୧୯୭୧ ଯୁଦ୍ଧବୀରମାନଙ୍କ ବାସଭବନରେ ସ୍ୱର୍ଣ୍ଣିମ ବିଜୟ ମଶାଲ

Published: Nov 4, 2021, 11:52 pm IST

ଭୁବନେଶ୍ୱର: ‘ସ୍ୱର୍ଣ୍ଣିମ ବିଜୟ ବର୍ଷ’ ପାଳନ ପରିପ୍ରେକ୍ଷୀରେ ଭୁବନେଶ୍ୱରରେ ପବିତ୍ର ବିଜୟ ମଶାଲର ଦୀର୍ଘ ୬ ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମରେ ଗରିମାମୟ ଉପସ୍ଥିତି ରହିଥିଲା । ତତ୍ ସହିତ ୧୯୭୧ ଯୁଦ୍ଧବୀର ଯବାନଙ୍କ ବାସଗୃହକୁ ଯାତ୍ରା କରିବା ଅବସରରେ ସବୁଠାରେ ଏହାକୁ ଉଚ୍ଛ୍ୱସିତ ସମ୍ମାନ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

ଏହି ସ୍ମୃତି ଭୁବନେଶ୍ୱରବାସୀଙ୍କ ମନରେ ତାଜା ରହିଥିବା ବେଳେ ଆଜି ବିଜୟ ମଶାଲ ଏହାର ଯାତ୍ରାର ଅଂଶସ୍ୱରୁପ କଟକ, ବଡମ୍ବା ଓ ଢେଙ୍କାନାଳ ଗସ୍ତ କରିଥିଲା । ୧୯୭୧ ଯୁଦ୍ଧରେ ଅଂଶଗ୍ରହଣ କରିଥିବା କଟକରେ ରହୁଥିବା ଯୁ୍‌ଦ୍ଧ ବୀର ଯବାନ କ୍ୟାପ୍‌ଟେନ ବି.ଏନ.ମିଶ୍ର, ଓ ବ୍ରିଗେଡିୟର ପି.କେ.ସାହୁ, ବଡମ୍ବାରେ ସୁବେଦାର ଅଚ୍ୟୁତାନନ୍ଦ ରାଉତ, ଢେଙ୍କାନାଳରେ ବ୍ରିଗେଡିୟର କେ.ପି. ସିିଂହଦେଓ (ବିଶିଷ୍ଟ ସେବା ମେଡାଲ) ଏବଂ ଉଇଙ୍ଗ କମାଣ୍ଡର ବି.ଏସ୍‌. ସିହଂଦେଓଙ୍କ ବାସଭବନକୁ ଯାତ୍ରା କରିଥିଲା ।

ସବୁଠାରେ ବିଜୟ ମଶାଲକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଓ ସମ୍ମାନ ପ୍ରଦର୍ଶନ କରାଯିବା ସହ ଯୁଦ୍ଧବୀର ଯବାନମାନେ ସେମାନଙ୍କର ଯୁଦ୍ଧରେ ଅଂଶଗ୍ରହଣର ଅଭିଜ୍ଞତା ପ୍ରକାଶ କରିଥିଲେ । ଏହି ଅବସରରେ ଅଳ୍ପ ସମୟ ପାଇଁ ହେଲେ ମଧ୍ୟ କଟକ, ବଡମ୍ବା ଓ ଢେଙ୍କାନାଳର ଜନସାଧାରଣ ଭାରତର ୧୯୭୧ ମସିହା ଯୁଦ୍ଧ ବିଜୟର ୫୦ ବର୍ଷ ପୂର୍ତି ଉପଲକ୍ଷେ ପାଳନ କରାଯାଉଥିବା ସ୍ୱର୍ଣ୍ଣମ ବିଜୟ ବର୍ଷର ବିଜୟ ସ୍ମାରକୀ ‘ ବିଜୟ ମଶାଲ’କୁ ଦର୍ଶନ କରିବାର ସୁଯୋଗ ପାଇ ସମ୍ମାନ ପ୍ରଦର୍ଶନ କରି ଗର୍ବ ଅନୁଭବ କରିଥିଲେ ।

Related posts