ଶିକ୍ଷକ ପୂରଣ ଦାବିରେ ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା

Published: Jul 15, 2022, 9:28 am IST

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଜୁନାଗଡ଼ ସ୍ଥିତ ଆଦର୍ଶ ବିଦ୍ୟାଳୟ ଠାରେ ସ୍ଥାୟୀ ଅଧ୍ୟକ୍ଷ ଓ ଶିକ୍ଷକ ନିଯୁକ୍ତି ଦାବୀ ନେଇ ବିଦ୍ୟାଳୟ ସମ୍ମୁଖରେ ଶ୍ରେଣୀ ବର୍ଜନ କରି ଛାତ୍ରଛାତ୍ରୀ ମାନେ ଧାରଣା ଦେଇଛନ୍ତି। ଏହି ବିଦ୍ୟାଳୟ ୨୦୧୬ମସିହାରୁ ଆରମ୍ଭ ହୋଇ ବର୍ତ୍ତମାନ ଷଷ୍ଠରୁ ଦଶମ ଶ୍ରେଣୀ ଯାଏଁ ପାଠ ପଢା ହେଉଛି। ହେଲେ ଏଠାରେ ଆବଶ୍ୟକ ଶିକ୍ଷକ ପଦବୀ ପୂରଣ ହୋଇ ପାରିନି। ଏପରିକି ଏଠାରେ ସ୍ଥାୟୀ ଅଧ୍ୟକ୍ଷ ପଦ ମଧ୍ୟ ଖାଲି ଅଛି। ଏନେଇ ଅଭିଭାବକ ଓ ବିଦ୍ୟାଳୟ କର୍ତ୍ତୃପକ୍ଷ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଏହା ପୂରଣ ହୋଇ ପାରୁ ନାହିଁ। ଏପରିକି ଏଠାରୁ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ଅନ୍ୟତ୍ର ବଦଳି ହୋଇ ଯାଇଥିଲେ ମଧ୍ୟ ଏଠାରେ ଏହି ଶିକ୍ଷକ ନିଯୁକ୍ତି କରାଯାଇ ନାହିଁ।

ଯାହା ଫଳରେ ଛାତ୍ରଛାତ୍ରୀମାନଙ୍କୁ ପଢ଼ିବାରେ ଅନେକ ସମସ୍ୟା ଦେଖା ଦେଇଛି। ଏଣୁ ସ୍ଥାୟୀ ଅଧ୍ୟକ୍ଷ, ପି ଜି ଟି, ଫିଜିକ୍ସ, ହିନ୍ଦୀ, ସଂସ୍କୃତ, ଆର୍ଟ, ମ୍ୟୁଜିକ ଶିକ୍ଷକ ଏବଂ କ୍ଲର୍କ ନିଯୁକ୍ତି ଦାବୀନେଇ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଶ୍ରେଣୀ ବର୍ଜନ କରି ସ୍କୁଲ ଫାଟକ ସମ୍ମୁଖରେ ଧର୍ମଘଟ କରିଥିଲେ।

ପ୍ରଶାସନ ତରଫରୁ ଧର୍ମଗଡ଼ ଉପଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ସ୍ଥାନୀୟ ତହସିଲଦାର ବେଦବ୍ୟାସ ଭୋଇ, ବିଡ଼ିଓ ଦୁଲାରାମ ମାରାଣ୍ଡି ଘଟଣାସ୍ଥଳରେ ଉପସ୍ଥିତ ହୋଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏଠାରେ ସ୍ଥାୟୀ ନିଯୁକ୍ତି ନ ହେବା ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ଶିକ୍ଷକ ବ୍ୟବସ୍ଥା କରାଯାଇ ପାଠ ପଢା ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀ ଧର୍ମଘଟରୁ ଓହରି ଥିଲେ।

Related posts