ନିର୍ବାଚିତ ସ୍ନାତକୋତ୍ତର ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ମଧ୍ୟ ଜିଲ୍ଲାପାଳଙ୍କ ଠାରୁ ଓସ୍ୱାନ୍ ମାଧ୍ୟମରେ ଆଭାସୀ ମାଧ୍ୟମରେ ଏହି ବକ୍ତୃତାରେ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟସଭା ଯିବେ ସୁଜିତ କୁମାର, ଆଜି ବିଜେପି ପ୍ରାର୍ଥୀ ଭାବେ ଦାଖଲ କଲେ ନାମାଙ୍କନ

ଭୁବନେଶ୍ବର: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ସୁଜିତ କୁମାରଙ୍କୁ ପ୍ରାର୍ଥୀ କରିଛି ବିଜେପି। ଆଜି ଏ ନେଇ ଦଳ ତରଫରୁ ଘୋଷଣା କରାଯିବା ପରେ ସୁଜିତ ନାମାଙ୍କନ ଦାଖଲ କରିଛନ୍ତି। ସେ ପୂର୍ବହ୍ନରେ ବିଧାନସଭା ଯାଇ ସେଠାରେ ମନ୍ତ୍ରୀ ବିଧାୟକଙ୍କ ସହିତ ନାମାଙ୍କନ ଦାଖଲ କରିଛନ୍ତି।

ସୁଜିତ କୁମାର ବିଜେଡିରୁ ରାଜ୍ୟସଭାକୁ ଯାଇଥିଲେ। ହେଲେ ସେ ରାଜ୍ୟସଭା ତଥା ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ। ସେତେବେଳେ ମଧ୍ୟ ଜଣାପଡିଥିଲା ଯେ, ମମତା ମହନ୍ତଙ୍କ ପରି ସୁଜିତଙ୍କୁ ମଧ୍ୟ ରାଜ୍ୟସଭାକୁ ବିଜେପି ପଠାଇବ। ଯାହା ଆଜି ସ୍ପଷ୍ଟ ହୋଇଛି।

ଆଜିର ନାମାଙ୍କନ ଦାଖଲ ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ମନ୍ତ୍ରୀ ମୁକେଶ ମହାଲିଙ୍ଗ, ସଭାପତି ମନମୋହନ ସାମଲ ଏବଂ ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଓଡିଶାର ଗୋଟିଏ ରାଜ୍ୟସଭା ପଦବୀ ପାଇଁ ଆଜି ଥିଲା ନାମାଙ୍କନ ଦାଖଲର ଶେଷ ତାରିଖ। ଏହି ଶେଷ ତାରିଖରେ ବିଜେପି ପ୍ରାର୍ଥୀଙ୍କ ନାମ ଘୋଷଣା କରି ନାମାଙ୍କନ ପତ୍ର ଦାଖଲ ମଧ୍ୟ କରାଯାଇଛି। ଆସନ୍ତାକାଲି ନାମାଙ୍କନ ପତ୍ର ଯାଞ୍ଚ ହେବ।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ନବରଙ୍ଗପୁର କଳା, ସାହିତ୍ୟ, ସଂସ୍କୃତିର ଉତ୍ସବ ‘ମଣ୍ଡେଇ ୨୦୨୪’ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଯାପିତ

ଭୁବନେଶ୍ବର: ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟର ଗନ୍ତାଘର ନବରଙ୍ଗପୁର ଜିଲ୍ଲାର ଡଙ୍ଗର ପାହାଡ ଓ ଜଙ୍ଗଲର ଶାନ୍ତ ସବୁଜ ପରିବେଶକୁ ଦେଖିଲେ ସ୍ୱର୍ଗୀୟ ସୁଖ ଅନୁଭବ ହୋଇଥାଏ। ଜନଜାତି ବହୁଳ ନବରଙ୍ଗପୁର ଜିଲ୍ଲାର ନିଜସ୍ୱ ସଂସ୍କୃତି ଓ ଜନଜାତି ଜୀବନଧାରା ଓଡିଶାର ସାଂସ୍କୃତିକ ଚିତ୍ରପଟ୍ଟକୁ ଗରିମାମୟ କରିଛି।

ଜନଜାତି ସଂପ୍ରଦାୟଙ୍କ କଳା, ସଂସ୍କୃତି ଓ ପରମ୍ପରା ଭିତରେ ଲୁଚି ରହିଥିବା ବାସ୍ତବତାକୁ ଲୋକଲୋଚନକୁ ଆଣୁଛି ଏହି ମହୋତ୍ସବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବରଙ୍ଗପୁର ଜିଲ୍ଲାର କଳା, ସାହିତ୍ୟ, ସଂସ୍କୃତି, ଐତିହ୍ୟ ଓ ଭାଇଚାରାର ଭବ୍ୟ ମହୋତ୍ସବ ‘ମଣ୍ଡେଇ ୨୦୨୪’ ଉଦ୍‌ଯାପନୀ ଉତ୍ସବରେ ଜିଲ୍ଲାବାସୀଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବରଙ୍ଗପୁର ଜିଲ୍ଲାର ବିକାଶ ପାଇଁ ୪୬୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ୨୬୧ଟି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ।

ନବରଙ୍ଗପୁର ହିର୍ଲି ମଣ୍ଡେଇ ପଡିଆରେ ତିନି ଦିନ ଧରି ଆୟୋଜିତ ହେଉଥିବା ‘ମଣ୍ଡେଇ ୨୦୨୪’ ଉଦ୍‌ଯାପନୀ ସମାରୋହରେ ଆଜି ମୁଖ୍ୟମନ୍ତ୍ରୀ ଯୋଗଦେଇ ଆହୁରି ମଧ୍ୟ କହିଥିଲେ ଯେ, ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ନବରଙ୍ଗପୁର ମାଟି ହେଉଛି ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କର ବଳିଦାନର ପୀଠ।

ନବରଙ୍ଗପୁରର ଐତିହ୍ୟ, ପର୍ଯ୍ୟଟନ ସ୍ଥଳୀ, ପ୍ରାକୃତିକ ଶୋଭାରାଜି, ଲୋକ ସଂସ୍କୃତି, ଲୋକକଳା, ହସ୍ତଶିଳ୍ପ ଓ ଜିଲ୍ଲାର ବିକାଶର ଚିତ୍ରକୁ ପ୍ରତିଫଳିତ କରିବା ପାଇଁ ଏହି ମହୋତ୍ସବ ଏକ ପ୍ରକୃଷ୍ଠ ମଞ୍ଚ। ମଣ୍ଡେଇ ମହୋତ୍ସବ ପାଇଁ ନବରଙ୍ଗପୁର ଜିଲ୍ଲା ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଜିଲ୍ଲା ପାଇଁ ଏହା ହେଉଛି ସାମାଜିକ ବନ୍ଧୁ ମିଳନ, ଭାବର ଆଦାନ ପ୍ରଦାନ ଓ ମାନବୀୟ ସଂସ୍କୃତିର ଏକ ବର୍ଣ୍ଣାଢ୍ୟ ଲୋକ ମହୋତ୍ସବ। ଜିଲ୍ଲାର ଐତିହାସିକ ଦର୍ଶନୀୟ ସ୍ଥାନ ଗୁଡିକ ଜିଲ୍ଲାକୁ ପର୍ଯ୍ୟଟନ କ୍ଷେତ୍ରରେ ସମୃଦ୍ଧ କରିଛି। ପର୍ଯ୍ୟଟନ ସ୍ଥଳୀ ଗୁଡିକର ବିକାଶ ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ଆମ ସରକାର ସ୍ୱତନ୍ତ୍ର ଭାବେ ଧ୍ୟାନ ଦେଉଛନ୍ତି।

