ଚିଲିକାରେ ଶେଷ ହେଲା ସର୍ବଭାରତୀୟ ଏନସିସି ନୌଚାଳନା ପ୍ରତିଯୋଗିତା, ଟିମ ଓଡ଼ିଶା ବିଜୟୀ

Published: Nov 22, 2021, 7:18 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକାରେ ସପ୍ତାହବ୍ୟାପି ଚାଲିଥିବା ସର୍ବଭାରତୀୟ ଏନସିସି ନୌଚାଳନା ପ୍ରତିଯୋଗିତା ଆଜି ଶେଷ ହୋଇଛି। ଏନସିସି ନିର୍ଦ୍ଦେଶାଳୟ, ଓଡ଼ିଶା ଶାଖା ପକ୍ଷରୁ ଉକ୍ତ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ତେବେ ଉକ୍ତ ପ୍ରତିଯୋଗିତାରେ ଓଡ଼ିଶା ଟିମ ବିଜୟୀ ହୋଇଥିବା ବେଳେ ପଂଜାବ ଟିମ ରନର୍ସ ଅପ ହୋଇଛି।

ଆଜି ଅପରାହ୍ନରେ ଏକ ପୁରସ୍କାର ବିତରଣୀ ଉତ୍ସବର ଆୟୋଜନ କରାଯାଇଥିଲା। ଯେଉଁଥିରେ ମୁଖ୍ୟ ଅତିଥି ଭାବେ ଏନସିସି ଡ଼ିଜି ବ୍ରିଗେଡ଼ିଅର ଅଜୟ କୁମାର ମହାଜନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୟୀ ଓଡ଼ିଶା ଟିମକୁ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ଓଡିଶା ଏନସିସିର ଡେପୁଟି ଡାଇରେକ୍ଟର ଜେନେରାଲ, କମୋଡ଼ର ସୋମେନ ବାନାର୍ଜୀ ସମସ୍ତ ପ୍ରତିଯୋଗୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଉକ୍ତ ପ୍ରତିଯୋଗିତା ନିମନ୍ତେ ଚିଲିକାରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇଦେବା ନିମନ୍ତେ ଆଇଏନଏସ ଚିଲିକାର କମାଣ୍ଡିଙ୍ଗ ଅଫିସର କମୋଡ଼ର ପ୍ରଦୀପ କୁମାରଙ୍କୁ ଧନ୍ୟବାଦ ଜଣାଇଥିଲେ।

ସୂଚନା ଥାଉକି ଚିଲିକା ହ୍ରଦ ସ୍ଥିତ ଭାରତୀୟ ନୌଚାଳନା ପ୍ରଶିକ୍ଷଣ କେନ୍ଦ୍ର ମଧ୍ୟରେ ଉକ୍ତ ପ୍ରତିଯୋଗିତା ଜାରି ରହିଥିଲା। ସର୍ବାଭାରତରେ ଥିବା ଏନସିସିର ୧୭ ଗୋଟି ନିର୍ଦ୍ଦେଶାଳୟ ମଧ୍ୟରୁ ସମୁଦାୟ ୧୦୧ ଜଣ ଏନସିସି କ୍ୟାଡେଟ ଉକ୍ତ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଯେଉଁଥିରେ ୫୧ ଜଣ ବାଳିକା ଏବଂ ୫୦ ଜଣ ବାଳକ ସାମିଲ ଥିଲେ।

ତେବେ ସଂପୂର୍ଣ୍ଣ ଶିବିରକୁ ୪(0) ଏନସିସି ଭବାନୀପାଟଣାର କମାଣ୍ଡିଙ୍ଗ ଅଫିସର ଲିଉଟନାଣ୍ଟ କମାଣ୍ଡର ଭି. ରବି ଜଦୁ ଏବଂ ତାଙ୍କ ଟିମ ସମ୍ବଲପୁର ଗ୍ରୁପ କମାଣ୍ଡର, କଲୋନେଲ ଅମିତାଭ ରୟଙ୍କ ନିର୍ଦେଶନାର ସହଯୋଗରେ ପରିଚାଳନା କରିଥିଲେ। ତେବେ ବିଜୟୀ ଓଡ଼ିଶା ଏନସିସି ଟିମର ସମସ୍ତ କ୍ୟାଡେଟମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ ବାଣପୁର ବ୍ଲକ ବୋରିଗାଁର ଜାତୀୟ ସ୍ତରର ଖେଳାଳି ତଥା ପ୍ରଶିକ୍ଷକ ରଞ୍ଜିତ ରାଉତରାୟ। ଓଡିଶା ଦଳର ଏଭଳି ସଫଳତା ପାଇଁ ସମସ୍ତ ଖେଳାଳି ଏବଂ  ପ୍ରଶିକ୍ଷକ ରଞ୍ଜିତଙ୍କୁ ସବୁ ମହଲରୁ ପ୍ରଶଂସାର ସୂଅ ଛୁଟିଛି।

Related posts