ଡିଏଭି କଳିଙ୍ଗନଗରରେ ଛାତ୍ରଛାତ୍ରୀମାନଙ୍କ ବାର୍ଷିକ ପ୍ରକଳ୍ପ ‘ଇଭେଣ୍ଟିଲା’ ପ୍ରଦର୍ଶିତ

Published: Dec 23, 2023, 4:59 pm IST

ଭୁବନେଶ୍ୱର: ଛାତ୍ରଛାତ୍ରୀମାନଙ୍କ ଲୁକ୍‌କାୟିତ ପ୍ରତିଭାର ପରିସ୍ଫୁଟନ ନିମନ୍ତେ ଡିଏଭି କଳିଙ୍ଗନଗରରେ ତୃତୀୟ ଠାରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ବାର୍ଷିକ ପ୍ରକଳ୍ପ ‘ଇଭେଣ୍ଟିଲା’ ପ୍ରଦର୍ଶିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱରସ୍ଥିତ ଆଇ.ଏମ୍‌.ଏମ୍‌.ଟି, ସିଏସଆଇଆରର ବିଶିଷ୍ଟ ବୈଜ୍ଞାନିକ ଡ. ବିଭୁରଞ୍ଜନ ନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହିତ ୬୧୦ ଜଣ ପିଲାଙ୍କ ଦ୍ୱାରା ପ୍ତସ୍ତୁତ ହୋଇଥିବା ୨୩୦ରୁ ଊର୍ଦ୍ଧ୍ୱ ପ୍ରକଳ୍ପକୁ ପ୍ରଦର୍ଶନ କରି ଆନନ୍ଦିତ ହୋଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ।

ବିଦ୍ୟାଳୟର ଚେୟାରମ୍ୟାନ ମଦନ ମୋହନ ପଣ୍ଡା ପ୍ରାଥମିକ ସ୍ତରରୁ ପିଲାମାନଙ୍କର ଅନ୍ତର୍ନିହିତ ପ୍ରତିଭାକୁ ବିକଶିତ କରି ବିଜ୍ଞାନମନସ୍କ ହେବା ପାଇଁ ଆର୍ଶୀବଚନ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମାଜର ସହ ସଂଯୋଜକ ତଥା ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ମନ୍ତ୍ରୀ ପିଲାମାନଙ୍କର ବୈଜ୍ଞାନିକ କଳାକୁଶଳତାର ପ୍ରଶଂସା କରିବା ସହିତ ସେମାନକଙ୍କର ଉଦ୍ୟମ ପାଇଁ ସାଧୁବାଦ ଜଣାଇଥିଲେ।

ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବଳରାମ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରକଳ୍ପ ପ୍ରଦର୍ଶନୀକୁ ଅଭିଭାବକମାନେ ବିପୁଳ ସଂଖ୍ୟାରେ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀମାନଙ୍କ ପ୍ରଚେଷ୍ଟାକୁ ଭୁରିଭୁରି ପ୍ରଶଂସା କରିଥିଲେ। ବିଦ୍ୟାଳୟର ଅଟଳ ଟିଙ୍କରିଙ୍ଗ ଲାବ୍‌ରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ୱାଟର ରକେଟ୍‌ର ପ୍ରକ୍ଷେପଣ ଏବଂ ରୋଭର ସବୁ ମହଲରେ ବେଶ୍ ଚର୍ଚ୍ଚିତ ହୋଇଥିଲା। ବରିଷ୍ଠ ପର୍ଯ୍ୟବେକ୍ଷକ ବିଜୟ କୁମାର ପାତ୍ର ଛାତ୍ରଛାତ୍ରୀମାନଙ୍କର ଗବେଷଣା ମନୋଭାବକୁ ପ୍ରୋତ୍ସାହନ ଦେବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

Related posts