ଓଡ଼ିଶା କଂଗ୍ରେସର ନିର୍ବାଚନୀ ଇସ୍ତାହାର : ଗରିବ, ଚାଷୀ, ମହିଳା, ଆଦିବାସୀ ଓ ଯୁବକଙ୍କୁ ଗୁରୁତ୍ବ

Published: Apr 7, 2019, 12:45 pm IST
odisha pradesh congress comitee released manesesto

ଆଜି ଓଡ଼ିଶା କଂଗ୍ରେସ ଭବନରେ ଦଳ ନିଜର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି। ପ୍ରଦେଶ କଂଗ୍ରେସର ସଭାପତି ନିରଞ୍ଜନ ପଟ୍ଟନାୟକ, ଇସ୍ତାହାର କମିଟିର ଅଧ୍ୟକ୍ଷ ଗଣେଶ୍ୱର ବେହେରା  ପ୍ରମୁଖ ନେତୃବୃନ୍ଦ ଏହି  ଇସ୍ତାହାର ପୁସ୍ତିକା ଉନ୍ମୋଚନ କରିଥିଲେ। ଗରିବ, ଚାଷୀ, ମହିଳା, ଆଦିବାସୀ ଓ ଯୁବକମାନଙ୍କୁ ଏହି ଇସ୍ତାହାରରେ ଗୁରୁତ୍ୱ ଦିଆଯାଇଛି। ପ୍ରତ୍ୟେକ ଗରିବ ପରିବାରକୁ ମାସିକ ୬ ହଜାର ଟଙ୍କାର ଆୟ ଗ୍ୟାରେଣ୍ଟି, ପ୍ରତି ପରିବାରରେ ଜଣେ ଯୁବକଙ୍କୁ ସରକାରୀ କିମ୍ବା ବେସରକାରୀ ନିଯୁକ୍ତି ପାଇଁ ପ୍ରସ୍ତାବ ରହିଛି। ଯଦି ନିଯୁକ୍ତି ନ ମିଳିବ ତେବେ ମାସିକ ୩ ହଜାର ଟଙ୍କା ଭତ୍ତା ମିଳିବ ବୋଲି ଏଥିରେ କୁହାଯାଇଛି। ଚାକିରି କରିବା ପାଇଁ ବୟସ ସୀମା ବୃଦ୍ଧି ଓ ଚୁକ୍ତିଭିତ୍ତିକ ନିଯୁକ୍ତିକୁ ସ୍ଥାୟୀ କରାଯିବ ବୋଲି ଏହି ଇସ୍ତାହାରରେ ଉଲ୍ଲେଖ ରହିଛି। ସେହିପରି ସବୁ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ଦରମାକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି। ସେହିପରି ଚାଷୀମାନଙ୍କ ପାଇଁ ୨ ଲକ୍ଷ ଟଙ୍କା ଯାଏଁ ଋଣ ଛାଡ଼ କରାଯିବ। ପୂର୍ବରୁ ଋଣ ଶୁଝି ସାରିଥିବା ଚାଷୀଙ୍କୁ ସେହି ଅର୍ଥ ପୁଣି ଫେରସ୍ତ ଦିଆଯିବ। ଅନ୍ୟାନ୍ୟ ଚାଷ ପାଇଁ ୩ ବର୍ଷ ଯାଏଁ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ତଥା ମହିଳା ଚାଷୀଙ୍କୁ ମାଗଣାରେ ସମସ୍ତ କୃଷି ଉପକରଣ ଯୋଗାଇ ଦିଆଯିବ ବୋଲି ଏହି ଇସ୍ତାହାରରେ କୁହାଯାଇଛି। ଧାନ ପାଇଁ ସହାୟକ ରାଶି କୁଇଣ୍ଟାଲ୍‌ ପିଛା ୨୬୦୦ ଟଙ୍କା, ଦ୍ବାଦଶ ଯାଏଁ ଛାତ୍ରୀମାନଙ୍କୁ ମାଗଣା ଶିକ୍ଷା, ମହିଳାମାନଙ୍କୁ ସରକାରୀ କଲେଜରେ ମାଗଣା ବୈଷୟିକ ଶିକ୍ଷାଦାନ ତଥା ବାହାଘର ସମୟରେ ମହିଳାଙ୍କୁ ଆର୍ଥିକ ସହାୟତା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି। ସେହିପରି ବାର୍ଦ୍ଧକ୍ୟ ପେନ୍‌ସନ୍‌ ୧୫୦୦ ଟଙ୍କା, ବିଧବା ଓ ଅସହାୟ ପେନ୍‌ସନ୍‌ ରାଶି ୨୦୦୦ ଟଙ୍କା ଓ  ୭୦ ବର୍ଷରୁ ଅଧିକ ବୟସ୍କ ନାଗରିକଙ୍କୁ ୨୦୦୦ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ମିଳିବା ନେଇ ସୂଚନା ରହିଛି।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

Related posts