ଇବ୍ରାହିମ ରାଇସିଙ୍କ ମୃତ୍ୟୁକୁ ନେଇ ଭାରତରେ ରାଷ୍ଟ୍ରୀୟ ଶୋକ, ସରକାରୀ ଉତ୍ସବ ଉପରେ ପ୍ରତିବନ୍ଧକ

Published: May 20, 2024, 7:29 pm IST

ନୂଆଦିଲ୍ଲୀ: ରବିବାର ଦିନ ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ଏବଂ ବୈଦେଶିକ ମନ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ଏହା ଉପରେ ଭାରତ ସରକାର ଆସନ୍ତାକାଲି ଅର୍ଥାତ ମଇ ୨୧ ତାରିଖରେ ଦେଶରେ ଦିନିକିଆ ଶୋକ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛି ଯେ, ଦିବଙ୍ଗତ ବ୍ୟକ୍ତିଙ୍କ ସମ୍ମାନାର୍ଥେ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଆସନ୍ତା ୨୧ ତାରିଖ ଦିନ ସମଗ୍ର ଭାରତରେ ଏକ ଦିନିଆ ରାଷ୍ଟ୍ରୀୟ ଶୋକ ହେବ। କୌଣସି ସରକାରୀ ମନୋରଞ୍ଜନ ହେବ ନାହିଁ।

ପ୍ରକୃତରେ, ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ରବିବାର ଦିନ ଅଜରବୈଜାନର ରାଷ୍ଟ୍ରପତି ଇଲହାମ ଅଲିୟେଭଙ୍କ ସହ ଏକ ବନ୍ଧର ଉଦଘାଟନ କରିବାକୁ ଯାଉଥିଲେ। ଏହି ସମୟରେ ତାଙ୍କ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କିନ୍ତୁ ତାଙ୍କ ସୁରକ୍ଷାରେ ଥିବା ଦୁଇଟି ହେଲିକପ୍ଟର ନିରାପଦରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥିଲା। ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଇରାନର ସୁରକ୍ଷା ବାହିନୀ ଏବଂ ଉଦ୍ଧାର ଅଧିକାରୀଙ୍କ ଏକ ଟିମ୍ ଘଟଣାସ୍ଥଳକୁ ପଠାଯାଇଥିଲା।

ଇରାନର ଉତ୍ତର-ପଶ୍ଚିମ ଭାଗର ପାର୍ବତ୍ୟ ଅଞ୍ଚଳରେ ଏକ ବଡ଼ ଧରଣର ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ରବିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ତାଙ୍କ ବିଷୟରେ କିଛି ସନ୍ଧାନ ମିଳିପାରିନଥିଲା। ତେବେ ଆଜି ସକାଳେ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ମୃତ୍ୟୁକୁ ଇରାନ ନିଶ୍ଚିତ କରିଛି। ଇରାନ କହିଛି ଯେ, ହେଲିକପ୍ଟରରେ ଯାତ୍ରା କରୁଥିବା ରାଷ୍ଟ୍ରପତି ରାଇସିଙ୍କ ସମେତ ୯ ଜଣଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଖରାପ ପାଗ ଦୁର୍ଘଟଣା ପଛର କାରଣ ବୋଲି ଜଣାପଡିଛି।

Related posts