Categories
ବିଶେଷ ଖବର ବ୍ୟବସାୟ

ରାଜ୍ୟ ବାଣିଜ୍ୟକର ଏବଂ ଜିଏସ୍‌ଟି ବିଭାଗର ଦକ୍ଷତା ବିକାଶ କାର୍ଯ୍ୟକ୍ରମ

ଭୁବନେଶ୍ୱର: ରାଜ୍ୟ ବାଣିଜ୍ୟକର ଏବଂ ଜିଏସ୍‌ଟି ବିଭାଗରେ କାର୍ଯ୍ୟରତ ଅଧିକାରୀମାନଙ୍କର ଏକ ସାତଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ୨୪ ତାରିଖ ଦିନ ରାଜ୍ୟ ବାଣିଜ୍ୟକର ଏବଂ ଜିଏସ୍‌ଟି ଆୟୁକ୍ତ ଶ୍ରୀ ସଞ୍ଜୟ କୁମାର ସିଂହଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି। ଭାରତ-ଯୁକ୍ତରାଜ୍ୟ ଅର୍ଥନୈତିକ ସହଯୋଗିତା କାର୍ଯ୍ୟକ୍ରମ ଅଧିନରେ ଯୁକ୍ତରାଜ୍ୟ ସରକାରଙ୍କ ବୈଦେଶିକ ରାଜ୍ୟଗୋଷ୍ଠୀ ଏବଂ ବିକାଶ ଅଫିସ୍‌ ଏବଂ ଓଡ଼ିଶା ସରକାରଙ୍କ ବାଣିଜ୍ୟକର ଓ ଜିଏସ୍‌ଟି ବିଭାଗର ମିଳିତ ଆନୁକୂଲ୍ୟରେ ଏହି ପ୍ରଶିକ୍ଷଣ ଆରମ୍ଭ ହୋଇଛି।

ଏଫ୍‌ସିଡିଓର ଅର୍ଥନୀତି ଓ ବିତ୍ତ ବିଭାଗ ମୁଖ୍ୟ ଆଦମ ଟେଲର, ବିତ୍ତୀୟ ଅପରାଧ ଯୋଗସୂତ୍ର ଅଧିକାରୀ ଜୁଲିଆନ୍‌ ସଲଦାନହା, ରାଜସ୍ୱ ଓ କଷ୍ଟମ ବିଭାଗର ଶ୍ରୀମତୀ ହିରାବତୀ ଗୋଖେଲ ମଧ୍ୟ ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଭୁବନେଶ୍ୱରସ୍ଥିତ ମଧୁସୂଦନ ଦାସ ଆଞ୍ଚଳିକ ବିତ୍ତୀୟ ପରିଚାଳନା ପ୍ରତିଷ୍ଠାନରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସଭାରେ ରାଜ୍ୟ ବାଣିଜ୍ୟକର ଓ ଜିଏସ୍‌ଟି ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

ଏହି ସାତଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଭାଗନେବା ପାଇଁ ରାଜ୍ୟ ବାଣିଜ୍ୟକର ଓ ଜିଏସ୍‌ଟି ବିଭାଗର ୬୫ ଜଣ ଅଧିକାରୀଙ୍କୁ ଚୟନ କରାଯାଇଛି । ବିଶେଷ କରି ସୂଚନା ପ୍ରଯୁକ୍ତି (ଆଇଟି), ଇ-କମର୍ସ, ଅର୍ଥ, ବ୍ୟାଙ୍କିଙ୍ଗ୍‌ ଓ ବୀମା, ଅଡିଟ୍‌ ଏବଂ ସଫଫ ସ୍କିଲ ବିକାଶ କ୍ଷେତ୍ରରେ ଏହି ପ୍ରଶିକ୍ଷଣ ଦିଆଯିବ ।

ନିଜର ଉଦ୍‌ଘାଟନୀ ଅଭିଭାଷଣରେ ବାଣିଜ୍ୟକର ଓ ଜିଏସ୍‌ଟି ଆୟୁକ୍ତ ଶ୍ରୀଯୁକ୍ତ ସିଂହ କହିଲେ ଯେ ଉଭୟ ଜିଏସ୍‌ଟି ଆଇନ ଓ ବ୍ୟବସାୟର କାର୍ଯ୍ୟଧାରାରେ ପରିବର୍ତ୍ତନ ହୋଇଚାଲିଛି । ବ୍ୟବସାୟ କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳର ବ୍ୟାପକ ବ୍ୟବହାର ଯୋଗୁଁ ଘଟିଥିବା ପରିବର୍ତ୍ତନ ଏକ ବଡ଼ ଆହ୍ୱାନ ରୂପେ ଉଭା ହୋଇଛି । ବ୍ୟବସାୟଗୁଡ଼ିକ ସଂପୂର୍ଣ୍ଣ ରୂପେ ବୈଷୟିକ ଜ୍ଞାନକୌଶଳ ଦ୍ୱାରା ପରିଚାଳିତ ହେଉଥିବାରୁ ଏଗୁଡ଼ିକ ଅଧିକରୁ ଅଧିକ ଜଟିଳ ଅନୁଭୂତ ହେଉଛନ୍ତି । ତେଣୁ ଦୈନନ୍ଦିନ ଟିକସ ପ୍ରଶାସନ ବ୍ୟବସ୍ଥାକୁ ସୂଚାରୁ ରୂପେ ପରିଚାଳନା କରିବାକୁ ହେଲେ ଟିକସ ଅଧିକାରୀମାନେ ନିଜର ଦକ୍ଷତା ଅଭିବୃଦ୍ଧି କରିବା ଦରକାର ।

ପ୍ରଶିକ୍ଷଣ ଗ୍ରହଣ କରୁଥିବା ଏହି ଅଧିକାରୀମାନେ ସମୟକ୍ରମେ ରାଜ୍ୟ ବାଣିଜ୍ୟକର ଏବଂ ଜିଏସ୍‌ଟି ସଂସ୍ଥାର ମାଷ୍ଟର ଟ୍ରେନର ଭାବେ କାର୍ଯ୍ୟ କରିବେ । ପିଡବ୍ଲୁସିର କର୍ମକର୍ତ୍ତାଙ୍କ ସହଯୋଗରେ ଏଫ୍‌ସିଡିଓ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିଛି। ବିଭିନ୍ନ କେସ୍‌ ଷ୍ଟଡି ମାଧ୍ୟମରେ ଅଧିକାରୀମାନଙ୍କୁ ବାସ୍ତବ କ୍ଷେତ୍ରରେ ଘଟୁଥିବା କିଛି ଘଟଣାବଳୀ ସହିତ ପରିଚିତ କରାଇବା ଉଦ୍ଦେଶ୍ୟରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ପ୍ରସ୍ତୁତ କରାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଓଡିଶାର ଚାଷୀଙ୍କ ପାଇଁ ଉଦଘାଟିତ ହେଲା କୃଷକ ନିବାସ

ଭୁବନେଶ୍ବର: ଅଧିକ ଅମଳ ଓ ଉତ୍ପାଦିକତା ବୃଦ୍ଧି ଦିଗରେ ଉନ୍ନତ ମାନର ପରୀକ୍ଷିତ ବିହନର ଆବଶ୍ୟକତା ଦୃଷ୍ଟିରୁ ରାଜ୍ୟର ଚାଷୀମାନଙ୍କୁ ଠିକ୍‌ ସମୟରେ ଉନ୍ନତ ମାନର ପ୍ରାମାଣିକ ବିହନ ଯୋଗାଇଦେବା ଉପରେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱାରୋପ କରୁଛନ୍ତି ।

ଏହି ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଭୁବନେଶ୍ୱରସ୍ଥିତ ରାଜ୍ୟ ବିହନ ପରୀକ୍ଷାଗାରର ସଂପ୍ରସାରଣ ସହିତ ଚାଷୀମାନଙ୍କ ସୁବିଧା ପାଇଁ ନୂତନ କୃଷକନିବାସ ନିର୍ମାଣ କରାଯାଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

ଆଜି ପୂର୍ବାହ୍ନରେ କୃଷିଭିତ୍ତିକ ମହାନ ପର୍ବ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଜ୍ଞାନ ଓ ପ୍ରଯୁକ୍ତି, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ ଓ ଅନ୍ୟାନ୍ୟ ପଦାଧିକାରୀଙ୍କ ଉପସ୍ଥିତିରେ ସଂପ୍ରସାରିତ ରାଜ୍ୟ ବିହନ ପରୀକ୍ଷାଗାର ଓ ନୂତନ କୃଷକନିବାସକୁ ଉଦ୍‌ଘାଟନ କରିଛନ୍ତି ।

ରାଜ୍ୟ ବିହନ ପରୀକ୍ଷଣ କେନ୍ଦ୍ରକୁ ଅନ୍ତର୍ଜାତୀୟ ମାନକୁ ଉନ୍ନୀତ କରିବା ଓ ଏଠାରେ ଚାଷୀ ଏବଂ ବିଭାଗୀୟ କର୍ମକର୍ତ୍ତାଙ୍କ ସମେତ କୃଷି ବିଜ୍ଞାନୀ ଛାତ୍ରଛାତ୍ରୀଙ୍କୁ ବିହନ ପରୀକ୍ଷଣ ଦିଗରେ ଆଧୁନିକ ପ୍ରଶିକ୍ଷଣ ଦେବାର ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

୧୯୬୬ ମସିହାରେ ପ୍ରତିଷ୍ଠା କରାଯାଇଥିବା ଏହି ପରୀକ୍ଷାଗାର ଚାଷୀମାନଙ୍କୁ ଉନ୍ନତ ମାନର ବିହନ ଯୋଗାଇଦେବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଆସୁଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ପରୀକ୍ଷାଗାରରେ ବର୍ଷକୁ ଚାଷୀମାନଙ୍କ ଦ୍ୱାରା ସଂରକ୍ଷିତ ୧୨ ହଜାରରୁ ୧୬ ହଜାର ବିହନ ନମୁନାର ଗୁଣାତ୍ମକ ମାନ ଯାଞ୍ଚ କରାଯାଉଛି । ଏଠାରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଜିନ୍‌ ବ୍ୟାଙ୍କ୍‌ ପ୍ରତିଷ୍ଠା କରାଯାଇଛି, ଯାହା ସମଗ୍ର ଦେଶରେ ଏକ ନିଆରା ଜିନ୍‌ ବ୍ୟାଙ୍କ୍‌ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

ଜିନ୍‌ ବ୍ୟାଙ୍କ୍‌ରେ ୧୦୭୮ କିସମର ସ୍ଥାନୀୟ ଧାନ ବିହନ ଓ ୨୮୩ଟି ଅଣଧାନ ବିହନ ସଂରକ୍ଷିତ କରି ରଖାଯାଇଛି । ଏଥି ମଧ୍ୟରୁ ୭୪୫ଟି ଧାନ ବିହନ ଭାରତ ସରକାରଙ୍କ ଦ୍ୱାରା ପ୍ରୋଟେକ୍‌ସନ୍‌ ଅଫ୍‌ ପ୍ଲାଣ୍ଟ ଭେରାଇଟିଜ୍‌ ରେଜିଷ୍ଟ୍ରେସନ୍‌ କର୍ତ୍ତୃପକ୍ଷଙ୍କ ଦ୍ୱାରା ପଂଜୀକୃତ ହୋଇଛି ଓ ରାଜ୍ୟ ସରକାରଙ୍କ ଏହି ଉଦ୍ୟମ ଜାତୀୟ ସ୍ତରରେ ପ୍ରଶଂସିତ ହୋଇଛି । ଜିନ୍‌ ବ୍ୟାଙ୍କ୍‌ରେ ୯୭ଟି ସ୍ଥାନୀୟ କିସମର ମିଲେଟ୍‌ ବିହନ ସଂରକ୍ଷିତ ହୋଇ ରହିଛି ।

