ବାଣପୁର ଅଗ୍ନିଶମ କାର୍ଯ୍ୟାଳୟ ହେଲା ବନ୍ଦ: ଟୀକା ନେବା ପରେ ମଧ୍ୟ ଦୁଇ କର୍ମଚାରୀ ପଜିଟିଭ ଚି଼ହ୍ନଟ

Published: May 11, 2021, 10:20 am IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଅଗ୍ନିଶମ ବିଭାଗର ଦୁଇ ଜଣ କର୍ମଚାରୀ ଗତକାଲି କୋଭିଡ଼ ପଜିଟିଭ ଚି଼ହ୍ନଟ ହୋଇଛନ୍ତି। କିନ୍ତୁ ଚିନ୍ତାର ବିଷୟ ଏହା ଯେ, ସମ୍ପୃକ୍ତ ଦୁଇ କୋଭିଡ ଯୋଦ୍ଧା ଦ୍ଵିତୀୟ ଡୋଜ ଟୀକା ନେବା ପରେ ମଧ୍ୟ ସଂକ୍ରମିତ ହୋଇଛନ୍ତି। ତନ୍ମଧ୍ୟରୁ ଜଣେ କୋଭିଡ ଯୋଦ୍ଧାଙ୍କ ଅବସ୍ଥା ଗୁରୁତର ଅଛି।

ତେବେ ଅଗ୍ନିଶମ ବିଭାଗର ସମସ୍ତ ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ ନେଇ ସମୁଦାୟ ୧୩ ଜଣ ବ୍ୟକ୍ତି ସେମାନଙ୍କ ସଂସ୍ପର୍ଶରେ ଆସିଥିବା କଣ୍ଟାକ୍ଟ ଟ୍ରେସିଂରୁ ଜଣାପଡିଛି। ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କ କୋଭିଡ଼ ଟେଷ୍ଟ ହେବ। ବର୍ତ୍ତମାନ ଟେଷ୍ଟ ରିପୋର୍ଟ ନଆସିବା ପର୍ଯ୍ୟନ୍ତ ଅଗ୍ନିଶମ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି ଜିଲ୍ଲା ସହକାରୀ ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ରାଉତ ଏନେଇ ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।

ତେବେ ବାଣପୁରରେ କୋଭିଡ ସମୟରେ ନିଜ ଜୀବନକୁ ବିପଦରେ ଠେଲି ସବୁଠୁ ଅଧିକ ପରିଶ୍ରମ କରୁଥିବା ସମ୍ପୃକ୍ତ ପଜିଟିଭ ଅଗ୍ନିଶମ କର୍ମଚାରୀମାନଙ୍କୁ ତୁରନ୍ତ ଉନ୍ନତ ଚିକିତ୍ସା ଯୋଗାଇବାକୁ ସାଧାରଣରେ ଦାବି ହେଉଛି।

Related posts