Categories
ଆଜିର ଖବର ରାଜ୍ୟ ଖବର

ଧଉଳି ଶାନ୍ତି ସ୍ତୁପରେ ଆୟୋଜିତ ହେଲା ‘ଓ୍ୱାଟରିଂ ଦି ପ୍ଲାଣ୍ଟେଡ୍ ଓ୍ୱାନ୍ସ’

ଭୁବନେଶ୍ବର: ଆଜି ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ ଧଉଳି ଶାନ୍ତି ସ୍ତୂପ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମ ‘ଓ୍ୱାଟରିଂ ଦି ପ୍ଲାଣ୍ଟେଡ୍ ଓ୍ୱାନ୍ସ’ ରେ ଅଂଶଗ୍ରହଣ କରି ଧଉଳିର ସବୁଜିମା ସ୍ଥିତି ଅନୁଧ୍ୟାନ କରିଥିଲେ। ଧଉଳି ପାହାଡ଼ ଓ ରାସ୍ତା ପାର୍ଶ୍ଵରେ କିଛି ମାସ ପୂର୍ବେ ଲଗା ଯାଇଥିବା ୩୦୦ରୁ ଅଧିକ ଅଶ୍ୱସ୍ତ ଓ ବରଗଛ ଗୁଡ଼ିକ ବୁଲି ଦେଖିଥିଲେ।

ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଗଛ ଗୁଡ଼ିକରେ ପାଣି ଦେବା ଉଦ୍ଦେଶ୍ୟରେ ଆଜି ଏକ ସ୍ୱତନ୍ତ୍ର ଅଭିଯାନରେକେତେକ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ସହ ୫୦ରୁ ଊର୍ଦ୍ଧ୍ୱ ବିଭିନ୍ନ ଅନୁଷ୍ଠାନରୁ  ସ୍ୱେଛାସେବୀମାନେ ସାମିଲ ହୋଇଥିଲେ। ଲଗାଯାଇଥିବା  ପ୍ରାୟ ସମସ୍ତ ଗଛ ବଞ୍ଚିଥିବା ଦେଖି ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ ବ୍ୟକ୍ତ କରିବା ସହ ସମସ୍ତେ ବିଭିନ୍ନ ଗଛରେ ପାଣି ଦେଇଥିଲେ। ପରିବେଶ ସୁରକ୍ଷା ଓ ସବୁଜିମା ସୃଷ୍ଟି ଦୃଷ୍ଟିରୁ ବୃକ୍ଷରୋପଣ ଯେପରି ଆବଶ୍ୟକତା ରହିଛି, ସେହିପରି ଲଗାଯାଉଥିବା ଗଛ ଗୁଡ଼ିକର ଯତ୍ନନେବା  ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ସ୍ୱାଇଁ ପ୍ରକାଶ କରିସମସ୍ତଙ୍କୁ ଉତ୍ସାହିତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ଅଞ୍ଜନ କୁମାର ବାରିକ, ରାଜଧାନୀ କଲେଜର ଆସୋସିଏଟ ପ୍ରଫେସର ତଥା ଜାତୀୟ ସେବା ସଂସ୍ଥା, ଖୋର୍ଦ୍ଧାର ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ରଘୁନାଥ ମଣ୍ଡଳଙ୍କ ନେତୃତ୍ୱରେ ଏକ ଏନଏସଏସ ସ୍ୱେଛାସେବୀ ଦଳ ଛାତ୍ରଛାତ୍ରୀ  , ଭାରତ ସ୍କାଉଟ ଓ ଗାଇଡର ଯୁଗ୍ମ ସମ୍ପାଦକ ଶ୍ରୀ ମିହିର ପଟ୍ଟନାୟକଙ୍କ  ତତ୍ତ୍ଵlବାଧାନରେ ଛାତ୍ରଛାତ୍ରୀ, ସ୍ଥାନୀୟ ସିଡିପିଓଙ୍କ ନେତୃତ୍ୱରେ ବିଭିନ୍ନ ସ୍ୱୟଂସହାୟିକ  ଗୋଷ୍ଠୀର ସଦସ୍ୟା,କମଳା ନେହେରୁ ମହିଳା ମହାବିଦ୍ୟାଳୟର ଛାତ୍ରୀ,ସିଭିଲ ଡିଫେନ୍ସ ସ୍ୱେଛାସେବୀମାନେଯୋଗଦେଇ ଲଗାଯାଇଥିବା ଗଛରେ ପାଣି ଦେଇଥିଲେ।

