ବାଣପୁର: ଆସନ୍ତା ୭ ତାରିଖ ଦିନ ବାଣପୁରକୁ ମୁଖ୍ୟମନ୍ତ୍ରୀ ମୋହନ ଚ଼ରଣ ମାଝି ଗସ୍ତ କରି ପଲଟଣ ପଡ଼ିଆ ଠାରେ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଶୁଭାରମ୍ଭ କରିବେ। ଏହି ଅବସରରେ ଆଜି ସୁନାଖଳା ପୂର୍ତ୍ତ ବିଭାଗର ଡ଼ାକବଙ୍ଗଳା ଠାରେ ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀର ବିଧାୟକ ତଥା ଓଡିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ମନ୍ତ୍ରୀ ସ୍ଥାନୀୟ ଜନପ୍ରତିନିଧି,ଦଳୀୟ ନେତୃବୃନ୍ଦ, କାର୍ଯ୍ୟକର୍ତ୍ତାମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସୁଚାରୁରୂପେ ସମ୍ପାଦନା କରିବା ସହ ଅଧିକରୁ ଅଧିକ ଜନସମାଗମ ପାଇଁ ଆହ୍ୱାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ପଲଟଣ ପଡ଼ିଆ କାର୍ଯ୍ୟକ୍ରମ ଶେଷକରି ବାଣପୁରର ଆରାଧ୍ୟ ଦେବି ମା’ ଭଗବତୀ ମନ୍ଦିର ଯାଇ ମା’ଙ୍କ ଦର୍ଶନ କରିବା ସହ ଜାରି ରହିଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବେ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସୂଚନା ଦେଇଛନ୍ତି। ରାଜ୍ୟରେ ବିଜେପି ସରକାର ହେବାପରେ ଚିଲିକା ନିର୍ବାଚନମଣ୍ଡଳୀକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଗସ୍ତ ଥିବାରୁ ଏହାକୁ କିପରି ପୂର୍ଣ୍ଣ ସଫଳ କରାଯିବ ସେ ନେଇ କାର୍ଯ୍ୟକର୍ତାମାନଙ୍କୁ ପରାମର୍ଶ ଦେଇଥିଲେ ମନ୍ତ୍ରୀ।
ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚ଼ନ୍ଦନ, ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକଙ୍କ ସମେତ ସମସ୍ତ ମଣ୍ଡଳ ସଭାପତି, ଦଳୀୟ ନେତୃବୃନ୍ଦ ଏବଂ ପ୍ରମୁଖ କାର୍ଯ୍ୟକର୍ତାମାନେ ଉପସ୍ଥିତ ଥିଲେ।


