ସୂଚନା ଓ ଲୋକସଂପର୍କ ବିଭାଗରୁ ୩ କର୍ମଚାରୀଙ୍କ ଅବସର ଗ୍ରହଣ

Published: Mar 1, 2023, 11:10 am IST
IPR

ଭୁବନେଶ୍ବର: ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗରେଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭାଆଜି ଅପରାହ୍ଣରେ ଲୋକସମ୍ପର୍କ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆଜି ବିଭାଗର ବରିଷ୍ଠ ସୂଚନା ଅଧିକାରୀ ତଥା ସ୍ୱତନ୍ତ୍ର ପ୍ରଦର୍ଶନୀ ଅଧିକାରୀ ଶ୍ରୀ ସୁବାଷ ଚନ୍ଦ୍ର ନିଆଲ, ଷ୍ଟୋର ସୁପରଭାଇଜର ଶ୍ରୀ ରତନ କୁମାର ବିଶ୍ୱାଳ, ୪ର୍ଥ ଶ୍ରେଣୀ କର୍ମଚାରୀ ଶ୍ରୀ ଭ୍ରମରବର ଓଝାଙ୍କ ଅବସରଗ୍ରହଣ ପରିପ୍ରେକ୍ଷୀରେ ବିଭାଗର କର୍ମଚାରୀ କଲ୍ୟାଣ ସମିତି ତରଫରୁ ଏହି ସଭା ଅନୁଷ୍ଠିତ ହୋଇଥିଲା ।

ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଅବସରଗ୍ରହଣ କରିଥିବା ଏହି ଅଧିକାରୀ ଓ କର୍ମଚାରୀମାନଙ୍କୁ ପୁଷ୍ପଗୁଚ୍ଛଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରି ସେମାନଙ୍କର ଅବସରକାଳୀନ ସୁସ୍ଥ ଓ ଦୀର୍ଘ ଜୀବନ କାମନା କରିଥିଲେ ।ଏହି ଅବସରରେ ଶ୍ରୀ ନିଆଲ ଓ ଶ୍ରୀ ବିଶ୍ୱାଳଙ୍କୁ ମଞ୍ଜୁର ହୋଇଥିବା ଚୂଡାନ୍ତ ପେନସନ୍ ପେପର ଆଦେଶ ପତ୍ର ପ୍ରଦାନ କରାଯାଇଥିଲା ।

ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ବିଭାଗର ନିର୍ଦ୍ଦେଶକ (ବେଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡା, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ବିଶ୍ୱଜିତ୍ ଦାଶ, ଶ୍ରୀ ସୂର‌୍ୟ୍ୟରଞ୍ଜନ ମହାନ୍ତି, ବରିଷ୍ଠ ସୂଚନା ଅଧିକାରୀ ଶ୍ରୀ ସୁରଜିତ୍ ମିଶ୍ର, ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ଶ୍ରୀମତୀ ସୂଚେତା ପ୍ରିୟଦର୍ଶିନୀ, ସୂଚନା ଅଧିକାରୀ ଶ୍ରୀ ଦୀପକ କୁମାର ସାହୁ , ସ୍ୱତନ୍ତ୍ର ଅଧିକାରୀ ଶ୍ରୀ ସଚ୍ଚିଦାନନ୍ଦ ବେହେରା, ବିଭାଗର ବରିଷ୍ଠ କର୍ମଚାରୀ ଶ୍ରୀ ଶକ୍ତି ରଂଜନ ରାଉତ ପ୍ରମୁଖ ଯୋଗ ଦେଇ ଅବସରଗ୍ରହଣ କରୁଥିବା ଅଧିକାରୀ ଶ୍ରୀ ନିଆଲ ଓ ଅନ୍ୟ କର୍ମଚାରୀଙ୍କ ବ୍ୟକ୍ତିତ୍ୱ ଓ କର୍ତ୍ତବ୍ୟ ନିଷ୍ଠା ସଂପର୍କରେ ଆଲୋକପାତ କରିବା ସହ ସେମାନଙ୍କର ଅବସରକାଳୀନ ଶାନ୍ତି, ଦୀର୍ଘ ଓ ନିରାମୟ ଜୀବନ କାମନା କରିଥିଲେ ।

ଅବସରଗ୍ରହଣ କରିଥିବା ଅଧିକାରୀ ଓ କର୍ମଚାରୀ ବିଭାଗରେ ଦୀର୍ଘ ଦିନ ଧରି ନିଷ୍ଠାର ସହ କାର‌୍ୟ୍ୟ ସଂପାଦନ ସଂପର୍କରେ ନିଜ ନିଜର ଅନୁଭୂତି ପ୍ରକାଶ କରିଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗର ଯୁଗ୍ମ ଶାସନ ସଚିବ ଶ୍ରୀମତୀ ବିଷ୍ଣୁପ୍ରିୟା ସାହୁ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଗୁରବୀର୍ ସିଂଙ୍କ ସମେତ ବିଭାଗର ବିଭିନ୍ନ ଶାଖାର ବରିଷ୍ଠ ଅଧିକାରୀ ଓ ସୂଚନା ଅଧିକାରୀମାନେ ଉପସ୍ଥିତ ଥିଲେ ।

Related posts