ଧଉଳି ପାହାଡ଼ରେ ସବୁଜିମା ରକ୍ଷା ପାଇଁ  ପାହାଡର ବିଭିନ୍ନ ଅଞ୍ଚଳରେ  ବିଛା ଯାଇଥିବା ପାଇପ ଗୁଡ଼ିକର ରକ୍ଷଣାବେକ୍ଷଣ ପ୍ରତି  ପଦକ୍ଷେପ  ନିଆ ଯାଇଛି ବୋଲି  ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଥିଲେ। ଧଉଳି ଉନ୍ନୟନ କମିଟି ତରଫରୁ ବିଭିନ୍ନ ସମୟରେ ଗଛଗୁଡିକର ମଧ୍ୟ ଯତ୍ନ ନିଆଯାଉଥିବା ସମ୍ପର୍କରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ପ୍ରକାଶ କରିଥିଲେ। କଳିଙ୍ଗ ନିପ୍ପୋନ ବୁଦ୍ଧ ସଂଘର ସମ୍ପାଦକ ଲି କଙ୍ଗ ୟଙ୍ଗ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଅକାଳରେ ମୃତ୍ୟୁବରଣ କରିଥିବା ରଘୁଙ୍କ ଶବକୁ ସତ୍କାର କଲା ଶେଷ ସାଥୀ

ଭୁବନେଶ୍ବର: ବୌଦ୍ଧ ଜିଲ୍ଲାର ୨୦ବର୍ଷୀୟ ରଘୁ ସିଂ, ଯିଏ କି ଭୁବନେଶ୍ୱର ସ୍ଥିତ ଝାରପଡ଼ା ଅଞ୍ଚଳରେ ପ୍ରଥମେ ଏକ ଇଟା ଭାଟି ଓ ପରବର୍ତ୍ତୀ ସମୟରେ ରାଜମିସ୍ତ୍ରୀ ଭାବେ କାମ କରି ପରିବାର ପୋଷଣ କରୁଥିଲେ। ପରିବାର କହିଲେ,ତାଙ୍କ ମା, ଭଉଣୀ ଓ ଦୁଇ ପିଲା।

ଦୁର୍ଭାଗ୍ୟବଶତଃ, ଆଜି ହଠାତ୍ ହୃଦଘାତ କାରଣରୁ ରଘୁଙ୍କର ଅକାଳ ବିୟୋଗ ଘଟିଥିଲା ବେଳେ ଶେଷକୃତ୍ୟ କାର୍ଯ୍ୟ ଏବଂ ତାଙ୍କ କୋକେଇରେ କାନ୍ଧ ଦେବା ପାଇଁ ପରିବାରରେ କେହି ପୁରୁଷ ସଦସ୍ୟ ନଥିଲେ। ଜଗା ଚାକର ସଂଘ ଠାରୁ ଏହି ସମ୍ବନ୍ଧରେ ପ୍ରଥମେ ଭାନୁପ୍ରିୟା ଦାସ(ସତ୍ୟନଗର ପୂର୍ବତନ କର୍ପୋରେଟର) ଖବର ପାଇ, ବିଜୁ ଜନତା ଦଳ(ଓଡ଼ିଶା ମୋ ପରିବାର) ର ରାଜ୍ୟ ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କୁ ଯୋଗାଯୋଗ କରିଥିଲେ।

ପ୍ରଥମେ ରୁଦ୍ର ନାରାୟଣ ସାମନ୍ତରାୟ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ସମସ୍ତ ପରିସ୍ଥିତି କୁ ସମୀକ୍ଷା କରିଥିଲେ।ଏହାପରେ ଜୟ ଓଡ଼ିଶାର “ଶେଷ ସାଥୀ” ଗାଡ଼ି ଦ୍ଵାରା, ରଘୁ ଙ୍କ ପାର୍ଥିବ ଶରୀର କୁ କ୍ୟାପିଟାଲ ହସ୍ପିଟାଲରୁ ସତ୍ୟନଗର ମଶାଣୀ ପର୍ଯ୍ୟନ୍ତ ନିଆଯାଇଥିଲା। ଓଡ଼ିଶା ମୋ ପରିବାରର ସଦସ୍ୟମାନଙ୍କ ସହିତ ଜଗା ଚାକର ସଂଘର ସଦସ୍ୟ ସତ୍ୟନଗର ମଶାଣୀ ଠାରେ ଉପସ୍ଥିତ ରହି ସମସ୍ତ ଶେଷକୃତ୍ୟ ସଂପନ୍ନ କାର୍ଯ୍ୟ ତଦାରଖ କରିଥିଲେ ଓ ତାଙ୍କ ପରିବାରକୁ ସହଯୋଗର ହାତ ବଢ଼ାଇଥିଲେ।

