
ବଲିଉଡ୍ ସୁଲତାନ ସଲମାନ୍ ଖାନ୍ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭାରତ’ର ଟ୍ରେଲର ଆଜି ରିଲିଜ୍ ହୋଇଛି। ୩.୧୧ସେକେଣ୍ଡର ଏହି ଟ୍ରେଲର୍ଟି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଡାଏଲଗରୁ ଆରମ୍ଭ ହୋଇଛି।। ଏହି ଟ୍ରେଲରରେ ବ୍ୟାକ୍ଗ୍ରାଉଣ୍ଡରେ ଭାଇଜାନ୍ଙ୍କ ଭଏସ୍ରେ ଫିଲ୍ମର ଷ୍ଟୋରୀ ବିଷୟରେ ସଂକ୍ଷିପ୍ତ ବିବରଣୀ ଦିଆଯାଇଛି। ଏହି ଟ୍ରେଲ୍ରରେ ସଲମାନ୍ଙ୍କୁ ପ୍ରଥମେ ମିଡିଲ୍ କ୍ଲାସ୍ର ଜଣେ ମଧ୍ୟବୟସ୍କ ଭାବେ ଦେଖିବାକୁ ମିଳୁଥିବାବେଳେ ପରବର୍ତ୍ତୀ ସମୟରେ ତାଙ୍କ ଜୀବନୀକୁ ଦେଖାଯାଇଛି। ଏହି ଫିଲ୍ମରେ ସଲମାନ୍ ଓ କ୍ୟାଟ୍ରିନାଙ୍କ ସଂଳାପ ଦେଖାଯାଇଛି। ପ୍ରଥମରୁ ସଲମାନ୍ଙ୍କୁ ଷ୍ଟଣ୍ଟମ୍ୟାନ୍ ରୂପେ ଉଭା ହୋଇଥିବାବେଳେ ତାଙ୍କୁ ନୌସେନା ଅଧିକାରୀ ରୂପେ ଦେଖିବାକୁ ମିଳିଛି। ଫିଲ୍ମରେ ଭାରତ ନାମକୁ ନେଇ ସଲମନ୍ଙ୍କ ଜବଦରସ୍ତ ସଂଳାପ ରହିଛି ଭାରତ ନାମକୁ ନେଇ। ଭାରତ ଦେଶକୁ ଭଲ ପାଉଥିବାରୁ ତାଙ୍କ ପିତା ତାଙ୍କ ନାମ ଭାରତ ରଖିଥିଲେ। ଏତେ ବଡ଼ ନାମ ଆଗରେ ପଛରେ ସରନେମ୍ ଲଗାଇ ତାକୁ ଛୋଟ କରିବାକୁ ଚାହିଁନଥିବାର କହିଛନ୍ତି ସଲ୍ଲୁ। ଫିଲ୍ମର ସଲ୍ଲୁଙ୍କ ଭିନ୍ନ ଭିନ୍ନ ରୂପ ଦେଖିବାକୁ ମିଳିଛି। ତେବେ ଫିଲ୍ମର ଟ୍ରେଲର୍ରେ ଜ୍ୟାକିଶ୍ରଫ୍, କ୍ୟାଟ୍ରିନା କୈଫ୍, ଦିଶା ପଟ୍ଟାନୀ, ସୁନୀଲ୍ ଗ୍ରୋଭର୍ ପ୍ରମୁଖ ଦେଖିବାକୁ ମିଳିଛନ୍ତି। ଅଲ୍ଲୀ ଆବାସ୍ ଜାଫର୍ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ନିର୍ମାଣ କରିଛନ୍ତି ସଲମାନ୍ ଫିଲ୍ମସ୍ ଓ ଅତୁଲ୍ ଅଗ୍ନିହୋତ୍ରୀ। ଫିଲ୍ମଟି ଇଦ୍ ଅବସରରେ ଜୁନ୍ ୫ ତାରିଖରେ ମୁକ୍ତିଲାଭ କରିବ। ପ୍ରତ୍ୟେକ ବର୍ଷ ଇଦ୍ ଅବସରରେ ଭାଇଜାନ୍ ତାଙ୍କ ଫ୍ୟାନ୍ମାନଙ୍କୁ ଫିଲ୍ମ ଜରିଆରେ ସ୍ବତନ୍ତ୍ର ଭେଟି ଦେଇଥା’ନ୍ତି। ତେବେ ୨୦୧୮ର ଇଦ୍ ଅବସରରେ ମୁକ୍ତିଲାଭ କରିଥିବା ‘ରେସ୍୩‘ ଦର୍ଶକଙ୍କ ଦ୍ବାରା ଏତେ ଆଦୃତ ହୋଇପାରିନଥିବାବେଳେ ଏହି ଫିଲ୍ମକୁ ନେଇ ଦର୍ଶକେ ବେଶ୍ ଆଶାବାଦୀ ରହିଛନ୍ତି। ତେବେ ଲଗାତାର୍ ହିଟ୍ ଦେଇଥିବା ଆକ୍ଟର – ଡିରେକ୍ଟର ଯୋଡ଼ି ସଲମାନ୍ – ଅଲ୍ଲୀ ଆବାସ୍ ଏହି ଫିଲ୍ମକୁ ନେଇ ବେଶ୍ ଉତ୍ସାହିତ ରହିଛନ୍ତି।