ଉଦ୍‌ଯାପିତ ହେଲା ଓଷ୍ଟାର ୪୦ ତମ ରାଜ୍ୟସ୍ତରୀୟ ଶିଶୁ ଉତ୍ସବ

Published: Dec 29, 2023, 8:15 am IST

କଟକ: ତିନିଦିନ ଧରି ଚାଲିଥିବା ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ୪୦ତମ ରାଜ୍ୟସ୍ତରୀୟ ଶିଶୁ ଉତ୍ସବ ଉଦ୍‌ଯାପିତ ହୋଇଯାଇଛି। ତୃତୀୟ ଦିବସରେ ପୂର୍ବାହ୍ନ ୯ ଘଟିକା ସମୟରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଗାଇଡ଼ ଶିକ୍ଷକ ଶିକ୍ଷୟିତ୍ରୀ ଓ ନେତୃମଣ୍ଡଳୀଙ୍କୁ ନେଇ ଏକ ଶାନ୍ତି ଶୋଭାଯାତ୍ରା ଓଷ୍ଟା କାର୍ଯ୍ୟାଳୟ ନୟାସଡ଼କରୁ ବାହାରି ଚୌଧୁରୀ ବଜାର, ଦରଘାବଜାର ଦେଇ ଓଡ଼ିଆ ବଜାରସି୍ଥତ ନେତାଜୀଙ୍କ ଜନ୍ମ ପୀଠରେ ପହଞ୍ôଚଥିଲା। ସେଠାରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ତଥା ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା।

ପୂର୍ବାହ୍ନ ୧୧ ଘଟିକା ସମୟରେ ଏକକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅପରାହ୍ଣରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନିଜ ନିଜ ଜିଲ୍ଳାର ଭୌଗୋଳିକ ଅବସ୍ଥିତି, ଶିକ୍ଷା, ସାହିତ୍ୟ ଓ ସଂସ୍କୃତିକୁ ଆଧାର କରି ସଂକ୍ଷିପ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ “ଆମେ ଓ ଆମ ଓଡ଼ିଶା” ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ସାଂଗଠନିକ ଜିଲ୍ଲାର ରାଜ୍ୟସ୍ତରୀୟ ଶିଶୁ ଉତ୍ସବରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀମାନଙ୍କ ଦ୍ୱାରା ଏହି ଦଳଗତ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା। ଏହା ଫଳରେ ସମଗ୍ର ଓଡ଼ିଶାର ସଂସ୍କୃତି ଓ ସାଂସ୍କୃତିକ ପରିବେଶର ଏକ ଚିତ୍ର ପ୍ରତିଫଳିତ ହୋଇଥିଲା।

ଉଦ୍‌ଯାପନୀ ସଭାରେ ମୁଖ୍ୟଅତିଥି ଭାବେ ସୁଶାନ୍ତ କୁମାର ଦାଶ, ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଓଡ଼ିଶା ଯୋଗଦେଇ ଓଷ୍ଟାର ଏଭଳି ଶିଶୁ ପ୍ରତିଭା ଚୟନ କାର୍ଯ୍ୟକ୍ରମକୁ ଭୂୟସି ପ୍ରଶଂସା କରିବା ସହିତ କଠିନ ପ୍ରରିଶ୍ରମ ମାଧ୍ୟମରେ ସଫଳତା ପ୍ରାପ୍ତି ସମ୍ଭବ ହୋଇପାରିବ ବୋଲି ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ। ବିଶିଷ୍ଟ ଅତିଥି ଭାବେ ଶୁଭଶ୍ରୀ ନନ୍ଦ, ସ୍ୱତନ୍ତ୍ର ଶାସନ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ଯୋଗଦେଇ ସ୍ୱପ୍ନ ଓ ସମ୍ଭାବନାକୁ ସାକାରା କରିବା ତଥା ସମସ୍ତେ ବିକଶିତ ହେବା, ଆଗକୁ ଯିବା ଓ ଭଲ ମଣିଷଟିଏ ହେବା କଥା କହି ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ପ୍ରଦାନ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଜ୍ଞାନ ବିନା କୌଣସି ଜିନିଷ ହାସଲ କରାଯାଇ ନପାରେ।

ସେବା ହିଁ ପରମ ଧର୍ମ, ସବୁ ମଣିଷ ସମାନ, ମଣିଷକୁ ହୃଦୟଙ୍ଗମ କରିବା , ଶୃଙ୍ଖଳିତ ଓ ସମୟାନୁବର୍ତ୍ତି ହେବା ଇତ୍ୟାଦି । ମୁଖବକ୍ତା ଭାବେ ଶ୍ରୀଯୁକ୍ତ ବିଜୟାନନ୍ଦ ସିଂ, ପ୍ରଫେସର, କିସ୍ ବିଶ୍ୱବିଦ୍ୟାଳୟ ଯୋଗଦେଇ ଶିଶୁମାନଙ୍କୁ ଉତ୍ସାହିତ କରିବା ସହିତ ଶିକ୍ଷାର ଆଲୋକରେ ଆଲୋକିତ ହେବା ସହ ଆତ୍ମବିଶ୍ୱାସୀ ହେବାପାଇଁ ପରାମର୍ଶ ଦେଇଥିଲେ।

ଏହି ଉତ୍ସବରେ ନିମନ୍ତ୍ରିତ ଅତିଥିବୃନ୍ଦ ତିନି ଦିନ ମଧ୍ୟରେ ହୋଇଥିବା ତର୍କ, କଣ୍ଠସଂଗୀତ, କବିତା ରଚନା, ଗଳ୍ପଲିଖନ, ଚିତ୍ରାଙ୍କନ, ଆବୃତ୍ତି, ଏକକ ଅଭିନୟ, ଏକକ ନୃତ୍ୟ, ବୁଦ୍ଧି ପରୀକ୍ଷା ଓ ସାଧାରଣଜ୍ଞାନ ଇତ୍ୟାଦି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ।

ଏହି ଅବସରରେ ଓଷ୍ଟାର ସଭାପତି ଅକ୍ଷୟ କୁମାର ମିଶ୍ର ସଭାପତିତ୍ୱ କରିଥିବା ବେଳେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀମନ୍ତ ମହାପାତ୍ର ଅତିଥିମାନଙ୍କୁ ମଞ୍ଚକୁ ଆହ୍ୱାନ କରିଥିଲେ। କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ଓ ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ଯୁଗ୍ମ ସାଧାରଣ ସମ୍ପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର ଓ ଶିକ୍ଷାପ୍ରଦୀପ ସମ୍ପାଦକ ଶଙ୍କର କୁମାର ସୁବୁଦ୍ଧି ମଞ୍ଚାସୀନ ରହି ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ନିଜ ନିଜର ବହୁମୂଲ୍ୟ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଶିକ୍ଷାପ୍ରଦୀପର ସମ୍ପାଦକ ଶଙ୍କର କୁମାର ସୁବୁଦ୍ଧି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Related posts