ପରିଶେଷରେ,ରଘୁ ଙ୍କ ର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରି ପରିବାରବର୍ଗଙ୍କୁ ସାନ୍ତ୍ଵନା ଦେଇଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ଆବାସ ଯୋଜନା ନେଇ ପୁଣି ଥରେ ମୁହାଁମୁହିଁ ହେଲେ ବିଜେଡି ବିଜେପି

ଭୁବନେଶ୍ୱର: ଓଡିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନ ନେଇ ପୁଣି ଥରେ ବିଜେଡି ବିଜେପି ମୁହାଁମୁହିଁ ହୋଇଛନ୍ତି। ଆଜି ବିଜେପି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ରାଜ୍ୟ ସରକାର ବର୍ଷା ପୂର୍ବରୁ ଆବାସ ଯୋଜନା ବଣ୍ଟନ ନ କଲେ ରାଜ୍ୟରେ ନିଆଁ ଜଳିବ ବୋଲି ଧମକ ଦିଆଯାଇଥିଲା। ସାମ୍ବାଦିକ ସମ୍ମିଳନୀରେ ପୃଥୀରାଜ ହରିଚନ୍ଦନ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ।

ଏହାର ଜବାବ ବିଜେଡି ତରଫରୁ ଦିଆଯାଇଛି। ବିଜେଡି କହିଛି ରାଜ୍ୟ ବିଜେପି କିଭଳି ଓଡିଶା ତଥା ଓଡିଆ ବିରୋଧୀ ମନୋଭାବ ପୋଷଣ କରୁଛି ତାହା ଆଜି  ବିଜେପି ମୁଖପାତ୍ର ପୃଥୀରାଜ ହରିଚନ୍ଦନଙ୍କ ସାମ୍ବାଦିକ ସମ୍ମିଳନୀରୁ ପଦାରେ ପଡିଯାଇଛି। ଏହାଦ୍ୱାରା ବିଜେପି ଖୋଲାଖୋଲି ଭାବେ ଓଡିଶା ଏବଂ ସାଢେ ୪ କୋଟି ଓଡିଆଙ୍କ ବିକାଶଧାରାକୁ ଅଟକାଇବାକୁ ଚେଷ୍ଟା କରୁଥିବା ଜଣାପଡି ଯାଇଛି। ଓଡିଶାରେ ପିଏମ୍‌ଏୱାଇ ବିଷୟରେ କହିବା ପୂର୍ବରୁ ସେମାନଙ୍କର କିଛି ଲଜ୍ଜା ରହିବା ଉଚିତ୍‍ ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ସୁଶ୍ରୀ ଇପ୍ସିତା ସାହୁ।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ପ୍ରବକ୍ତା ସୁଶ୍ରୀ ସାହୁ କହିଛନ୍ତି ଯେ ଓଡିଶାରେ ପ୍ରାୟ ୧୫ ଲକ୍ଷ ପିଏମ୍‍ଏୱାଇ ଘର ଆବଶ୍ୟକ ଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ଓଡିଶା ବିଜେପି ସାଂସଦମାନେ ଦିଲ୍ଲୀରେ ଓଡିଶା ଏବଂ ଏହାର ଲୋକଙ୍କ ସ୍ୱାର୍ଥ ବିରୁଦ୍ଧରେ ଷଡ଼ଯନ୍ତ୍ର ରଚିଥିଲେ ଏବଂ ଲକ୍ଷ ଲକ୍ଷ ପିଏମ୍‍ଏୱାଇ ଘରକୁ ଅଟକାଇ ଦେଇଥିଲେ। ଓଡ଼ିଶା ସରକାର ଏବଂ ବିଜେଡି ସାଂସଦଙ୍କ ଜବରଦସ୍ତ ଚାପ ଯୋଗୁଁ କେନ୍ଦ୍ର କେବଳ ଆଠ ଲକ୍ଷ ଘର ମଞ୍ଜୁର କରିଥିଲା। ଓଡିଶାର ଆଉ ୭ ଲକ୍ଷ ବାସହୀନ ଲୋକ କୁଆଡେ ଯିବେ ବୋଲି ବିଜେଡି ପ୍ରବକ୍ତା ପ୍ରଶ୍ନ କରିଛନ୍ତି।