ସେ ପୁଣି କହିଥିଲେ ଯେ, ନବରଙ୍ଗପୁର ଜିଲ୍ଲାର ଅଧିକାଂଶ ଜୀବନଜୀବିକା କୃଷି କାର୍ଯ୍ୟ ଉପରେ ନିର୍ଭର କରିଥାଏ। ଜିଲ୍ଲାର ଚାଷୀଭାଇମାନେ ଉନ୍ନତ ମାନର ମକା, ଧାନ, ମାଣ୍ଡିଆ ଏବଂ ପନିପରିବା ଆଦି ଚାଷ କରି ଅନ୍ୟ ଜିଲ୍ଲା ତଥା ରାଜ୍ୟ ପାଇଁ ଉଦାହରଣ ପାଲଟିଛନ୍ତି। ରାଜ୍ୟରେ ଚାଷୀମାନଙ୍କ କଲ୍ୟାଣ ପାଇଁ ଆମ ନୂଆ ସରକାର ଆସିବା ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା କରିବେ ବୋଲି। ଆଜି ସେହି ପ୍ରତିଶ୍ରୁତି ପୂରଣ ହୋଇଛି। ଏଣିକି ରାଜ୍ୟରେ ଚାଷୀଭାଇମାନେ ଧାନର କୁଇଣ୍ଟାଲ ପିଛା କ୍ରୟମୂଲ୍ୟ ୩୧୦୦ ଟଙ୍କା ପାଇବେ।

ଜନଜାତି କଲ୍ୟାଣ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜନଜାତି ସଂପ୍ରଦାୟଙ୍କ ଉନ୍ନତିକୁ ଆମ ଡବଲ ଇଞ୍ଜିନ ସରକାର ପ୍ରାଧାନ୍ୟ ଦେଉଛନ୍ତି। ନିକଟରେ ଭଗବାନ ବିର୍ସାମୁଣ୍ଡାଙ୍କ ୧୫୦ତମ ଜନ୍ମ ଦିବସ ଅବସରରେ ଆମ ଯଶସ୍ୱୀ ପ୍ରଧାନମନ୍ତ୍ରୀ ‘ଧର୍ତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ’ ଯୋଜନା ଅଧିନରେ ଅନେକ ଗୁଡିଏ କଲ୍ୟାଣକାରୀ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।

ଏହି ଯୋଜନାର ମୂଳ ଲକ୍ଷ୍ୟ ହେଉଛି ଜନଜାତି ସଂପ୍ରଦାୟଙ୍କ ସ୍ୱାସ୍ଥ୍ୟ, ଶିକ୍ଷା, ଜୀବନଜୀବିକା ଓ ଭିତ୍ତିଭୂମି କ୍ଷେତ୍ରରେ ରହିଥିବା ତାରତମ୍ୟକୁ ଦୂର କରି ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା। ଓଡିଶାର ୨୭ଟି ଜିଲ୍ଲାର ୭୬୬୭ ଗ୍ରାମକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଜନଜାତି ବର୍ଗଙ୍କୁ ଜଙ୍ଗଲ ଜମି ଅଧିକାର ପ୍ରଦାନ ବଳରେ ସଶକ୍ତ କରାଯାଇଛି।

ଏହି ଆଇନ ବଳରେ ନବରଙ୍ଗପୁର ଜିଲ୍ଲାରେ ଅଦ୍ୟାବଧି ୪୪,୫୯୨ ଟି ବ୍ୟକ୍ତିଗତ ଜଙ୍ଗଲ ଜମି ପଟ୍ଟା ଓ ୬୦ଟି ଗୋଷ୍ଠୀଗତ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଜରିଆରେ ଆଦିବାସୀ ବହୁଳ ଜିଲ୍ଲାମାନଙ୍କରେ ରୋଜଗାର ଓ ଜୀବିକାର ବ୍ୟାପକ ସୁଯୋଗ ସୃଷ୍ଟି କରାଯିବ।

ରାଜ୍ୟର ମା’ ଓ ଭଉଣୀମାନଙ୍କ ଅର୍ଥନୈତିକ ସଶକ୍ତିକରଣ ଓ ସେମାନଙ୍କ ସାମାଜିକ ସମ୍ମାନ ବୃଦ୍ଧି ପାଇଁ ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନାରେ ନବରଙ୍ଗପୁର ଜିଲ୍ଲାର ୨,୪୦,୦୦୦ ମହିଳାଙ୍କୁ ସହାୟତା ରାଶି DBT ମାଧ୍ୟମରେ ପ୍ରଦାନ କରାଯାଇଛି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ଓଡିଶାର ଦକ୍ଷିଣାଞ୍ଚଳ ଜିଲ୍ଲା ଗୁଡିକର ବିକାଶ ସହିତ ବିକାଶ ପ୍ରକ୍ରିୟାରେ ସବୁ ବର୍ଗଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଖୁବ୍ ଶୀଘ୍ର ‘ଦକ୍ଷିଣ ଓଡିଶା ବିକାଶ ପରିଷଦ’ ଗଠନ ହେବ। ଏ ଜିଲ୍ଲାକୁ ଅତୀତରେ ବହୁତ ଅବହେଳା କରାଯାଇଛି। ବର୍ତ୍ତମାନ ସମୟ ଆସିଛି ଆମ ସମସ୍ତଙ୍କୁ ମିଳି ମିଶି ଆଗକୁ ନେବାକୁ ପଡିବ।

ଶେଷରେ ମୁଖ୍ୟମନ୍ତ୍ରୀ ଓଡିଶାର ସର୍ବୋପରି ନବରଙ୍ଗପୁର ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

ଏହି ଅବସରରେ ମଣ୍ଡେଇ ୨୦୨୪ ସ୍ମରଣିକା ଏବଂ କବିତା ସଂକଳନ ନବ ନିର୍ଝର ଅତିଥିମାନେ ଉନ୍ମୋଚନ କରିଥିଲେ।

ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଥିଲେ ଯେ, ନବରଙ୍ଗପୁର ସଂସ୍କୃତି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅତି ଉଚ୍ଚକୋଟୀର । ଜିଲ୍ଲାବାସୀଙ୍କ ବହୁ ଦିନର ଦାବୀ ଥିବା ଇନ୍ଦ୍ରାବତୀ ଜଳଭଣ୍ଡାରରୁ କେନାଲ ମାଧ୍ୟମରେ ନବରଙ୍ଗପୁରବାସୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବା ପାଇଁ ଆମ ସରକାର ପଦକ୍ଷେପ ନେବେ।

ବିଦ୍ୟାଳୟ ଓ ଗଣଶିକ୍ଷା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ, ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ, ଆମ ମୁଖ୍ୟମନ୍ତ୍ରୀ ଓଡିଶାର ବିକାଶ ପାଇଁ ଦିନରାତି ଏକ କରିଦେଇଛନ୍ତି।

