କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: ୧୨ ରୁ ୧୪ ବର୍ଷ ପିଲାଙ୍କୁ ଦିଆଯିବ କୋଭିଡ ଟିକା

Published: Mar 14, 2022, 9:18 pm IST

ନୂଆଦିଲ୍ଲୀ: ୧୨ରୁ ୧୩ ବର୍ଷ ଏବଂ ୧୩ରୁ ୧୪ ବର୍ଷ ପିଲାମାନଙ୍କର କୋଭିଡ ୧୯ ଟିକାକରଣ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ବୈଜ୍ଞାନିକ ସଂସ୍ଥାମାନଙ୍କ ସହିତ ଆବଶ୍ୟକ ବିଚାରବିମର୍ଶ କରିବା ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ୧୬ ମାର୍ଚ୍ଚ ୨୦୨୨ ଠାରୁ ପିଲାମାନଙ୍କର ଟିକାକରଣ ଆରମ୍ଭ ହେବ। ୧୨ ବର୍ଷ ବୟସ ଟପି ସାରିଥିବା ଅର୍ଥାତ୍ ୨୦୦୮, ୨୦୦୯ ଏବଂ ୨୦୧୦ରେ ଜନ୍ମ ନେଇଥିବା ପିଲାମାନଙ୍କୁ ଟିକା ଦିଆଯିବାକୁ ନିଷ୍ପତ୍ତି ହୋଇଛି। ହାଇଦ୍ରାବାଦସ୍ଥିତ ବାୟୋଲୋଜିକାଲ ଇ. ଲିମିଟେଡ ପକ୍ଷରୁ ପ୍ରସ୍ତୁତ କୋର୍ବେଭାକ୍ସ କୋଭିଡ ୧୯ ଟିକା ପିଲାମାନଙ୍କୁ ଦିଆଯିବ।

ସୂଚନା ଯୋଗ୍ୟ ଯେ ବର୍ତ୍ତମାନ ଜାରି ରହିଥିବା କୋଭିଡ ୧୯ ଟିକାକରଣ କାର୍ଯ୍ୟକ୍ରମ ଅଧୀନରେ ୧୪ ବର୍ଷରୁ ଅଧିକ ବୟସର ଲୋକମାନଙ୍କୁ କୋଭିଡ ୧୯ ଟିକା ଦିଆଯାଉଛି।

୬୦ ବର୍ଷରୁ ଅଧିକ ବୟସର ଜନସଂଖ୍ୟାଙ୍କ ପାଇଁ କୋଭିଡ ୧୯ ବୁଷ୍ଟର ଡୋଜ୍ ଦିଆଯିବା ଲାଗି ପୂର୍ବବ୍ୟାଧି (କୋ-ମୋର୍ବଡିଟୀ) ସର୍ତ୍ତାବଳୀକୁ ଉଚ୍ଛେଦ କରିବା ଲାଗି ମଧ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ତେଣୁ ୧୬ ମାର୍ଚ୍ଚ, ୨୦୨୨ ପରଠାରୁ, ୬୦ ବର୍ଷରୁ ଅଧିକ ବୟସ୍କ ସବୁ ଲୋକମାନେ କୋଭିଡ ୧୯ର ବୁଷ୍ଟର ଡୋଜ୍ ଟିକା ନେଇପାରିବେ।

Related posts