ଟି -୨୦ ବିଶ୍ୱକପରେ ଖେଳିବେ ନାହିଁ ଶାମି, ଋଷଭ ପନ୍ତଙ୍କ ପାଇଁ ଦ୍ୱାର ଖୋଲା ଅଛି: କଲେ ନିଶ୍ଚିତ ଜୟ ଶାହା

Published: Mar 11, 2024, 9:53 pm IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ତାରକା ଦ୍ରୁତ ବୋଲର ମହମ୍ମଦ ଶାମି ଚଳିତ ବର୍ଷ ଜୁନ୍ ରେ ଖେଳାଯିବାକୁ ଥିବା ଆଇପିଏଲ୍ ୨୦୨୪ ଏବଂ ୨୦୨୪ ଟି -୨୦ ବିଶ୍ୱକପ୍ ଖେଳି ପାରିବେ ନାହିଁ। ବିସିସିଆଇ ସଚିବ ଜୟ ଶାହା ଏହା ନିଶ୍ଚିତ କରିଛନ୍ତି। ଶାମି ବର୍ତ୍ତମାନ ତାଙ୍କ ଗୋଡରେ ଆଘାତ ଯୋଗୁଁ ଚିକିତ୍ସିତ ହେଉଛନ୍ତି। ରିପୋର୍ଟ ଅନୁଯାୟୀ, ସେ ବାଂଲାଦେଶ ବିପକ୍ଷ ସିରିଜରୁ ଫେରିବେ।

ଶାମି ବ୍ୟତୀତ ଋଷଭ ପନ୍ତଙ୍କ ବିଷୟରେ ଏକ ବଡ ଅପଡେଟ୍ ମଧ୍ୟ ବାହାରିଛି। ଋଷଭ ୨୦୨୪ ଟି-୨୦ ବିଶ୍ଵକପ ୱାର୍ଲ୍ଡ ଖେଳିପାରନ୍ତି। ପନ୍ତଙ୍କ ବିଷୟରେ ବିସିସିଆଇ ସଚିବ ଜୟ ଶାହା କହିଛନ୍ତି ଯେ, ସେ ଭଲ ବ୍ୟାଟିଂ କରୁଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି। ଆମେ ତାଙ୍କୁ ଶୀଘ୍ର ଫିଟ୍ ଘୋଷଣା କରିବୁ। ଯଦି ସେ ଆମ ପାଇଁ ଟି -୨୦ ବିଶ୍ୱକପ ଖେଳିପାରନ୍ତି, ତେବେ ଏହା ଆମ ପାଇଁ ଏକ ବଡ଼ କଥା ହେବ।

ପ୍ରକାଶ ଯେ, ୨୦୨୩ ଦିନିକିଆ ବିଶ୍ୱକପ ପରଠାରୁ ଶାମି ଅନ୍ତର୍ଜାତୀୟ କ୍ରିକେଟ୍ ଠାରୁ ଦୂରରେ ଅଛନ୍ତି। ନିକଟରେ ଶାମି ତାଙ୍କ ଗୋଡରେ ଅସ୍ତ୍ରୋପଚାର କରିବାକୁ ବ୍ରିଟେନ ଯାଇଥିଲେ। ଶାମିଙ୍କ ବିଷୟରେ ଜୟ ଶାହା କହିଛନ୍ତି ଯେ, “ଶାମି ଅସ୍ତ୍ରୋପଚାର କରିଛନ୍ତି। ସେ ଭାରତ ଫେରିଛନ୍ତି। ବାଂଲାଦେଶ ବିପକ୍ଷ ଘରୋଇ ସିରିଜ ପାଇଁ ଶାମିଙ୍କ ପ୍ରତ୍ୟାବର୍ତ୍ତନ ହେବାର ସମ୍ଭାବନା ରହିଛି। କେ.ଏଲ ରାହୁଲଙ୍କୁ ଇଞ୍ଜେକ୍ସନ ଦରକାର, ସେ ପୁନଃ ଫିଟନେସ ପାଇଁ ଏନସିଏରେ ଅଛନ୍ତି।”

ଜୟ ଶାହା ବିଶ୍ୱାସ କରନ୍ତି ଯେ, ଋଷଭ ପନ୍ତଙ୍କ ପାଇଁ ଟି -୨୦ ବିଶ୍ୱକପ ଦଳର ଦ୍ୱାର ଖୋଲା ଅଛି। ସେ କହିଛନ୍ତି କେ, “ଯଦି ସେ ୱିକେଟ୍ କିପିଂ କରିପାରିବେ, ତେବେ ସେ ବିଶ୍ୱକପ୍ ଖେଳିପାରିବେ। ପ୍ରଥମେ ଆଇପିଏଲ୍ ୨୦୨୪ ରେ ସେ କିପରି ପ୍ରଦର୍ଶନ କରୁଛନ୍ତି ଦେଖିବା।”

ସୂଚନାଯୋଗ୍ୟ ଯେ, ଜିତେଶ ଶର୍ମା କିଛି ସମୟ ଧରି ଭାରତ ପାଇଁ କ୍ରମାଗତ ଭାବେ ଟି -୨୦ କ୍ରିକେଟ୍ ଖେଳୁଥିଲେ। କିଛି ସମୟ ପୂର୍ବରୁ ଜିତେଶ ଟି -୨୦ ବିଶ୍ୱକପ ଖେଳିବେ ବୋଲି ନିଶ୍ଚିତ କରାଯାଇଥିଲା। ଜିତେଶ ପ୍ରଥମ ବଲରୁ ବଡ ସଟ୍ ଖେଳିବାରେ ପାରଦର୍ଶୀ ଅଟନ୍ତି ଏବଂ ସେଥିପାଇଁ ତାଙ୍କୁ କ୍ରମାଗତ ଭାବରେ ଟି -୨୦ ଦଳରେ ଅନ୍ତର୍ଭୁକ୍ତ କରାଯାଉଥିଲା। ଯଦି ଋଷଭ ସମ୍ପୂର୍ଣ୍ଣ ଫିଟ୍ ହୋଇଯା’ନ୍ତି, ତେବେ ଏହା ଜିତେଶଙ୍କ ପାଇଁ ଏକ ଝଟକାଠାରୁ କମ୍ ହେବ ନାହିଁ।

Related posts