ଶ୍ରୀ ହରିଚନ୍ଦନ ପିଏମ୍‍ଏୱାଇ ଘର ନେଇ ପ୍ରଶ୍ନ ପଚାରିବା ପରିବର୍ତ୍ତେ ଓଡିଶାର ଆଦିବାସୀ ତଥା ପଛୁଆ ବର୍ଗକୁ ମିଳିବାକୁ ଥିବା ୭ ଲକ୍ଷ ପିଏମ୍‌ଏୱାଇ ଘରକୁ ଷଡ଼ଯନ୍ତ୍ର କରି ବନ୍ଦ କରିଥିବାରୁ ଓଡିଶା ବିଜେପି ସାଂସଦଙ୍କ ତରଫରୁ କ୍ଷମା ମାଗିବା ଉଚିିତ୍‍। ବର୍ତ୍ତମାନ ଯେତେବେଳେ ଓଡିଶା ସରକାର ପିଏମ୍‍ଏୱାଇ କାର୍ଯ୍ୟକାରୀ କରିବାକୁ ଆପ୍ରାଣ ଉଦ୍ୟମ କରୁଛନ୍ତି; ପୁନର୍ବାର ଓଡ଼ିଶା ବିଜେପି ଆଜି ଭଳି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ମିଥ୍ୟା, ଭିତ୍ତିହୀନ ଏବଂ କପୋଳକଳ୍ପିତ ବିବୃତ୍ତି ଦେଇ ଲକ୍ଷ ଲକ୍ଷ ଓଡିଆଙ୍କୁ ପିଏମ୍‍ଏୱାଇ ଘର ପାଇବାରୁ ବଞ୍ଚିତ କରିବାକୁ ଷଡ଼ଯନ୍ତ୍ର ଆରମ୍ଭ କରିଦେଇଛି।

ଓଡିଶା ବିଜେପି ଜାଣିବା ଉଚିତ ଯେ ଓଡିଶାର ଲୋକମାନେ ଭଲଭାବେ ଏହା ଜାଣିଛନ୍ତି ଯେ ଆପଣ ସେମାନଙ୍କ ପିଏମ୍‌ଏୱାଇ ଘର ଷଡ଼ଯନ୍ତ୍ର କରି ବନ୍ଦ କରିଦେଇଛନ୍ତି। ତେଣୁ ଗତ ଜିଲ୍ଲା ପରିଷଦ ନିର୍ବାଚନରେ ସମସ୍ତ ଜିଲ୍ଲାରେ ସେମାନେ ଆପଣଙ୍କୁ ହରାଇଛନ୍ତି ଏବଂ ବିଜେଡି ୩୦ଟି ଜିଲ୍ଲା ମଧ୍ୟରୁ ୩୦ ଟିରେ ବିଜୟୀ ହୋଇ ରେକର୍ଡ କରିଛି।

ଏଭଳି ସାମ୍ବାଦିକ ସମ୍ମିଳନୀ ଓଡିଶାର ୪.୫ କୋଟି ଲୋକଙ୍କୁ ଆହୁରି ବିଶ୍ୱାସ କରାଇବ ଯେ ଓଡିଶା ବିଜେପି ପ୍ରକୃତରେ ସେମାନଙ୍କର ୭ ଲକ୍ଷ ପିଏମ୍‌ଏୱାଇ ଘର ବନ୍ଦ କରିବା କ୍ଷେତ୍ରରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ । ଆଗାମୀ ଦିନରେ ଓଡ଼ିଶାର ଲୋକମାନେ ଏହାର ଉପଯୁକ୍ତ ଜବାବ ଦେବେ ବୋଲି ସୁଶ୍ରୀ ସାହୁ କହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଝାରସୁଗୁଡା ଉପ-ନିର୍ବାଚନ ପାଇଁ ଦୁଇଟି କମିଟି ଗଠନ କଲେ ରାଜ୍ୟ ବିଜେପି ସଭାପତି

ଭୁବନେଶ୍ୱର : ଆସନ୍ତା ମେ ୧୦ ତାରିଖ ଦିନ ଅନୁଷ୍ଠିତ ହେବାକୁ ଯାଉଛି ଝାରସୁଗୁଡା ଉପ-ନିର୍ବାଚନ। ବିଜେପି ପ୍ରାର୍ଥୀ ଭାବେ ଯୁବ ନେତା ତଥା ରାଜ୍ୟ ସଂପାଦକ ଶ୍ରୀ ଟଙ୍କଧର ତ୍ରିପାଠୀ ଆସନ୍ତା କାଲି ନାମାଙ୍କନ ପତ୍ର ଦାଖଲ କରିବେ। ନିର୍ବାଚନର ସୁପରିଚାଳନା ଓ ସୁପ୍ରଚାର ପାଇଁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଦୁଇଟି କମିଟିର ନାମ ଘୋଷଣା କରିଛନ୍ତି।

ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମଙ୍କ ଅଧ୍ୟକ୍ଷତାରେ ଗଠିତ ନିର୍ବାଚନ ପରିଚାଳନା କମିଟିରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ପୂର୍ବତନ ରାଜ୍ୟ ସଭାପତି କେ.ଭି.ସିଂହଦେଓ, ସାଂସଦ ସୁରେଶ ପୁଜାରୀ, ବସନ୍ତ ପଣ୍ଡା, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ରବି ନାରାୟଣ ନାୟକ ଏବଂ ଗୋଲକ ପ୍ରସାଦ ମହାପାତ୍ର ସଦସ୍ୟ ଅଛନ୍ତି।

ସେହିପରି ସାଂସଦ ତଥା ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସୁରେଶ ପୁଜାରୀଙ୍କ ଅଧ୍ୟକ୍ଷତାରେ ଗଠିତ ନିର୍ବାଚନ ପ୍ରଚାର କମିଟିରେ ସାସଂଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ସାଂସଦ ତଥା ରାଜ୍ୟ ଉପସଭାପତି ସଙ୍ଗୀତା ସିଂହଦେଓ, ନିତେଶ ଗଙ୍ଗଦେବ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଅଛନ୍ତି।

ସେହିପରି ବିଧାୟକ ଶଂକର ଓରାମ, ନାଉରୀ ନାୟକ, ସୁବାଷ ପାଣିଗ୍ରାହୀ, ପୂର୍ବତନ ବିଧାୟକ ତଥା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ବିଧାୟକ ତଥା ବିଜେପି ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି ନିତ୍ୟାନନ୍ଦ ଗଣ୍ଡ, ଭବାନୀ ଶଂକର ଭୋଇ, କୁସୁମ ଟେଟେ, ଡ.ମୁକେଶ ମହାଲିଙ୍ଗ ଏବଂ ବରିଷ୍ଠ ନେତା ରଂଜନ କୁମାର ପଟେଲ ସଦସ୍ୟ ଅଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଏବେବି ତାତିରୁ ନିସ୍ତାର ନାହିଁ, ଦିନ ୧୧ ଟା ୩୦ ସୁଦ୍ଧା ଝାରସୁଗୁଡାରେ ସର୍ବାଧିକ ତାପମାତ୍ର

ଭୁବନେଶ୍ବର: ପୂର୍ବ ଅପେକ୍ଷା ଆଜି ତାପମାତ୍ରାରେ ସାମାନ୍ୟ ତ୍ରାହି ମିଳିଥିଲେ ମଧ୍ୟ ତାତିର ପ୍ରକୋପ ହ୍ରାସ ପାଇପାରି ନାହିଁ। ଦୀର୍ଘ କିଛିଦିନ ଧରି ରାଜ୍ୟରେ ଯେପରି ତାପମାତ୍ର ବୃଦ୍ଧି ପାଇବାରେ ଲାଗିଛି ତାହା ସମସ୍ତଙ୍କୁ ହତବାକ କରିଦେଇଛି।

ତେବେ ଆଜି ଦିନ ୧୧ ଟା ୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସହରର ରେକର୍ଡ ହୋଇଥିବା ତାପମାତ୍ରା ହେଲା..

ଝାରସୁଗୁଡା : ୩୯.୬ଡିଗ୍ରୀ

ବାଲେଶ୍ୱର: ୩୮.୦ଡିଗ୍ରୀ

ଭୁବନେଶ୍ୱର: ୩୮.୦ଡିଗ୍ରୀ

ସମ୍ବଲପୁର : ୩୭.୨ଡିଗ୍ରୀ

ଗୋପାଳପୁର: ୩୭.୦ଡିଗ୍ରୀ

ଚାନ୍ଦବାଲି: ୩୬.୬ଡିଗ୍ରୀ

ପୁରୀ: ୩୬.୨ଡିଗ୍ରୀ

କେନ୍ଦୁଝର: ୩୬.୨ଡିଗ୍ରୀ

ହୀରାକୁଦ: ୩୫.୬ଡିଗ୍ରୀ

ପାରାଦ୍ୱୀପ:୩୩.୦ଡିଗ୍ରୀ