ଟାଙ୍ଗୀ: ଜାତୀୟ ରାଜପଥରେ ମଇଁଷି ବୋଝେଇ କଣ୍ଟେନର ଜବତ

Published: Jan 14, 2024, 6:58 am IST

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଅସାମାଜିକ ତତ୍ତ୍ୱଙ୍କୁ ସାବlଡ଼ କରିବାପାଇଁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ପୁଲିସ ପକ୍ଷରୁ ୧୬ନମ୍ବର ଜାତୀୟ ରାଜପଥରେ କଡାକଡି ପାଟ୍ରୋଲିଂ କରାଯାଉଛି। ଶୁକ୍ରବାର ବିଳମ୍ବିତ ରାତିରେ ୧୬ ନମ୍ବର ଜାତୀୟ ରାଜପଥରେ ପାଟ୍ରୋଲିଂ କରାଯାଉଥିବାବେଳେ ପୁଲିସ ଗୋଚାଲାଣ ସମ୍ପର୍କରେ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା। ଖବରପାଇ ଟାଙ୍ଗୀ ଥାନା ପୁଲିସ ପକ୍ଷରୁ ୧୬ନମ୍ବର ଜାତୀୟ ରାଜପଥର ଟାଙ୍ଗୀ ବାଇପାସ ଗିରିଗୋବର୍ଦ୍ଧନ ପାହାଡ ନିକଟରେ ନାକା ଲଗାଇ ଗାଡ଼ିମଟରକୁ ତନଖି କରାଯାଉଥିଲା।

ତନଖି ସମୟରେ ଖୋର୍ଦ୍ଧାରୁ ବ୍ରହ୍ମପୁର ଆସୁଥିବା ଏକ କଣ୍ଟେନର ଗାଡିର ଚାଳକ କଣ୍ଟେନରକୁ ଛାଡି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ପୁଲିସ କାଳ ବିଳମ୍ବ ନକରି କଣ୍ଟେନରକୁ ଜବତକରି ତନଖି ନେଇଥିଲା। ତନଖି ବେଳେ ଟାଙ୍ଗୀ ଥାନା ପୁଲିସ କଣ୍ଟେନରରେ ୩୩ଟି ମଇଁଷିଥିବା ଦେଖିବାକୁ ପାଇଥିଲା। ତୁରନ୍ତ ଜୀବନ୍ତ ମଇଁଷିଙ୍କୁ ଉଦ୍ଧାରକରି ବୋଲଗଡ଼ ଗୋଶାଳାକୁ ପଠାଇଥିଲା।

ଏହି ଚଢ଼ାଉ ଟାଙ୍ଗୀ ଥାନା ଆଇଆଇସି ସୁଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ହୋଇଥିଲା। ପୁଲିସର ଏଭଳି ଚଢ଼ାଉ ଫଳରେ ଗୋମାଫିଆଙ୍କ ମନରେ ଛନକା ପଶିଛି।

Related posts