ଜଗନ୍ନାଥ ସଂସ୍କୃତି ହେଉଛି ଆମ ପରିଚୟ। ଜଗନ୍ନାଥ ମନ୍ଦିରର ରକ୍ଷଣାବେକ୍ଷଣ ଓ ଓଡିଆ ଅସ୍ମିତାର ସୁରକ୍ଷା ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର କର୍ପସ ପାଣ୍ଠି ଗଠନ କରିଛନ୍ତି। ମା’ ମାନଙ୍କୁ ସ୍ୱାବଲମ୍ବୀ ଓ ସଶକ୍ତ କରିବା ପାଇଁ ସୁଭଦ୍ରା ଯୋଜନା ମାଧ୍ୟମରେ ୮୦ ଲକ୍ଷ ମହିଳାଙ୍କୁ ସାମିଲ କରାଯାଇଛି। ଆଗାମୀ ଦିନରେ ଏକ କୋଟିରୁ ଉର୍ଦ୍ଧ୍ୱ ମହିଳା ଏଥିରେ ସାମିଲ ହେବେ । ଶିକ୍ଷାର ବିକାଶ ପାଇଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା କରିଛନ୍ତି। ଦକ୍ଷିଣ ଓଡିଶାର ବିକାଶ କଥା ଆଜି ପର୍ଯ୍ୟନ୍ତ କେହି ଚିନ୍ତା କରିନଥିଲେ। ମୁଖ୍ୟମନ୍ତ୍ରୀ ଦକ୍ଷିଣ ଓଡିଶା ବିକାଶ ପରିଷଦ ଗଠନ ପାଇଁ ଚିନ୍ତା କରିଛନ୍ତି।

କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ଶ୍ରୀ ବଳଭଦ୍ର ମାଝୀ, ରାଜ୍ୟସଭା ସାଂସଦ ଶ୍ରୀ ମୁଜିବୁଲ୍ଲା ଖାନ, ଡାବୁଗାଁ ବିଧାୟକ ଶ୍ରୀ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀଶଙ୍କର ମାଝୀ, ଝରିଗାଁ ବିଧାୟକ ଶ୍ରୀ ନରସିଂହ ଭତରା ଉପସ୍ଥିତ ରହି ନିଜ ନିଜର ଅଭିଭାଷଣ ରଖିଥିଲେ।

ଜିଲ୍ଲାପାଳ, ନବରଙ୍ଗପୁର ସ୍ୱାଗତ ଭାଷଣ ଦେଇଥିଲେ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଇପିଏସ ଡି ଏସ କୁଟ୍ଟେଙ୍କୁ କେନ୍ଦ୍ର ସରକାର ଦେଲେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ, ହେବେ ବିଏସଏଫ ଆଇଜି

ଭୁବନେଶ୍ବର: ଶେଷରେ ବରିଷ୍ଠ ଆଇପିଏସ ଡି ଏସ କୁଟ୍ଟେଙ୍କୁ କେନ୍ଦ୍ର ସରକାର ନିଯୁକ୍ତି ଦେଇଛନ୍ତି। ସେ ବର୍ତ୍ତମାନ ବର୍ଡର ସିକ୍ୟୁରିଟ ଫୋର୍ସର ଆଇଜି ଭାବେ କାର୍ଯ୍ୟ କରିବେ। ଏ ନେଇ ବିଧିବଧ ଭାବେ କେନ୍ଦ୍ର ସରକାରଙ୍କ ତରଫରୁ ରାଜ୍ୟକୁ ଚିଠି କରାଯାଇଛି। ଏଥିରେ ରାଜ୍ୟ ସରକାର ତାଙ୍କୁ ତୁରନ୍ତ ରିଲିଭ କରିବା ପାଇଁ କୁହାଯାଇଛି।

ଗତ ନିର୍ବାଚନରେ ଡି ଏସ କୁଟ୍ଟେ ବିଜେଡି ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ କରାଯାଇ ତାଙ୍କୁ ନିଲମ୍ବନ କରାଯାଇଥିଲା। ଏହାପରେ ତାଙ୍କର ନିଲମ୍ବନ ହଟାଇ ରାଜ୍ୟ ସରକାରଙ୍କ ଓଏସଡି ଭାବେ ବସେଇ ଦିଆଯାଇଥିଲା। ତାଙ୍କୁ କୌଣସି ପଦବୀରେ କାର୍ଯ୍ୟ କରିବା ପାଇଁ ସୁଯୋଗ ଦିଆଯାଇ ନ ଥିଲା।

ତାଙ୍କର ଭବିଷ୍ୟତ କଣ ହେବ ସେ ନେଇ ବିଭିନ୍ନ ମହଲରେ ସନ୍ଦେହ ପ୍ରକଟ କରାଯାଇଥିଲା। ହେଲେ ଶେଷରେ କେନ୍ଦ୍ର ସରକାର ତାଙ୍କୁ ନିଜ ଅଧିନକୁ ନେବା ସହିତ ଗୁରୁତ୍ବ ପୂର୍ଣ୍ଣ ପଦବୀରେ ନିଯୁକ୍ତି ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବରଗଡରେ ଚାଷୀ ସମାବେଶ, ଧାନ କ୍ବିଣ୍ଟାଲ ପିଚ୍ଛା ୩୧୦୦ ଟଙ୍କା, ଇନପୁଟ୍ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ବରଗଡ: ନୂଆ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ସାଧାରଣ ଲୋକଙ୍କ ସମସ୍ୟା ଶୁଣି ଲୋକଙ୍କ ସରକାର ଆଖ୍ୟା ପାଇଥିଲେ। ମା ମାନଙ୍କୁ ସୁଭଦ୍ରା ଯୋଜନାରେ ସହାୟତା ଦେଇ ମା ମାନଙ୍କ ସରକାର ଭାବେ ମଧ୍ୟ ସୁନାମ କରିଥିଲେ। ଆଜି ଚାଷୀ ମାନଙ୍କୁ ଧାନ କ୍ଵିଣ୍ଟାଲ ପିଛା ୮୦୦ ଟଙ୍କା ଇନପୁଟ ସବସିଡି ଦେଇ, ସରକାର ହୋଇଛନ୍ତି ‘ଚାଷୀଙ୍କ ସରକାର’।

ବରଗଡର ସୋହେଲାରେ ଉତ୍ସବର ସମାବେଶ। ଚାଷୀ ଭାଇମାନଙ୍କ ମଧ୍ୟରେ ଆଜି ଖୁସିର ଲହର । ଲୋକଙ୍କ ସରକାର ଆଜି ଚାଷୀ ଭାଇ ମାନଙ୍କୁ ଦେଉଛନ୍ତି ସେମାନଙ୍କ ପରିଶ୍ରମର ମୂଲ୍ୟ।

ଚାଷୀମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଚାଷୀମାନଙ୍କୁ ଧାନର ସର୍ବନିମ୍ନ ମୂଲ୍ୟ ୨୩୦୦ ଟଙ୍କା ଉପରେ ଆଜି ଅତିରିକ୍ତ ୮୦୦ ଟଙ୍କା ଇନ୍‌ପୁଟ ସବ୍‌ସିଡି ପ୍ରଦାନର ଶୁଭାରମ୍ଭ କରିଛନ୍ତି। ଚାଷୀମାନେ ଧାନ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ପାଇଲେ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜୁନ୍ ୧୨ ତାରିଖରେ ଆମ ସରକାର ଗଠନ ହେବା ପରେ ପ୍ରଥମ କ୍ୟାବିନେଟରେ ଯେଉଁ ଚାରିଟି ପ୍ରମୁଖ ନିଷ୍ପତ୍ତି ନେଇଥିଲେ, ସେ ସବୁ ନିଷ୍ପତ୍ତି ୬ ମାସ ମଧ୍ୟରେ ପୂରଣ କରାଗଲା ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୪ଟି ନିଷ୍ପତ୍ତି ମଧ୍ୟରୁ ଧାନ କିଣା ବାବଦକୁ ୩୧୦୦ ଟଙ୍କା ପ୍ରଦାନ କରିବା ଏକ ମୁଖ୍ୟ ନିଷ୍ପତ୍ତି ଥିଲା। ବରଗଡର ଏହି ସୋହେଲା ମାଟିରେ, ଆପଣମାନଙ୍କୁ ଆମେ ଯେଉଁ ପ୍ରତିଶୃତି ଦେଇଥିଲୁ, ତାହା ପୁରଣ କଲୁ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ଭାଷାରେ, “ମୋଦୀ କି ଗ୍ୟାରେଣ୍ଟି ମତଲବ, ଗ୍ୟାରେଣ୍ଟି ପୁରି ହୋନେ କି ଗ୍ୟାରେଣ୍ଟି”।

