ଧନବାଦର ନର୍ସିଂହୋମରେ ଅଗ୍ନିକାଣ୍ଡ: ଦୁଇ ଡାକ୍ତରଙ୍କ ସମେତ ୫ ମୃତ

Published: Jan 28, 2023, 4:32 pm IST

ଧନବାଦ୍: ଶୁକ୍ରବାର ବିଳମ୍ବିତ ରାତିରେ ଝାଡଖଣ୍ଡର ଧନବାଦରେ ଏକ ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଦୁଇ ଡାକ୍ତରଙ୍କ ସମେତ ଅତି କମରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ମୃତ ବ୍ୟକ୍ତିଙ୍କ ମଧ୍ୟରେ ମେଡିକାଲ ପ୍ରତିଷ୍ଠାନର ମାଲିକ ଡକ୍ଟର ବିକାଶ ହାଜରା, ତାଙ୍କ ପତ୍ନୀ ଡକ୍ଟର ପ୍ରେମା ହାଜରା, ମାଲିକଙ୍କ ପୁତୁରା ସୋହାନ ଖମାରି ଏବଂ ଘରୋଇ ସହାୟିକା ତାରା ଦେବୀ ଅଛନ୍ତି।

ଅଧିକାରୀଙ୍କ କହିବାନୁସାରେ, ରାଞ୍ଚିଠାରୁ ପ୍ରାୟ ୧୭୦ କିଲୋମିଟର ଦୂରରେ ଧନବାଦର ବ୍ୟାଙ୍କ ମୋଡ ଅଞ୍ଚଳରେ ଅବସ୍ଥିତ ନର୍ସିଂହୋମର ଷ୍ଟୋର ରୁମରେ ରାତି ପ୍ରାୟ ୨ ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଧନବାଦ୍ ସବ୍-ଡିଭିଜନାଲ ମାଜିଷ୍ଟ୍ରେଟ୍ ପ୍ରେମ କୁମାର ତିୱାରୀ କହିଛନ୍ତି ଯେ, ଷ୍ଟୋର ରୁମରେ ନିଆଁ ଲାଗିବା ପରେ ନର୍ସିଂହୋମର ମାଲିକ ଏବଂ ତାଙ୍କ ପତ୍ନୀଙ୍କ ସମେତ ଅତି କମରେ ପାଞ୍ଚ ଜଣଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି।

ଏକ ଘରୋଇ ନର୍ସିଂହୋମରେ ନିଆଁ ଲାଗି ଜଣେ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି। ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ବର୍ତ୍ତମାନ ଏହି ଘଟଣାରେ ଅଧିକ ତଦନ୍ତ ଚାଲିଛି। ” ଧନବାଦ୍ ସବ୍-ଡିଭିଜନାଲ ମାଜିଷ୍ଟ୍ରେଟ୍ ପ୍ରେମ ତିୱାରୀଙ୍କ ଅନୁଯାୟୀ ମୃତକଙ୍କ ମଧ୍ୟରୁ ୪ ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳେ ପଞ୍ଚମ ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡି ନାହିଁ।

Related posts