ବିହନ ପରୀକ୍ଷାଗାରରେ ବିହନର ଶୁଦ୍ଧତା, ଆଦ୍ରତା, ବିହନର ସ୍ୱାସ୍ଥ୍ୟ, ଅଙ୍କୁରୋଦ୍‌ଗମ କ୍ଷମତା ଓ କୀଟପୋକ ପ୍ରତିରୋଧି କ୍ଷମତା ଆଦିକୁ କଡ଼ାକଡ଼ି ଭାବରେ ପରୀକ୍ଷା କରାଯାଇ ବିହନର ମାନ ନିର୍ଣ୍ଣୟ କରାଯାଇଥାଏ । ପରୀକ୍ଷାଗାରର ସଂପ୍ରସାରଣ ଫଳରେ ଏଠାରେ ଅନ୍ତର୍ଜାତୀୟ ମାନର ବିହନ ପରୀକ୍ଷଣର ସୁବିଧା ମିିଳିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଶାପ୍ରକାଶ
କରିଛନ୍ତି ।

ଉଦ୍‌ଘାଟନୀ ଉତ୍ସବରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀଙ୍କ ସମେତ ଓଡ଼ିଶା ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ, ବିହନ ପରୀକ୍ଷାଗାରର ଯୁଗ୍ମ ନିର୍ଦ୍ଦେଶକ, ସ୍ଥାନୀୟ କର୍ପୋରେଟର ଓ ବହୁ ବରିଷ୍ଠ ପଦାଧିକାରୀ ଏବଂ କୃଷକ ଭାଇ ଓ ଭଉଣୀମାନେ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ମଣିପୁର ଚିନ୍ତନ ଶିବିରରେ ଯୋଗଦେଲେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା

ଭୁବନେଶ୍ୱର: ମଣିପୁରର ରାଜଧାନୀ ଇମ୍ଫାଲଠାରେ ଆରମ୍ଭ ହୋଇଥିବା ଦୁଇଦିନିଆ ଚିନ୍ତନ ଶିବିରରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଏବଂ କମିଶନର ତଥା ଶାସନ ସଚିବ ଶ୍ରୀ ଆର. ଭିନୀଲ କ୍ରୀଷ୍ଣା ଯୋଗ ଦେଇଛନ୍ତି।

କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ପ୍ରତିନିଧିିତ୍ୱ କରିବା ସହ କ୍ରୀଡାର ବିକାଶ ଓ ଉନ୍ନତି ନେଇ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପମାନ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

ଏହି କ୍ରୀଡ଼ା ମହାସମ୍ମିଳନୀରେ ଯୋଗଦେବା ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ନିଜ ମତ ରଖି କହିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ରାଜ୍ୟରେ ଅନେକଗୁଡିଏ ବିଶ୍ୱ୍‌ସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ସହ ଏସିଆନ ଆଥଲେଟିକ୍ସ, ହକି ପୁରୁଷ ବିଶ୍ୱ କପ, ଫିଫା ମହିଳା ବିଶ୍ୱକପ ଭଳି ଯେଉଁ ସବୁ ଇଭେଣ୍ଟର ସଫଳ ଆୟୋଜନ କରିବାକୁ ଆମେ ସମର୍ଥ ହୋଇଛୁ ତାକୁ ଏଠାରେ ପ୍ରଦର୍ଶନ କରିବାର ସୁଯୋଗ ସୃଷ୍ଟି ହୋଇଛି।

ଏଥି ସହିତ ଅନ୍ୟ ରାଜ୍ୟ ଦ୍ୱାରା ଆପଣା ଯାଇଥିବା ଉନ୍ନତ କ୍ରୀଡ଼ା ପ୍ରକଳ୍ପଗୁଡିକୁ ଅନୁଧ୍ୟାନ କରି ଏହାକୁ କିଭଳି ଭାବେ ଆମ ରାଜ୍ୟରେ ଉପଯୋଗ କରିହେବ ସେଥିନେଇ ଏହି ସମ୍ମିଳନୀରୁ ଆମେ ଶିକ୍ଷା ଗ୍ରହଣ କରିବୁ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି। ଆଜି ଠାରୁ ଆରମ୍ଭ ହୋଇଥିବା ଚିନ୍ତନ ଶିବିର ଦୁଇ ଦିନ ଧରି ଚାଲିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଅମ୍ରିତପାଲ୍ ସିଂହ ଗିରଫ ପରେ ଓଡିଶା ଆମ ଆଦମୀ ପାର୍ଟି କହିଲା ଏପରି କଥା

ଭୁବନେଶ୍ବର: ପଞ୍ଜାବର ରୋଡେ ଗ୍ରାମରେ ଥିବା ଗୁରୁଦ୍ୱାରରୁ ଉଗ୍ରବାଦୀ ଅମ୍ରିତପାଲ୍ ସିଂହ କୁ ପଞ୍ଜାବ ପୋଲିସ ୩୬ ଦିନ ପରେ ଗିରଫ କରିଛି । ଖଲିସ୍ଥାନୀ ଆନ୍ଦୋଳନକୁ ଉଷୁକାଉ ଥିବା ଅମ୍ରିତପାଲ୍ “ୱାରିସ ପଞ୍ଜାବ ଦେ” ନାମକ ସଂଗଠନର ମୁଖ୍ୟ ଥିଲା । ବିଦେଶୀ ସହାୟତାଏବଂ ଚାନ୍ଦା ବଳରେ ପଞ୍ଜାବରେ ଖଲିସ୍ଥାନ ଆନ୍ଦୋଳନକୁ ପୁନର୍ଜୀବିତ କରିବାକୁ ଚାଲିଥିବା ଷଡଯନ୍ତ୍ରକୁ ଅମ୍ରିତପାଲ୍ ର ଗିରଫଦାରୀ ପରେ ବଡ ଧକ୍କା ଲାଗିଛି ।

ପଞ୍ଜାବ ପୋଲିସର ଆଇଜି ଶ୍ରୀ ସୁଖଚୈନ୍ ସିଂହ ଗିଲ୍ ଙ୍କ ପ୍ରଦତ୍ତତଥ୍ୟ ଅନୁସାରେ ପଞ୍ଜାବ ପୋଲିସ ବାହିନୀ ଗୋଇନ୍ଦା ସୂଚନାକୁ ଆଧାର କରି ଅମ୍ରିତପାଲ୍ ରହିଥିବା ଗୁରୁଦ୍ୱାରକୁ ଚାରିପଟୁ ଘେରି ଯାଇଥିଲେ । ଗୁରୁଦ୍ୱାରର ପବିତ୍ରତାକୁ ନଷ୍ଟ ନ କରି ଅମ୍ରିତପାଲ୍ କୁ ଆରେଷ୍ଟ କରାଗଲା । ଏହା ଆମ୍ ଆଦ୍‌ମୀ ପାର୍ଟିସରକାର ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ଭଗୱନ୍ତ ସିଂହ ମାନ୍ ଙ୍କରଏକ ବଡ ସଫଳତା । ଧର‌୍ୟ୍ୟର ସହିତ ବିନା ସାଂପ୍ରଦାୟିକ ଉତ୍ତେଜନାରେ ଗୁଳିଗୋଳା ନ ଚଳାଇ ଏହି ସମସ୍ୟାର ଯେଉଁପରି ଭାବରେ ମାନ୍ ସରକାର ସମାଧାନ କଲେ ତାହା ସମସ୍ତଙ୍କ ପାଇଁ ଉଦାହରଣ ଯୋଗ୍ୟ। ରାଷ୍ଟ୍ରୀୟ ଅଖଣ୍ଡତାଏବଂ ସୁରକ୍ଷାର ପ୍ରଶ୍ନରେ ଉଭୟ କେନ୍ଦ୍ର ସରକାର ଏବଂ ପଞ୍ଜାବସରକାର ମିଳିତ ଭାବରେ ଯେଉଁପରି କାମ କଲେ ତାହାମଧ୍ୟ ଅନୁକରଣୀୟ।

ଅମ୍ରିତପାଲ୍ ସିଂହଙ୍କୁ ଗିରଫକରିବା ସହିତ ତାଙ୍କ ସହିତ ଜଡିତ ସମସ୍ତ ଖଲିସ୍ଥାନୀ ଆତଙ୍କବାଦୀଙ୍କ ବିରୋଧରେ ଦୃଢ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ଆମ୍ ଆଦମୀ ପାର୍ଟି ଓଡିଶା, ପଞ୍ଜାବ ସରକାରଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସମସ୍ତ ପ୍ରକାର ସଫଳତା କାମନା କରୁଛି। ଆମ୍ ଆଦ୍‌ମୀ ପାର୍ଟିଦେଶର ଅଖଣ୍ଡତା ଏବଂ ପଞ୍ଜାବରେ ଶାନ୍ତି ପୂର୍ଣ୍ଣ ସରକାର ଚଳାଇବା ପାଇଁ ପ୍ରତିଶୃତିବଦ୍ଧ। କୌଣସି ପ୍ରକାର ଅପପ୍ରଚାର ଏହାକୁ ପ୍ରଭାବିତ କରିପାରିବ ନାହିଁ।

ଉକ୍ତ ପ୍ରେସମିଟ ରେ ଆମ୍ ଆଦ୍‌ମୀ ପାର୍ଟି ଓଡ଼ିଶାର ରାଜ୍ୟ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ର ଉପସ୍ଥିତ ଥିଲେ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଓଡ଼ିଶା ଜଳ ବିଦ୍ୟୁତ ନିଗମର ଟ୍ରେନିଂ ହଷ୍ଟେଲ ଓ କମ୍ପ୍ଳେକ୍ସ ଉଦ୍‌ଘାଟିତ

ଭୁବନେଶ୍ୱର: ପଟିଆସ୍ଥିତ ନବନିର୍ମିତ ଓଡ଼ିଶା ଜଳ ବିଦୁ୍ୟତ୍‌ ନିଗମର ଟ୍ରେନ୍‌ିଂ ହଷ୍ଟେଲ ଓ କମ୍ପ୍ଳେକ୍ସକୁ ବିଭାଗୀୟ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ଆଜି ପୂର୍ବାହ୍ନରେ ଉଦ୍‌ଘାଟନ କରିଛନ୍ତି। ୩୬୬୨ ବର୍ଗକ୍ଷେତ୍ରରେ ନିର୍ମିତ ଏହି ହଷ୍ଟେଲରେ ୧୨ ଗୋଟି ସିଙ୍ଗଲ ବେଡେଡ୍‌ ବିଶିଷ୍ଟ ରୁମ୍‌, ୧୨ ଗୋଟି ଡବଲ ବେଡେଡ୍‌ ରୁମ୍‌, କାଫେଟେରିଆ, ବହୁମୁଖୀ ଉପଯୋଗୀ ହଲ୍‌, କନ୍‌ଫରେନ୍ସ ହଲ୍‌ ଓ ଅନ୍ୟାନ୍ୟ ସୁବିଧା ଉପଯୋଗୀ ଏହି ହଷ୍ଟେଲ ନିର୍ମିତ ହୋଇଛି। ପୁରାତନ ଓଏଚ୍‌ପିସି ଟ୍ରେନିଂ ସେଣ୍ଟର ସଂଲଗ୍ନ ଏହି ପାଞ୍ଚ ମହଲା ବିଶିଷ୍ଟ ନବନିର୍ମିତ ଟ୍ରେନିଂ ହଷ୍ଟେଲ ଓ କମ୍ପ୍ଳେକ୍ସ ତିଆରି ହୋଇଛି।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ କହିଥିଲେ ଯେ ଓଏଚ୍‌ପିସି ରାଜ୍ୟର ବିଦୁ୍ୟତ ଚାହିଦାର ୨୫ ପ୍ରତିଶତ ବହନ କରୁଅଛି। ପିକ୍‌ ଆୱାରବେଳେ ୧୫୦୦-୧୬୦୦ ମେଗାୱାଟ୍‌ ବିଦୁ୍ୟତ୍‌ ଓଏଚ୍‌ପିସି ଯୋଗାଣ କରୁଛି। ୨୦୨୨-୨୩ ଆର୍ଥିକ ବର୍ଷରେ ୪୦୦ କୋଟି ଟଙ୍କା ଲାଭ ଅର୍ଜନ କରିଛି । ଏହି ଟ୍ରେନିଂ ହଷ୍ଟେଲ ଓ ଟ୍ରେନିଂ ସେଣ୍ଟର ଆଗାମୀ ଦିନମାନଙ୍କରେ ଓଏଚ୍‌ପିସିକୁ ଅଧିକ ଦକ୍ଷ, କୁଶଳୀ ଓ ଲାଭଜନକ କରିବ, ଏହା ନିଃସନ୍ଦେହ। ଟ୍ରେନିଂ ହଷ୍ଟେଲ, ଟ୍ରେନିଂ ସେଣ୍ଟର ଓ କମ୍ପ୍ଲେକ୍ସ ପରିଦର୍ଶନ କରି ମନ୍ତ୍ରୀ ଶ୍ରୀ ଦେବ ସନ୍ତୋଷ ପ୍ରକାଶ କରିଥିଲେ।

ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଓଏଚ୍‌ପିସିର ଅଧ୍ୟକ୍ଷ ଶ୍ରୀ ବିଷ୍ଣୁପଦ ସେଠୀ ଓ ନିଗମର ବରିଷ୍ଠ ଅଧିକାରୀମାନେ ଯଥା ଶ୍ରୀ ଅମରେଶ୍‌ କୁମାର, ଶ୍ରୀ ପ୍ରବୋଧ କୁମାର ମହାନ୍ତି, ଶ୍ରୀ ଆଶିଷ କୁମାର ମହାନ୍ତିଙ୍କ ସମେତ ବହୁ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପିଆର୍‌ଏସ୍‌ଆଇ ଭୁବନେଶ୍ୱର ଚାପ୍ଟର ପକ୍ଷରୁ ବିଜିୟୁରେ ଜାତୀୟ ଜନ ସମ୍ପର୍କ ଦିବସ ପାଳିତ

ଭୁବନେଶ୍ୱର: ପବ୍ଲିକ୍ ରିଲେସନ୍‌ସ ସୋସାଇଟି ଅଫ୍ ଇଣ୍ଡିଆ (ପିଆର୍‌ଏସ୍‌ଆଇ) ଭୁବନେଶ୍ୱର ଚାପ୍ଟର ପକ୍ଷରୁ ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟି (ବିଜିୟୁ)ର ଛାତ୍ରଛାତ୍ରୀମାନଙ୍କ ସହ ଜାତୀୟ ଜନ ସମ୍ପର୍କ ଦିବସ ପାଳନ କରାଯାଇଛି। ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମ୍‌ସି)ର ଆଂଚଳିକ ନିର୍ଦେଶକ ପ୍ରଫେସର ମୃଣାଳ ଚାଟାର୍ଜୀ, ବିଜିୟୁର କୁଳପତି ପ୍ରଫେସର ପି ପି ମାଥୁର ଓ ରେଜିଷ୍ଟ୍ରାର ପ୍ରଫେସର ବି କେ ଦାସ ଚଳିତ ବର୍ଷ ଜାତୀୟ ଜନ ସମ୍ପର୍କ ଦିବସର ବିଷୟବସ୍ତୁ “ଜି୨୦ ଓ ଭାରତୀୟ ମୂଲ୍ୟବୋଧ: ଲୋକ ସମ୍ପର୍କ ଦୃଷ୍ଟିକୋଣ” ଉପରେ ସେମାନଙ୍କ ମତ ରଖିଥିଲେ। ବୈଠକରେ ପିଆର୍‌ଏସ୍‌ଆଇ ଭୁବନେଶ୍ୱର ଚାପ୍ଟରର ଅଧ୍ୟକ୍ଷ ଶଶାଙ୍କ ପଟ୍ଟନାୟକ ସଭାପତିତ୍ୱ କରିଥିଲେ।

ଛାତ୍ରଛାତ୍ରୀ ଓ ପିଆର୍ ପ୍ରଫେସନାଲ୍‌ମାନଙ୍କୁ ସମ୍ବୋଧିତ କରି ପ୍ରଫେସର ମୃଣାଳ ଚାଟାର୍ଜୀ କହିଥିଲେ ଯେ, “ଜନ ସମ୍ପର୍କର ମୂଳ ସିଦ୍ଧାନ୍ତ ଭାରତୀୟ ମୂଲ୍ୟବୋଧ ସହିତ ଯୋଡ଼ିହୋଇରହିଛି। ସହନଶୀଳତା, ସଂହତି, ନୈତିକତା ଓ ସେବା ଭଳି ଭାରତୀୟ ମୂଲ୍ୟବୋଧ ହେଉଛି ଜନ ସମ୍ପର୍କ ପେସାର ମୂଳ ଚରିତ୍ର।”

ଜଣେ ଭଲ ଜନ ସମ୍ପର୍କ ପେସାଦାର ହେବା ଲାଗି ଆବଶ୍ୟକ ଗୁଣ ସମେତ ଜନ ସମ୍ପର୍କ ପେସାର ବିଭିନ୍ନ ଦିଗ ବିଷୟରେ ଛାତ୍ରଛାତ୍ରୀମାନେ ବରିଷ୍ଠ ପେସାଦାର ଓ ପିଆର୍‌ଏସ୍‌ଆଇ ଭୁବନେଶ୍ୱର ଚାପ୍ଟରର ସଦସ୍ୟଙ୍କ ସହ ଭାବ ବିନିମୟ କରିଥିଲେ। ଏହି କାର‌୍ୟ୍ୟକ୍ରମରେ ପ୍ରଫେସର ମୃଣାଳ ଚାଟାର୍ଜୀଙ୍କ ଦ୍ୱାରା ଲିଖିତ ଓ ଆଗାମୀ ଦିନରେ ଉନ୍ମୋଚନ ହେବାକୁ ଯାଉଥିବା ଜନ ସମ୍ପର୍କ ଉପରେ ଆଧାରିତ ଏକ ପୁସ୍ତକର ପ୍ରଚ୍ଛଦ ପୃଷ୍ଠାକୁ ଉନ୍ମୋଚନ କରାଯାଇଥିଲା।

ପିଆର୍‌ଏସ୍‌ଆଇ ଭୁବନେଶ୍ୱର ଚାପ୍ଟର ଉପାଧ୍ୟକ୍ଷ ସୁଧୀ ରଂଜନ ମିଶ୍ର ଏହି ଅବସରରେ ବକ୍ତବ୍ୟ ରଖିଥିବା ବେଳେ ପିଆର୍‌ଏସ୍‌ଆଇ ଭୁବନେଶ୍ୱର ଚାପ୍ଟରର ସମ୍ପାଦକ କୃଷ୍ଣଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଘୋଷଣା ହେଲା ଝାରସୁଗୁଡା ଉପନିର୍ବାଚନ ପାଇଁ ଚୁଡାନ୍ତ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ଝାରସୁଗୁଡ଼ା ଜିଲ୍ଲାର ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ପାଇଁ ସମୁଦାୟ ୧୦ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଆଜି ଥିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ଦିବସ । ଭୁବନେଶ୍ୱର ଗର୍ତିଆ ନାମକ ଜଣେ ପ୍ରାର୍ଥୀ ତାଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେବାରୁ ଉପନିର୍ବାଚନ ମଇଦାନରେ ୯ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି ।

ସେମାନେ ହେଲେ ଭାରତୀୟ ଜନତା ପାର୍ଟିର ଟଙ୍କଧର ତ୍ରିପାଠୀ, ଭାରତୀୟ ଜାତୀୟ କଂଗ୍ରେସର ତରୁଣ ପାଣ୍ଡେ, ବିଜୁ ଜନତା ଦଳର ଦୀପାଳି ଦାସ, ଓଡ଼ିଶା ପ୍ରଗତି ଦଳର ଜନ୍ମା ରୋହିଦାସ, ଓଡ଼ିଶା ଜନତା ପାର୍ଟିର ମନୀଷ ଶର୍ମା, କଳିଙ୍ଗ ସେନାର ମହିନ୍ଦ୍ର ପଟ୍ଟନାୟକ, ସ୍ୱାଧୀନ ପ୍ରାର୍ଥୀ ବିଜୟ କୁମାର ଜାଳାନ, ସ୍ୱାଧୀନ ପ୍ରାର୍ଥୀ ମହେନ୍ଦ୍ର ଲୁହା ଓ ସ୍ୱାଧୀନ ପ୍ରାର୍ଥୀ ଜ୍ଞାନେନ୍ଦ୍ର ବେହେରା ପ୍ରମୁଖ ଝାରସୁଗୁଡ଼ା ଉପନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।

Categories
ଆଞ୍ଚଳିକ

ବାଣପୁର ଅଞ୍ଚଳରେ ଗଞ୍ଜେଇ ବେପାର, ଜଣେ ବେପାରୀ ଗିରଫ

ବାଣପୁର: ଖୋର୍ଦ୍ଧା ବାଣପୁର ବାଲୁଗାଁ ଥାନା ଅଞ୍ଚଳରେ ମାତିଛନ୍ତି ନିଶା ବେପାରି। ମଦ, ଗଞ୍ଜେଇ,ଜୁଆ ଖେଳ ରେ ବହୁ ପରିବାର ଭାଙ୍ଗୁଥିବା ବେଳେ ଆଇନ କୁ ଖାତିର କରୁନାହାନ୍ତି ନିଶା ବେପାରି। ଆଜି ବାଣପୁର ଥାନା ଅଞ୍ଚଳରୁ ଜଣେ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି ଅବକାରୀ ବିଭାଗ।

ବାଣପୁର ରୋଡ ମା ମେଘାମ୍ବରୀ ମନ୍ଦିର ସମ୍ମୁଖରେ ଗଞ୍ଜେଇ ବେପାର ଚାଲିଥିବା ବେଳେ ଅଭିଯୁକ୍ତଙ୍କୁ ମାଡି ବସିଛି ଅବକାରୀ। ଅଭିଯୁକ୍ତ ଜଣକ ନହରଡ଼ିହ ଗ୍ରାମର ପ୍ରକାଶ ଚନ୍ଦ୍ର ପଣ୍ଡା (62) l ତାଙ୍କ ନିକଟରୁ 4 କେଜି 200 ଗ୍ରାମ ଗଞ୍ଜେଇ ଜବତ ହୋଇଛି। ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଅବକାରୀ। ଉକ୍ତ ଚଢ଼ାଉରେ ବାଲୁଗାଁ ଅବକାରୀ ଅଧିକାରୀ ରୋହିତ ଦଣ୍ଡସେନା ଓ ଟିମ ସାମିଲ ଥିଲେ।

Categories
ଆଞ୍ଚଳିକ

ଆଳାପ ପ୍ରାଣୀ କଲ୍ୟାଣ ତରଫରୁ ସମାଜ ସେବା ଛାତ୍ରାଛାତ୍ରୀଙ୍କୁ ସଚେତନତା

ଭୁବନେଶ୍ବର: ପ୍ରାଣୀମାନଙ୍କ ପ୍ରତି କିପରି ଧ୍ୟାନ ଦିଆଯାଏ ସେ ନେଇ ବିଏମସିରେ ଆଳାପ ପ୍ରାଣୀ କଲ୍ୟାଣ ତରଫରୁ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ଏଥିରେ ସାଲେପୁର ଏସଏସଡବ୍ଲୁ କଲେଜ ଏବଂ ଉତ୍କଳ ବିଶ୍ବବିଦ୍ୟାଳୟ ସମାଜସେବୀ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଏଥିରେ ବିଏମସି ପ୍ରାଣୀମାନଙ୍କ କଲ୍ୟାଣ ପାଇଁ କି ପ୍ରକାରର ଯୋଜନା କରିଛି ସେ ନେଇ ଆବଗତ କରାଯାଇଥିଲା।

