ବିଶ୍ବପ୍ରସିଦ୍ଧ ରଥଯାତ୍ରା ପରିଚ଼ାଳନା ପାଇଁ ଦ୍ବିତୀୟ ସମନ୍ୱୟ କମିଟି ବୈଠକରେ ଅଧ୍ୟକ୍ଷତା କଲେ ଆଇନ ମନ୍ତ୍ରୀ

Published: Jun 9, 2025, 4:43 pm IST

ପୁରୀ: ଆଜି ପୁରୀ ପୋୖରସଦନ (ଟାଉନ ହଲ) ଠାରେ ଆୟୋଜିତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ପବିତ୍ର ରଥଯାତ୍ରା ପରିଚ଼ାଳନା ପାଇଁ ଦ୍ବିତୀୟ ସମନ୍ୱୟ କମିଟି ବୈଠକରେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଅଧ୍ୟକ୍ଷତା କରି ରଥ ନିର୍ମାଣର ଅଗ୍ରଗତି, ରାସ୍ତାଘାଟ ମରାମତି, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ଆଇନ ଶୃଙ୍ଖଳା ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, ଟ୍ରାଫିକ କଟକଣା ଏବଂ ଯୋଗାଯୋଗ ବ୍ୟବସ୍ଥା ଇତ୍ୟାଦି ପ୍ରସଙ୍ଗରେ ବିଭିନ୍ନ ବିଭାଗୀୟ ଅଧିକାରୀ, ସେବାୟତ ବୃନ୍ଦ, ରଥଯାତ୍ରା ସମନ୍ୱୟ କମିଟି ଏବଂ ପୁରୀ ସହରର ବରିଷ୍ଠ ନାଗରିକ ମାନଙ୍କ ସହ ଆଲୋଚନା କରି ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ।

ତତସହିତ ଶ୍ରଦ୍ଧାଳୁଙ୍କ ସମାଗମ ଆଶଙ୍କା କରାଯାଉଥିବାରୁ ପାନୀୟଜଳ, ଶୌଚାଳୟ, ରହଣି ସୁବିଧା, ଅପରାଧ ଦମନ, ଭିଡ଼ ନିୟନ୍ତ୍ରଣ, ଠାକୁରଙ୍କ ଶୃଙ୍ଖଳିତ ଦର୍ଶନ, ଉଚିତ୍ ମୂଲ୍ୟରେ ମହାପ୍ରସାଦ ଉପଲବ୍ଧ କରିବା, ବସ ଓ ଟ୍ରେନ୍ ଯାତ୍ରାକୁ ସହଜ ଓ ସୁଗମ କରିବା, ସଫେଇ, ଉତ୍ତମମାନର ଖାଦ୍ୟ ବିକ୍ରି, ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ସର୍ବୋପରି ରଥଯାତ୍ରାରେ ନୀତିନିର୍ଘଣ୍ଟ ଓ ନୀତିକାନ୍ତି ଉପରେ ଆଲୋଚନା ହୋଇଥିଲା।

ଏହି କାର୍ଯ୍ୟକ୍ରମ ଅବସରରେ ସ୍ବାସ୍ଥ୍ୟ, ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଓ ବୈଦ୍ୟୁତିକ ଓ ସୂଚ଼ନା ବୈଷୟିକ ବିଭାଗର ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ, ବାଣିଜ୍ୟ, ପରିବହନ,ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୁଷଣ ଜେନା, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼ଃ କୃଷ୍ଣଚ଼ନ୍ଦ୍ର ମହାପାତ୍ର, ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ଓ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ପୁରୀ ସାଂସଦ ଡ଼ାଃ ସମ୍ବିତ ପାତ୍ର, ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ ଓ ପୁରୀ ଜିଲ୍ଲାର ବିଧାୟକ ଗଣ, ବିଭାଗୀୟ ପ୍ରମୁଖ ଶାସନ ସଚିବ, ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ପ୍ରମୁଖ ଉପସ୍ଥିତ ଥିଲେ।

Related posts