ବରୀରେ ବିଜେଡି ଓ କଂଗ୍ରେସ ଉପରେ ବର୍ଷିଲେ ରାଜନାଥ

Published: Apr 25, 2019, 4:53 pm IST

ଯାଜପୁରର ବରୀରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି ଗୃହ ମନ୍ତ୍ରୀ ରାଜନାଥ ସିଂ। ସେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର ଅବସରରେ ବିଜେପି ନେତାଙ୍କ ପାଇଁ ପ୍ରଚାର କରିବାକୁ ଓଡିଶା ଆସିଥିଲେ। ନିଜ ଭାଷଣରେ ଉଭୟ ବିଜେଡି ଏବଂ କଂଗ୍ରେସକୁ ସମାଲୋଚନା କରିଥିଲେ ରାଜନାଥ। ଭାଷଣ ଆରମ୍ଭରୁ ବିଜେଡି ସରକାରକୁ ସମାଲୋଚନା କରିବା ସହିତ ୨୦ ବର୍ଷରେ ରାଜ୍ୟର କଣ ବିକାଶ ହୋଇଛି ବୋଲି ପ୍ରଶ୍ନ କରିଥିଲେ ରାଜନାଥ। ସେହିପରି ବିଜେଡି ସରକାର ଆୟୁଷ୍ମାନ ଭାରତ ଯୋଜନା ଲାଗୁ ନକରିବାକୁ ମଧ୍ୟ ସମାଲୋଚନା କରିଥିଲେ ରାଜନାଥ। ଏହା ସହିତ ୨୦ ବର୍ଷ ବିଜେଡିକୁ ସୁଯୋଗ ଦେଇଥିବା ଜନସାଧାରଣ ୫ ବର୍ଷ ବିଜେପିକୁ ସୁଯୋଗ ଦେବା ଉଚିତ୍‌ ବୋଲି ରାଜନାଥ କହିଥିଲେ। କେନ୍ଦ୍ର ସରକାରଙ୍କ ଉଜ୍ଜଳା ଯୋଜନାକୁ ପ୍ରଶଂସା କରି କଂଗ୍ରେସକୁ ସମାଲୋଚନା ମଧ୍ୟ କରିଥିଲେ ରାଜନାଥ। ସେ କହିଥିଲେ, ୧୯୯୭ରୁ ୨୦୧୪ ମଧ୍ୟରେ ୟୁପିଏ ସରକାର ଅମଳରେ ମାତ୍ର ୧୨ କୋଟି ଗ୍ୟାସ୍‌ ସଂଯୋଗ ଦିଆଯାଇଥିବା ବେଳେ କେବଳ ବିଗତ ଚାରି ବର୍ଷରେ ୧୩ କୋଟି ଗ୍ୟାସ୍‌ ସଞ୍ଜୋଗ ପ୍ରଦାନ କରାଯାଇଛି। ଏହା ସହିତ କହିଥିଲେ ୨୦୨୨ ସୁଦ୍ଧା ଏମିତି କୌଣସି ଘର ନଥିବ ଯେଉଁଥିରେ ପକ୍କା ଘର ନଥିବ କିମ୍ବା ଗ୍ୟାସ୍‌ ସଞ୍ଜୋଗ ନଥିବ। ସେହିପରି କେନ୍ଦ୍ର ସରକାର ଦୈନିକ ୩୦ରୁ ୩୨ କିମି ଜାତୀୟ ରାଜପଥ ନିର୍ମାଣ କରୁଛନ୍ତି ବୋଲି ରାଜନାଥ କହିଥିଲେ। ସରକାର ପୁନର୍ବାର କ୍ଷମତାକୁ ଆସିଲେ କିଷାନ କ୍ରେଡିଟ କାର୍ଡରେ ୫ ବର୍ଷ ପର୍ଯ୍ୟନ୍ତ ବିନା ସୁଦ୍ଧରେ ଋଣ ଦିଆଯିବ ବୋଲି କହିବା ସହିତ ଭୋଟ ଅପିଲ୍‌ କରିଥିଲେ ରାଜନାଥ।

Related posts