ଏସିଆନ୍‌ ରେସ୍‌ଲିଂ ଚାମ୍ପିୟନ୍‌ସିପ୍‌ : ବଜରଙ୍ଗଙ୍କୁ ସ୍ବର୍ଣ୍ଣ, ରାଣାଙ୍କୁ ରୌପ୍ୟ

Published: Apr 24, 2019, 5:19 pm IST

ବିଶ୍ୱର ଏକ ନମ୍ବର କୁସ୍ତି ଖେଳାଳି ବଜରଙ୍ଗ ପୁନିଆ ଏସିଆନ କୁସ୍ତି ଚ୍ୟାମ୍ପିୟନସିପ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହା ସହିତ ଅନ୍ୟ ଦୁଇ ଭାରତୀୟ ଖେଳାଳି ପ୍ରବୀଣ ରାଣା ରୌପ୍ୟ ପଦକ ଏବଂ ସତ୍ୟବ୍ରତ କାଡିଆନ୍‌ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ବଜରଙ୍ଗ ପୁରୁଷ ୬୫ କେଜି ଫାଇନାଲରେ କଜାଖସ୍ତାନର ସୟାତବେକ ଓକାସୋବଙ୍କୁ ୧୨-୭ ପଏଣ୍ଟରେ ପରାସ୍ତ କରିଛନ୍ତି। ଏକଦା ବଜରଙ୍ଗ ୨-୭ ପଏଣ୍ଟରେ ପଛୁଆ ଥିଲେ ମାତ୍ର ଚମତ୍କାର ପ୍ରତ୍ୟାବର୍ତ୍ତନ ସହ ବିଜୟୀ ହୋଇଥିଲେ। ଶେଷ ୬୦ ସେକେଣ୍ଡ ବାକିଥିବା ବେଳେ ବଜରଙ୍ଗ ୩ ଏଣ୍ଟ ହାସଲ କରି ମ୍ୟାଚ ନିଜ ନାମରେ କରିଛନ୍ତି। ଅନ୍ୟତମ ଫାଇନାଲିଷ୍ଟ ପ୍ରବୀଣ ରାଣା (୭୯ କିଗ୍ରା) ଇରାନ୍‌ର ମହମ୍ମଦ ତୈମୁରୀଙ୍କ ନିକଟରୁ ୩-୦ ରେ ପରାସ୍ତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି। ବ୍ରୋଞ୍ଜ ପଦକ ପ୍ଲେ ଅଫ୍‌ରେ ରହିଥିବା ଦୁଇ ଭାରତୀୟ ଖେଳାଳିଙ୍କ ମଧ୍ୟରୁ ସତ୍ୟବ୍ରତ କାଡିଆନ୍‌ (୯୭) ପଦକ ହାସଲରେ ସଫଳ ହୋଇଥିବା ବେଳେ ୫୭ କିଗ୍ରା ବିଭାଗରେ ରବି କୁମାରଙ୍କୁ ନିରାଶ ହେବାକୁ ପଡିଥିଲା।

Related posts