ଚିଲିକା: ବିଜେପିର ହେଲା ରୁଦ୍ଧ ଦ୍ଵାର ବୈଠକ, କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

Published: Dec 29, 2022, 1:56 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ଗତକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡା ଦିନିକିଆ ଗସ୍ତରେ ଓଡ଼ିଶା ଆସି ଫେରିଯାଇଛନ୍ତି। ଫୋକସରେ ଥିଲା ପୁରୀ ଲୋକସଭା ଆସନ। ପୁରୀ ଲୋକସଭା ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳୀର ବାଣପୁର ପଲଟନ ଠାରେ ଏକ ବିଶାଳ ସାଧାରଣ ସଭାକୁ ସମ୍ବୋଧିତ କରିବା ପରେ ନଡ୍ଡା ଏକ ରୁଦ୍ଧଦ୍ୱାର ବୈଠକ କରିଥିବା ଜଣାପଡିଛି। ଉକ୍ତ ବୈଠକ ଦଳ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ଥିଲା।

ବାଣପୁର କାର୍ଯ୍ୟକ୍ରମ ସାରିବା ପରେ ଏକାମୁହାଁ ହୋଇ ନାଚୁଣୀ ଅରବିନ୍ଦ ସ୍କୁଲ ପଡିଆରେ ଶ୍ରୀ ନଡ୍ଡା ପହଞ୍ଚିଥିଲେ। ସେଠାରେ ଦଳୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଭାଗ ନେଇ କର୍ମୀଙ୍କୁ ଶ୍ରୀ ନଡ୍ଡା ଗୁରୁମନ୍ତ୍ର ଦେଇଥିଲେ।

ଉକ୍ତ ବୈଠକରେ କେବଳ ପୁରୀ ଲୋକସଭାର ନିମନ୍ତ୍ରିତ ୪୦୦ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ପୁରୀ ଲୋକସଭା ଅନ୍ତର୍ଗତ ୭ ଗୋଟି ବିଧାନସଭାର ସମସ୍ତ ମଣ୍ଡଳ ସଭାପତି, କୋର କମିଟି ସଦସ୍ୟ ଏବଂ ନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ଅଧ୍ୟକ୍ଷ ଓ ପୌରାଞ୍ଚଳର କାଉନସିଲରମାନେ ଉକ୍ତ ବୈଠକରେ ଯୋଗ ଦେଇଥିଲେ।

ଆସନ୍ତା ୧୪ ମାସ କଠିନ ପରିଶ୍ରମ କରିବା ପାଇଁ ସମସ୍ତ କାର୍ଯ୍ୟକର୍ତ୍ତାମାନଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପରାମର୍ଶ ଦେଇଥିଲେ। ଦଳ ଛାଡିଥିବା କାର୍ଯ୍ୟକର୍ତ୍ତାମାନଙ୍କୁ ଦଳରେ ଆଣିବା ପାଇଁ ସମ୍ପର୍କ କରିବା, ନିରନ୍ତର ପ୍ରବାସ କରିବା, ପ୍ରତିଦିନ ନୂଆ ନୂଆ କାର୍ଯ୍ୟକର୍ତ୍ତାଙ୍କୁ ଯୋଡିବା, ଭାଜପା ପ୍ରାର୍ଥୀଙ୍କ ଠାରୁ ହାରି ଯାଇଥିବା ପ୍ରାର୍ଥୀଙ୍କ ସହ ସମ୍ପର୍କ ବଢାଇବା ପାଇଁ ଚେଷ୍ଟା କରିବା ଆଦି ବହୁ କର୍ଣ୍ଣମନ୍ତ୍ର ପ୍ରଦାନ କରିଥିଲେ ଶ୍ରୀ ନଡ୍ଡା।

ଭାଜପା ଏକ ବିଚାରଧାରା ଦଳ ଯେଉଁଠି ରାଷ୍ଟ୍ର ପ୍ରଥମ। ସମ୍ପ୍ରତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଳିଷ୍ଠ ନେତୃତ୍ୱକୁ ବିଶ୍ୱ ମାନୁଥିବା ବେଳେ ସମଗ୍ର ଦେଶରେ କୋଟି କୋଟି କାର୍ଯ୍ୟକର୍ତ୍ତା ନିସ୍ଵାର୍ଥପର ଭାବେ ଭାଜପା ପାଇଁ କାମ କରୁଛନ୍ତି। ପୁରୀ ଲୋକସଭାର ପ୍ରତିଟି ବିଜେପି କାର୍ଯ୍ୟକର୍ତ୍ତା ଜନସାଧାରଣଙ୍କ ଘରକୁ ଘର ଯାଇ ପ୍ରଧାନମନ୍ତ୍ରୀଙ୍କ ସୁଶାସନ ବିଷୟରେ ଅବଗତ କରାଇବା ସହ ଭାଜପା ପାଇଁ ଭୋଟଭିକ୍ଷା କରନ୍ତୁ ବୋଲି ଶ୍ରୀ ନଡ୍ଡା କହିଥିଲେ।

Related posts