2023-24 ଆର୍ଥିକ ବର୍ଷରେ 256 ନିୟୁତ ଟନ୍ ପଣ୍ୟ ବୋଝେଇ ହାସଲ କଲା ପୂର୍ବତଟ ରେଳପଥ 

Published: Apr 2, 2024, 9:46 pm IST

ଭୁବନେଶ୍ଵର: 2023-24 ଆର୍ଥିକ ବର୍ଷରେ, ଅର୍ଥାତ୍ 1 ଏପ୍ରିଲ୍ 2023 ରୁ 31 ମାର୍ଚ୍ଚ 2024 ପର୍ଯ୍ୟନ୍ତ ପୂର୍ବ ତଟ ରେଳ 256.22 ନିୟୁତ ଟନ୍ ଉତ୍ପାଦିତ ପଣ୍ୟ ବୋଝେଇ ଓ ପରିବହନ କରିଛି ଯାହା ପୂର୍ବ ଆର୍ଥିକ ବର୍ଷଠାରୁ 14.72 ନିୟୁତ ଟନ୍ ଅଧିକ ଏବଂ 2022-23 ଆର୍ଥିକ ବର୍ଷ ତୁଳନାରେ 6.1% ଅଭିବୃଦ୍ଧି ପଞ୍ଜିକରଣ କରିଛି।

ପୂର୍ବତଟ ରେଳପଥ ଏହି ଆର୍ଥିକ ବର୍ଷରେ ପଣ୍ୟ ପରିବହନରେ ଭାରତୀୟ ରେଳବାଇର ସମସ୍ତ ରେକର୍ଡକୁ ଅତିକ୍ରମ କରିଛି। କ୍ରମାଗତ ଭାବେ 5 ଥର ପାଇଁ 200 ନିୟୁତ ଟନ୍ ପଣ୍ୟ ପରିବହନର ମାଇଲଖୁଣ୍ଟ ଅତିକ୍ରମ କରିବାରେ ପୂର୍ବତଟ ରେଳପଥ ମଧ୍ୟ ପ୍ରଥମ ଜୋନ୍ ହୋଇପାରିଛି। ପୂର୍ବତଟ ରେଳପଥର ଏହି ସଫଳତାରେ ଏହାର ତିନୋଟି ରେଳ ମଣ୍ଡଳ ଦ୍ୱାରା ହାସଲ କରିଥିବା ଚମତ୍କାର ପ୍ରଦର୍ଶନ ବହୁ ଅବଦାନ ଦେଇଛି। 2019-20 ଆର୍ଥିକ ବର୍ଷରେ 200 ନିୟୁତ ଟନ୍ ପଣ୍ୟ ବୋଝେଇ କରିବା ପାଇଁ ପୂର୍ବ ତଟ ରେଳପଥ ଅବିଭକ୍ତ ଦକ୍ଷିଣ ପୂର୍ବ ରେଳପଥ ପରେ ଦ୍ୱିତୀୟ ରେଳ ଜୋନ୍ ଅଟେ। ଆଜି ଏହା 250 ନିୟୁତ ଟନ୍ ପଣ୍ୟ ବୋଝେଇ ଓ ପରିବହନ କରୁଥିବା ପ୍ରଥମ ରେଳ ଜୋନ୍ ହୋଇପାରିଛି।