ଛାତ୍ରଛାତ୍ରୀଙ୍କୁ ବିଏମସି ତରଫରୁ କୁକୁର ବନ୍ଦ୍ୟାକରଣ ଏବଂ ଥଇଥାନ ଉପରେ କି ପ୍ରକାରର ପଦକ୍ଷେପ ନିଆଯାଇଛି ତାହା ଉପରେ ଅବଗତ କରାଯାଇଥିଲା।ଏଥିରେ ବିଏମସିର ଗୋଶାଳା ସଂପର୍କରେ ଡେପୁଟି କମିଶନର ରମେଶ ଚନ୍ଦ୍ର ଜେନା ବିସ୍ତୁତ ତଥ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପଶୁପ୍ରେମୀ ତଥା କ୍ରିଷ୍ଣା ଗୋଶାଳାର ଅମୁଲ୍ୟ ନାୟକ, ସାଲେପୁର କଲେଜର ସ୍ବାତୀ ମହାନ୍ତି, ଉତ୍କଳ ବିଶ୍ବବିଦ୍ୟାଳୟରୁ ବିଶ୍ବଭୂଷଣ ଘଡେଇ ଏବଂ ଆଳାପ ତରଫରୁ ଡ. ଦିଲ୍ଲୀପ ମିଶ୍ର ପରିଚାଳନା କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଅକ୍ଷୟ ତୃତୀୟା ଅବସରରେ ୩୫ ଲକ୍ଷ ଚାଷୀଙ୍କୁ ନବୀନ ଦେଲେ ୪୪୧ କୋଟି ଟଙ୍କା ସୁଧ ରିହାତି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୨୦୨୨-୨୩ ବର୍ଷ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୩୫ ଲକ୍ଷ ଚଷୀଙ୍କୁ ୪୪୧.୭୬ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କରିଛନ୍ତି।

ରାଜ୍ୟର ସମସ୍ତ ସମବାୟ ବ୍ୟାଙ୍କ ଓ ୨୪୦୯ଟି ପ୍ରାଥମିକ କୃଷି ସମବାୟ ସମିତିକୁ ଏହି ରିହାତି ପରିମାଣ ପ୍ରଦାନ କରାଗଲା। ପ୍ରଥମ ପର୍ଯ୍ୟାୟରେ ୪୧୫.୧୭ କୋଟି ଟଙ୍କାର ସୁଧ ରିହାତି ଦିଆଯାଇଥିଲା। ଏହି ପରି ୨୦୨୨-୨୩ ବର୍ଷରେ ଚାଷୀମାନେ ସମୁଦାୟ ୮୫୬.୯୯ କୋଟି ଟଙ୍କା ସୁଧ ରିହାତି ପାଇଲେ।

ସୂଚନାଯୋଗ୍ୟ ଯେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ପାଇଁ ଚାଷୀମାନଙ୍କୁ କୌଣସି ସୁଧ ଦେବାକୁ ପଡୁ ନାହିଁ । ୩୫ ଲକ୍ଷ ଚାଷୀଙ୍କ ମଧ୍ୟରୁ ୩୦ ଲକ୍ଷ ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର ଚାଷୀ।

ଏହି ଅବସରରେ ଉପସ୍ଥିତ ଚାଷୀ ବନ୍ଧୁ ଏବଂ ଭିଡିଓ କନଫ୍ରେସିଂ ଜରିଆରେ ଯୋଡି ହୋଇଥିବା ଚାଷୀମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଚାଷ ଆମ ଅର୍ଥନୀତିର ଆତ୍ମା। ବିକାଶର ଆଧାର। ଆମର ନୂଆ ଓଡିଶା, ସଶକ୍ତ ଓଡିଶାର ସାରଥି ହେଉଛନ୍ତି ଆମର ଚାଷୀମାନେ, ମା ମାନେ ଓ ଯୁବକଯୁବତୀ ମାନେ। ତେଣୁ ଆପଣମାନଙ୍କ ସଶକ୍ତିକରଣ ଉପରେ ମୁଁ ସବୁବେଳେ ଜୋର ଦେଇ ଆସିଛି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ ଚାଷୀକୁ ସଶକ୍ତ କରିବାପାଇଁ ସ୍ୱତନ୍ତ୍ର ବଜେଟ୍ କରାଯାଇଛି। ବିନା ସୁଧ ରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଦିଆଯାଉଛି। ଚାଷୀ ପରିବାରର କଲ୍ୟାଣ ପାଇଁ କାଳିଆ ଶିକ୍ଷା ବୃତ୍ତି ଦିଆଯାଉଛି। ଗଞ୍ଜାମର ଚାଷୀ ପରିବାରର ଜଣେ ପିଲା କିରଣ ସାହୁ କାଳିଆ ଶିକ୍ଷା ବୃତ୍ତି ପାଇ ବ୍ରହ୍ମପୁର ମଡିକାଲ କଲେଜରେ ପଢିବା କଥା ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏଥି ପାଇଁ ଖୁସି ବ୍ୟକ୍ତ କରିଥିଲେ।

ଚାଷୀକୁ ବିନା ସୁଧରେ ଋଣ ଦେବାରେ ଓଡିଶା ପ୍ରଥମ ରାଜ୍ୟ ଓ କାଳିଆ ପରି କଲ୍ୟାଣ ଯୋଜନା କରିବାରେ ମଧ୍ୟ ଓଡିଶା ପ୍ରଥମ ରାଜ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଆଜିର ସୁଧ ରିହାତି ଯୋଗୁ ଚାଷୀ ଭାଇମାନଙ୍କୁ ଟଙ୍କାଟିଏ ବି ସୁଧ ଦେବାକୁ ପଡିଲା ନାହିଁ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏଥିପାଇଁ ଖୁସି ବ୍ୟକ୍ତ କରିଥିଲେ।

ଆମର ସମବାୟ ଆନ୍ଦୋଳନ ଆଜି ଶକ୍ତିଶାଳୀ ହୋଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଫସଲ ଋଣର ୬୦ ପ୍ରତିଶତ କେବଳ ସମବାୟ କ୍ଷେତ୍ର ହିଁ ଯୋଗାଉଛି।ଆମର ଚାଷୀ ଭାଇ ଆମର ଗର୍ବ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ସେମାନଙ୍କ ପରିଶ୍ରମ ଓ ନିଷ୍ଠା ଯୋଗୁ କୃଷି କ୍ଷେତ୍ରରେ ଓଡିଶା ଦେଶର ଏକ ଆଗୁଆ ରାଜ୍ୟ ହୋଇପାରିଛି । ଚାଷୀଙ୍କ କଲ୍ୟାଣ ପାଇଁ ମୁଁ କାମ କରୁଛି ଓ କରି ଚାଲିବି।

କାର୍ଯ୍ୟକ୍ରମରେ ଯୋଗଦେଇ ସମବାୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ କହିଲେ ଯେ ରାଜ୍ୟର କୃଷକମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାମ କରୁଛନ୍ତି। ବାରମ୍ବାର କୃଷି କର୍ମଣ ପୁରସ୍କାର ପାଇଁ ମନୋନିତ ହେବା ହେଉଛି ଆମ ପ୍ରତିବଦ୍ଧତାର ପ୍ରମାଣ। ସମବାୟ ବିଭାଗ, କୃଷି ବିଭାଗ ଓ ଖାଦ୍ୟ ଯୋଗାଣ ବିଭାଗର ମିଳିତ କାର୍ଯ୍ୟକ୍ରମ ଯୋଗୁ ରାଜ୍ୟ ଆଜି ଏକ ଅଭାବୀ ରାଜ୍ୟରୁ ଏକ ବଳକା ରାଜ୍ୟରେ ପରିଣତ ହୋଇଛି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ତିନି ଜଣ ହିତାଧିକାରୀ ରୀନା ସେଠୀ, ନିକୁଞ୍ଜ ବିହାରୀ କାପ ଓ ସବିତା ସାମନ୍ତରାୟ ପ୍ରମୁଖ ଋଣ ଉପରେ ସୁଧ ରିହାତି ଯୋଗୁ ସେମାନେ କିପରି ଚାଷ ଓ ବ୍ୟବସାୟ କରି ନିଜ ପରିବାରକୁ ସୁରଖୁରରେ ଚଳାଇ ପାରୁଛନ୍ତି ସେ ବିଷୟରେ ବର୍ଣ୍ଣନା କରିଥିଲେ। ସୁଧ ରିହାତି ଯୋଜନା ପାଇଁ ଅନେକ ପରିବାର ଆଜି ସ୍ୱାବଲମ୍ବୀ ହୋଇ ପାରିଛନ୍ତି ବୋଲି ପ୍ରକାଶ କରି ସେମାନେ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ।

ସମବାୟ ବିଭାଗ ପ୍ରମୁଖ ସଚିବ ଶ୍ରା ସଞ୍ଜୀବ ଚୋପ୍ରା ସ୍ୱାଗତ ଭାଷଣ ଦେଇଥିଲେ ଏବଂ ସମବାୟ ନିବନ୍ଧକ ଶ୍ରୀ ଉଦ୍ଧବ ଚରଣ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପିପିଲିରେ ଅଖିମୁଠି ଅନୁକୂଳ କଲେ ବିଜେପି ନେତା ତଥା ଅଭିନେତା ମିଥୁନ ଚକ୍ରବର୍ତ୍ତୀ

ପିପିଲି: ପ୍ରଖ୍ୟାତ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ଓଡିଶାର ପାରଂପାରିକ ପର୍ବରେ ନିଜକୁ ସାମିଲ କରାଇଛନ୍ତି। ଗତକାଲି ଅକ୍ଷୟ ତୃତୀୟା ଉପଲକ୍ଷେ ମିଥୁନ ଚକ୍ରବର୍ତ୍ତୀ ପିପିଲିରେ ହଳ ବୁଲାଇ ଧାନ ବୁଣିଛନ୍ତି। ସେ ପିପିଲିର ଲକ୍ଷ୍ମୀନାରାୟଣପୁର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।

ମିଥୁନ ଚକ୍ରବର୍ତ୍ତୀ ମୁଣ୍ଡରେ ଗାମୁଛା ଭିଡି ଓଡିଆ ଚାଷୀପୁଅ ପରି ଧାନ ବୁଣିଥିଲେ। ତାଙ୍କ ସହିତ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ପୂର୍ବତନ ଜିଲ୍ଲାପରିଷଦ ସଭାପତି ଶଙ୍କର ପରିଡା, ପୁରୀ ଜିଲ୍ଲା ବିଜେପି ସଭାପତି ଆର୍ଶିତ ପଟ୍ଟନାୟକ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅଜୟ ପ୍ରଧାନ ପ୍ରମୁଖ ଯୋଗଦେଇ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ବିଜେଡି ଅଫିସରେ ତଥାଗତ ଶତପଥୀ, ଦଳକୁ ପୁଣି ଫେରିବା ନେଇ ଚର୍ଚ୍ଚା

ଭୁବନେଶ୍ବର: ଆଜି ଅକ୍ଷୟ ତୃତୀୟାରେ ବିଜେଡିର ନୂଆ କାର୍ଯ୍ୟାଳୟର ଶଙ୍ଖ ଭବନ ଉଦଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି। ତେବେ ଏହି ନୂଆ ଅଫିସକୁ ନେଇ ରାଜ୍ୟ ରାଜନୀତିରେ ଯେତିକି ଚର୍ଚ୍ଚା ସେତିକି ଚର୍ଚ୍ଚା ହେଉଛି ତଥାଗତ ଶତପଥୀଙ୍କୁ ନେଇ।

