
ବିଜେଡ଼ିର ଆଉ ୩ଟି ଲୋକସଭା ଆସନ ଓ ୩୦ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହେବାକୁ ବାକି ଥିବାବେଳେ ଏବେବି ଚାଲିଛି ଦଳ ବଦଳ ପ୍ରକ୍ରିୟା । ଟିକେଟ ନପାଇବାକୁ ନେଇ ଗୋଟିଏ ପରେ ଗୋଟିଏ ବିଧାୟକ ଏବଂ ସାଂସଦ ଦଳ ଛାଡୁଛନ୍ତି । ଆଜି ଭଦ୍ରକ ସାଂସଦ ଅର୍ଜୁନ୍ ସେଠୀ ଦଳ ଛାଡ଼ି ଦଳ ବିରୋଧରେ ବିଷୋଦଗାର କରି ଇସ୍ତଫା ପତ୍ର ଦେଇଛନ୍ତି । ବିଜେଡ଼ିର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ପ୍ରାର୍ଥୀ ଚୟନରେ ଅନିୟମିତାତାକୁ ନେଇ ଅସନ୍ତୁଷ୍ଟ ହୋଇଥିବା ସାଂସଦ ଅର୍ଜୁନ୍ ୮ଥର ସାଂସଦ ରହିଛନ୍ତି । ଏଥର ତାଙ୍କୁ ଟିକେଟ୍ ଦିଆଯାଇନାହିଁ । ଅର୍ଜୁନ୍ ସେଠୀ ତାଙ୍କ ପୁତ୍ର ଅଭିମନ୍ୟୁଙ୍କୁ ପ୍ରାର୍ଥୀ କରିବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ତାଙ୍କ ପୁତ୍ରକୁ ଟିକେଟ୍ ମିଳିନଥିବାରୁ ସେ ବିଜେଡ଼ି ଛାଡ଼ିଛନ୍ତି । ତେବେ ଦଳ ଛାଡ଼ିବା ପରେ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଦଳ ବିଜୁବାବୁଙ୍କ ନୀତି ଓ ଆଦର୍ଶକୁ ଭୁଲିଯାଇଛି । ବିଜେଡିର ପ୍ରାର୍ଥୀ ଚୟନରେ ଅନିୟମିତତା ଦେଖାଯାଉଛି ଯୋଗ୍ୟ ପ୍ରାର୍ଥୀଙ୍କୁ ଅଣଦେଖା କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ଅର୍ଜୁନ୍ ।