2023-24 ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ 152.95 ନିୟୁତ ଟନ୍ କୋଇଲା, 13.29 ନିୟୁତ ଟନ୍ ଇସ୍ପାତ କାରଖାନାକୁ କଞ୍ଚାମାଲ ପରିବହନ, 20.77 ନିୟୁତ ଟନ୍ ଷ୍ଟିଲ୍ ଆଣ୍ଡ ସ୍ଲାଗ୍, 31.26 ନିୟୁତ ଟନ୍ ଲୁହାପଥର, 1.24 ନିୟୁତ ଟନ୍ ସିମେଣ୍ଟ, 3.24 ନିୟୁତ ଟନ୍ ଖାଦ୍ୟ ଶସ୍ୟ ବୋଝେଇ କରି ପରିବହନ କରିଥିବାବେଳେ 6.46 ନିୟୁତ ଟନ୍ ଫର୍ଟିଲାଇଜର, 3.10 ନିୟୁତ ଟନ୍ ମିନେରାଲ୍ ଅଏଲ୍ ସହିତ କଣ୍ଟେନର ଏବଂ ଅନ୍ୟାନ୍ୟ ସାମଗ୍ରୀରେ 19.06 ନିୟୁତ ଟନ୍ ପଣ୍ୟ ବୋଝେଇ ଓ ପରିବହନ କରିପାରିଛି ଯାହାକି ଗତ ବର୍ଷର ଅନୁରୂପ ଅବଧି ତୁଳନାରେ ଏହା 6% ଅଧିକ ଅଟେ।

ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ 159.94 ନିୟୁତ ଟନ୍ ପଣ୍ୟ ବୋଝେଇ ଓ ପରିବହନ ହାସଲ କରିଥିବାବେଳେ ୱାଲଟିୟର ରେଳ ମଣ୍ଡଳ ଦ୍ୱାରା 76.48 ନିୟୁତ ଟନ୍ ଏବଂ ସମ୍ବଲପୁର ରେଳ ମଣ୍ଡଳ ଦ୍ୱାରା 19.80 ନିୟୁତ ଟନ୍ ପଣ୍ୟ ବୋଝେଇ ଯୋଗଦାନ କରିଛି। ସମସ୍ତ ତିନୋଟି ରେଳ ମଣ୍ଡଳ ପୂର୍ବ ବର୍ଷ ତୁଳନାରେ ଭଲ ପ୍ରଦର୍ଶନ କରିଛନ୍ତି ଏବଂ ଗତ ବର୍ଷର ପଣ୍ୟ ବୋଝେଇ ଆକଳନକୁ ଅତିକ୍ରମ କରିଛନ୍ତି।

ତାଲଚରରେ MCL ର କୋଇଲା କ୍ଷେତ୍ର, ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଥିବା ପାଞ୍ଚଟି ବନ୍ଦର, ଯଥା ପାରାଦୀପ, ଧାମରା, ବିଶାଖାପାଟଣା, ଗଙ୍ଗାଭରମ ଏବଂ ଗୋପାଳପୁର ସହିତ ଛତିଶଗଡର ବୈଲାଡିଲାରେ ଲୁହାପଥର ଖଣି, ପ୍ରମୁଖ ଇସ୍ପାତ ଏବଂ ଆଲୁମିନିୟମ କମ୍ପାନୀ, କେନ୍ଦୁଝର ଅଂଚଳର ଲୁହାପଥର ଖଣି ଏହି ସଫଳତା ପାଇଁ ପ୍ରମୁଖ ଯୋଗଦାନ ଦେଇଛନ୍ତି।

ପୂର୍ବତଟ ରେଳପଥର ଉଲ୍ଲେଖନୀୟ ପ୍ରଦର୍ଶନ ଦ୍ୱାରା ସରକାରୀ ସେକ୍ଟର ଏବଂ ଇଣ୍ଡଷ୍ଟ୍ରିଜ୍ ସହିତ ଏହାର କାର୍ଯ୍ୟଶୈଳୀକୁ ଉତ୍ସାହିତ କରିବା ବ୍ୟତୀତ ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସତ୍ୱେ ଏହି ଉଲ୍ଲେଖନୀୟ ପଣ୍ୟ ବୋଝେଇ ହାସଲ କରାଯାଇଛି। ସଠିକ୍ ଯୋଜନା, ସକରାତ୍ମକ ପରିବେଶ ଏବଂ କର୍ମଚାରୀ ମାନଙ୍କର ନିରନ୍ତର କଠିନ ପରିଶ୍ରମ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ସହାୟକ ହୋଇଛି। `

Related posts