ଶଙ୍କରାଚାର୍ଯ୍ୟଙ୍କ ଉତ୍ତରାଧିକାରୀ ହେଲେ ସ୍ଵାମୀ ଅଭିମୁକ୍ତେଶ୍ୱରାନନ୍ଦ ଏବଂ ସ୍ଵାମୀ ସଦାନନ୍ଦ

Published: Sep 12, 2022, 5:20 pm IST

ନୂଆଦିଲ୍ଲୀ: ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ଵରୁପାନନ୍ଦ ସରସ୍ୱତୀଙ୍କ ପରେ କିଏ ହେବ ଉତ୍ତରାଧିକାରୀ? ସେନେଇ ଆଜି ନାମ ଘୋଷଣା କରାଯାଇଛି। ସ୍ଵାମୀ ଅଭିମୁକ୍ତେଶ୍ୱରାନନ୍ଦ ଏବଂ ସ୍ଵାମୀ ସଦାନନ୍ଦଙ୍କୁ ଦ୍ୱାରକା ଶାରଦା ପୀଠର ଉତ୍ତରାଧିକାରୀ ଘୋଷଣା କରାଯାଇଛି। ଆଜି
ଶଙ୍କରାଚାର୍ଯ୍ୟ ଜିଙ୍କ ପାର୍ଥିବ ଶରୀର ସମ୍ମୁଖରେ ଏହା ଘୋଷଣା କରାଯାଇଛି।

ଶଙ୍କରାଚାର୍ଯ୍ୟଙ୍କ ବ୍ୟକ୍ତିଗତ ସଚିବ ସୁବୋଦ୍ଧାନନ୍ଦ ମହାରାଜ ଉତ୍ତରାଧିକାରୀଙ୍କ ନାମ ଘୋଷଣା କରିଛନ୍ତି। ଏହି ଅନୁଯାୟୀ, ଜ୍ୟୋତିଷ ପୀଠର ନୂତନ ଶଙ୍କରାଚାର୍ଯ୍ୟ ହେବେ ସ୍ଵାମୀ ଅଭିମୁକ୍ତେଶ୍ୱରାନନ୍ଦ ଏବଂ ଶାରଦା ପୀଠର ନୂତନ ଶଙ୍କରାଚାର୍ଯ୍ୟ ହେବେ ସଦାନନ୍ଦ ସରସ୍ୱତୀ। ରବିବାର ଅପରାହ୍ନରେ ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ଵରୁପାନନ୍ଦ ସରସ୍ୱତୀଙ୍କ ଦେହାନ୍ତ ହୋଇଛି। ତାଙ୍କୁ ୯୯ ବର୍ଷ ହୋଇଥିଲା। ସୋମବାର ମଧ୍ୟପ୍ରଦେଶର ନରସିଂହପୁରର ପରମହଂସି ଗଙ୍ଗା ଆଶ୍ରମରେ ତାଙ୍କୁ ସମାଧୀ ଦିଆଯିବ।

ସ୍ୱାମୀ ସ୍ଵରୁପାନନ୍ଦଙ୍କୁ ୧୯୫୦ ମସିହାରେ ଏକ ଦଣ୍ଡ ସନ୍ୟାସୀ କରାଯାଇଥିଲା। ସେ ଜ୍ୟୋତିରିମଠ ପୀଠର ବ୍ରହ୍ମାଲିନ୍ ଶଙ୍କରାଚାର୍ଯ୍ୟଙ୍କ ଠାରୁ ଦଣ୍ଡ ସନ୍ୟାସୀ ଦିକ୍ଷା ନେଇଥିଲେ ଏବଂ ସ୍ୱାମୀ ସ୍ଵରୁପାନନ୍ଦ ସରସ୍ୱତୀ ଭାବରେ ପରିଚିତ ହୋଇଥିଲେ। ସେ ୧୯୮୧ ରେ ଶଙ୍କରାଚାର୍ଯ୍ୟ ଆଖ୍ୟା ପାଇଥିଲେ। ସେ ଦ୍ୱାରକା ପୀଠ ସହିତ ଉତ୍ତରାଖଣ୍ଡର ଯୋଷିମଠର ଜ୍ୟୋତିଷପୀଠର ମଧ୍ୟ ଶଙ୍କରାଚାର୍ଯ୍ୟ ଥିଲେ। ଦୀର୍ଘ ଦିନର ଆଇନଗତ ଯୁଦ୍ଧ ପରେ ସେ ଜ୍ୟୋତିଷପୀଠର ଶଙ୍କରାଚାର୍ଯ୍ୟ ଆଖ୍ୟା ପାଇଥିଲେ।

ଜ୍ୟୋତିଷ ତଥା ଶାରଦା ପୀଠ ସ୍ୱାମୀ ସ୍ଵରୁପାନନ୍ଦ ସରସ୍ୱତୀଙ୍କ ଶଙ୍କରଚାର୍ଯ୍ୟ ସେପ୍ଟେମ୍ବର ୨ ତାରିଖ ୧୯୨୪ରେ ମଧ୍ୟପ୍ରଦେଶର ସେଓନି ଜିଲ୍ଲାର ଡିଡିଘୋରୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିଲାଦିନର ନାମ ପୋଥିରାମ ଉପାଧ୍ୟାୟ ଥିଲା। ସରସ୍ୱତୀ ନଅ ବର୍ଷ ବୟସରେ ଘର ଛାଡି ଧର୍ମ ଯାତ୍ରା ଆରମ୍ଭ କରିଥିଲେ। ସ୍ୱାଧୀନତା ସଂଗ୍ରାମ ସମୟରେ ବ୍ରିଟିଶଙ୍କୁ ବିରୋଧ କରି ତାଙ୍କୁ ଜେଲରେ ମଧ୍ୟ ରଖାଯାଇଥିଲା। ଶଙ୍କରାଚାର୍ଯ୍ୟଙ୍କ ଅନୁସରଣକାରୀମାନେ କହିଥିଲେ ଯେ, ସେ ୧୯୮୧ ମସିହାରେ ଶଙ୍କରାଚାର୍ଯ୍ୟ ହୋଇଥିଲେ ଏବଂ ନିକଟରେ ଶଙ୍କରାଚାର୍ଯ୍ୟଙ୍କ ୯୯ ତମ ଜନ୍ମଦିନ ପାଳନ କରାଯାଇଥିଲା।

Related posts