ଏହି ଉଦଘାଟନ ଉତ୍ସବରେ ଯୋଗଦେଇଥିଲେ ଦଳର ପୂର୍ବତନ ସାଂସଦ ତଥାଗତ ଶତପଥୀ। ସେ ବର୍ତ୍ତମାନ ବିଜେଡିରେ ନାହିଁନ୍ତି। ଗତ ସାଧାରଣ ନିର୍ବାଚନ ବେଳେ ସେ ଆଉ ରାଜନୀତି କରିବେ ନାହିଁ ଘୋଷଣା କରି ତାଙ୍କର ପାରଂପାରିକ ଆସନ ଢେଙ୍କାନାଳରୁ ଟିକେଟ ନେଇ ନ ଥିଲେ। ତାପରଠାରୁ ସେ ବିଜେଡିର କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଇ ନାହାଁନ୍ତି।

ହେଲେ ହଠାତ ନିର୍ବାଚନ ପାଖେଇ ଆସୁଥିବା ବେଳେ ତଥାଗତଙ୍କ ବିଜେଡି କାର୍ଯ୍ୟାଳୟରେ ଆର୍ବିଭାବ ସମସ୍ତଙ୍କୁ ଚକିତ କରିଦେଇଛି। ସେଠାରେ ଉପସ୍ଥିତି ସାମ୍ବାଦିକ ଏବଂ ନେତାମାନେ ଭାବି ନେଲେ ଯେ, ତଥାଗତ ପୁଣି ଦଳକୁ ଫେରି ଢେଙ୍କାନାଳରୁ ଲଢେଇ କରିବେ। କାରଣ ଢେଙ୍କାନାଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଛିଡା ହେଉଥିବାରୁ ତଥାଗତ ତାଙ୍କୁ ଉଚିତ ଟକ୍କର ଦେଇପାରିବେ।

ଏସବୁ ଆଶା ଓ ଆଶଙ୍କାକୁ ନିଜେ ବିରାମ ଲଗେଇ ଦେଲେ ତଥାଗତ ଶତପଥୀ। ତାଙ୍କୁ ବିଜେଡି ଅଫିସ ଆସିବାର କାରଣ ପଚାରିବାରୁ ସେ କହିଥିଲେ ଯେ, ମୋତେ ନିମନ୍ତ୍ରଣ କରାଯାଇଥିଲା। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିମନ୍ତ୍ରଣ କରିଥିବାରୁ ମୁଁ ଜଣେ ସାମ୍ବାଦିକ ହିସାବରେ ଆସିଛି।

ତେବେ ଆପଣ କଣ ବିଜେଡିରେ ଯୋଗଦେବେ କି ବୋଲି ପଚାରିବାରୁ ସେ କହିଥିଲେ ଯେ, ମୁଁ ବହୁପୂର୍ବରୁ କହିସାରିଛି ଯେ ମୁଁ କୌଣସି ରାଜନୈତିକ ଦଳ ସହିତ ନାହିଁ। ରାଜନୀତିରୁ ମୁଁ ଦୂରେଇ ଯାଇଛି। ମୋର ଆଉ ରାଜନୀତିରେ ଆଗ୍ରହ ନାହିଁ। ତେବେ ଆପଣଙ୍କୁ ନବୀନ ଟିକେଟ ଦେଲେ ଆପଣ ଲଢେଇ କରିବେ କି ନାହିଁ ପ୍ରଶ୍ନର ଉତ୍ତରେ ସେ ପୁଣି କହିଲେ ଯେ, ମୋତେ ଆଉ ରାଜନୀତି ଭଲ ଲାଗୁ ନାହିଁ।

ତଥାଗତ ୪ ଥର ସାଂସଦ ହୋଇ ଓଡିଶା ରାଜନୀତିରେ ଏକ ସୁଦୃଢ ସ୍ଥିତି ତିଆରି କରିଛନ୍ତି। ସେ ୨୦୧୯ ନିର୍ବାଚନରେ ଲଢେଇ କରିବେ ନାହିଁ ବୋଲି ଘୋଷଣା କରିବା ପରେ ବିଜେଡି ପାଇଁ ଚିନ୍ତାର କାରଣ ହୋଇଥିଲା। କାରଣ ସେଠାରେ ସେତେବେଳେ ତାଙ୍କ ପରି ଜଣେ ପ୍ରାର୍ଥି ମିଳିବା କଷ୍ଟକର ହୋଇପଡିଥିଲା। ଶେଷରେ ମହେଶ ସାହୁ ଦଳ ପ୍ରାର୍ଥୀ କରି ବିଜୟ କରାଇଥିଲା। ହେଲେ ଏଥର ନିର୍ବାଚନରେ ଧର୍ମେନ୍ଦ୍ର ସେଠାରୁ ଛିଡା ହେଉଥିବାରୁ ତାଙ୍କ ବିରୋଧରେ ବିଜେଡି କାହାକୁ ପ୍ରାର୍ଥୀ କରିବ ସେ ନେଇ ଚିନ୍ତାରେ ଅଛି।

Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲା ସବରେଜିଷ୍ଟ୍ରାର ଅଫିସରେ ଲାଞ୍ଚ ନ ଦେଲେ କାମ ହେଉ ନାହିଁ, ଅଫିସରେ ଉତ୍ତେଜନା

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ସବରେଜିଷ୍ଟ୍ରାର ଅଫିସରେ ଉତ୍ତେଜନ ସୃଷ୍ଟି ହୋଇଛି। ମୁଖ୍ୟତଃ ଓକିଲ ଏବଂ ଲୋକେ ଆନ୍ଦୋଳନ କରିଛନ୍ତି। ଲାଞ୍ଚ ନ ଦେଲେ କୌଣସି ଜମି ଦଲିଲ ପ୍ରଦାନ କରାଯାଉ ନାହିଁ। ଏପରିକି ଖୋର୍ଦ୍ଧା ସବରେଜିଷ୍ଟ୍ରାରଙ୍କ ନାମରେ ଏକ ସାଘାଂତିକ ଅଭିଯୋଗ ହୋଇଛି। ସେ ଦଲିଲ ପ୍ରଦାନ ପାଇଁ ଜଣେ ଓକିଲଙ୍କଠାରୁ ତିନି ଲକ୍ଷ ଟଙ୍କା ଲାଞ୍ଚ ନେଇଥିଲେ ମଧ୍ୟ ତାହାର ଦଲିଲ ଏ ପର୍ଯ୍ୟନ୍ତ ପ୍ରଦାନ କରାଯାଉ ନାହିଁ।

ଘଟଣାରୁ ଜଣାପଡିଛି ଯେ, ପଟିଆ ମୌଜାର ଏକ ଜମି ଦଲିଲ ପ୍ରଦାନ ପାଇଁ ସବରେଜିଷ୍ଟ୍ରାର ଜଣେ କର୍ମଚାରୀଙ୍କ ମାଧ୍ୟମରେ ତିନି ଲକ୍ଷ ଟଙ୍କା ଲାଞ୍ଚ ନେଇଛନ୍ତି। ହେଲେ ସେ ଏ ପର୍ଯ୍ୟନ୍ତ ଦଲିଲ ରିଲିଜ କରୁ ନାହାଁନ୍ତି। ଏପରିକି ସ୍ଲଟ ବୁକିଂ ହୋଇଥିଲେ ମଧ୍ୟ ତାହାର ସମାଧାନ ହେଉ ନାହିଁ। ଏ ନେଇ ବରିଷ୍ଠ ଓକିଲ ଲିଙ୍ଗରାଜ ମିଶ୍ର ଓ ସୁଶାନ୍ତ ମିଶ୍ର ରାଜସ୍ବ ସଚିବ, ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଆଜିଆରଙ୍କ ନିକଟରେ ଅଭିଯୋଗ କରିଛନ୍ତି। ତେବେ ଏପରି ଅଭିଯୋଗର କୌଣସି ଭିତ୍ତି ନାହିଁ ବୋଲି ସବରେଜିଷ୍ଟ୍ରାର ଜ୍ଞାନ ରଂଜନ ସାହୁ ମିଡିଆରେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି କାଳବୈଶାଖୀ ସମ୍ଭାବନା, ଦିଆଗଲା ଅରେଞ୍ଜ ଚେତାବନୀ

ଭୁବନେଶ୍ବର: ଆଜି କାଳବୈଶାଖୀ ହେବ। ଏ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ଚେତାବନୀ ଦେଇଛି। କାଳବୈଶାଖୀ ସକାଶେ ଅରେଞ୍ଜ ଚେତାବନୀ ଦିଆଯାଇଛି। ଫଳରେ ଆଜି ଅର୍ଥାତ ୨୩ ଅପ୍ରେଲରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ଏବଂ ଝଡ-ପବନ ହେବ।

ଘଣ୍ଟା ପ୍ରତି ୪୦ ରୁ ୫୦ କିମି ହେବାର ସମ୍ଭାବନା ରହିଛି। ସେହିପରି ୨୪ ଅପ୍ରେଲରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବ। କିଛି ସ୍ଥାନରେ ପ୍ରବଳ ବର୍ଷା ଏବଂ ଝଡ଼ ପବନ ସହ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ପବନ ପ୍ରବାହିତ ହେବ। ଏହାଦ୍ବାରା ପ୍ରାୟ ୭ ରୁ ୧୧ ସେମି ବର୍ଷା ସମ୍ଭାବନା ରହିଛି।

Categories
ବିଶେଷ ଖବର ରାଜ୍ୟ ଖବର

ଅକ୍ଷୟ ତୃତୀୟାରେ ବିଜେଡିର ନୂଆ କାର୍ଯ୍ୟାଳୟ ‘ଶଙ୍ଖ ଭବନ’କୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଅକ୍ଷୟ ତୃତୀୟାର ପବିତ୍ର ଅବସରରେ ଆଜି ଭୁବନେଶ୍ବର ଠାରେ ଅନୁଷ୍ଠିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ବିଜୁ ଜନତାଦଳର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନକୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡିଶାବାସୀଙ୍କ ସେବାରେ ଲୋକାର୍ପିତ କରିଛନ୍ତି।

