ବାଣପୁର ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗୁରୁତର ବ୍ୟକ୍ତି ଭୁବନେଶ୍ବର ସ୍ଥାନାନ୍ତର

Published: Jun 1, 2021, 9:56 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ପେଟ୍ରୋଲ ପମ୍ପ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି।

ସୂଚନା ମୁତାବକ ଆଜି ରାତି ୮.୩୦ ଘଟିକାରେ ଗାଲୁଆ ପଞ୍ଚାୟତ ଅନ୍ତର୍ଗତ ବିଧାରପୁର ଗ୍ରାମର ଚନ୍ଦ୍ରମଣି ପରିଡା (୬୧) ବାଣପୁର ପେଟ୍ରୋଲ ପମ୍ପରୁ ଏକ ବୋତଲରେ ପେଟ୍ରୋଲ ଭର୍ତ୍ତିକରି ଚାଲିଚାଲି ନିଜ ଗ୍ରାମକୁ ଯାଉଥିଲେ।

ଠିକ ଏହି ସମୟରେ ଦୃତ ଗତିରେ ଏକ ପଲସର ବାଇକ ( ଗାଡି ନଂ-ଓଡ଼ି- ୦୨- ଏ.ଏକ୍ସ ୬୨୫୧) ଆସି ହଠାତ୍ ଚନ୍ଦ୍ରମଣିଙ୍କୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା। ଉକ୍ତ ବାଇକରେ ତିନି ଜଣ ବସିଥିବାର ସୂଚନା ମିଳିଛି। ଚନ୍ଦ୍ରମଣିଙ୍କ ମସ୍ତିଷ୍କରେ ପ୍ରବଳ ଆଘାତ ଲାଗିବା ସହ ବାମ ଗୋଡ ଏବଂ ଶରୀର ସାରା କ୍ଷତବିକ୍ଷତ ହୋଇଯାଇଛି।

ତେବେ ଦୁର୍ଘଟଣାସ୍ଥଳରେ ଚନ୍ଦ୍ରମଣିଙ୍କ ପ୍ରଚୁର ରକ୍ତସ୍ରାବ ହୋଇଥିବା ହେତୁ ସେ ଅଚେତ ହୋଇ ତଳେ ପଡିଯାଇଥିଲେ। ସଙ୍ଗେସଙ୍ଗେ ସ୍ଥାନୀୟଲୋକେ ଚନ୍ଦ୍ରମଣିଙ୍କ ଆଶୁ ଚିକିତ୍ସା ପାଇଁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବାବେଳେ ତାଙ୍କ ଅବସ୍ଥା ସଂକଟପନ୍ନ ଥିବାରୁ ଡାକ୍ତର ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତରିତ କରିଦେଇଛନ୍ତି।

ଅପରପକ୍ଷେ ଦୁର୍ଘଟଣା ଘଟାଇଥିବା ବାଇକକୁ ବାଣପୁର ପୋଲିସ ଜବତ କରିଥିବାବେଳେ ଦୁଇ ଜଣ ଯୁବକଙ୍କୁ ଅଟକ ରଖିଛି। ତେବେ ବାଣପୁର ବଜାରରେ କେତେକ ଅମାନିଆମାନେ ଅତି କ୍ଷିପ୍ର ଗତିରେ ବାଇକ ଚଲାଉଥିବାରୁ ଏହିପରି ଦୁର୍ଘଟଣାମାନ ବାରମ୍ବାର ଘଟୁଥିବାର ଅଞ୍ଚଳବାସି ଅଭିଯୋଗ କରିଛନ୍ତି।

ଅନୁରୂପ ଭାବେ ବାଣପୁର ପୋଲିସ ଏପରି ଅମାନିଆଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରିବା ସହ ସହରରେ ଯାନବାହାନର କ୍ଷିପ୍ରଗତି ଉପରେ ଅଙ୍କୁଶ ଲଗାଇବା ପାଇଁ ଯଥାଶୀଘ୍ର ପଦକ୍ଷେପ ନେବାପାଇଁ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି।

Related posts