ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଆଜି ହେବ ଅଙ୍କୁର ପୂଜନ

Published: Jan 13, 2024, 9:57 am IST

ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଆଜି ହେବ ଅଙ୍କୁର ପୂଜନ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆଜି ଦିନ ୧୧ଟାରୁ ରାତି ୮ ଟା ପର୍ଯ୍ୟନ୍ତ ଏହି ପୂଜା ଚାଲିବ।

ଏହାପରେ ୧୫ ତାରିଖରୁ ଯଜ୍ଞ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହେବ। ସେହିଦିନ ଯଜ୍ଞକୁଣ୍ଡ ସ୍ଥାପନ, ଅଖଣ୍ଡଦୀପ ସ୍ଥାପନ, ପଞ୍ଚକର୍ମ, ବ୍ରାହ୍ମଣ ବରଣ ଏବଂ ମଣ୍ଡଳ ପୂଜନ ହେବ।

ସେହିପରି ୧୬ ତାରିଖରେ ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା ଏବଂ ସଂକୀର୍ତ୍ତନ କାର୍ଯ୍ୟ ଆରମ୍ଭ ହେବ। ସେହିପରି ୧୭ ତାରିଖ ସକାଳୁ ଆରମ୍ଭ ହେବ ପ୍ରକଳ୍ପ ପ୍ରତିଷ୍ଠା କାର୍ଯ୍ୟକ୍ରମ। ସେହିିଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଶୁଭବେଳାରେ ପ୍ରକଳ୍ପର ଶୁଭାରମ୍ଭ କରିବେ।

ଗତକାଲିଠାରୁ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ବ୍ରାହ୍ମଣ ବରଣ କାଯ୍ୟ ସଂପର୍ଣ୍ଣ କରିଛନ୍ତି। ଗୁଆଟେକା ସହିତ ମହାଯଜ୍ଞର ସମସ୍ତ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇଛି। ଶ୍ରୀନଅରରେ ରାଜଗୁରୁଙ୍କ ଦ୍ବାରା ଏହି ସବୁ କାର୍ଯ୍ୟ ସଂପର୍ଣ୍ଣ କରାଯାଇଛି।

ବର୍ତ୍ତମାନ ଏହି ପ୍ରକଳ୍ପ ଶୁଭାରମ୍ଭ ଦେଖିବା ପାଇଁ ପୁରକୁ ଭକ୍ତଙ୍କ ସମାଗମ ଆରମ୍ଭ ହୋଇଗଲାଣି। ସେଥିପାଇଁ ପୋଲିସ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

Related posts