ଆଜି ଆମର ସେଇସବୁ ଗ୍ୟାରେଣ୍ଟି ପୁରଣ ହୋଇଛି । ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲା ହେବା ହେଉ କିମ୍ବା ଶ୍ରୀମନ୍ଦିର ଉନ୍ନତିକରଣ ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ ହେଉ; ସୁଭଦ୍ରା ଯୋଜନା ହେଉ କିମ୍ବା ଚାଷୀଭାଇମାନଙ୍କୁ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ହେଉ – ଆଜି ଆମ ସରକାର ଆପଣମାନଙ୍କୁ ଦେଇଥିବା ଚାରିଟି ଯାକ ପ୍ରତିଶୃତି, ଆଜି ପୂରଣ ହୋଇଛି ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ଦିନଟି ସାରା ଓଡିଶା ପାଇଁ ଏକ ଐତିହାସିକ ଦିନ। ବିଶେଷ କରି, କୃଷି ଓ କୃଷକମାନଙ୍କ ପାଇଁ ଆଜିର ଦିନଟି ନିଶ୍ଚିତ ଭାବରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ଆଜି ଆପଣମାନଙ୍କ ସରକାର, ଆପଣମାନଙ୍କୁ, ଓଡିଶାର ଲକ୍ଷ ଲକ୍ଷ ଚାଷୀ ଭାଇଭଉଣୀ ମାନଙ୍କୁ ସେମାନଙ୍କ କଠୋର ପରିଶ୍ରମର ପ୍ରକୃତ ମୂଲ୍ୟ ପ୍ରଦାନ କରିବାକୁ ଆଗେଇ ଆସିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବରଗଡ ଜିଲ୍ଲାର ସୋହେଲା ଠାରୁ ଆରମ୍ଭ କରିବାର ମୁଖ୍ୟତଃ ଦୁଇଟି ଉଦ୍ଦେଶ୍ୟ ରହିଛି। ପ୍ରଥମଟି ହେଉଛି, ଏଠାରେ ଆମର ଅନ୍ନଦାତା ଚାଷୀଙ୍କୁ ୨୦୧୬ ମସିହାରେ ପ୍ରତାରଣାର ପ୍ରତିଶୃତି ଦିଆ ଯାଇଥିଲା। କୁଇଣ୍ଟାଲ ପିଛା ଏକ ଶହ ଟଙ୍କା ଦେବା ପାଇଁ ମିଛ ପ୍ରତିଶୃତି ଦିଆଯାଇଥିଲା।

ସେ ମିଛ ପ୍ରତିଶୃତି ଓ ପ୍ରତାରଣାର ଉଚିତ ଜବାବ ସ୍ୱରୂପ ମୁଁ ଆପଣମାନଙ୍କ ପାଖକୁ ଆସି କୁଇଣ୍ଟାଲ ପିଛା ୮୦୦ ଟଙ୍କା ଅଧିକ ଇନ୍‌ପୁଟ ସବସିଡି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ହେଉଛି ଆମ ସରକାରର କଥା ଦେଇ କଥା ରଖିବାର ପ୍ରତିବଦ୍ଧତା ।

ଦ୍ଵିତୀୟଟି ହେଉଛି, ବରଗଡ ଜିଲ୍ଲା ହେଉଛି ଓଡିଶାର ଭାତ ହାଣ୍ଡି। ଏ ଜିଲ୍ଲାର ଚାଷୀଭାଇ ଓ ଭଉଣୀମାନେ କଠିନ ପରିଶ୍ରମ କରି ସାରା ଓଡିଶାରେ ସବୁଠାରୁ ଅଧିକ ଧାନ ଉତ୍ପାଦନ କରିଥାନ୍ତି। ରାଜ୍ୟର ଖାଦ୍ୟ ସୁରକ୍ଷା ପାଇଁ ବରଗଡ ଜିଲ୍ଲାର ଅବଦାନ ମହତ୍ତ୍ୱପୂର୍ଣ୍ଣ।

ଆମ ଚାଷୀଭାଇ ଓ ଭଉଣୀମାନେ ହେଉଛନ୍ତି ଦେଶର ଅନ୍ନଦାତା। ସେମାନଙ୍କ ପ୍ରଗତି ନ ହେଲେ, ଦେଶର ପ୍ରଗତି ଅସମ୍ଭବ। ଚାଷୀ ତାର ଉତ୍ପାଦର ଉଚିତ ମୂଲ୍ୟ ପାଇବା ନିତାନ୍ତ ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ନଭେମ୍ବର ୨୦ ତାରିଖ ଠାରୁ ଧାନସଂଗ୍ରହ ଆରମ୍ଭ କରାଯାଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ୨୧,୫୦୦ ଚାଷୀ ଇନପୁଟ ସହାୟତା ପାଇଲେ। ଆଜି ଠାରୁ ଧାନ ସଂଗ୍ରହର ୪୮ ଘଣ୍ଟା ମଧ୍ୟରେ ଆପଣମାନେ, କୁଇଣ୍ଟାଲ ପିଛା ୩୧୦୦ ଟଙ୍କା DBT ଜରିଆରେ ପାଇବେ ବୋଲି ସେ ସୂଚନା ଦେଇଥିଲେ।

ଧାନ ସଂଗ୍ରହ ପ୍ରକ୍ରିୟାକୁ ଅତ୍ୟନ୍ତ ସ୍ୱଚ୍ଛ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ମୁଁ ନିଜେ ଏବଂ ଆମର ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଏବଂ ସମବାୟ ମନ୍ତ୍ରୀଙ୍କ ସହିତ ସବୁ ବରିଷ୍ଠ ଅଧିକାରୀ, ଜିଲ୍ଲାପାଳମାନଙ୍କ ସହିତ ବାରମ୍ବାର ସମୀକ୍ଷା କରି, ଏହି ପ୍ରକ୍ରିୟା ଯେପରି ସୁଦୃଢ, ସ୍ୱଚ୍ଛ ଓ ପାରଦର୍ଶୀ ହେବ, ସେଥିପାଇଁ ସମସ୍ତ ପଦକ୍ଷେପ ନେଇଛୁ। ଯେଭଳି କୌଣସି ଯୋଗ୍ୟ ଚାଷୀ ସେମାନଙ୍କ ପ୍ରାପ୍ୟ ପାଇବାରୁ ବଞ୍ଚିତ ନ ହୁଅନ୍ତି ଏଥି ନିମନ୍ତେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ଏଥି ପାଇଁ ଜିଲ୍ଲା ସ୍ତରରେ ଅଧିକାରୀମାନେ ସଜାଗ ରହି କାର୍ଯ୍ୟ କରୁଛନ୍ତି । ରାଜ୍ୟର ଚାଷୀ ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି, ଅନ୍ୟ ରାଜ୍ୟର ଧାନ ଯେଭଳି ଓଡ଼ିଶାକୁ ଆସି ବିକ୍ରୟ ନ ହୁଏ ଏଥି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରାଜ୍ୟର ସୀମାନ୍ତ ଅଞ୍ଚଳରେ ଏହି ତନଖି ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ବୋଲି ସେ କହିଥିଲେ ।

