ସବୁ ସହରରେ ଇଲେକ୍ଟ୍ରିକ୍ ବସ୍ ସେବା

Published: Mar 20, 2024, 9:26 am IST

ଭୁବନେଶ୍ଵର: ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ପରିବହନର ବିଦ୍ୟୁତୀକରଣକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଆଗାମୀ ପାଞ୍ଚବର୍ଷ ମଧ୍ୟରେ ସମସ୍ତ ଭାରତୀୟ ସହର ତଥା ଦିଲ୍ଲୀ-ଶିମଲା, ଦିଲ୍ଲୀ-ଚଣ୍ଡିଗଡ଼ ଏବଂ ମୁମ୍ବାଇ-ପୁଣେ ଭଳି କିଛି ଲମ୍ବା ରୁଟରେ ଇଲେକ୍ଟ୍ରିକ୍ ବସ୍ ଚଳାଚଳ କରିବାକୁ ସରକାର ଯୋଜନା କରିଛନ୍ତି।

ସେ କହିଛନ୍ତି ଯେ ବ୍ୟାଟେରି ଦର ହ୍ରାସ ଫଳରେ ଯାତ୍ରୀଙ୍କ ବସ୍ ଭଡ଼ା ୩୦ ପ୍ରତିଶତ ହ୍ରାସ ପାଇବ। ଏହା ପ୍ରଦୂଷଣ ହ୍ରାସ କରିବାରେ ମଧ୍ୟ ସହାୟକ ହେବ। ଲିଥିୟମ୍ ଆୟନ ବ୍ୟାଟେରୀର ମୂଲ୍ୟ କିଲୋୱାଟ ଘଣ୍ଟା ପିଛା ୧୫୦ ଡଲାରରୁ ୧୧୨ ଡଲାରକୁ ହ୍ରାସ ପାଇଛି ବୋଲି ଗଡ଼କରୀ ସୂଚନା ଦେଇଛନ୍ତି। ଏହାର କାରଣ ହେଉଛି ଦେଶରେ ଏହି କ୍ଷେତ୍ରରେ ୩୫୦% ଅଭିବୃଦ୍ଧି ଘଟିଛି।

କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଯେ ଯେତେବେଳେ ବ୍ୟାଟେରୀ ମୂଲ୍ୟ ୧୦୦ ଡଲାରକୁ ହ୍ରାସ ପାଇବ, ଅପରେଟିଂ ମୂଲ୍ୟ ପେଟ୍ରୋଲ ଏବଂ ଡିଜେଲ ଯାନ ଭଳି ହେବ। ଯଦି ଆପଣ ଗୋଟିଏ ମାସରେ ପେଟ୍ରୋଲ ଯାନ ଉପରେ ୨୦-୨୫ ହଜାର ଟଙ୍କା ଖର୍ଚ୍ଚ କରନ୍ତି ତେବେ ଆପଣଙ୍କୁ ଇଲେକ୍ଟ୍ରିକ୍ ଯାନ ପାଇଁ ମାତ୍ର ଦୁଇହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଦେଶରେ ଇଲେକ୍ଟ୍ରିକ୍ ଯାନ ଉତ୍ପାଦନ ବୃଦ୍ଧି ପାଇଛି ଏବଂ ସବୁ କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ପାଉଛି।

Related posts