ଏହି ଅବସରରେ ଶଙ୍ଖ ଭବନରୁ ଓଡିଶାବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶାକୁ ଭଲ ପାଉଥିବା ଓଡିଶାର ବିକାଶ ପାଇଁ , ଓଡ଼ିଆ ସ୍ୱାଭିମାନର ସୁରକ୍ଷା ପାଇଁ ତଥା ଏକ ନୂଆ ଓଡିଶା ଓ ସଶକ୍ତ ଓଡିଶା ଗଠନ ପାଇଁ କାମ କରିବାକୁ ଆଗ୍ରହୀ ସମସ୍ତଙ୍କର ମିଳନସ୍ଥଳୀ ହେବ ଶଙ୍ଖ ଭବନ। ଏହା ହେବ ସାଢେ ଚାରିକୋଟି ଓଡିଆଙ୍କ ପ୍ରିୟ ଭବନ। ଶଙ୍ଖ ଭବନର ସବୁ କାର୍ଯ୍ୟକ୍ରମ ଓଡିଶା ବାସୀଙ୍କ ସେବାରେ ସମର୍ପିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ୧୯୯୭ ଥିଲା, ଓଡିଶା ରାଜନୀତିରେ ଏକ ନୂଆ ଯୁଗର ଆରମ୍ଭ। ବିଜୁ ବାବୁଙ୍କ ଆଦର୍ଶ, ସେବା, ସ୍ୱାଭିମାନ ଓ ସଂଗ୍ରାମର ମନ୍ତ୍ର ନେଇ ବିଜୁ ଜନତା ଦଳ ଜନ୍ମ ନେଇଥିଲା। ଆଞ୍ଚଳିକ ଦଳ ଭାବରେ ଓଡିଶାବାସୀଙ୍କ ସେବାରେ ରହି ସେଦିନର ବିଜୁ ଜନତା ଦଳ ଆଜି ଏକ ସାମାଜିକ ଆନ୍ଦୋଳନରେ ରୂପାନ୍ତରିତ ହୋଇଯାଇଛି। ବିଜୟର ଶୁଭଶଙ୍ଖ ବାଜି ଚାଲିଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ,ଏ ଶଙ୍ଖ ଭବନ ହେବ ସାଢେ ଚାରି କୋଟି ଓଡିଶାବାସୀଙ୍କ ପ୍ରିୟ ଭବନ। ଓଡିଶାର ଅତୀତ ସହ ଏହା ଭବିଷ୍ୟତକୁ ଯୋଡିବ। ସାଢେ ଚାରି କୋଟି ଓଡଶାବାସୀକୁ ଏକାଠି କରିବ। ଓଡିଶାର ବିକାଶ ପାଇଁ ସମର୍ପିତ ହେବ। ଓଡ଼ିଆ ସ୍ୱାଭିମାନର ସୁରକ୍ଷା ପାଇଁ ସମର୍ପିତ ହେବ। ଓଡିଶାର କଳା, ସାହିତ୍ୟ, ସଂସ୍କୃତିର ବିକାଶ ପାଇଁ ସମର୍ପିତ ହେବ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ଶଙ୍ଖ ଭବନ କେବଳ ଆମର ଭୌତିକ, ସାମାଜିକ, ଅର୍ଥନୈତିକ ସାଂସ୍କୃତିକ ଓ ରାଜନୈତିକ ଉନ୍ନତି ପାଇଁ ପ୍ରେରଣାର କେନ୍ଦ୍ର ହେବ ନାହିଁ, ଏହା ଜଗନ୍ନାଥ ସଂସ୍କୃତିର ମୂଳତତ୍ତ୍ଵ ଆଧାରରେ ଆମର ଆଧ୍ୟାତ୍ମିକ ଉତ୍ତରଣର କେନ୍ଦ୍ର ମଧ୍ୟ ହେବ।

ଜୟ ଜଗନ୍ନାଥ ଧ୍ୱନିରେ ଭାଷଣ ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଶ୍ଵ ଦରବାରରେ ଓଡ଼ିଶାର ଇଷ୍ଟ ଦେବତା ଶ୍ରୀ ଜଗନ୍ନାଥଙ୍କ ମହାନ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଶଙ୍ଖ ଭବନ କାମ କରି ଚାଲିବ ଏବଂ ବସୁଧୈବ କୁଟୁମ୍ବକମର ବାର୍ତ୍ତା ପ୍ରଚାର କରିଚାଲିବ।

ବିଜୁ ଜନତା ଦଳର ସଫଳତା ମନ୍ତ୍ର ଉପରେ ଆଲୋକପାତ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସ୍ଥିରତା ଆମକୁ ସଫଳତା ଦେଇଛି। ସାଧୁତା ଆନନ୍ଦ ର ମାର୍ଗ ଖୋଲିଛି। ଶାନ୍ତି ଆମକୁ ସମୃଦ୍ଧି ଦେଇଛି ଏବଂ ପ୍ରଶାନ୍ତ ଚେତନା ରୂପାନ୍ତରଣରେ ସହାୟକ ହୋଇଛି।

ଶଙ୍ଖ ଭବନ ନିର୍ମାଣରେ ଅବଦାନ ରଖିଥିବା ଶ୍ରମିକଙ୍କ ଠାରୁ ଆରମ୍ଭ କରି ସ୍ଥପତି ପର୍ଯ୍ୟନ୍ତ ତଥା ଯୁବ , ଛାତ୍ର ,ମହିଳା କର୍ମୀ ଏବଂ ନେତା, ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଧନ୍ୟବାଦ ଜଣାଇଥିଲେ। ସେବାର ସଂସ୍କୃତିକୁ ଆଗକୁ ନେବା , ବିକାଶକୁ ଆଗକୁ ନେବା ,ଓଡିଶା ମା’ର ଗୌରବକୁ ଆହୁରି ଉଜ୍ଜଳ କରିବା ପାଇଁ ନିଜକୁ ସମର୍ପିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ଵାନ ଜଣାଇଥିଲେ।

ସୂଚନା ଯୋଗ୍ୟ ଯେ ଶଙ୍ଖ ଭବନର ସମ୍ମିଳନୀ କକ୍ଷଗୁଡିକରେ ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳଗୌରବ ମଧୁସୂଦନ ଦାସ, ଆଦିକବି ସାରଳା ଦାସ, ବୀର ସୁରେନ୍ଦ୍ର ସାଏ , ବକ୍ସି ଜଗବନ୍ଧୁ, ଭୀମ ଭୋଇ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ,ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ସହିଦ୍ ଲକ୍ଷ୍ମଣ ନାୟକ ପଣ୍ଡିତ ରଘୁନାଥ ମୁର୍ମୁ, ବିର୍ସା ମୁଣ୍ଡା, ରେଣ୍ଡୋ ମାଝି , ଧରଣୀଧର ଭୂୟାଁ, ମା ରମାଦେବୀ , ପାର୍ବତୀ ଗିରି , ଫକୀମୋହନ ସେନାପତି , ଗଙ୍ଗାଧର ମେହେର , କୁନ୍ତଳାକୁମାରୀ ସାବତ ଓ ବାଜି ରାଉତଙ୍କ ପରି ବରପୁତ୍ରମାନଙ୍କ ଉକ୍ତି ଖୋଦିତ ହେବ। ଏହା ସହିତ ଏଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରସିଦ୍ଧ ତାବିଜ ଶୋଭା ପାଇବ ଏବଂ ଓଡ଼ିଶାର ୩୦ଟି ଜିଲ୍ଲାର ପ୍ରସିଦ୍ଧ ସାମଗ୍ରୀ ଓ ଶ୍ରେଷ୍ଠ କଳାକୃତି ମଧ୍ୟ ସ୍ଥାନ ପାଇବ।

ଶଙ୍ଖ ଭବନରେ ପ୍ରତି ସପ୍ତାହରେ ରକ୍ତ ଦାନ କାର୍ଯ୍ୟକ୍ରମ କରାଯିବ। ଏହା ସହିତ ଗରିବ ଲୋକଙ୍କ ବିବାହ ଓ ଅନ୍ୟ ସାମାଜିକ କାର୍ଯ୍ୟକ୍ରମ ମଧ୍ୟ ନିୟମିତ ଜାରି ରହିବ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଉଦଘାଟିତ ହେବ ବିଜେଡିର ନୂତନ ରାଜ୍ୟ କାର୍ଯ୍ୟାଳୟ “ଶଙ୍ଖ ଭବନ”

ଭୁବନେଶ୍ବର: ଆଜି ଅକ୍ଷୟ ତୃତୀୟାରେ ଉଦଘାଟିତ ହେବ ବିଜୁ ଜନତା ଦଳର ନୂଆ କାର୍ଯ୍ୟାଳୟ। ଯାହାର ନାମ ରହିଛି ‘ଶଙ୍ଖ ଭବନ’। ଓଡ଼ିଶାରେ କ୍ରମାଗତ ପଞ୍ଚମ ଥର ପାଇଁ ଶାସନ କ୍ଷମତାରେ ରହିବା ପରେ ଦଳ ନିର୍ମାଣ କରିଛି ଏହି ନୂଆ ପାର୍ଟି ଅଫିସ। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିବେ।

ଦୁଇ ଦଶନ୍ଧୀ ଧରି ୟୁନିଟ୍-୬ ସ୍ଥିତ ଏକ ସରକାରୀ କ୍ୱାଟର୍ସ ଥିଲା ଦଳୀୟ କାର‌୍ୟ୍ୟାଳୟ। ଏବେ ସେହି ଜାଗାରେ ଦୁଇଟି କ୍ୱାଟର୍ସକୁ ମିଶାଇ ଅଫିସ ବିଲଡିଂ ନିର୍ମାଣ ହୋଇଛି। ବିଜେଡିର ନବନିର୍ମିତ କୋଠାରେ ଓଡ଼ିଶାର ପାରମ୍ପରିକ ଛାପ ଦିଆଯାଇଛି। ବେସମେଣ୍ଟରେ ୪୦ ଟି କାର୍ ପାର୍କିଂ କରିବା ଭଳି ପାର୍କିଂ ସ୍ଥାନ ରଖାଯାଇଛି। ବେସମେଣ୍ଟ ଉପରେ ଛିଡ଼ା ହୋଇଥିବା ୩ ମହଲା କୋଠାର ପ୍ରଥମ ମହଲାରେ ରହିଛି ବିରାଟ ଏସି ହଲ୍। ଏଥିରେ ୨୦୦୦ ଲୋକ ବସିପାରିବେ। ଏହାକୁ ଲାଗି ୨୫୦ ଆସନ ବିଶିଷ୍ଟ ଏକ ଅଡିଟୋରିୟମ୍ ରହିଛି। ପ୍ରଥମ ମହଲାରେ ପ୍ରେସ୍ କନଫରେନ୍ସ ହଲ୍ ମଧ୍ୟ ରହିଛି।

ବିଲଡିଂର ଦ୍ୱିତୀୟ ମହଲାରେ ୩୦ ଟି ପ୍ରକୋଷ୍ଠ ରହିଛି । ଏଥିରେ ଛାମୁଆ ସଂଗଠନ ଓ ଦଳର ରାଜ୍ୟ ପଦାଧିକାରୀଙ୍କ କାର୍ଯ୍ୟାଳୟ ରହିବ । ଆଇଟି ସେଲ୍ ମଧ୍ୟ କାର୍ଯ୍ୟ କରିବ । ବିଲଡିଂର ତୃତୀୟ ମହଲାରେ ଦଳର ସଭାପତିଙ୍କ ଦପ୍ତର ରହିଛି । ୨୦୨୧ ରଥଯାତ୍ରା ସମୟରେ ବିଜେଡିର ନୂଆ କାର୍ଯ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଦୁଇବର୍ଷରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଶ୍ରୀଜୟଦେବ ଜୟନ୍ତୀ ପାଳନ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଶ୍ରୀ ଜୟଦେବ ଜୟନ୍ତୀ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

ବୈଠକର ଆଲୋଚନା ଅନୁଯାୟୀ ଆସନ୍ତା ୨୩ ତାରିଖ ଦିନ ବାଲିପାଟଣାସ୍ଥିତ ଶିଶୁ ଅନନ୍ତ ଦାସ ମଠରେ ପୂର୍ବାହ୍ନ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହି ଦିନ ସନ୍ଧ୍ୟାରେ ବାଲିଅନ୍ତା ବ୍ଲକ୍‌ ଅନ୍ତର୍ଗତ କେନ୍ଦୁଲି ଗ୍ରାମରେ ଜୟଦେବଙ୍କ ସଂପର୍କରେ ଏକ ସାଧାରଣ ସଭା ଓ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଏହି ସଭାରେ ସ୍ଥାନୀୟ ଜନପ୍ରତିନିଧି, ସାଧାରଣ ଜନତା ଓ ଶ୍ରଦ୍ଧାଳୁ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହାକୁ ଦୃଷ୍ଟିରେ ରଖି ଦର୍ଶକମାନଙ୍କ ନିମନ୍ତେ ପାନୀୟ ଜଳ, କାର୍ଯ୍ୟକ୍ରମ ସ୍ଥଳୀରେ ସ୍ୱଚ୍ଛତା ଆଦି ଆନୁଷଙ୍ଗିକ ବ୍ୟବସ୍ଥା କରିବା ନିମନ୍ତେ ଜିଲ୍ଲାପାଳ ସ୍ଥାନୀୟ ବିଡ଼ିଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ସଂକୀର୍ତ୍ତନ ପରିକ୍ରମା କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଏହି ଜୟଦେବ ଜୟନ୍ତୀ ପାଳନ କରାଯିବ।