ମଣ୍ଡିରୁ ଧାନ ନେଇ ଯାଉଥିବା ଗାଡ଼ି ଉପରେ ମଧ୍ୟ ଏନ୍‌ଫୋର୍ସମେଣ୍ଟ ଟିମ୍‌ କଡ଼ା ନଜର ରଖିଛନ୍ତି । ବିଭିନ୍ନ ଅଭିଯୋଗର ତ୍ୱରିତ ଶୁଣାଣି ପାଇଁ ପ୍ରତ୍ୟେକ ଜିଲ୍ଲାରେ ନୋଡାଲ ଅଧିକାରୀମାନେ ନିଯୁକ୍ତ ଅଛନ୍ତି। ଧାନକିଣା ବ୍ୟବସ୍ଥାକୁ Full Proof କରାଯାଇଛି ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ।

ଧାନ କିଣାରେ କୌଣସି ସମସ୍ୟା ଥିଲେ କିମ୍ବା ଅଭିଯୋଗ ଥିଲେ ଆପଣ ପ୍ରତ୍ୟକ୍ଷ ଭାବେ ଯୋଗାଯୋଗ କରିପାରିବେ । ଏହା ସହିତ ଟୋଲ ଫ୍ରି ନଂ ୧୯୬୭ ମାଧ୍ୟମରେ ଯୋଗାଯୋଗ କରି ନିଜର ସମସ୍ୟା ଜଣାଇପାରିବେ ବୋଲି ସେ ସୂଚନା ଦେଇଥିଲେ।

ଚାଷୀଭାଇ ଓ ଭଉଣୀମାନେ ଯେପରି ବର୍ଦ୍ଧିତ ୮୦୦ ଟଙ୍କା ପାଇବାରେ ଅସୁବିଧା ହେବ ନାହିଁ, ସେଥିପାଇଁ କୃଷି ବିଭାଗ ବଜେଟରେ ୫ ହଜାର କୋଟି ଟଙ୍କାର ପ୍ରାବଧାନ କରାଯାଇଛି। ତେଣୁ, ୩୧୦୦ ଟଙ୍କା ପାଇବାରେ ଅର୍ଥର ଅଭାବ ନାହିଁ। ଏହା ହେଉଛି ଡବଲ ଇଞ୍ଜିନ ସରକାର ର ଚାଷୀଭାଇ ଓ ଭଉଣୀଙ୍କ ପାଇଁ ଆନ୍ତରିକତା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କୃଷକ ମାନଙ୍କ ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମ ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀଙ୍କ ଉନ୍ନତି ଯେ କେବଳ ଯଶସ୍ଵୀ ପ୍ରଧାନମନ୍ତ୍ରୀ ମୋଦୀ ଜୀଙ୍କ ଲକ୍ଷ୍ୟ ତାହା ନୁହେଁ, ଆର୍ଥିକ ବିକାଶ ସହିତ ଅନ୍ନଦାତାଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରିବା ପ୍ରଧାନମନ୍ତ୍ରୀଙ୍କ ଇଚ୍ଛା। ସେଥିପାଇଁ ଆରମ୍ଭ ହୋଇଥିଲା ପ୍ରଧାନମନ୍ତ୍ରୀ କୃଷି ସମ୍ମାନ ନିଧି। ଏହି ଯୋଜନା ଅନ୍ତର୍ଗତ ତିନୋଟି କିସ୍ତିରେ 6 ହଜାର ଟଙ୍କା ପ୍ରଦାନ କରାଯାଉଛି। ଏଥି ସହିତ ଆମ ସରକାରଙ୍କ ସି. ଏମ. କିଷାନ ଯୋଜନା ମାଧ୍ୟମରେ ଆଉ 4,000 ଟଙ୍କା ପ୍ରଦାନ କରାଯାଉଛି।

ଓଡିଶାର କୃଷକ ସମାଜର ମଙ୍ଗଳ ପାଇଁ ଚଳିତ ବର୍ଷ ରେକର୍ଡ ୩୩ ହଜାର ୯ ଶହ ୧୯ କୋଟି ଟଙ୍କା ପ୍ରବଧାନ କରାଯାଇଛି। ଚାଷୀକୁଳର ବିକାଶ ପାଇଁ ଆମ ସରକାର ‘ସମୃଦ୍ଧ କୃଷକ ଯୋଜନା’ କାର୍ଯ୍ୟକାରୀ କରୁଛନ୍ତି ଯେଉଁଥିରେ ପର୍ଯ୍ୟାପ୍ତ ଆର୍ଥିକ ସହାୟତା ପ୍ରଦାନ କରାଯିବ।

ଦେଶରେ କୃଷକ ମାନଙ୍କ ଉନ୍ନତି ପାଇଁ ପୂର୍ବ ସରକାର ମାନଙ୍କର ନୀତି ତୃଟିପୂର୍ଣ୍ଣ ଥିଲା ବୋଲି ମତ ଦେଇ ସେ କହିଲେ ଯେ ଦେଶ ସ୍ୱାଧୀନତା ପରେ ସରକାର ଭିନ୍ନ ଭିନ୍ନ ସମୟରେ କୃଷକର ଉନ୍ନତି ପାଇଁ ପଦକ୍ଷେପ ନେଇଥିଲେ ମଧ୍ୟ ଚାଷୀଭାଇ ଏହାର ସୁଫଳ ପାଇବାରେ ବିଫଳ ହୋଇଛି । ଏଥି ପାଇଁ ତତ୍କାଳୀନ ସରକାରଙ୍କ ନୀତି ଓ ବ୍ୟବସ୍ଥାରେ ଅନେକ ତ୍ରୁଟି ପରିଲକ୍ଷିତ ହୁଏ ।

ଯଶସ୍ୱୀ ତଥା ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ସମୟରେ କୃଷିକ୍ଷେତ୍ରରେ ଅଭିବୃଦ୍ଧି ପାଇଁ ପ୍ରତିବର୍ଷ ବଜେଟରେ ଅଧିକ ଅର୍ଥବରାଦ କରାଯାଉଛି। କୃଷକମାନଙ୍କ ସୁବିଧା ପାଇଁ ମୃତ୍ତିକା ସ୍ୱାସ୍ଥ୍ୟ ପତ୍ର, ଜମିର ମାଟି ପରୀକ୍ଷା, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଭଳି ଐତିହାସିକ ପଦକ୍ଷେପ କେବଳ ମୋଦିଜୀଙ୍କ ଶାସନ କାଳରେ ହିଁ ନିଆଯାଇଛି ।

ଧାନର ଇନ୍‌ପୁଟ ସବ୍‌ସିଡି, ପିଏମ୍‌ ଓ ସିଏମ୍‌ କିଷାନ ଯୋଜନା, ପଶୁପାଳନ ଯୋଜନା ଆଦି ସବୁ କୃଷି କଲ୍ୟାଣ ଯୋଜନା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରି କହିଥିଲେ ଯେ ଆପଣମାନେ ଏହି ସବୁ ଯୋଜନାର ଉପଯୋଗ କରନ୍ତୁ, ଯାହାଦ୍ୱାରା ଆପଣମାନେ ସମୃଦ୍ଧ ହେବେ ଏବଂ ଆପଣ ସମୃଦ୍ଧ ହେଲେ ରାଜ୍ୟ ସମୃଦ୍ଧ ହେବ, ରାଜ୍ୟ ସମୃଦ୍ଧ ହେଲେ ଦେଶ ସମୃଦ୍ଧ ହେବ। ଆପଣମାନେ ହେଉଛନ୍ତି ‘ସମୃଦ୍ଧ ଓଡିଶା’ର ମୂଳଦୁଆ।

