ନୂଆଦିଲ୍ଲୀ: ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ ଗୁଜରାଟର ଅହମ୍ମଦାବାଦ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ ଉପରେ ଆଧାରିତ ଭବ୍ୟ ସାଂସ୍କୃତିକ ମଲ୍ଟିମିଡିଆ କାର୍ଯ୍ୟକ୍ରମ ‘ନମୋତ୍ସବ’ରେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ 150ଜଣ କଳାକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ଜୀବନୀ, ବିଚାର ଏବଂ ରାଷ୍ଟ୍ର ନିର୍ମାଣ ଯାତ୍ରାକୁ ନେଇ ଏକ ପ୍ରେରଣାଦାୟକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି। ସଚିବ ଶ୍ରୀ ଜାଜୁ ଗିଫ୍ଟ ସିଟି ମଧ୍ୟ ପରିଦର୍ଶନ କରିଥିଲେ।
ନମୋତ୍ସବର ତୃତୀୟ ଦିନରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଜୀବନୀ ସହିତ ତାଙ୍କର ବିଚାରଧାରା, କାର୍ଯ୍ୟ ସଂସ୍କୃତି ଏବଂ ଦେଶବାସୀଙ୍କ ପାଇଁ ତାଙ୍କର ଦୃଢ଼ ପ୍ରତିବଦ୍ଧତାକୁ କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପରିବେଷଣ କରିଥିଲେ।
ଅହମ୍ମଦାବାଦ ଘୁମା ସ୍ଥିତ ସଂସ୍କାର ଧାମ ଠାରେ ଏହି ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ବଡ଼ନଗରରୁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ବାଲ୍ୟ ଜୀବନ ଠାରୁ ଆରମ୍ଭ କରି ତାଙ୍କର ପରବର୍ତ୍ତୀ ଜୀବନଯାତ୍ରାକୁ କଳାକାରମାନେ ସଂଗୀତ, ନୃତ୍ୟ, ନାଟକ ଏବଂ ଆଧୁନିକ ମଲ୍ଟିମିଡିଆ ମାଧ୍ୟମରେ ପରିବେଷଣ କରିଥିଲେ। ଏହି ଅବସରରେ ସଚିବ ଶ୍ରୀ ଜାଜୁ କେନ୍ଦ୍ର ସରକାରଙ୍କ ପ୍ରକାଶନ ଡିଭିଜନ ଏବଂ ସିବିସି ଦ୍ୱାରା ଆୟୋଜିତ ଷ୍ଟଲଗୁଡ଼ିକୁ ମଧ୍ୟ ବୁଲି ଦେଖିଥିଲେ। ସେ ସଂସ୍କାର ଧାମ କ୍ୟାମ୍ପସ ମଧ୍ୟ ପରିଦର୍ଶନ କରିଥିଲେ ଏବଂ ଏହାର ଶିକ୍ଷା ବ୍ୟବସ୍ଥା ଓ ଡିଜାଇନ୍ ଚିନ୍ତାଧାରା, କାର୍ଯ୍ୟକ୍ରମ ପାଇଁ ବ୍ୟବସ୍ଥା ଭଳି ଅଭିନବ ଧାରଣା ବିଷୟରେ ପଚାରି ବୁଝିଥିଲେ।
ମଙ୍ଗଳବାର ସକାଳେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ଜାଜୁ ଗାନ୍ଧୀନଗରରେ ଥିବା ଗୁଜରାଟ ଇଣ୍ଟରନ୍ୟାସନାଲ ଫାଇନାନ୍ସ ଟେକ୍-ସିଟି (ଗିଫ୍ଟ ସିଟି) ପରିଦର୍ଶନ କରିଥିଲେ। ଗସ୍ତ ସମୟରେ, ଗିଫ୍ଟ ସିଟିର ଅଧିକାରୀମାନେ ତାଙ୍କୁ ସେଠାକାର କାର୍ଯ୍ୟଧାରା, ସୁବିଧା ଏବଂ ଏହାର ବ୍ୟବସ୍ଥାଗୁଡ଼ିକ ବିଷୟରେ ଅବଗତ କରାଇଥିଲେ।


