ଉଗ୍ରତାରା ଛକ ନିକଟରେ ସଡକ ଦୁର୍ଘଟଣା: ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କଲେନି କେହି, ପୋଲିସ ଦେଖାଇଲା ମାନବିକତା

Published: Jul 26, 2021, 11:46 am IST

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଅଜଣା ଗାଡି ଧକ୍କାରେ ଜଣେ ମୋପେଡ୍ ଆରୋହୀ ଗୁରୁତର ହୋଇଛନ୍ତି। ଦୁର୍ଘଟଣା ପରେ ଦୀର୍ଘ ସମୟ ଧରି ରାସ୍ତା ମଧ୍ୟରେ ମୋପେଡ୍ ଆରୋହୀ ଜଣଙ୍କ ପଡି ରହିଥିବା ବେଳେ ଉପସ୍ଥିତ ଲୋକେ ତାଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ଫଟୋ ଉଠାଇବାରେ ବ୍ୟସ୍ତ ରହିଥିଲେ। ହେଲେ ଘଟଣା ବାବଦରେ ଖବର ପାଇ ପୋଲିସ ମଣିଷପଣିଆ ଦେଖାଇଛି। ପୋଲିସ ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରିଛି।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ଉଗ୍ରତାରା ଛକ ଓଭର ବ୍ରିଜ୍ ଉପରେ ଏକ ମୋପେଡ୍ ଆରୋହୀଙ୍କୁ କୌଣସି ଏକ ଅଜଣା ଗାଡି ଧକ୍କା ଦେଇଥିଲା। ଦୀର୍ଘ ସମୟ ଧରି ରାସ୍ତା ଉପରେ ମୋପେଡ୍ ଆରୋହୀ ଜଣକ ପଡି ରହିଥିଲେ। ହେଲେ କୌଣସି ଲୋକ ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ଫଟୋ ଉଠା କାର୍ଯ୍ୟରେ ବ୍ୟସ୍ତ ରହିଥିଲେ। ଖବର ପାଇ ଜାତୀୟ  ରାଜପଥ ପାଟ୍ରୋଲିଂ ଗାଡି ଘଟଣା ସ୍ଥଳରେ ପହଂଚିଥିଲା। ଗୁରୁତର ବ୍ୟକ୍ତିଙ୍କୁ ପୋଲିସ୍ ତୁରନ୍ତ ଉଦ୍ଧାର କରି ୧୦୮ ଆମ୍ବୁଲାନସ୍ ଯୋଗେ ଖୋର୍ଦ୍ଧା ମେଡିକାଲକୁ ପଠାଇଥିଲା।

ଏହି ଉଦ୍ଧାର କାର୍ଯ୍ୟରେ ଏସଆଇ ପ୍ରଭାକର ପୃଷ୍ଟି, ହୋମ୍ ଗାର୍ଡ  ଅରୁଣ କୁମାର ବାରିକ ଓ ଚାଳକ  ଅନନ୍ତ କୁମାର  ବେହେରା ସାମିଲ ଥିଲେ। କିନ୍ତୁ ଗୁରୁତର ମୋପେଡ୍ ଆରୋହୀଜଣଙ୍କ ଜଣେ ଫେରିବାଲା ହୋଇଥିବା ବେଳେ ତାଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ପାରିନାହିଁ।

Related posts