ଓଡିଶାରେ ଡବଲ ଇଞ୍ଜିନ ସରକାର ଆସିବା ପରେ ଓଡିଶା ସମୃଦ୍ଧି ପଥରେ ଦୃତ ଅଗ୍ରସର ହେଉଛି ବୋଲି ମତ ଦେଇ ସେ କହିଥିଲେ ଯେ ରାଜ୍ୟର ସମସ୍ତ ଚାଷୀ ଭାଇ ଭଉଣୀମାନଙ୍କୁ କୃଷି କ୍ଷେତ୍ରରେ ସଶକ୍ତ କରିବାର ମୂଳ ଲକ୍ଷ୍ୟ ରଖି ସରକାର ସର୍ବଦା କାର୍ଯ୍ୟ କରୁଛନ୍ତି । କୃଷିଜାତ ସାମଗ୍ରୀର ଅଭାବୀ ବିକ୍ରୀକୁ ରୋକିବା ପାଇଁ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି।

ରାଜ୍ୟର ସମସ୍ତ ଚାଷୀ ଭାଇ ଭଉଣୀ ମାନଙ୍କୁ କୃଷି କ୍ଷେତ୍ରରେ ସଶକ୍ତ କରିବାର ମୂଳ ଲକ୍ଷ୍ୟ ରଖି ରାଜ୍ୟ ସରକାର ସର୍ବଦା କାର୍ଯ୍ୟ କରୁଛନ୍ତି। ଚାଷୀ ଭାଇ ମାନଙ୍କୁ ସମସ୍ତ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ ଆମ ସରକାର ପ୍ରସ୍ତୁତ ଅଛନ୍ତି। ସେହିଭଳି ମାଣ୍ଡିଆ ଉତ୍ପାଦନକୁ ସରକାର ଆହୁରି ତ୍ୱରାନ୍ୱିତ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ବରଗଡ ଜିଲ୍ଲା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଆଜି ଆମେ ଯେଉଁ ସ୍ଥାନରେ ଛିଡ଼ା ହୋଇଛୁ ଏହି ଜିଲ୍ଲା ଐତିହାସିକ ଓ ଭୌଗୋଳିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ । ଜିରାନଦୀ କୂଳରେ ଅବସ୍ଥିତ ଏହି ଜିଲ୍ଲାର କର୍ମକୌଶଳ, ଭାଷା, ପର୍ବପର୍ବାଣିର ସ୍ୱତନ୍ତ୍ର ସ୍ଥାନ ରହିଛି। ୧୯୯୨ ମସିହା ପୂର୍ବରୁ ଏହା ସମ୍ବଲପୁର ଜିଲ୍ଲାର ଅଂଶବିଶେଷ ଥିଲେ ମଧ୍ୟ ଏହି ଜିଲ୍ଲାର ସ୍ୱତନ୍ତ୍ରତା ରହିଛି ।

ଏଠାରେ କୃଷି ହେଉଛି ରୋଜଗାରର ପ୍ରଧାନ ମାଧ୍ୟମ । କୃଷି ଓ କୃଷକମାନଙ୍କୁ ଏଠାରେ ବିଶେଷ ଗୁରୁତ୍ୱ ଦିଆଯାଏ । ଏଥି ସହ ଏଠାକାର ବୁଣାକାରମାନେ ପ୍ରସ୍ତୁତ କରୁଥିବା ଶାଢ଼ିର ଚାହିଦା ବିଶ୍ୱପ୍ରସିଦ୍ଧ । ସେହିଭଳି ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଈଙ୍କ ପୀଠରୁ ଆରମ୍ଭ କୃଷିଭିତ୍ତିକ ନୂଆଖାଇ ପର୍ବ ଏହି ମାଟିର ଭାଇଚାରା, ପାରିବାରିକ ସଦ୍‌ଭାବର ନୂତନ ସନ୍ଦେଶ ପ୍ରଦାନ କରେ, ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ରହିଛି ବୋଲି ସେ କହିଥିଲେ ।

ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଏକ କାଳଜୟୀ ପଂକ୍ତି କୁ ଉଦ୍ଧାର କରି ସେ କହିଥିଲେ ଯେ

“ଯା ମନ ଯେପରି, ତା’ପାଇଁ ସେପରି, ଫଳ ରଖିଥାଏ ବିଶ୍ୱ,
ଉଚ୍ଚ ମନା ଉଚ୍ଚେ ଅମୃତ ଲଭଇ, ନୀଚ୍ଚ ମନା ଲଭେ ବିଷ।”

ତେଣୁ ଆମେ ସମସ୍ତେ ପାରସ୍ପରିକ ଭେଦଭାବ ଭୁଲି, ସମସ୍ତ ସଂକୀର୍ଣ୍ଣତାକୁ ଦୂରେଇ ଆମେମାନେ ଏକମନ ଏକପ୍ରାଣ ହୋଇ ଆଗକୁ ବଢ଼ିବାର ସଂକଳ୍ପ ନେବାକୁ ସେ ଆହ୍ବାନ ଦେଇଥିଲେ।

ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଥିଲେ ଯେ ସରକାରଙ୍କ କଥା ଆଉ କାମ ସମାନ। ସରକାର ଯାହା କହିଥିଲେ, ତାହା କରି ଦେଖାଇଛନ୍ତି।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ କହିଥିଲେ ଯେ ଏହା ଆମ ସରକାରଙ୍କ ପ୍ରଥମ ନିଷ୍ପତ୍ତି ଥିଲା। ଆଜି ତାହା ପୂରଣ ହୋଇଛି। ମଣ୍ଡି ମାନଙ୍କରୁ ଦଲାଲ୍ ମାନଙ୍କ ଦୌରତ୍ମ୍ୟ ବନ୍ଦ କରିବା ପାଇଁ ସରକାର ସମସ୍ତ ପଦକ୍ଷେପ ନେଇଛନ୍ତି। ଧାନ କିଣା ବ୍ୟବସ୍ଥାକୁ ସ୍ବଚ୍ଛ କରା ଯାଇଛି ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଧାନ କିଣାକୁ ସ୍ବଚ୍ଛ କରିବା ପାଇଁ ନିଆ ଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ସୂଚନା ଦେଇଥିଲେ ।

କାର୍ଯ୍ୟକ୍ରମରେ ସମବାୟ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ, ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ, ଭଟଲି ବିଧାୟକ ଶ୍ରୀ ଇରାଶିସ ଆଚାର୍ଯ୍ୟ, ବରଗଡ଼ ବିଧାୟକ ଶ୍ରୀ ଅଶ୍ଵିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ଶ୍ରୀ ନିହାର ମହାନନ୍ଦ, ବିଜେପୁର ବିଧାୟକ ଶ୍ରୀ ସନତ କୁମାର ଗର୍ତିଆ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ଅଭିଭାଷଣ ରଖିଥିଲେ । ପଦ୍ମଶ୍ରୀ ହଳଧର ନାଗ ଓ ପଦ୍ମଶ୍ରୀ ଭାଗବତ ପ୍ରଧାନ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ନବରଙ୍ଗପୁର ଜିଲ୍ଲାର କଳା, ସାହିତ୍ୟ, ସଂସ୍କୃତି ଉତ୍ସବ ମଣ୍ଡେଇ ୨୦୨୪ ଉଦଘାଟିତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର କଳା, ସାହିତ୍ୟ, ସଂସ୍କୃତି ତଥା ଐତିହ୍ୟ ଓ ଭାଇଚାରାର ଭବ୍ୟ ମହୋତ୍ସବ ମଣ୍ଡେଇ-୨୦୨୪ ମହାସମାରୋହରେ ଉଦଘାଟିତ ହୋଇଛି।