ଏହି ବୈଠକରେ ଜୟଦେବ ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ଅରବିନ୍ଦ ଢାଲି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା, ଭୁବନେଶ୍ୱର ଉପଜିଲ୍ଲାପାଳ ଶ୍ରୀ ଦେବବ୍ରତ ସାହୁ, ବାଲିଅନ୍ତା ବ୍ଲକ୍‌ ଅଧ୍ୟକ୍ଷା ଶ୍ରୀମତୀ ବାସନ୍ତୀ ଖଟୁଆ, ବାଲିଅନ୍ତା ବିଡ଼ିଓ ଶ୍ରୀ ନାରାୟଣ ଚନ୍ଦ୍ର ନାୟକ, ବାଲିପାଟଣା ବିଡ଼ିଓ ଶ୍ରୀ ଆଦିକନ୍ଦ ବେହେରା, ବାଲିଅନ୍ତା ତହସିଲଦାର ଶ୍ରୀ ସମୀର ଦାସ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଭୁବନେଶ୍ୱରର ପର୍ଯ୍ୟଟନ ଅଧିକାରୀ ଶ୍ରୀ ଅଞ୍ଜନ କୁମାର ବାରିକ ଏବଂ ସ୍ଥାନୀୟ ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଲୋକସେବା ଦିବସ ପାଳନ ଅବସରରେ ଏମିତି କାହିଁକି କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ପକ୍ଷରୁ ଆଜି ଅପରାହ୍ଣରେ ଲୋକସେବା ଭବନ ସ୍ଥିତ କନଭେନ୍ସନ୍ ସେଣ୍ଟର ଠାରେ ସିଭିଲ ସର୍ଭିସ ଦିବସ ପାଳିତ ହୋଇଯାଇଛି। ଆୟୋଜିତ ଏହି କାର‌୍ୟ୍ୟକ୍ରମରେ ରାଜ୍ୟର ବିଭିନ୍ନ ବିଭାଗରେ କାର‌୍ୟ୍ୟରତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ, ପୁଲିସ୍ ସେବା ଅଧିକାରୀ, ଓଡିଶା ପ୍ରଶାସନିକ ସେବା ଅଧିକାରୀ ଓ ଅନ୍ୟ ସମସ୍ତ ପ୍ରଶାସନିକ ସେବା ଅଧିକାରୀମାନେ ଯୋଗ ଦେଇଥିଲେ। ସମାବେଶରେ ମୁଖ୍ୟ ଅତିଥିମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପ୍ରଶାସନିକ ଅଧିକାରୀମାନଙ୍କୁ ସମ୍ବୋଧିତ କରିଥିଲେ।

ସମାବେଶରେ ମୁଖ୍ୟମନ୍ତ୍ରୀ କହିଲେ ଯେ, ଆମର ସମ୍ବିଧାନ ଅନୁସାରେ ନାଗରିକମାନେ ହେଉଛନ୍ତି ଦେଶ ନିର୍ମାଣର ପ୍ରମୁଖ କ୍ଷେତ୍ର ଏବଂ ସେଥିପାଇଁ ସେମାନେ ଶାସନର କେନ୍ଦ୍ରବିନ୍ଦୁ ହେବା ଦରକାର। ଆମ ସରକାରଙ୍କ ଲକ୍ଷ୍ୟ ହେଉଛି ସ୍ୱଚ୍ଛ, ଉତ୍ତରଦାୟୀ ଏବଂ ଦାୟିତ୍ୱର ସହ ନାଗରିକମାନଙ୍କର କଲ୍ୟାଣକୁ ଗୁରୁତ୍ୱ ଦେବା । ବ୍ୟବସ୍ଥାରେ କେବଳ ଲକ୍ଷଣଗୁଡ଼ିକର ଚିହ୍ନଟ ପରିବର୍ତ୍ତେ ସମସ୍ୟାର ମୂଳ କାରଣଗୁଡିକ ଖୋଜି ଏହାର ସମାଧାନ କରି ସମାଜରେ ମୌଳିକ ପରିବର୍ତ୍ତନ ଆଣିବା ପାଇଁ “ଟ୍ରାନ୍ସଫର୍ମେଟିଭ ଗଭର୍ଣ୍ଣେନ୍ସ” ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ।

ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଓଡ଼ିଶାରେ ପ୍ରଶାସନିକ ସେବାରେ ଉଭୟ ଆଚରଣଗତ ଓ ଆଭିମୁଖ୍ୟରେ ଉନ୍ନତି ଘଟୁଛି । ନୂତନ ଜ୍ଞାନକୌଶଳ ପ୍ରଶାସନିକ ଅଧିକାରୀମାନେଙ୍କୁ ଅଧିକ ଉତ୍ତରଦାୟୀ ଏବଂ ଦକ୍ଷ କରାଇପାରିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ଏ ଦିଗରେ ‘୫ଟି’ ଉପକ୍ରମ ଏବଂ ‘ମୋ ସରକାର’ ଆମ ଶାସନ ବିଷୟରେ ଲୋକଙ୍କ ଧାରଣାରେ ବାସ୍ତବ ପରିବର୍ତ୍ତନ ଆଣିବା ପାଇଁ ଉଦ୍ଦିଷ୍ଟ ବୋଲି ସେ କହିଥିଲେ।

ପୂର୍ବରୁ ସିଭିଲ୍ ସର୍ଭିସ୍ ପାରମ୍ପରିକ ଭାବରେ ଊର୍ଦ୍ଧ୍ୱରୁ- ନିମ୍ନ ଆଭିମୁଖ୍ୟ ଆଧାରରେ ଗଠିତ ହୋଇଥିଲା, କିନ୍ତୁ ଏହି ଆଭିମୁଖ୍ୟକୁ ଅଧିକ ନାଗରିକ-କୈନ୍ଦ୍ରିକ ଶାସନ ଦୃଷ୍ଟିରୁ ସ୍ୱୀକୃତି ସହିତ କ୍ରମାଗତ ଭାବରେ ପରିବର୍ତ୍ତିତ ହେଉଛି। ବୈଷିୟିକ ଜ୍ଞାନକୌଶଳର ଅଗ୍ରଗତି, ଜନସାଧାରଣଙ୍କ ଆଶା ଏବଂ ନାଗରିକମାନେ ଶାସନର ପ୍ରକୃତ ହିତାଧିକାରୀ ବୋଲି ସ୍ୱୀକୃତି ଭଳି କାରଣରୁ ଏହି ପରିବର୍ତ୍ତନ ଘଟୁଛି।

ଅଧିକ ନାଗରିକ-କେନ୍ଦ୍ରିକ ଏବଂ ସଫଳତା ଭିତ୍ତିକ ଆଭିମୁଖ୍ୟ ଉପରେ ଗୁରୁତ୍ୱ ଦେଉଥିବା ଆମ ସରକାର ବିଭିନ୍ନ ବିଭାଗ ଏବଂ ଅଂଶୀଦାରଙ୍କ ମଧ୍ୟରେ ଅଧିକ ସହଯୋଗକୁ ପ୍ରୋତ୍ସାହିତ କରିବା ସହିତ ନିଷ୍ପତ୍ତି ନେବା ଏବଂ ସେବା ପ୍ରଦାନରେ ଉନ୍ନତି ଆଣିବା ପାଇଁ ଟେକ୍ନୋଲୋଜି ଏବଂ ଡାଟା ବିଶ୍ଲେଷଣ ଉପରେ ଗୁରୁତ୍ୱ ଦେଉଛନ୍ତି। ପ୍ରଶାସନିକ କର୍ମଚାରୀମାନେ ପରିବର୍ତ୍ତିତ ସମୟରେ ଅଧିକ ସକ୍ରିୟ, ସୃଜନଶୀଳ ହେବା ଏବଂ ପ୍ରଶାସନିକ ସେବାର ମାନସିକତା ଏବଂ ସଂସ୍କୃତିରେ ପରିବର୍ତ୍ତନ କରି “ପରିବର୍ତ୍ତନଶୀଳ ଶାସନ”ର ଉଦ୍ଦେଶ୍ୟକୁ ଫଳପ୍ରଦ କରିବାରେ ସହାୟକ ହେବାକୁ ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟ ବକ୍ତା ତଥା ଦେଶର ବିଶିଷ୍ଟ ପ୍ରଶାସନିକ ଅଧିକାରୀ ଆଇଏଏସ୍ (ଅବସରପ୍ରାପ୍ତ) ଅମରଜିତ ସିହ୍ନା ଯୋଗଦେଇ ‘ପରିବର୍ତ୍ତନକାରୀ ଶାସନ ପାଇଁ ପ୍ରଶାସନିକ ସେବା ପ୍ରସ୍ତୁତ କରିବା’ ଶୀର୍ଷକରେ ପାଓ୍ୱାର ପଏଣ୍ଟ ଉପସ୍ଥାପନ ସହ ସାରଗର୍ଭକ ବକ୍ତବ୍ୟ ରଖିଥିଲେ। ସମ୍ପ୍ରତି ବିଗତ ବର୍ଷ ଗୁଡ଼ିକରେ ରାଜ୍ୟର ଅଭିବୃଦ୍ଧି ଏବଂ ଉପଲବ୍ଧି ବିଷୟରେ ସେ ତଥ୍ୟ ପ୍ରକାଶ କରି ଓଡିଶାର’୫ଟି’ ଉପକ୍ରମ ଆଧାରରେ ବିକାଶର ଧାରା, ପ୍ରଭାବଶାଳୀ ବିପର‌୍ୟ୍ୟୟ ପରିଚାଳନା, ମିଶନ ଶକ୍ତି, କ୍ରୀଡ଼ା କ୍ଷେତ୍ରର ସଫଳତା ଏବଂ ୨୦୨୨ର ଏମଏସଏମଇ ନୀତି ଇତ୍ୟାଦି ସହ ପ୍ରଶାସନିକ ସଂସ୍କାର ବିଷୟରେ ଉଲ୍ଲେଖ କରିଥିଲେ। ଦ୍ରୁତ ବିକାଶ ଏବଂ ଐତିହାସିକ ବିକାଶ ବିଭାଜନକୁ ଦୂର କରିବା ପାଇଁ ରାଜ୍ୟ ସରକାର ନିଜର ମାନବ ସଂବଳ ବିନିଯୋଗ କରିବାକୁ ସେ ଅନୁରୋଧ କରିଥିଲେ।

ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହାନିର୍ଦ୍ଦେଶକ ରାଜ କୁମାର ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଓଡ଼ିଶାରେ ସିଭିଲ୍ ସର୍ଭିସ୍ ଦିବସ-୨୦୨୩ ପାଳନ ଆଭିମୂଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ନିଜ ଅଭିଭାଷଣରେ ସେ ସରକାରୀ କର୍ମଚାରୀଙ୍କ ନିଷ୍ଠା, ପରିଶ୍ରମ ଏବଂ ତ୍ୟାଗକୁ ସ୍ୱୀକୃତି ଦେବା ସହ ଏକ ସମାନ ଓ ସମୃଦ୍ଧ ସମାଜ ଗଠନ ଦିଗରେ କାର୍ଯ୍ୟ କରିବାର ପ୍ରତିବଦ୍ଧତାକୁ ଦୋହରାଇବା ପାଇଁ ସମସ୍ତଙ୍କୁ ସଚେତନ କରିଥିଲେ।

