ଜାତୀୟ ରାଜପଥରେ ଯାତ୍ରୀବାହୀ ବସକୁ ଅଟକାଇ ଚୋରି ଉଦ୍ୟମ, ଜଣେ ଅଟକ

Published: Jul 28, 2023, 11:16 am IST

ନିରାକାରପୁର: ୧୬ନମ୍ବର ଜାତୀୟ ରାଜପଥ ରାମେଶ୍ୱର ପେଟ୍ରୋଲ ପମ୍ପ ନିକଟରେ ଏକ ବସକୁ ଅଟକାଇ ଦୁଇ ଜଣ ଯୁବକ ଚୋରି ଉଦ୍ୟମ ସହିତ ବସରେ ଥିବା ମହିଳା ଯାତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବା ଘଟଣା ନିରାକାରପୁର ଥାନାରେ ଅଭିଯୋଗ ହୋଇଛି। ସୂଚନାରୁ ଜଣାପଡିଛି ଭୂବନେଶ୍ୱରରୁ ବାଲୁଗାଁ ଅଭିମୁଖେ ଯାଉଥିବା ସିୟାରାମ ବସ ନଂ ଓଡି-୦୨ ଏଭି ୩୨୬୬ ନାମକ ଏକ ବସ ଯାଉଥିବା ବେଳେ ଦୁଇଜଣ ଯୁବକ ଏକ ମୋଟର ସାଇକେଲରେ ଗୋଡିପଡା ଛକ ଠାରୁ ଅନୁସରଣ କରି ରାମେଶ୍ୱର ପେଟ୍ରୋଲ ପମ୍ପ ନିକଟରେ ବସକୁ ଅଟକାଇ ଡ୍ରାଇଭରକୁ ଗାଳିଗୁଲଜ କରିଥିଲେ।

ଏହା ସହିତ କେତେକ ମହିଳା ମାନଙ୍କୁ ମାଡମାରି ସୁନାଚେନ ଓ ଟଙ୍କା ଲୁଟପାଟ କରିଥିଲେ। ବସରେ ଥିବା ଯାତ୍ରୀମାନେ ପ୍ରତିବାଦ କରିବାରୁ ସେମାନଙ୍କୁ ଧମକ ଚମକ ଦେଇଥିଲେ।କିଛିସମୟ ଧରି ବସ ଯାତ୍ରୀଙ୍କ ସହିତ ପାଟିତୁଣ୍ଡ ହେବା ସମୟରେ ବସରେ ଥିବା ଯାତ୍ରୀମାନେ ଲୁଟପାଟ କରୁଥିବା ଯୁବକ ଜଣଙ୍କୁ ଅଟକାଇ ନିରାକାରପୁର ପୋଲିସକୁ ସୂଚନା ଦେବାପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସେମାନେ ବ୍ୟବହାର କରିଥିବା ମୋଟର ସାଇକେଲ ଜବତ କରି ଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରିରଖିଛି।

ଘଟଣା ସଂମ୍ପର୍କରେ ବସ ଡ୍ରାଇଭର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଟକ ଯୁବକ ଜଣଙ୍କ ବଡପୋଖରୀଆ ଗ୍ରାମର ଜିତୁ ବଡଜେନା ବୋଲି ପୋଲିସ ସୂତ୍ରରୁ ଜଣାପଡିଛି।

Related posts