ଚିଲିକା: ନିର୍ମାଣ ଶ୍ରମିକ କଲ୍ୟାଣ ସହାୟତା ଶିବିରରେ ୨ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ବାଣ୍ଟିଲେ ସାଂସଦ ମାନସ ମଙ୍ଗରାଜ

Published: Oct 26, 2023, 5:48 pm IST

ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ସହକାରୀ ଶ୍ରମ କାର୍ଯ୍ୟାଳୟ, ବାଲୁଗାଁ ଅଧିନସ୍ଥ ବାଣପୁର, ବାଲୁଗାଁ ଓ ଚିଲିକା ବ୍ଲକ ତଥା ପୌର ପରିଷଦରେ ପଞ୍ଜୀକୃତ ନିର୍ମାଣ ଶ୍ରମିକମାନଙ୍କ ପାଇଁ ଏକ ସହାୟତା ଶିବିର ଅନୁଷ୍ଠିତ ହୋଇଯାଇଛି। ଯୁଗ୍ମ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟ, ଭୁବନେଶ୍ୱର ଦ୍ୱାରା ପରଚାଳିତ ‘ନିର୍ମାଣ ଶ୍ରମିକ କଲ୍ୟାଣ’ ଯୋଜନା ଅଧିନରେ ଏହି ସହାୟତା ଶିବିର ପୂର୍ତ୍ତ ବିଭାଗ ଡାକବଙ୍ଗଳା, ସୁନାଖଳାଠାରେ ଆୟୋଜିତ ହୋଇଥିଲା। ଏହି ଶିବିରରେ କଲ୍ୟାଣ ବୋର୍ଡ ଅଧୀନରେ ପଂଜିକୃତ ୧୦୫ଜଣ ଶ୍ରମିକଙ୍କୁ ମୃତୁ୍ୟକାଳୀନ ସହାୟତା ବାବଦରେ ସେମାନଙ୍କ ମନୋନୀତ/ଉତ୍ତରାଧିକାରୀଙ୍କୁ ୨,୦୪,୦୦,୦୦୦/- ଓ ୧୦୩ ଜଣଙ୍କୁ ଅନ୍ତେଷ୍ଟିକ୍ରୀୟା ସହାୟତା ବାବଦରେ ୫,୧୫,୦୦୦/- ଟଙ୍କା ପ୍ରଦାନ କରାଯାଇଥିଲା।

ସେହିପରି ବିବାହକାଳୀନ ସହାୟତା ବାବଦରେ ୬୦ଜଣଙ୍କୁ ୨୯,୦୦,୦୦୦/-ଟଙ୍କା ସହାୟତା ରାଶି, ଶିକ୍ଷା ସହାୟତା ବାବଦରେ ୧୩୧ ଜଣଙ୍କୁ ୯,୦୯,୦୦୦./- ଟଙ୍କା, ପ୍ରସବକାଳୀନ ସହାୟତା ବାବଦରେ ୧୦ ଜଣଙ୍କୁ ୧,୦୦,୦୦୦/ ଟଙ୍କା ପ୍ରଦାନ କରାଯାଇଥିଲା। ଏହିସବୁ ସହାୟତା ବାବଦରେ ସର୍ବମୋଟ ୪୦୯ ଜଣଙ୍କୁ ୨,୪୮,୧୯,୦୦୦/- ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା।

ଏହି ଶିବିରରେ ରାଜ୍ୟସଭା ସାଂସଦ ଶ୍ରୀ ମାନସ ରଞ୍ଜନ ମଙ୍ଗରାଜ ମୁଖ୍ୟ ଅତିଥିଭାବେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନାରେ ଅଧିକରୁ ଅଧିକ ନିର୍ମାଣ ଶ୍ରମିକ ଭଉଣୀ ଓ ଭାଇମାନେ ସାମିଲ ହେବା ପାଇଁ ନିବେଦନ କରିଥଲେ। ଏଥି ସହ ୨୩୭ ଜଣ ନୂତନ ଭାବେ ପଂଜିକୃତ ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ବଣ୍ଟନ କରାଯାଇଥିଲା।
ଏହି ଶିବିରକୁ ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ (ଖୋର୍ଦ୍ଧା) ଭୁବନେଶ୍ୱର ଶ୍ରୀ ପ୍ରଭାକର ବିଶ୍ୱାଳ ପରିଚାଳନା କରିବା ସହିତ ଯୋଜନା ବିଷୟରେ ଶ୍ରମିକମାନଙ୍କୁ ଅବଗତ କରାଇଥିଲେ।

ଏହି କାର୍ଯ୍ୟକ୍ରମରେ କଲ୍ୟାଣ ସଂଯୋଜକ ଲମ୍ବୋଦର ରାଉତଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଯୋଗଦେଇ ଥିଲେ। ଶେଷରେ ବାଲୁଗାଁ ସହକାରୀ ଶ୍ରମ ଅଧିକାରୀ ଚନ୍ଦନ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Related posts