ଏହି  ପାଞ୍ଚ ଦିନିଆ ମହୋତ୍ସବରେ ଉଦଘାଟନୀ ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଜନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ରାଜ୍ୟସଭା ସାଂସଦ ମଜିବୁଲ୍ଲା ଖାନ, ବିଧାୟକ  ମନୋହର ରନ୍ଧାରୀ  ବିଧାୟକ, ଗୌରୀଶଙ୍କର ମାଝୀ, ବିଧାୟକ ନରସିଂହ ଭତରା ପ୍ରମୁଖ ଉପସ୍ଥିତ ଥିଲେ।

ଅପରାହ୍ନ ରେ ନବରଙ୍ଗପୁର ର ଅଧିଷ୍ଠାତ୍ରୀ ଦେବୀ ମାଁ ଭଣ୍ଡାର ଘରଣୀ ଙ୍କ ପୀଠ ରେ ପୂଜାର୍ଚ୍ଚନା ପରେ ଆଜ୍ଞାମାଳ ବାହାରିଥିଲା। ପରେ ଏକ ବିରାଟ ସାଂସ୍କୃତିକ ଶୋଭାଯାତ୍ରା ମଣ୍ଡେଇ ପଡିଆ ଅଭିମୁଖେ ବାହାରିଥିଲା। ପାରମ୍ପରିକ ନୃତ୍ୟ ଗୀତ ସହ ବେଶ ଭୁଷା ରେ ସଜ୍ଜିତ ହୋଇ କଳାକାର ମାନେ ସହର ପରିକ୍ରମା କରିଥିଲେ। ଶୋଭାଯାତ୍ରା ମଣ୍ଡେଇ ପଡିଆ ରେ ପହଂଚିବା ପରେ ପାରମ୍ପରିକ ରୀତିନୀତି ରେ ପୂଜାର୍ଚ୍ଚନା କରାଯାଇଥିଲା।

ମଣ୍ଡେଇ ଉତ୍ସବର ପ୍ରଥମ ସନ୍ଧ୍ୟା ରେ ଓଡ଼ିଶୀ ନୃତ୍ୟ ପ୍ରଥମେ ପ୍ରଦର୍ଶିତ ହୋଇଥିଲା।ଢ଼େମଶା ନୃତ୍ୟ, ଲାବଣୀ ନୃତ୍ୟ, ଦୁଲଦୁଲି ନୃତ୍ୟ ଗୋଣ୍ଡି ନୃତ୍ୟ, ରଣପ୍ପା ନୃତ୍ୟ ଅର୍କେଷ୍ଟ୍ରା ପ୍ରଦର୍ଶିତ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶାରେ ଖୋଲିବ ଆଠଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଜାଣନ୍ତୁ ସ୍ଥାନଗୁଡିକ ନାମ

ଭୁବନେଶ୍ବର: ଦେଶରେ ମୋଟ 85ଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବ। ଏ ନେଇ ଗତକାଲି କେନ୍ଦ୍ର କ୍ୟାବିନେଟ ବୈଠକରେ ନିଷ୍ପତି ହୋଇଛି। ସେଥିମଧ୍ୟରୁ ଓଡିଶାରେ ମୋଟ ଆଠଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ଅନୁମତି ମିଳିଛି। ସେଗୁଡିକ ହେଲା

  1. ଟିଟିଲାଗଡ଼, ଜିଲ୍ଲା ବଲାଙ୍ଗିର
  2. ପଟଣାଗଡ଼, ଜିଲ୍ଲା ବଲାଙ୍ଗିର
  3. ଆଇଟିବିପି ଖୋର୍ଦ୍ଧା, ଜିଲ୍ଲା ଖୋର୍ଦ୍ଧା
  4. ଆଠମଲ୍ଲିକ, ଜିଲ୍ଲା ଅନୁଗୁଳ
  5. କୁଚିନ୍ଦା, ଜିଲ୍ଲା ସମ୍ବଲପୁର
  6. ଢେଙ୍କାନାଳ (କାମାକ୍ଷାନଗର)
  7. ଜୟପୁର, କୋରାପୁଟ ଜିଲ୍ଲା
  8. ତାଳଚେର, ଜିଲ୍ଲା ଅନୁଗୁଳ

 

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ବେଦାନ୍ତ କଂପାନୀର ବେଆଇନି ପାଉଁଶକୁ ନେଇ ବିଧାନସଭାରେ ସରକାରଙ୍କୁ ଘେରିଲା କଂଗ୍ରେସ

ଭୁବନେଶ୍ବର: ଶେଷରେ ବେଦାନ୍ତର ମନମୁଖୀ ପାଉଁଶ ପରିବହନକୁ ନେଇ ବିଧାନସଭାରେ ଉଠିଛି ପ୍ରଶ୍ନ। ବେଦାନ୍ତ କଂପାନୀ ବେଆଇନି ଭାବେ ପାଉଁଶ ଫିଙ୍ଗିଥିବା ବେଳେ ସରକାର କାହିଁକି ଆଖିବୁଜି ବସିଛନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି। ଏପରିକି ସରକାରଙ୍କ ବେଦାନ୍ତ ପ୍ରତି ଏପରି ଦୟା କାହିଁକି ବୋଲି କଂଗ୍ରେସ ଗୃହରେ ପ୍ରକାଶ କରିଛି।

ଓଡିଶା ବିଧାନସଭାର ଶୀତକାଳିନ ଅଧିବେସନର ସପ୍ତମ ଦିନରେ ଏହି ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ବିଧାୟକ ସି ଏସ ରାଜନ ଏକ୍କା। ସେ କହିଛନ୍ତି ଯେ, ବେଦାନ୍ତର ଝାରସୁଗୁଡା କଂପାନୀ ମନଇଚ୍ଛା ପାଉଁଶ ବିଭିନ୍ନ ଚଳପ୍ରଚଳ ସ୍ଥାନରେ ପକାଉଛି। ଏପରିକି ଝାରସୁଗୁଡା ଜଙ୍ଗଲ ଭିତରେ ପାଉଁଶର ପାହଡ ସୃଷ୍ଟି କରିଛି। ଏ କଥା ସରକାର ଜାଣିଥିଲେ ମଧ୍ୟ କାହିଁକି ଚୁପ ରହିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ, ବେଦାନ୍ତର ଏପରି ପାଉଁଶ ପରିଚାଳନା ନେଇ ପ୍ରଦୂଷଣ ବୋର୍ଡ ତାଙ୍କୁ ଜରିମାନା ମଧ୍ୟ କରିଛି। ହେଲେ କଂପାନୀ ସେହି ଜରିମାନା ପଇସା ଏପର୍ଯ୍ୟନ୍ତ ପ୍ରଦାନ କରୁ ନାହିଁ କି ତା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉ ନାହିଁ। ଝାରସୁଗୁଡା ସମ୍ବଲପୁର ଏବଂ ସୁନ୍ଦରଗଡ ଅଞ୍ଚଳରେ ପରିବେଶ ପ୍ରଦୂଷଣ କରୁଛି ବୋଲି ଜରିମାନା କରାଯାଇଛି। ହେଲେ ବେଦାନ୍ତ କଂପାନୀ କିଛି ପଇସା ଦେଇ ଏବେ ଚୁପ ବସିଛି।

