ଖୋର୍ଦ୍ଧାରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ: ଚାରି ମହିଳାଙ୍କ ସମେତ ଛଅ ଗିରଫ

Published: May 27, 2023, 5:32 pm IST

ଖୋର୍ଦ୍ଧା: ଖୋର୍ଦ୍ଧା ରୋଡ ରେଳ ଷ୍ଟେସନ ନିକଟରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରାଯାଇଛି। ଏହି ମାମଲାରେ ଚାରି ଜଣ ମହିଳାଙ୍କ ସମେତ ଛଅ ଜଣ ଅଭିଯୁକ୍ତଙ୍କୁ ଅବକାରୀ ବିଭାଗ ଗିରଫ କରିଛି।

ସୂଚନା ମୁତାବକ ଗତକାଲି ଖୋର୍ଦ୍ଧା ରୋଡ ରେଳ ଷ୍ଟେସନ ନିକଟରେ ଗଞ୍ଜେଇ ଚାଲାଣ ହେଉଥିବାର ଜଟଣୀ ଅବକାରୀ ବିଭାଗ ଖବର ପାଇଥିଲା। ବିଳମ୍ବ ନକରି ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁଙ୍କ ନେତୃତ୍ୱରେ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥିଲା।  ଚଢ଼ାଉ ବେଳେ ୭୭ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ଛଅ ଅଭିଯୁକ୍ତ ଗିରଫ ହୋଇଛନ୍ତି, ତନ୍ମଧ୍ୟରୁ ଚାରି ଜଣ ମହିଳା ଅଭିଯୁକ୍ତ ଥିବା ଜଣାପଡିଛି। ସମସ୍ତ ଅଭିଯୁକ୍ତ ମାନେ ବିହାର ରାଜ୍ୟ ବେଗୁସରାଇ ଜିଲ୍ଲାର ହୋଇଥିବା ଜଣାପଡିଛି।

ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି। ଉକ୍ତ ଚଢ଼ାଉରେ ଜଟଣୀ ଅବକାରୀ ଅଧିକାରିଣୀ ଗୀତାଞ୍ଜଳି ବେହେରା, ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ ଅଧିକାରୀ ଏବଂ ଆରପିଏଫ କର୍ମଚାରୀ ସାମିଲ ଥିଲେ। ଜବତ ଗଞ୍ଜେଇର ମୂଲ୍ୟ ୭ ଲକ୍ଷ ୭୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି।

Related posts