କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ଭାଙ୍ଗିବ ବଙ୍ଗଳା: ବିଏମସିକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

Published: Sep 20, 2022, 2:44 pm IST

ମୁମ୍ବାଇ: ମୁମ୍ବାଇରେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ବଙ୍ଗଳାକୁ ଦୁଇ ସପ୍ତାହ ମଧ୍ୟରେ ଭାଙ୍ଗିବା ପାଇଁ ବୃହମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (ବିଏମସି) କୁ ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନିର୍ମାଣରେ ‘ଫ୍ଲୋର ସ୍ପେସ୍ ଇଣ୍ଡେକ୍ସ’ (SSI) ଏବଂ ‘କୋଷ୍ଟାଲ୍ ରେଗୁଲେସନ୍ ଜୋନ୍’ (CRZ) ନିୟମ ଉଲ୍ଲଂଘନ କରାଯାଇଛି ବୋଲି କୋର୍ଟ କହିଛନ୍ତି। ଜଷ୍ଟିସ୍ ଆର. ଡି ଧାନୁକା ଏବଂ ଜଷ୍ଟିସ କମଲ ଖତାଙ୍କ ଖଣ୍ଡପୀଠ କହିଛନ୍ତି ଯେ, ରାଣେ ପରିବାର ଦ୍ୱାରା ପରିଚାଳିତ କମ୍ପାନୀ ଦ୍ଵାରା ଦାଖଲ ହୋଇଥିବା ଦ୍ୱିତୀୟ ଆବେଦନକୁ ବୃହମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଅନୁମତି ଦେଇପାରିବ ନାହିଁ, କାରଣ ଏହା କରିବା ଦ୍ଵାରା” ଅନଧିକୃତ ନିର୍ମାଣକୁ ପ୍ରୋତ୍ସାହିତ ମିଳିବ।

କମ୍ପାନୀ ଦ୍ଵାରା ଦାଖଲ ହୋଇଥିବା ଆବେଦନରେ ଅନଧିକୃତ ନିର୍ମାଣକୁ ନିୟମିତ କରିବାକୁ ଦାବି କରାଯାଇଛି। ଦୁଇ ସପ୍ତାହ ମଧ୍ୟରେ ଅନଧିକୃତ ଅଂଶକୁ ଭାଙ୍ଗିବାକୁ ଏବଂ ଏକ ସପ୍ତାହ ପରେ ଅନୁପାଳନ ରିପୋର୍ଟ କୋର୍ଟରେ ଦାଖଲ କରିବାକୁ ବିଏମସିକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଖଣ୍ଡପୀଠରେ ରାଣେଙ୍କ ଉପରେ ୧୦ ଲକ୍ଷ ଟଙ୍କା ଜୋରିମାନା ଲାଗୁ କରାଯାଇଛି ଏବଂ ଏହି ରାଶି ଦୁଇ ସପ୍ତାହ ମଧ୍ୟରେ ମହାରାଷ୍ଟ୍ର ରାଜ୍ୟ ଆଇନ ସେବା ପ୍ରାଧିକରଣରେ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଣେଙ୍କ ଓକିଲ ଶାର୍ଦ୍ଦୁଲ ସିଂ କୋର୍ଟଙ୍କ ଆଦେଶକୁ ୬ ସପ୍ତାହ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ, ଯାହା ଦ୍ଵାରା ସେ ସୁପ୍ରିମକୋର୍ଟରେ ଆବେଦନ କରିପାରିବେ। କିନ୍ତୁ ତାଙ୍କ ଅନୁରୋଧକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି।

Related posts