କଂଗ୍ରେସ ସଭାପତି ଦୌଡରୁ ହଟିଲେ ଅଶୋକ ଗେହଲୋଟ୍, ମୁଖ୍ୟମନ୍ତ୍ରୀ ପାଇଁ ଭାଗ୍ୟ ସ୍ଥିର କରିବେ ସୋନିଆ

Published: Sep 29, 2022, 7:21 pm IST

ନୂଆଦିଲ୍ଲୀ: ରାଜସ୍ଥାନରେ କଂଗ୍ରେସର ରାଜନୈତିକ ସଙ୍କଟ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ। କଂଗ୍ରେସ ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ କହିଛନ୍ତି ଯେ, ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ସମ୍ପର୍କରେ କଂଗ୍ରେସ ସଭାପତି ନିଷ୍ପତ୍ତି ନେବେ। ଗୁରୁବାର ଦିନ ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ଅଶୋକ ଗେହଲୋଟ୍ କହିଛନ୍ତି ଯେ, ସେ କଂଗ୍ରେସ ସଭାପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ଅର୍ଥାତ୍ ସେ ନିଜକୁ ଏହି ଦୌଡରୁ ଦୂରେଇ ଯାଇଛନ୍ତି। କିନ୍ତୁ ସେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ରହିବେ କି ନାହିଁ, ତାହା ୪୮ ଘଣ୍ଟା ମଧ୍ୟରେ ନିଷ୍ପତ୍ତି ନିଆଯିବ।

ଜୟପୁରରେ କଂଗ୍ରେସ ବିଧାୟକ ଦଳର ବୈଠକ କରି ନ ଥିବାରୁ ଅଶୋକ ଗେହଲୋଟ୍ ସଭାପତି ସୋନିଆ ଗାନ୍ଧୀଙ୍କୁ କ୍ଷମା ମାଗିଛନ୍ତି ଏବଂ ସେ କହିଛନ୍ତି ଯେ, ସେ ଆଉ ସଭାପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ସୋନିଆ ଗାନ୍ଧୀଙ୍କୁ ତାଙ୍କ ବାସଭବନ ‘୧୦ ଜନପାଥ’ରେ ଭେଟିବା ପରେ ଗେହଲୋଟ୍ ଏହା ମଧ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଭାବରେ ସେ କାର୍ଯ୍ୟ କରିବେ କି ନାହିଁ ତାହା ସୋନିଆ ଗାନ୍ଧୀ ସ୍ଥିର କରିବେ। ଦଳର ରାଜସ୍ଥାନ ୟୁନିଟରେ ସଙ୍କଟ ଦେଖାଦେବା ପରେ ଗେହଲଟ ପ୍ରଥମ ଥର ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି।

ଅଶୋକ ଗେହଲୋଟ୍ କହିଛନ୍ତି ଯେ, ମୁଁ ଗତ ୫୦ ବର୍ଷ ଧରି କଂଗ୍ରେସର ଜଣେ ବିଶ୍ୱସ୍ତ ସୈନିକ ଥିଲି … ଦୁଇ ଦିନ ପୂର୍ବେ ଘଟିଥିବା ଘଟଣା ଆମ ସମସ୍ତଙ୍କୁ ଦୋହଲାଇ ଦେଇଛି। ମୁଁ ଯେଉଁ ଯନ୍ତ୍ରଣା ଅନୁଭବ କରୁଛି ତାହା କେବଳ ମୁଁ ଜାଣିପାରେ। ସାରା ଦେଶରେ ଏକ ବାର୍ତ୍ତା ବାହାରିଛି ଯେ, ମୁଁ ମୁଖ୍ୟମନ୍ତ୍ରୀ ଭାବରେ ଜାରି ରଖିବାକୁ ଚାହୁଁଛି, ତେଣୁ ଏସବୁ ହେଉଛି। ଦୁର୍ଭାଗ୍ୟବଶତଃ ଏପରି ପରିସ୍ଥିତି ଉପୁଜିଲା ଯେ ସଂକଳ୍ପ ପାରିତ ହୋଇପାରିଲା ନାହିଁ। ମୁଁ ସୋନିଆଜୀଙ୍କୁ କ୍ଷମା ମାଗିଛି। ମୁଁ ଏହି ପରିବେଶରେ ନିର୍ବାଚନ ଲଢିବି ନାହିଁ। ଏହା ମୋର ନିଷ୍ପତ୍ତି।”

Related posts