‘୫-ଟି’ ଚାର୍ଟର ଏବଂ ଆକ୍ସନ ପ୍ଲାନ କାର‌୍ୟ୍ୟକାରୀ ହେବା ଦ୍ୱାରା ଓଡ଼ିଶାରେ ସୁଶାସନର ଗତି ଉପରେ ଏକ ଗଠନମୂଳକ ପ୍ରଭାବ ପଡ଼ିଛି ବୋଲି ସେ ଆଲୋକପାତ କରିବା ସହ ସମସ୍ତଙ୍କୁ ଯଥାସମ୍ଭବ ଶ୍ରେଷ୍ଠତା ପ୍ରଦର୍ଶନ କରିବାକୁ ଉଦ୍ୟମ କରିବାକୁ ସେ ଅନୁରୋଧ କରିଥିଲେ।
ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଶେଷ ବକ୍ତବ୍ୟ ଓ ଧନ୍ୟବାଦ ଅର୍ପଣ କରିଥିଲେ। ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ କାର‌୍ୟ୍ୟକ୍ରମ ଆୟୋଜନ କରିଥିବାରୁ ଗୋପବନ୍ଧୁ ପ୍ରଶାସନର ଡିଜି ଶ୍ରୀ ରାଜ କୁମାର ଶର୍ମାଙ୍କୁ ସେ ପ୍ରଶଂସା କରିଥିଲେ। ଏହାକୁ ବାର୍ଷିକ କାର‌୍ୟ୍ୟକ୍ରମରେ ରଖିବାକୁ ସେ ଏକାଡେମୀକୁ ପରାମର୍ଶ ଦେଇଥିଲେ।

ରାଜ୍ୟର ସମସ୍ତ ପ୍ରଶାସନିକ ସେବା ଅଧିକାରୀଙ୍କ କଠିନ ପରିଶ୍ରମ ଓ ପ୍ରୟାସକୁ ସ୍ୱୀକାର କରିବା ସହ ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ଜୀବନଧାରଣର ମାନ ବୃଦ୍ଧି ଉଦ୍ଦେଶ୍ୟରେ ‘୫ଟି’ ମଡେଲ ଅବଲମ୍ବନ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ୧୯୯୯ ମହାବାତ୍ୟାରୁ ଓଡ଼ିଶାର ଯାତ୍ରା ବିଷୟରେ ସେ ବର୍ଣ୍ଣନା କରିଥିଲେ, ଯେଉଁଥିରେ ଦଶ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା ଏବଂ ବିଗତ ବର୍ଷଗୁଡ଼ିକରେ ବଡ ଧରଣର ପ୍ରାକୃତିକ ବିପର‌୍ୟ୍ୟୟରେ ଶୂନ୍ୟ ମୃତ୍ୟୁ ଘଟିଥିଲା ବୋଲି ସେ ପ୍ରକାଶ କରିଥିଲେ।

ନାଗରିକ କୈନ୍ଦ୍ରିକ ଶାସନକୁ ସୁନିଶ୍ଚିତ କରିବା ପାଇଁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ଦୋହରାଇଥିଲେ। ପ୍ରକ୍ରିୟା ଏବଂ ପ୍ରକ୍ରିୟାକୁ ସରଳ କରିବା ପାଇଁ ଟେକ୍ନୋଲୋଜି ଏବଂ ଅଟୋମେସନ୍ ବିକଶିତ କରିବାର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିବା ସହ ଲୋକଙ୍କ ଆଶା, ଆକାଂକ୍ଷା, ଦାବୀ ଏବଂ ସରକାରଙ୍କ ସଫଳତାକୁ ଆଖି ଆଗରେ ସରକାର ଓ ଶାସନ ମଧ୍ୟରେ ସେତୁ ସଦୃଶ ଉତ୍ସର୍ଗୀକୃତ ଭାବେ କାର‌୍ୟ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ। ଅଭିଭାଷଣ ପରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।

କାର‌୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ସୁନିଲ କୁମାର ବଂଶଲ , ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ ଶ୍ରୀ ଦେବୀଦତ୍ତ ବିଶ୍ୱାଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଲୋକସେବା ଭବନସ୍ଥିତ କନଭେନ୍ସନ୍ ହଲ୍ ରେ ରାଜ୍ୟର ପ୍ରଶାସନିକ ସେବାର ପ୍ରତିନିଧିତ୍ୱ କରୁଥିବା ସମସ୍ତ ଆଇଏଏସ୍, ଆଇଏଫଏସ୍, ଆଇପିଏସ୍ ଏବଂ ଓଡିଶା ପ୍ରଶାନସିକ ସେବାର ପ୍ରାୟ ୫୦୦ରୁ ଊର୍ଦ୍ଧ୍ୱ ପ୍ରଶାସନିକ ଅଧିକାରୀମାନେ ଏହି କାର‌୍ୟ୍ୟକ୍ରମରେ ଯୋଗଦେଇଥିଲେ।

ଗୋପବନ୍ଧୁ ଏକାଡେମୀ ଆନୁକୂଲ୍ୟରେ ଆୟୋଜିତ ଏହି କାର‌୍ୟ୍ୟକ୍ରମକୁ ଏକାଡେମୀର ନିର୍ଦ୍ଦେଶକ ଶ୍ରୀ ଶର୍ମାଙ୍କ ନେତୃତ୍ୱରେ ଆଇଏଏସ ଅରବିନ୍ଦ ଅଗ୍ରଓ୍ୱାଲ, ମନିଷ ଅଗ୍ରଓ୍ୱାଲ, ସୁରେନ୍ଦ୍ର ମିନା ଏବଂ ଏକାଡେମୀର ଅତିରିକ୍ତ କମିଶନର ତଥା ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ହିମାଂଶୁ ପଣ୍ଡା ପରିଚାଳନା କରିଥିଲେ। ଓଡିଶା ରାଜ୍ୟ ମେଡିକାଲ କର୍ପୋରେସନ ଲିଃର ନିର୍ଦ୍ଦେଶିକା ଡା. ପୋମା ଟୁଡୁ କାର‌୍ୟ୍ୟକ୍ରମ ସଂଯୋଜନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

Video: ହଜିଯାଇଥିବା ଶ୍ରୀମନ୍ଦିର ଫାଇଲ ମିଳିଲା ବୋଲି କହିଲା ଆଇନ ବିଭାଗ

ଭୁବନେଶ୍ବର: ଶେଷରେ ହଜିଯାଇଥିବା ଶ୍ରୀମନ୍ଦିର ଫାଇଲ ମିଳିଛି। ଏହି ସ୍ପଷ୍ଟୀକରଣ ପ୍ରଦାନ କରିଛି ଖୋଦ ଆଇନ ବିଭାଗ। ଆଜି ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ଧନେଶ୍ବର ମଲ୍ଲିକ ଏକ ଭିଡିଓ ବାର୍ତ୍ତା ଜରିଆରେ ଏହି ଫାଇଲ ମିଳିଛି ବୋଲି ସ୍ବୀକାର କରିଛନ୍ତି।

ସେ କହିଛନ୍ତି ଯେ, ଶ୍ରୀମନ୍ଦିରର ଦୁଇଟି ଫାଇଲ ମିଳୁ ନ ଥିବାରୁ ସମସ୍ତ ବିଭାଗକୁ ଚିଠି କରାଯାଇଥିଲା। ସେଥିରେ ସେହି ଦୁଇଟି ଫାଇଲ ନମ୍ବର ଦିଆଯାଇ ତାହାକୁ ଅନୁଧ୍ୟାନ କରିବା ପାଇଁ କୁହାଯାଇଥିଲା। ତେବେ ସେହି ଦୁଇଟି ଫାଇଲ ମିଳିଛି ବୋଲି କହିଛନ୍ତି ଆଇନ ବିଭାଗର ପ୍ରମୁଖ ଶାସନ ସଚିବ।

Categories
ଆଜିର ଖବର ରାଜ୍ୟ ଖବର

ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀ ଡଃ ସଦାଶିବ ତ୍ରିପାଠୀଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆଜି ସକାଳେ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ ସଦାଶିବ ତି୍ରପାଠୀଙ୍କ କ୍ୟାପିଟାଲ ହସ୍‌ପିଟାଲ ଛକସ୍ଥିତ ପ୍ରତିମୂର୍ତ୍ତିରେ ବିଶିଷ୍ଟ ବ୍ୟକ୍ତିମାନେ ମାଲ୍ୟାର୍ପଣ ପୂର୍ବକ ଏହି ମହାପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ମୁନା ଖାଁ, ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ବିଶ୍ୱଜିତ୍‌ ଦାଶ, ସହକାରୀ ନିର୍ଦ୍ଦେଶିକା(କ୍ଷେତ୍ର) ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ, ଶବରୀ ସାଂସ୍କୃତିକ ପରିଷଦର କର୍ମକର୍ତ୍ତା, ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ ମହାନ୍‌ ସ୍ୱାଧୀନତା ସଂଗ୍ରାମୀ ଡଃ ସଦାଶିବ ତି୍ରପାଠୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ସେ ଜଣେ ନୀତିନିଷ୍ଠ ରାଜନୀତିଜ୍ଞ ଭାବେ ସମଗ୍ର ଦେଶରେ ପରିଚିତ ବୋଲି ପ୍ରକାଶ କରିଛନ୍ତି।

ମହାତ୍ମା ଗାନ୍ଧୀଙ୍କ ଡାକରାରେ ସେ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ ଆଦିବାସୀମାନଙ୍କ ମଧ୍ୟରେ ଦେଶପ୍ରେମର ବହ୍ନି ପ୍ରଜ୍ୱଳନ କରିଥିଲେ। ମୁଖ୍ୟମନ୍ତ୍ରୀ ଥିବା ସମୟରେ ମଧ୍ୟ ସେ ସରଳ ଜୀବନଯାପନ କରୁଥିଲେ। ତେଣୁ ଓଡ଼ିଶାବାସୀ ତାଙ୍କୁ ବହୁତ ଶ୍ରଦ୍ଧା ଓ ସମ୍ମାନ କରୁଥିଲେ। ଜମିଦାରୀ ଉଚ୍ଛେଦ, ଓଡ଼ିଶା ଭୂସଂସ୍କାର ଆଇନ, ଶିକ୍ଷା, ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ଓଡ଼ିଶାବାସୀଙ୍କ ହୃଦୟରେ ଚିର ଅମର ହୋଇ ରହିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ତ୍ରିଲୋଚନ କାନୁନଗୋଙ୍କ ଦେହାନ୍ତରେ ବବି ଦାସଙ୍କ ଶୋକ ପ୍ରକାଶ

ଭୁବନେଶ୍ବର: ଆଜି ପ୍ରଖ୍ୟାତ ରାଜନେତା ତଥା ଶିକ୍ଷାବିତ ତ୍ରିଲୋଚନ କାନୁନଗୋଙ୍କ 83 ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସେ ଅସୁସ୍ଥ ହୋଇ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ସକାଳେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ବିଜେଡି ସାଂଗଠନିକ ସଂପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ଶୋକ ପ୍ରକାଶ କରିଛନ୍ତି।

ସେ କହିଛନ୍ତି ଯେ, ‘ ପୂର୍ବତନ ସାଂସଦ ତଥା ବିଶିଷ୍ଟ ଶିକ୍ଷାବିତ ଓ ଅର୍ଥନୀତିଜ୍ଞ ତ୍ରିଲୋଚନ କାନୁନଗୋଙ୍କ ଦେହାନ୍ତ ଖବର ଦୁଃଖଦାୟକ। ଜନପ୍ରତିନିଧି ଭାବେ ସେ ଲୋକଙ୍କ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ କରିଯାଇଛନ୍ତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି। ଏପରି ଦୁଃଖଦ ସମୟକୁ ସାମ୍ନା କରିବା ପାଇଁ ମହାପ୍ରଭୁ ପରିବାର ଲୋକଙ୍କୁ ଅସୀମ ଧୈର୍ଯ୍ୟ ଦିଅନ୍ତୁ।’