ରେଳବାଇ ବୋର୍ଡ ସଦସ୍ୟଙ୍କ ଦ୍ୱାରା ପୂର୍ବତଟ ରେଳପଥ କାର୍ଯ୍ୟଦକ୍ଷତା ସମୀକ୍ଷା

Published: Oct 30, 2021, 7:50 pm IST

ଭୁବନେଶ୍ବର: ରେଳ ବୋର୍ଡ ସଦସ୍ୟ (ଅପରେସନ୍ସ ଏବଂ ବିଜିନେସ୍ ଡେଭଲପମେଣ୍ଟ) ସଞ୍ଜୟ କୁମାର ମହାନ୍ତି ଆଜି ରେଳ ପରିଚାଳନା କାର୍ଯ୍ୟ ଏବଂ ବ୍ୟବସାୟ ବିକାଶକୁ ନେଇ ପୂର୍ବ ତଟ ରେଳପଥର କାର୍ଯ୍ୟଦକ୍ଷତା ସମ୍ବନ୍ଧରେ ରେଳବାଇ ଅଧିକାରୀ ମାନଙ୍କ ସହିତ ସମୀକ୍ଷା କରିଛନ୍ତି।

ପଣ୍ୟ ପରିବହନରେ ଉନ୍ନତି ଆଣିବା ପାଇଁ ଶ୍ରୀ ମହାନ୍ତି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥା ଏବଂ ଶିଳ୍ପ, ବନ୍ଦର ଓ କର୍ପୋରେଟ୍ ଏଜେନ୍ସି ମାନଙ୍କ ମଧ୍ୟରେ ମିଳିତ ସହଯୋଗ ଏବଂ ପାରସ୍ପରିକ ବୁଝାମଣା ଉପରେ ଗୁରୁତ୍ୱାରୋପ କରିଛନ୍ତି।​ ଏହା ଉଭୟ ରେଳବାଇ ର ବିଭିନ୍ନ ଷ୍ଟେକ୍ ହୋଲ୍ଡର ଏବଂ ରେଳବାଇକୁ ଉପକୃତ କରିବ।

ରେଳ ଲାଇନ ସମ୍ପ୍ରସାରଣ ସହିତ ଦୋହରୀକରଣ ଓ ତୃତୀୟ ଲାଇନ କାର୍ଯ୍ୟ ଗୁଡିକୁ ତ୍ୱରାନ୍ୱିତ କରିବାପାଇଁ ସେ ଗୁରୁତ୍ୱାରୋପ କରିଥିଲେ। ପରିବହନରେ ରେଳବାଇର ଅଂଶ ବୃଦ୍ଧି ପାଇଁ ରେଳବାଇକୁ ଶିଳ୍ପ ଏବଂ ବାଣିଜ୍ୟର ନିକଟତର କରିବା ପାଇଁ ବ୍ୟବସାୟ ବିକାଶ ୟୁନିଟ୍ (ବିଡିୟୁ) କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବାକୁ ମଧ୍ୟ ସେ କହିଥିଲେ।

ନୂତନ ଟ୍ରାଫିକକୁ ଆକୃଷ୍ଟ କରିବା ପାଇଁ ଶ୍ରୀ ମହାନ୍ତି ଅଧିକାରୀମାନଙ୍କୁ ବାଣିଜ୍ୟ ଏବଂ ଶିଳ୍ପ ସହିତ ବାରମ୍ବାର ଯୋଗାଯୋଗ କରିବାକୁ ପରାମର୍ଶ ଦେଇଛନ୍ତି ଏବଂ ବର୍ତମାନର ପରିବହନ ଢାଞ୍ଚା ବିଷୟରେ ଜାଣିବା ସହ ରେଳବାଇକୁ ଅଧିକ ଟ୍ରାଫିକ୍ ଆକର୍ଷିତ କରିବାକୁ ସେ କହିଥିଲେ। ଏହା ବ୍ୟତୀତ ବ୍ୟବସାୟ ବିକାଶ ୟୁନିଟ୍ (ବିଡିୟୁ) ବିଭିନ୍ନ ଅଣ-ବଲ୍କ ସାମଗ୍ରୀ ଟ୍ରାଫିକ୍ ବୃଦ୍ଧି କରିବାର ଉପାୟ ଅନୁସନ୍ଧାନ କରିବା ସହିତ ବର୍ତ୍ତମାନ ଚାଲୁଥିବା ପାରମ୍ପାରିକ ଦ୍ରବ୍ୟରେ ରେଳବାଇର ଅଂଶକୁ ସୁଦୃଢ କରିବାକୁ ଉଚିତ୍ ବୋଲି କହିଥିଲେ। ଗ୍ରହଣ କରାଯାଇଥିବା ଯେକୌଣସି ପ୍ରସ୍ତାବ ତୁରନ୍ତ ବିଶ୍ଳେଷଣ କରାଯାଇ ଆବଶ୍ୟକ ହେଲେ ତୁରନ୍ତ ସହାୟତା ଯୋଗାଇଦେବାକୁ କହିଥିଲେ।

Related posts