ଆଲ୍ଫା, ବିଟା ହେଉ ଅବା ଗାମା-ଡେଲ୍ଟା, ଏହି ଚାରି ଭ୍ୟାରିଏଣ୍ଟ ଉପରେ ପ୍ରଭାବ ପକାଉଛି କୋଭିସିଲ୍ଡ ଆଉ କୋଭାକ୍ସିନ: ସରକାର

Published: Jun 26, 2021, 1:32 pm IST

ନୂଆଦିଲ୍ଲୀ: ଦେଶରେ କରୋନାର ନୂଆ ଭ୍ୟାରିଏଣ୍ଟ ଡେଲ୍ଟା ପ୍ଲସ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି। ଡେଲ୍ଟା ପ୍ଲସ ଭ୍ୟାରିଏଣ୍ଟ ଦେଶରେ ତୃତୀୟ ଲହରୀ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି। ତେବେ ଏହା ଭିତରେ ଲୋକଙ୍କୁ କେନ୍ଦ୍ର ସରକାର ଏକ ଆଶ୍ବସ୍ତିକର ଖବର ଦେଇଛନ୍ତି। କୋଭିଡ-୧୯ର ସାର୍ସ-ସିଓଭି-୨ ର ଆଲ୍ଫା, ବୀଟା, ଗାମା ଏବଂ ଡେଲ୍ଟା ଭ୍ୟାରିଏଣ୍ଟ ବିରୋଧରେ ଦୁଇ ଟୀକା କୋଭିସିଲ୍ଡ ଏବଂ କୋଭାକ୍ସିନ ଠିକ କାମ କରୁଛି ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ହେଲେ ବର୍ତ୍ତମାନ ଦେଖାଯାଇଥିବା ଡେଲ୍ଟା ପ୍ଲସ ଭ୍ୟାରିଏଣ୍ଟ ବିରୋଧରେ ଏହି ଦୁଇ ଟୀକା କେତେ କାମ କରିବ, ତାହା ପରୀକ୍ଷା କରାଯାଉଛି। ଏହା ଉପରେ ଟୀକା କେତେ ପ୍ରଭାବ ପକାଉଛି, ତାହାର ପରୀକ୍ଷଣ ଏବେ ଲ୍ୟାବରେ କରାଯାଉଛି। ଆଗାମୀ ୭ ରୁ ୧୦ ଦିନ ମଧ୍ୟରେ ଏହାର ପରିଣାମ ଆସିଯିବ ବୋଲି ଆଶା କରାଯାଉଛି। ଏନେଇ ଆଇସିଏମଆର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ୧୨ ଟି ଦେଶରେ ଡେଲ୍ଟା ପ୍ଲସ ଭ୍ୟାରିଏଣ୍ଟ ଦେଖାଦେଇଛି। ସେହିଭଳି ଭାରତରେ ୧୦ ଟି ରାଜ୍ୟରେ ୪୮ ଟି ଡେଲ୍ଟା ପ୍ଲସ ଭ୍ୟାରିଏଣ୍ଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Related posts