ଗ୍ରୀଷ୍ମ ପ୍ରବାହର ମୁକାବିଲା ଓ ପଦକ୍ଷେପ ନେଇ ବାଣପୁର ବ୍ଲକରେ ପ୍ରସ୍ତୁତି ବୈଠକ

Published: Apr 17, 2023, 9:22 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ବିଗତ କିଛିଦିନ ଧରି ରାଜ୍ୟରେ ଯେଉଁଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିଛି ତାହାର ମୁକାବିଲା କରିବାକୁ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ସଭାଗୃହରେ ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ଅଧକ୍ଷତାରେ ଏକ ଅଂଶୁଘାତ ପୂର୍ବ ସତର୍କତା ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରକାଶ ଥାଉକି ରାଜ୍ୟ ସରକାର ଏବଂ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ବିଡ଼ିଓ ଶୀତଲ ଅଗ୍ରୱାଲ ଏହି ସମ୍ପର୍କରେ ଏକ ଜରୁରୀ ବୈଠକ ଅନୁଷ୍ଠିତ କରିଥିବା ଜଣାଯାଇଛି।

ଉକ୍ତ ବୈଠକରେ ତହସିଲଦାର କୁଞ୍ଜବିହାରୀ ବଡ଼ଜେନା,ସ୍ୱାସ୍ଥ୍ୟ ଅଧିକାରୀ, ପିଡବ୍ଲୁଡି ବିଭାଗ, ବିଦ୍ୟୁତ ବିଭାଗ,ଜଳସେଚନ ବିଭାଗ, ଶିଶୁ କଲ୍ୟାଣ ବିଭାଗ, ଜଙ୍ଗଲ ବିଭାଗ ସହ ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକମାନେ ଉପସ୍ଥିତ ଥିଲେ। ଗ୍ରୀଷ୍ମ ପ୍ରବାହର ସତର୍କତା ସ୍ୱରୂପ ଶ୍ରମିକମାନେ ସକାଳ 7 ଘଟିକା ଠାରୁ 11ଘଟିକା ଏବଂ ଅପରାହ୍ନ 3 ଘଟିକା ପରେ କାର୍ଯ୍ୟ କରିବାର ନିୟମାବଳୀ ଜାରି ହୋଇଛି। ପ୍ରତ୍ୟେକ ଗ୍ରାମରେ କାର୍ଯ୍ୟକ୍ଷମ ହେଉନଥିବା ନଳକୂପ ଗୁଡିକ ଯଥାଶୀଘ୍ର ମରାମତି ପାଇଁ ଆରଡ଼ବ୍ଲୁଏସଏସ ବିଭାଗକୁ ନିର୍ଦେଶ ଦିଆଯାଇଛି।

ବିଶେଷ କାରଣ ନ ଥିଲେ ବିଦ୍ୟୁତ କାଟ ନକରାଯିବାକୁ ବୈଠକରେ ଶୀତଲ ଅଗ୍ରୱାଲ ବିଦ୍ୟୁତ ବିଭାଗକୁ କଡା ତାଗିଦ କରିଥିଲେ। ତତସହିତ ମହାତ୍ମାଗାନ୍ଧୀ ରୋଜଗାର ଯୋଜନାରେ କାର୍ଯ୍ୟ କରୁଥିବା ଶ୍ରମିକ ଏବଂ ଅଙ୍ଗନବାଡି ପିଲାମାନଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ପ୍ରଚୁର ଓଆରଏସ ଯୋଗାଣ ସହ ଆମ୍ବୁଲାନ୍ସ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି।

ନିଆଁ ଲାଗିଥିବା ସ୍ଥାନରେ ତ୍ୱରିତସେବା ଯୋଗାଇବାକୁ ଅଗ୍ନିଶମ ବିଭାଗକୁ ନିର୍ଦେଶ ସହ ବରିଷ୍ଠ ନାଗରିକମାନଙ୍କୁ କୌଣସି ଜରୁରୀ କାର୍ଯ୍ୟନଥିଲେ ଖରା ସମୟରେ ଘରୁ ନବାହାରିବାକୁ ବାରଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ଅଂଶୁଘାତ ଜନିତ କ୍ଷୟକ୍ଷତି ଶୂନ୍ୟ କରିବା ଲକ୍ଷରେ ବାଣପୁର ପ୍ରଶାସନ ସଜାଗ ରହିଥିବା ବିଡ଼ିଓ ଶ୍ରୀମତୀ ଅଗ୍ରୱାଲ କହିଛନ୍ତି।

Related posts