ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: କଟକରେ ନିର୍ମାଣ ହେବ ଅତ୍ୟାଧୁନିକ ବସ୍‌ ଟର୍ମିନାଲ

Published: Jan 13, 2021, 7:56 pm IST

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ ଘୋଷଣା କରିଛନ୍ତି। କଟକ ଠାରେ ଏକ ଅତ୍ୟାଧୁନିକ ବସ୍‌ ଟର୍ମିନାଲ ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। କଟକର ଖାନନଗର ଠାରେ ଏହି ବସ୍‌ ଟର୍ମିନାଲ ନିର୍ମିତ ହେବ। ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହା କାର୍ଯ୍ୟକାରୀ କରାଯିବ। ଏହା ସହିତ ଏହି ଅତ୍ୟାଧୁନିକ ବସ୍‌ ଟର୍ମିନାଲଟି ମହାନ୍‌ ସଂଗ୍ରାମୀ ନେତାଜୀ ସୁଭାଷ ବୋଷଙ୍କ ନାମରେ ନାମିତ କରାଯିବ। ଏଥିପାଇଁ ୬୫ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ଏହି ବସ୍‌ ଟର୍ମିନାଲରେ ଯାତ୍ରୀମାନଙ୍କର ସୁବିଧା ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ରହିବ। ଏଥିରେ ଏକ ବୃହତ ଟର୍ମିନାଲ ବିଲ୍‌ଡିଂ, ସାଧାରଣ ଯାତ୍ରୀବାହୀ ବସ୍‌ ପାଇଁ ସ୍ଥାନ, ସ୍ଥାନୀୟ ଓ ମୋ ବସ୍‌ ସେବା ପାଇଁ ସ୍ଥାନ, ଯାନ ମରାମତି ଓ ରକ୍ଷଣାବେକ୍ଷଣ ବ୍ଲକ୍‌, ଚାରି ଚକିଆ ଯାନ ଓ ଅଟୋ ପାଇଁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯିବ। ୧ ଲକ୍ଷ ୧୮ ହଜାର ବର୍ଗ ଫୁଟରେ ଏଥିପାଇଁ ୩ ମହଲା ବିଶିଷ୍ଟ ଟର୍ମିନାଲ ବିଲ୍‌ଡିଂ ନିର୍ମାଣ କରାଯାଇ ଏଥିରେ ଯାତ୍ରୀ ବିଶ୍ରାମସ୍ଥଳ, ଫୁଡ କୋର୍ଟ, ଟିକେଟ ଗୃହ, ଇ-ଯାନ ଚାର୍ଜିଂ ପଏଣ୍ଟ, ଛାତ ଉପରେ ବର୍ଷା ଜଳ ସଂରକ୍ଷଣ ଏବଂ ସୌର ପ୍ୟାନେଲ ମଧ୍ୟ ରଖାଯିବ।

ଏହି ଟର୍ମିନାଲରେ ଏକ ସମୟରେ ୧୮୦ଟି ବସ୍‌ ପାର୍କିଂର ବ୍ୟବସ୍ଥା ରହିବ। ଯାତ୍ରୀମାନଙ୍କ ସୁବିଧା ପାଇଁ ଅତ୍ୟାଧୁନିକ ସୂଚନା ବ୍ୟବସ୍ଥା ମଧ୍ୟ ରହିବ। ଏହି ନିର୍ମାଣ ପାଇଁ କଟରର ରିଂଗ୍‌ ରୋଡକୁ ଆଉ ଦୁଇ କିଲୋମିଟର ସଂପ୍ରସାରଣ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

Related posts