
ଖୋର୍ଦ୍ଧା: ନିକଟରେ ଖୋର୍ଦ୍ଧା ଟାଉନ ଥାନା ମୁକୁନ୍ଦପ୍ରସାଦରେ ଗୋ ହତ୍ୟାକୁ ନେଇ ଉତ୍ତେଜନା ସୃଷ୍ଟି ହେବା ପରେ ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠିଙ୍କ ଅଧ୍ୟକ୍ଷତାରେ ଏକ ଶାନ୍ତି କମିଟି ଗଠନ କରାଯାଇଥିଲା। ଉକ୍ତ ଘଟଣାକୁ ନେଇ ଯଦି କୌଣସି ବ୍ୟକ୍ତି ଅଶାନ୍ତ ବାତାବରଣ ସୃଷ୍ଟି କରିବା ପାଇଁ ପୁନଶ୍ଚ କିଛି ଉତ୍ତେଜନା ମୂଳକ କାର୍ଯ୍ୟ କରେ ତେବେ ତାଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି ଶାନ୍ତି କମିଟିରେ ନିଷ୍ପତ୍ତି ହୋଇଥିଲା।
ତେବେ ଉକ୍ତ ଘଟଣାକୁ ନେଇ ଜଣେ ବ୍ୟକ୍ତି ନିଜ ଫେସବୁକ ଆକାଉଣ୍ଟରେ ଆପତ୍ତିଜନକ ପୋଷ୍ଟ କରି ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି। ଅଭିଯୁକ୍ତ ଜଣକ ମୁକୁନ୍ଦପ୍ରସାଦ ଅଞ୍ଚଳର ହବିବ ଖାନ (୨୫) ବୋଲି ଜଣାପଡିଛି। ସେ ତାଙ୍କ ଫେସବୁକ ଆକାଉଣ୍ଟରେ ଧାର୍ମିକ ଭାବନା ତଥା ସାମ୍ପ୍ରଦାୟିକ ସମନ୍ୱୟକୁ ବାଧା ଦେବା ପରି ଅପମାନଜନକ ପୋଷ୍ଟ କରିଥିଲେ।
ଏହା ଜାଣିବା ପରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡି ଅଧିକାରୀ ବାସୁଦେବ ଜୟସିଂହ ନିଜଆଡୁ କେସ ନମ୍ବର ୪୭୦/୨୩, ଦଫା ୨୯୪, ୫୦୬, ୧୫୩ (କ) ରେ ମାମଲା ରୁଜୁ କରିଛନ୍ତି।
ଅନୁରୂପ ଭାବେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଟାଉନ ଥାନା ଅତିରିକ୍ତ ଆଇଆଇସି ସ୍ନିଗ୍ଧାମୟୀ ବରାଳଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଥିଲା। ବର୍ତ୍ତମାନ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।
ଯଦି କୌଣସି ବ୍ୟକ୍ତି ଧାର୍ମିକ ଭାବନାକୁ ଆଘାତ ଦେବା ତଥା ସାମ୍ପ୍ରଦାୟିକ ସମନ୍ୱୟକୁ ବାଧା ଦେବା ପରି କାର୍ଯ୍ୟ କରିବ ତାକୁ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି ତଦନ୍ତକାରି ଅଧିକାରିଣୀ ଶ୍ରୀମତୀ ବରାଳ କହିଛନ୍ତି।