ବେଦାନ୍ତ କଂପାନୀର ପାଉଁଶ ପରିବହନ ନେଇ ପୂର୍ବରୁ ବାରମ୍ବାର ବିରୋଧ କରାଯାଇ ଆସୁଛି। ହେଲେ କଂପାନୀ ବିରୋଧରେ ସରକାର କିଛି ପଦକ୍ଷେପ ଗ୍ରହଣ କରୁ ନାହାଁନ୍ତି। ବେଦାନ୍ତ ଝାରସୁଗୁଡା କଂପାନୀରୁ ଯେଉଁ ପରିମାଣର ପାଉଁଶ ଉତ୍ପନ ହେଉଛି ତାହାକୁ କଂପାନୀ ନିୟମ ଅନୁସାରେ ଯେପରି ପରିବହନ କରିବା କଥା ତାହା କରୁ ନାହିଁ। ଫଳରେ କଂପାନୀ ବିରୋଧରେ ସେଠାରେ ଜନ ଅସନ୍ତୋଷ ବଢିବାରେ ଲାଗିଛି।

ଏପରିକି ବେଦାନ୍ତ କଂପାନୀର ଫର୍ନେସରୁ ଯେଉଁ ଧୂଆଁ ନିର୍ଗତ ହେଉଛି ତାହା ମଧ୍ୟ ସ୍ଥାନୀୟ ଅଞ୍ଚଳରେ ପ୍ରଦୂଷଣ ସୃଷ୍ଟି କରିବାରେ ଲାଗିଛି। ସେହି ପାଉଁଶ ଉଡି କିଛି କିଲୋମିଟର ପର୍ଯ୍ୟନ୍ତ ପରିବେଶ ପ୍ରଦୂଷଣ କରିବାରେ ଲାଗିଛି। ଘର ଏବଂ ଗଛପତ୍ରରେ ପାଉଁଶ ଲାଗିରହୁଛି। ଏହା ପରିବେଶ ପ୍ରତି ବଡ ବିପଦ ହୋଇଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁ ନାହାଁନ୍ତି।

ତେବେ ବେଦାନ୍ତ କଂପାନୀର ଏପରି ବେଫିକର ନିତିକୁ ନେଇ ରାଜନୈତିକ ମହଲରେ ପ୍ରବଳ ଅସନ୍ତୋଷ ମଧ୍ୟ ସୃଷ୍ଟି ହୋଇଛି। ଏପରିକି ସରକାରୀ ଦଳର ଅନେକ ବିଧାୟକ ଓ ସାଂସଦ ବେଦାନ୍ତର ଏପରି କାର୍ଯ୍ୟକୁ ବିରୋଧ କରିବାରେ ଲାଗିଛନ୍ତି। ସେମାନେ କେନ୍ଦ୍ର ସରକାରଙ୍କ ଚିଠି ମଧ୍ୟ ଲେଖିଛନ୍ତି। ବେଦାନ୍ତ କଂପାନୀର ଏପରି ଜବିରୋଧୀ କାର୍ଯ୍ୟକୁ ନେଇ ଆଗାମୀ ଦିନରେ ଏକ ବଡ ଆନ୍ଦୋଳନ ସୃଷ୍ଟି ହେବାର ସମ୍ଭାବନା ଦେଖାଦେଲାଣି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସିଦ୍ଧାନ୍ତ ମହାପାତ୍ର ବୋଲିଲେ ପୁଚିକି ଗାଲି ଗୀତ, ତାଳି ମାରିଲେ ବିଜେପି ବିଧାୟକ ଓ ମନ୍ତ୍ରୀ, ଦେଖନ୍ତୁ ଭିଡିଓ

ଭୁବନେଶ୍ବର: ପୁଚିକି ଗାଲି, ଫେସନ ବାଲି, ଚାଲି ତୋ ବମ୍ବେ ଦିଲ୍ଲୀ….ଗୀତଟି ନବେ ଦଶକରେ ବେଶ ହିଟ ହୋଇଥିଲା। ସୁନା ପଂଜୁରୀ ଚଳଚିତ୍ରର ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜିଙ୍କ ଅଭିନିତ ଏହି ଗୀତଟି ବେଶ ଲୋକପ୍ରିୟ। ତେବେ ନବେ ଦଶକର ଏହି ଚଳଚିତ୍ରର ଗୀତଟି ଏବେ ପୁଣି ଚର୍ଚ୍ଚାକୁ ଆସିଛି। ତେବେ ତାହା କୌଣସି ଚଳଚିତ୍ର ସଂପର୍କିତ ନୁହେଁ। ବରଂ ସିଦ୍ଧାନ୍ତ ମହାପାତ୍ର ଏହି ଗୀତଟି ବିଜେପି ବିଧାୟକଙ୍କ ଆଗରେ ବୋଲିବା ନେଇ ଚର୍ଚ୍ଚା ଚାଲିଛି। ଦେଖନ୍ତୁ ଏହି ଭିଡିଓ…

ପୁରୀରେ ଅନୁଷ୍ଠିତ ହୋଇଥିବା ନୌସେନା ଦିବସରେ ବିଧାୟକମାନେ ଯିବା ପାଇଁ ଏକ ବସର ବ୍ୟବସ୍ଥା କରାଯାଇଥିଲା। ଏହି ବସରେ କେବଳ ବିଜେପି ବିଧାୟକମାନେ ଯାଇଥିଲେ। ସେମାନେ ରାସ୍ତାରେ ଯିବା ବେଳେ ବେଶ ମଜା କରିଥିଲେ। ନିଜ ସିଟରୁ ଉଠି ଆସି ସିଦ୍ଧାନ୍ତ ନିଜର ଲୋକପ୍ରିୟ ଗୀତ ପୁଚିକି ଗାଲି ବୋଲି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ସିଦ୍ଧାନ୍ତଙ୍କ ଗୀତରେ ତାଳ ଦେଇ ଅନ୍ୟ ବିଧାୟକ ତଥା ମନ୍ତ୍ରୀ ତାଳିମାରି ମଜା ନେଇଥିଲେ। ଏହି ଭିଡିଓଟି ଏବେ ବେଶ ଭାଇରାଲ ହେବାରେ ଲାଗିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ମହା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଫଡନାଭିସ, ମୁମ୍ବାଇ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ବର: ମହାରାଷ୍ଟ୍ରରେ ତୃତୀୟ ଥର ପାଇଁ ଆଜି ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡନାଭିସ। ଆଜି ସନ୍ଧ୍ୟାରେ ମୁମ୍ବାଇ ଆଜାଦ ମୈଦାନରେ ହେବ ଶପଥ ଗ୍ରହଣ ଉତ୍ସବ। ତାଙ୍କ ସହ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ଶପଥ ନେବେ।

ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ସବୁ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଯୋଗଦେବେ।

ତେବେ ଏହି ଉତ୍ସବରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ମୁମ୍ବାଇ ଗସ୍ତ କରିଛନ୍ତି। ସେ ଆଜି ସକାଳ 10 ଟା 20 ରେ ଭୁବନେଶ୍ବର ଛାଡିଛନ୍ତି। ସେଠାରେ ସେ ଏହି ଉତ୍ସବରେ ଯୋଗ ଦେବା ପରେ ଆସନ୍ତାକାଲି ସକାଳ 10 ଟା 20 ମିନିଟରେ ଭୁବନେଶ୍ବରରେ ପହଞ୍ଚିବେ।